Unknown

 

 

 

 

 

 

 

ଶବ ସାଧକ

ମୂଳ ବଙ୍ଗଳା ରଚନା

ଆଶାପୂର୍ଣ୍ଣା ଦେବୀ

 

 

 

 

ଓଡ଼ିଆ ଭାଷାନ୍ତର

ସୁପ୍ରଭା ରାୟ

 

॥୧॥

 

ପଇସା ଥିଲେ ସୁନ୍ଦରବନର ଜଙ୍ଗଲରେ, କି ପାହାଡ଼ର ଗୁମ୍ପା ଭିତରେ ମଧ୍ୟ ଆରାମ-ଅୟସ, ସୁଖ-ସୁବିଧା, ଗୋଟିଏ କଥାରେ ସର୍ବବିଧ ବିଳାସର ଆୟୋଜନ ହିଁ ସମ୍ଭବ । ଆଉ ପଇସାବାଲା ସେଇ ଆୟୋଜନ କରି ଚାଲିଛନ୍ତି ଅହରହ । ପୃଥିବୀର ସବତ୍ର ହିଁ ଏହି ଲୀଳା । ସବୁ କାଳରେ, ସବୁ ଯୁଗରେ ।

ଖରା ନଇଁ ଆସିଲା ପରେ କାଚ ଘେରା ବାରଣ୍ଡାରେ ଡନ୍‌ଲୋପିଲୋ ଗଦିମୋଡ଼ା ସୋଫାରେ ବସି ସାମନାର ଉଚ୍ଚନୀଚ ଖୁଆ ପଡ଼ିଥିବା ପଥ ଦେଇ ଏପଟକୁ ଆଗେଇ ଆସୁଥିବା ମାଲବାହୀ ମଇଁଷିଗାଡ଼ିଗୁଡ଼ାକ ଆଡ଼କୁ ଚାହିଁ ଦେଖୁ ଦେଖୁ କଥାଗୁଡ଼ାକ ଭାବୁଥିଲେ ଅନୁରାଧା । ଜଣାପଡ଼ୁଛି ଗାଡ଼ିଗୁଡ଼ାକ ଏଇ ଦେହୁଡ଼ି ସାମନାରେ ଆସିହିଁ ରହିଯିବ, ଏଇ ପ୍ରାଚୀନ ପ୍ରାସାଦର କୌଣସି କୌଣସି ଅଂଶରେ ଆଧୁନିକ ଅଳଙ୍କରଣ ପାଇଁ ଏଇସବୁ ମାଲମସଲା, ଉପକରଣ ଆସୁଛି ସହରରୁ ଏହା ନିଶ୍ଚିତ । ଏହାହିଁ ତ କରି ଚାଲିଛନ୍ତି ସୋମଶେଖର ।

ବିଜ୍ଞାନ ବଳରେ କେତେ କ’ଣ ହୋଇଥାଏ । କିମ୍ବା କେବଳ ବିଜ୍ଞାନ ବଳରେ କାହିଁକି, ଭାବିଲେ ଅନୁରାଧା, କେବଳ ମାତ୍ର ଧନବଳରେ ମଣିଷ ସବୁ ଯୁଗରେ ସବୁ କାଳରେ ଅସମ୍ଭବକୁ ସମ୍ଭବ କରି ଆସୁଛି, ଅସାଧ୍ୟକୁ ସାଧ୍ୟ କରିଚାଲିଛି । ଟଙ୍କାର ଚକ ପୃଥିବୀର ଏ ପ୍ରାନ୍ତରୁ ସେପ୍ରାନ୍ତ ପର୍ଯ୍ୟନ୍ତ ଦୌଡ଼ାଦୌଡ଼ି କରି ଅର୍ଥବାନଙ୍କ ଜୀବନରେ ଅର୍ଥର ଅର୍ଥ ଆଣିଦେଉଛି, ତାର ସ୍ୱପ୍ନକୁ ସଫଳ କରି ତୋଳୁଛି, ପରିକଳ୍ପନାକୁ ରୂପ ଦେଇ ଆକାଂକ୍ଷାକୁ ଚରିତାର୍ଥ କରୁଛି । ଆଧୁନିକ ବିଜ୍ଞାନର ଚିହ୍ନ, ମାତ୍ର ହୀନ ଯୁଗରେ ପଇସା ହିଁ ମରୁଭୂମିରେ ଗୋଲାପ ବଗିଚା ତିଆରି କରିଛି । ହଜାର ହଜାର ଫୁଟ ଉଚ୍ଚ ପାହାଡ଼ର ପଥର ଚୂଡ଼ାରେ ବିଶାଳ ପ୍ରାସାଦ ଗଢ଼ିଛି । ଗଭୀର ନଦୀ ଗର୍ଭରେ ଆକାଶଚୁମ୍ବୀ ଦେଉଳ ତୋଳିଛି । ଧନବାନମାନଙ୍କର ସୌଖିନ ଚିତ୍ତବିଳାସ ଚରିତାର୍ଥ କରିବାପାଇଁ ପୃଥିବୀର ଯେତେ ଆୟୋଜନ, ସାଧାରଣ ମଣିଷର ଜୀବନଯାତ୍ରା ପ୍ରୟୋଜନରେ ତା’ର ଶତାଂଶର ଏକାଂଶ ମଧ୍ୟ ନୁହେଁ । ସେଇ ସୁବର୍ଣ୍ଣ ମୁଦ୍ରା ଯୁଗରୁ ଏଇ କାଗଜ ଖଣ୍ଡ ଯୁଗ ପର୍ଯ୍ୟନ୍ତ ସେହି ଗୋଟିଏ ଘଟଣା । ମଣିଷ ଆଉ ଜାନୁଆର ସମାନ ଭାବରେ ମାଲ ବୋହି ଆସୁଛନ୍ତି ଯୁଗ ଯୁଗାନ୍ତକାଳ ଧରି । ଏ ଯୁଗର ଦ୍ରୁତ ଯାନମାନେ ହୁଏତ ସହରୀ ମଣିଷମାନଙ୍କର ଦ୍ରୁତ ସଙ୍କଳ୍ପ ସିଦ୍ଧିର ସୁଯୋଗ ଦେଇପାରୁଛନ୍ତି, କିନ୍ତୁ ମଣିଷ ଆଉ ଜାନୁଆର ସେଥିରୁ କ’ଣ ଛୁଟି ପାଇଛନ୍ତି ? ଆଜି ବି ଦୁର୍ଗମ ପଥରେ ହାତୀ, ଓଟ, ଗାଈ, ମଇଁଷି, ଛେଳି, ମେଣ୍ଢା, ଘୋଡ଼ା, ଖଚ୍ଚର । ଆଉ ସେମାନଙ୍କର, ସମଗୋତ୍ର ମଣିଷମାନେ ।

ସେମାନଙ୍କ ସମଗୋତ୍ରମାନେ ଛଡ଼ା କିଏ ସେମାନଙ୍କ ପିଠିରେ ମାଲ ଉଠାଇ ଦେବେ ? କିଏ ସେମାନଙ୍କ କ୍ଷୁଧା-ତୃଷ୍ଣାକୁ ଚାହିଁବେ ? ଆଉ କିଏ ବା ଜଳ-ସ୍ଥଳ-ଆକାଶ ସବୁପ୍ରକାର ଯାନବାହିତ ମାଲ ଖଲାସ କରିବେ ?

ଧନବଳର ପ୍ରତ୍ୟକ୍ଷ ମୂର୍ତ୍ତି ‘ଜନବଳ’ । ଏଇ ଉଭୟ ପ୍ରକାର ବଳହିଁ ବିଜ୍ଞାନକୁ ଆଗେଇ ଯିବାକୁ ସାହାଯ୍ୟ କରି ଚାଲିଛି । ବିଜ୍ଞାନର ଯଦି ବିଲୋପ ଘଟେ, ଏମାନଙ୍କର ବିଲୋପ ଘଟିବ ନାହିଁ କୌଣସି ଦିନ ।

ମଇଁଷିଙ୍କ ବେକରେ ବନ୍ଧା ଘଣ୍ଟିଶବ୍ଦ ଶୁଣିବାକୁ ପାଉଛନ୍ତି ଅନୁରାଧା ।

ଆଗେ ବହୁଦୂରରୁ ଗୋଟାଏ ଅସ୍ପୁଟ ସଙ୍ଗୀତଧ୍ଵନି ପରି କ୍ରମଶଃ କ୍ଳାନ୍ତ ବୃଦ୍ଧ ପୁରୋହିତଙ୍କ ହାତରେ ଧରିଥିବା ଘଣ୍ଟା ପରି ଧୀର ମନ୍ଥର ।

କ୍ରମଶଃ ଅସ୍ପଷ୍ଟରୁ ସ୍ପଷ୍ଟ ।

 

ସୂର୍ଯ୍ୟ ମଧ୍ୟ ଅତିଶୀଘ୍ର ଆକାଶରେ ମେଲିଥିବା ରଙ୍ଗିନ୍‌ ଚାଦର ଗୋଟାଇ ନେଉଛନ୍ତି । କଳାଛାଇର ଆଭାସ କୋଣରେ କୋଣରେ ।

 

ଜେଜେମା’ ସେଇଥିପାଇଁ କହୁଥିଲେ ଭାଦ୍ରବରେ ବେଳ ଆଦରରେ ଯାଏ । ଭାବିଲେ ଅନୁରାଧା । ବଡ଼ ଭଲ ଲାଗୁଥିଲା ବସିବାକୁ । ସନ୍ଧ୍ୟା ନଇଁ ଆସିଲେ ଉଠିଯିବାକୁ ହେବ । ଠାକୁର ମଣ୍ଡପରେ ସଞ୍ଜଦେବା ଡିଉଟି ଅନୁରାଧାଙ୍କର । ଗୋଟିଏ ମିନିଟ୍‍ ବି ହଲଚଲ ହେବାର ଉପାୟ ନାହିଁ ।

 

ଉଠିବି ଉଠିବି ହେଉଛନ୍ତି ଅନୁରାଧା । ସୋମଶେଖର ଆସି ଛିଡ଼ା ହେଲେ ।

 

ଲମ୍ବାଚଉଡ଼ା କର୍ମବଳିଷ୍ଠ ରାଜକୀୟ ଚେହେରା, ତଳେ କୁଞ୍ଚ ଲୋଟୁଥିବା ମିହିଧୋତି, ଗୋଟାଏ ପଟରେ ବୋତାମ ଦିଆ ଚିକନର କାମ ଥିବା ତତୋଽଧିକ ପତଳା ପଞ୍ଜାବି, ପାଦରେ ହରିଣ ଚମଡ଼ାର ଚଟି । ଧଳା ମାର୍ବଲ ପଥରର ମେଜିଆ ଉପରେ ଚଟି ପିନ୍ଧା ପାଦ ଯୋଡ଼ିକ ଶୋଭା ସୃଷ୍ଟି କଲା ।

 

କ’ଣ ଏତେ ଭାବୁଥିଲ ?

 

କାଚଘେରା ବାରଣ୍ଡାର ଖୋଲା ଝରକା ଉପରେ ଈଷତ୍‌ ଆଉଜିପଡ଼ି ଛିଡ଼ା ହୋଇ ସୋମଶେଖର କହିଲେ, ଥରେ ଆସି ଫେରିଯାଇଛି ।

 

ଫେରିଯାଇଛ ? ଧେତ୍‌ ! କେବେବି ନୁହେଁ ।

 

‘ନା’ କହିଲେ ମୁଁ ନାଚାର । ଦେଖିଲି ଅଶୋକବନରେ ସୀତାଙ୍କ ପରି ମୁହଁକରି ଆକାଶକୁ ଚାହିଁ ବସିରହିଛ, ବାହ୍ୟଜ୍ଞାନ ରହିତ ହୋଇ । ତେଣୁ ଆଉ ଡିସ୍‌ଟର୍ବ କଲି ନାହିଁ ।

 

କି ଆଶ୍ଚର୍ଯ୍ୟ !

ସୋଫାରୁ ଉଠି ଛିଡ଼ା ହେଲେ ଅନୁରାଧା ।

କହିଲେ, ଏ କଥାର କୌଣସି ମାନେ ହୁଏନା । ଡାକିବ ତ ?

ବହୁ ଚିନ୍ତିତ ମୁହଁ ଦେଖି ଡାକିବାକୁ ଇଚ୍ଛା ହେଲା ନାହିଁ । କ’ଣ ଏତେ ଭାବୁଥିଲ ?

କ’ଣ କବିତାର ଲାଇନ୍‌ ?

 

ବାହାଘର ପରେ ଅନୁରାଧାଙ୍କର ଗୋଟାଏ କବିତାର ଖାତା ଆବିଷ୍କାର ହେବାପରେ, ଥଟ୍ଟା ଯେତେବେଳେ ସେତେବେଳେ ଚଳାଇ ଦିଅନ୍ତି ସୋମଶେଖର । ଶେଷ ସୂର୍ଯ୍ୟର ହାଲ୍‌କା ସୁନେଲି ଆଲୁଅ ଟିକକ କପାଳ ଓ ମୁଣ୍ଡରେ ଆସି ପଡ଼ିଥିବା ସୋମଶେଖରଙ୍କ ମୁହଁଟି ଦେଖି ଛାତିଟା ଆବେଗରେ ଭରି ଉଠିଲା ।

 

ନିଜେ ଅନୁରାଧା ମଧ୍ୟ କିଛି କମ୍‌ ସୁନ୍ଦରୀ ନୁହଁନ୍ତି, ରୂପର ଟିକଟରେ ହିଁ ତାଙ୍କର କଲିକତାର ଗୋଟାଏ ଗଳିରେ ଥିବା ଘରୁ ଏଇ ପ୍ରାସାଦକୁ ପ୍ରମୋଶନ, ତେବେବି ସେଇ ରୂପବାନ ସ୍ଵାମୀଙ୍କ ଆଡ଼କୁ ଚାହିଁଲେ ହିଁ ନିଜକୁ ତୁଚ୍ଛ ମନେହୁଏ । କିନ୍ତୁ ସେ ସବୁତ ଆଉ ମୁହଁରେ ପ୍ରକାଶ କରିହୁଏନା । ସେଇଥିପାଇଁ ପାଖକୁ ଆସି କହନ୍ତି, ଆଦୌ ନୁହଁ । ଏତେ ସମୟ ଯାହା ଭାବୁଥିଲି, ତାକୁ ଲେଖିଲେ ମାନବିକତା ବୋଧପୂର୍ଣ୍ଣ ଗୋଟାଏ ପ୍ରବନ୍ଧ ହୋଇଯାଇ ଥାଆନ୍ତା, ବୁଝିଲ ବାବୁ !

 

ସରିଲା ! ହଠାତ୍‌ ଏସବୁ ଓଲଟା ପାଲଟା ବୋଧବୁଦ୍ଧି କାହିଁକି ? ଆଚ୍ଛା, କ’ଣ ସେଇ ମହାନ୍‌ ଚିନ୍ତା ଶୁଣିପାରେକି ?

 

ଶୁଣାଇବାକୁ ବସିଲେ ଚିନ୍ତାର ସୂକ୍ଷ୍ମତା ନଷ୍ଟ ହୋଇଯାଏ । ସୋମଶେଖର ହସିଲେ । ତା’ହେଲେ ଥାଉ । ଆପାତତଃ ଗୋଟାଏ ନିଦାରୁଣ ସ୍ଥୂଳକଥା କହିବାକୁ ଆସିଛି । ଦୁଇଟା ମଇଁଷି ଗାଡ଼ି ଆସିଛି, ତା’ ସାଙ୍ଗରେ ଦୁଇ ଦୁଇ ହିସାବରେ ଚାରିଜଣ ଲୋକ ଆସିଛନ୍ତି, ସେମାନେ ଆଜି ରାତିରେ ଫେରିପାରିବେ ନାହିଁ । ରାତିରେ ଖାଇବେ ଶୋଇବେ ।

 

ତା’ପରେ ଟିକିଏ ଦୁଷ୍ଟାମିର ହସ ହସି କହିଲେ, ଅବଶ୍ୟ ଶୋଇବା ଭାବନାଟା ଆଉ ଭାବି ଲାଭ ନାହିଁ, କେବଳ ଗଣ୍ଡିଏ ଖାଇବାକୁ ଦେଲେ ହିଁ ହେବ ।

 

ଦିନକୁ ଦିନ ଭାରି ଅସଭ୍ୟ ହୋଇଯାଉଛ ତୁମେ ।

 

କି ଆଶ୍ଚର୍ଯ୍ୟ ! ଗରିବ ମଣିଷ କେଇଟାକୁ ଗଣ୍ଡିଏ ଖାଇବାକୁ ଦେବାକୁ କହୁଛି, ସେଥିରେ ସଭ୍ୟତାର ହାନି ହେଲା କେଉଁଠି ?

 

ଆଚ୍ଛା ହେଲା । ଖୁବ୍‌ ଚାଲାକ୍‌ ହୋଇଯାଇଛ !

 

ତା’ମାନେ ଦୁଇଟା ଚାର୍ଜସିଟ୍‌ ତିଆରି କରାହୋଇଛି - ଗୋଟାଏ ‘ଅସଭ୍ୟତା’, ଗୋଟାଏ ‘ଚାଲାକି’ ! ମୁଁ ଚାଲିଲି । ଠାକୁର ମଣ୍ଡପକୁ ଯିବାରେ ଡେରି ହୋଇଯାଉଛି ।

 

ମୁଁ କ’ଣ ଧରି ରଖିଛି ।

 

ଅନୁରାଧା ଛୋଟ ଗୋଟିଏ ଭ୍ରୂ-ଭଙ୍ଗୀ କଲେ । ଝାପ୍‌ସା ଆଲୁଅରେ ବିଶେଷ ଦିଶିଲା ନାହିଁ । ତା’ପରେ ସୋମଶେଖର ସେଇ ଖୋଲା ଝରକାଟା ଟାଣି ବନ୍ଦ କରୁ କରୁ କହିଲେ, ‘ମଇଁଷିବାଲାମାନଙ୍କୁ ଖାଇବାକୁ ଦେବା କଥାଟା ରଜନୀକୁ କହିଦେଲେ ହୋଇଯାଇ ଥାଆନ୍ତା, ତେବେବି ତୁମ୍ଭକୁ ବ୍ୟସ୍ତ କଲି । ରଜନୀଟା ଭାରି କୃପଣ, ବିଶେଷ କରି ଏଇସବୁ ଲୋକଙ୍କ ବ୍ୟାପାରରେ ଲକ୍ଷ୍ୟ କରିଛି ।’

 

ଅନୁରାଧା ହସିଲେ, କହିଲେ, ‘ରଜନୀର ମତରେ ଯେଉଁମାନଙ୍କର ଦୁଇଓଳି ପେଟପୂରା ଭାତ ଜୁଟେ ନାହିଁ, ସେମାନଙ୍କ ପକ୍ଷରେ ପେଟ ଚିରି ଭାତ ଡାଲି ପାଇବା ହିଁ ଯଥେଷ୍ଟ ବିଳାସିତା । ତା’ ଉପରେ ମାଛ, ମାଂସ, କ୍ଷୀର, ଦହି ଯୋଗାଇଲେ ଘରକୁ ଯାଇ ମରିଯିବେ ।’

 

ଅନୁରାଧା ଚଙ୍ଗଚଙ୍ଗ ହେଉଥିଲେ, ଅଥଚ ଏଇ ମନୋରମ ପରିବେଶ ଆଉ ମଧୁର ସାନ୍ନିଧ୍ୟ ଟିକକ ଛାଡ଼ି ଯିବାକୁ ମଧ୍ୟ ଇଚ୍ଛା ହେଉନି । କେତେଟିକେ ବା ପାଆନ୍ତି ଲୋକଟିକୁ ? କାମ ଧନ୍ଦାରେ ତ ବୁଲୁଛନ୍ତି ରାତିଦିନ ।

 

ଅନେକ ସମୟରେ ରାଗିଯାଇ ଅନୁରାଧା କୁହନ୍ତି, ବାହାଘରବେଳେ ଶୁଣିଥିଲି ରଜାଘରେ ବାହାଘର ହେଉଛି, ରାଜପୁତ ବର । ରାଜପୁତ ଯେ ରାତିଦିନ କୁଲି ଚରାଇ ବୁଲନ୍ତି ତା’ତ ଜାଣି ନ ଥିଲି ।

 

କଥାଟା ସତ । ରଜାଘରର ରାଜାମାନଙ୍କର ବ୍ୟବସାୟ ବାଣିଜ୍ୟ ଅଛି ତିନି ପୁରୁଷ ଧରି, ବର୍ତ୍ତମାନ ଅବଶ୍ୟ ତିନି ପୁରୁଷର ମଧ୍ୟବର୍ତ୍ତୀ ପୁରୁଷ ଜଣକ ବିଗତ, ଅଛି ସୋମଶେଖର ଆଉ ଅଛନ୍ତି ଶଶୀଶେଖର । ଶଶୀଶେଖରଙ୍କ ବୟସ ଅଶୀ ପାରି ହେଇଛି, ଫଳରେ ପ୍ରତ୍ୟକ୍ଷ ଭାବରେ ସେ ଏବେ ତାଙ୍କର ଚୂନ ଆଉ ଷ୍ଟୋନ୍‍-ଚିପସ୍‌ ସପ୍ଳାଇର ବ୍ୟବସାୟରେ ଖଟି ପାରନ୍ତିନି, ପାରନ୍ତିନି ‘ବାଲି-ପଥର’ କୋଇଲା ଖଣିଟାର ସୁଖ-ଦୁଃଖ ଦେଖିବା ପାଇଁ, ତେବେ ପରୋକ୍ଷରେ ସେହିଁ ଚଳାନ୍ତି ।

 

ଅନୁରାଧା କୁହନ୍ତି, ଜେଜେ ହେଲେ ମୁଣ୍ଡ, ଆଉ ତୁମେ ହାତଗୋଡ଼ ।

 

ବର୍ତ୍ତମାନ ଅନୁରାଧାଙ୍କ ଦେହରେ ରଙ୍ଗିନ ଟାଙ୍ଗାଇଲ ଶାଢ଼ି, ମ୍ୟାଚ କରି ବ୍ଳାଉସ, ଲେସ ଲଗା ସାୟା । ସାଙ୍ଗେ ସାଙ୍ଗେ ଓହ୍ଲାଇ ଏସବୁ ବଦଳାଇ ଗରଦର ଶାଢ଼ି ଓ ବ୍ଳାଉସ୍‍ ପିନ୍ଧି ଠାକୁର ମଣ୍ଡପକୁ ଯିବାକୁ ପଡ଼ିବ । କାମଟି ସାମାନ୍ୟ, ଦୁର୍ଗାବେଦୀରେ ପଞ୍ଚପ୍ରଦୀପଟା ଜାଳି ଶଙ୍ଖ ବଜାଇବା ଆଉ ଝୁଣା ଦେବା, ଏତିକି ମାତ୍ର । କିନ୍ତୁ ଆୟୋଜନଟା ଅସାମାନ୍ୟ । ପୁଣି ସମୟସାପେକ୍ଷ ବ୍ୟାପାର ।

 

ତେବେବି ଟିକିଏ ଛିଡ଼ା ହେଲେ ଅନୁରାଧା ।

କହିଲେ, ମଇଁଷିର ଗାଡ଼ି ଆସିଲା କି ?

 

ମୋଜାଇକ୍‌ ଟାଇଲ ! ସୋମଶେଖର କହିଲେ, ଦୋତାଲ।ର ଏପଟ ବାଥରୁମ୍‌ରେ ଟାଇଲ ବସାଇବି । ଫାଇନ ଟାଇଲ ଗୋଟାଏ ଚଏସ୍‌ କରିଛି ।

 

ଅନୁରାଧା ଈଷତ୍‌ ଗମ୍ଭୀର ହେଲେ । କହିଲେ, ବାରଣ୍ଡାକୁ ଘେରାଇ ଯେତେବେଳେ ଅ୍ୟାଟାଚଡ଼୍‍ ବାଥରୁମ୍‌ଟା ତିଆରି କରାଇଲ, ସେତେବେଳେ ତ କହିଲ, ମାର୍ବଲ ମେଜିଆଟା ଯଥେଷ୍ଠ ସୁନ୍ଦର, ପୁଣି ଏବେ କ’ଣ ହେଲା ?

 

ମୁଣ୍ଡରେ ଝୁଙ୍କ ପଶିଲା । ଅଦ୍ଭୁତ ସୁନ୍ଦର ଡିଜାଇନ୍‌ଟା ।

ଆଚ୍ଛା, ଏସବୁ ବିଷୟରେ ପରେ କଥା ହେବା ।

 

ଏହାକହି ତରତର ହୋଇ ଅନୁରାଧା ଓହ୍ଲାଇଗଲେ ତଳକୁ ଶୋଇବାଘର ଭିତର ଦେଇ-। ଏଇ ବାରଣ୍ଡାଟା ପୂରା ଶୋଇବାଘରର ନିଜସ୍ଵ । ଅଲଗା କୌଣସି ପ୍ରବେଶପଥ ନାହିଁ ଏହାର । ଏଇଟା ବର୍ତ୍ତମାନର ପୁରୁଣାପ୍ରାସାଦ ଦେହରେ ନୂଆ ସଂଯୋଜନ । ତେବେ ପରିକଳ୍ପନାଟା ଅନୁରାଧାଙ୍କର । ଅନୁରାଧାଙ୍କ ମତରେ ଇଚ୍ଛା ଅନୁସାରେ ବସିବାପାଇଁ ଟିକିଏ ପ୍ରାଇଭେସି ଦରକାର-। ପ୍ରଥମେ ପ୍ରଥମେ କହିଥିଲେ ତୁମମାନଙ୍କ ଘରେ ଏଇଟାର ଭାରି ଅଭାବ ବାବୁ । କାମ କରିବାପାଇଁ ଲୋକସଂଖ୍ୟା ଏତେବେଶୀ ଯେ, ନିଜକୁ ପ୍ରାୟ ଅବାନ୍ତର ବୋଲି ମନେହୁଏ । ଆଉ ସେମାନଙ୍କର ଗତିବିଧି ଏତେ ଅବାଧ ଯେ ଅସୁବିଧା ଲାଗେ । ଯେତେବେଳେ ସେତେବେଳେ ଭୁସ୍‌ଭାସ୍‌ ହୋଇ ପଶିଯାଆନ୍ତି । ଶୋଇବାଘରେ ମଧ୍ୟ ।

 

ତାହା ଶୁଣି ସୋମଶେଖର ବିବ୍ରତ ହୋଇ କହିଥିଲେ, କିଏ ପଶିଯାଏ ? ତୁମର ବିଧୁମୁଖୀ, ସୁଶୀଳା, ହେନା ।

 

ଶୁଣି ସୋମଶେଖର ହସି ହସି ବେଦମ୍‌ ହୋଇ କହିଲେ, ଆରେ ! ସେମାନେ ତ ମହିଳା ।

 

ହୁଅନ୍ତୁ ନା । ମହିଳା ବୋଲି କ’ଣ ମୁଣ୍ଡ କିଣିଛନ୍ତି ? ପାନ ଚୋବାଉ ଚୋବାଉ ଘରେ ପଶି ଗୋଡ଼ ଲମ୍ବାଇ ବସିବେ । ଜବରଦସ୍ତ ଗପ କରିବେ, ଭାରି ଖରାପ ଲାଗେ ମୋତେ । ଦକ୍ଷିଣପଟର ବଡ଼ବାରଣ୍ଡାକୁ ଟିକେ ବସିବାକୁ ଗଲି, ତୁମର ବ୍ରଜରାଜ ଝାଡ଼ଣ ନେଇ ଉଦୟ ହେଲେ ଧଡ଼୍‍ଧାଡ଼୍‍ ସବୁ ଝାଡ଼ିବା ପାଇଁ । ଅସ୍ଵସ୍ତି ଲାଗିବ ନାହିଁ ?

 

ସେଇ ଅସ୍ୱସ୍ତି ଲାଗିବା ଫଳସ୍ୱରୂପ ଏଇ ବେଡ଼୍‍ରୁମ-ଆଟାଚଡ୍‍ କାଚଘେରା ବାରଣ୍ଡା । ଇଚ୍ଛାହେଲେ ବଡ଼ବଡ଼ ଝରକାଗୁଡ଼ାକ ଖୋଲିଦିଅ, ପବନରେ ଉଡ଼ାଇ ନେଇଯିବ । ଝଡ଼ବର୍ଷା ସମୟରେ ବନ୍ଦ କରି ବାହାରର ଦୃଶ୍ୟ ଉପରୋଗ କରିବ ? କର ?

 

ଏଠି ପଡ଼ିଥିବା ସୋଫା, ସେଇଟା ପୂରା ନୂଆ । ତେଣୁ ଅତି ଆଧୁନିକ ଡିଜାଇନର ଏପଟେ ସେପଟେ ଦୁଇ ଚାରିଖଣ୍ଡ ବେତ ଚେୟାର ପଡ଼ିଛି, ସେଗୁଡ଼ାକ ବି ଏବେକାର ।

 

ସୋମଶେଖର କୁହନ୍ତି, ଘରଣୀଙ୍କର ନିଜସ୍ଵ ବାରଣ୍ଡା । ଘରଣୀ ଅବଶ୍ୟ ଆଢ଼ୁଆଳରେ କୁହନ୍ତି ।

 

ସ୍ତ୍ରୀଙ୍କୁ ସୋମଶେଖର ଘରଣୀ ଆଖ୍ୟା ଦେଉଛନ୍ତି, ଏଇଟା କାନକୁ ଗଲେ ମଧୁମାଳତୀ ଦେବୀ ସେଦିନ ଅନ୍ନଜଳ ତ୍ୟାଗ କରିବେ ।

 

॥୨॥

 

ବ୍ରଜରାଜ ଘରେ ଘରେ ଆଲୁଅ ଜାଳି ଦେଇଗଲା । କିରାସିନିର ଆଲୁଅ, ଉପରେ କାଚର ବଲବ୍‌ ବସା । କେଉଁଟାକୁ କାନ୍ଥର ହୁକ୍‌ରେ ଝୁଲାଇ ଦେଲା, କେଉଁଟାକୁ ଟେବୁଲ ଉପରେ ରଖିଲା, କେଉଁଟାକୁ ବା ଆଲୁଅ ରଖିବାର ସ୍ପେଶାଲ୍‌ ଟୁଲ୍‌ ଉପରେ ।

 

ସାଙ୍ଗେ ସାଙ୍ଗେ ଘର କାନ୍ଥରେ ସୁଇଚଗୁଡ଼ାକୁ ମଧ୍ୟ ଚିପି ଦେଇଗଲା । ବେଶ୍‌ କିଛିଦିନ ହେଲା ବିଜୁଳିବତି ଅଣାଇଛନ୍ତି ସୋମଶେଖର ବହୁତ ଖର୍ଚ୍ଚ କରି । କିନ୍ତୁ ବ୍ରଜରାଜ ନିଜର ଡିଉଟି ତ୍ୟାଗ କରିବ ନାହିଁ । ବ୍ରଜରାଜ ଧୋବ ଫରଫର ଧୋତି ସାଙ୍ଗକୁ ଛୋଟ ଜାମା ପିନ୍ଧି, କୁଞ୍ଚଟି ସଜାଡ଼ି ପେଟ ଦେହରେ ଗୁଞ୍ଜି ସାରାଦିନ ଘରର ଆସବାବପତ୍ର ଝାଡ଼ି ବୁଲୁଥାଏ । ଆଉ ସନ୍ଧ୍ୟା ହେଲେ ଆଲୁଅ ଜାଳେ । ଏହାଠାରୁ ବେଶୀ ଆଉକିଛି ପାରେନା, କେହି ପ୍ରତ୍ୟାଶା ମଧ୍ୟ କରନ୍ତିନି-

 

ଶଶୀଶେଖରଙ୍କ ଅମଳର ଲୋକ, ବୟସ ମଧ୍ୟ ବହୁତ ହୋଇଯାଇଛି । ସୁଇଚ ଚିପି ଯେଉଁ ଆଲୁଅ, ତାକୁ ସେ ଗୃହସ୍ଥଙ୍କ କଲ୍ୟାଣକର ‘ସନ୍ଧ୍ୟାଦୀପ’ କହିବାକୁ ରାଜି ନୁହେଁ । ଚିରାଚରିତ ପ୍ରଥାଟା କରିଯିବ ହିଁ ଯିବ ।

 

ଘରେଘରେ ଏଇସବୁ କିରାସିନି ଆଲୁଅ ବିଜୁଳିବତିର ପାଦ ପାଖରେ ମ୍ରିୟମାଣ ମୁହଁରେ ବସି ଥାଆନ୍ତି, ଜିନ୍ତୁ ଶଶୀଶେଖରଙ୍କ ଘରେ ଏଇ ଦୁଇଜଣଙ୍କର ପ୍ରବେଶ ନାହିଁ । ଶଶୀଶେଖର ତାଙ୍କ ଘରେ ଏବେବି ମହମବତି ବା ଝାଡ଼ଲଣ୍ଠନ ବଜାୟ ରଖିଛନ୍ତି ।

 

ତାଙ୍କର ମହଲଟି ଯେମିତି ପ୍ରାଚୀନ ପ୍ରାସାଦର ଗଢ଼ଣ- ଧରଣ ସାଜସଜ୍ଜା ସବୁକିଛିର ଗୋଟାଏ ନମୁନା-ଖଣ୍ଡ । ଅନେକ ଜାଗାରେ ବଦଳି ଦିଆ ହେଉଛି, ଏଠି ହୋଇନି ।

 

ଏଇ ନମୁନାଟି ହେଉଛି ବ୍ରିଟିଶ ଅମଳର ନାମଡାକ ଯୁଗରେ, ଯେତେବେଳେ ଫ୍ୟାସନ୍‌ କହିବାକୁ ଗଲେ ‘ବିଲାତିଆନା’କୁ ବୁଝାଉଥିଲା । ପଇସାବାଲା ଲୋକମାନେ ରାଜାରାଜୁଡ଼ା ଜମିଦାରମାନେ ନିଖୁଣ ‘ବିଲାତିଆନା’ର ନମୁନା ହୋଇପାରିଲେ ଜୀବନ ସାର୍ଥକ ମନେକରୁଥିଲେ-

 

ସେ ନମୁନା ନିର୍ଭେଜାଲ ।

 

ସେଠି କାଟ୍‌ଗ୍ଳାସ୍‌ର କାରୁକାର୍ଯ୍ୟମଣ୍ଡିତ ଫ୍ଳାୱାରଭାସ୍‌ର ସାଙ୍ଗରେ ବାଁକୁଡ଼ାର ଘୋଡ଼ାର ସହାବସ୍ଥାନ ଦେଖାଯାଉ ନ ଥିଲା । ଟେବୁଲ ଉପରେ ଖାନା ଲଗାଇ ହାତରେ ଭାତ ଖାଇବା କେହି କଳ୍ପନା ବି କରିପାରୁ ନ ଥିଲେ ।

 

ଶଶୀଶେଖର ସେଠାରୁ ଇଞ୍ଚେବି ହଲିବାକୁ ରାଜି ନୁହଁନ୍ତି ।

 

ବ୍ରଜରାଜ ଆଲୁଅ ଜଳାଇ ଚାଲିଯିବା ପରେ ସୋମଶେଖର ଅଳସ ପାଦରେ ନିଜ ଇଲାକାରୁ ବାହାରି ଶଶୀଶେଖରଙ୍କ ଘରେ ଆସି ପଶିଲେ ।

 

॥୩॥

 

ଠାକୁରମଣ୍ଡପରେ ‘ସନ୍ଧ୍ୟା ଦେବା’ ପରେ ବରଦ ଶାଢ଼ୀ ପିନ୍ଧିବା ଅବସ୍ଥାରେ ଆହୁରି ଗୋଟିଏ କର୍ତ୍ତବ୍ୟ ଅଛି ଅନୁରାଧାଙ୍କର । ମଧୁମାଳତୀଙ୍କ ଘରେ ଆସି ପଚାରିଲେ, ଖୁଡ଼ୀ, ବର୍ତ୍ତମାନ ସରବତ୍‌ ଦେଉଛି !

 

ଏହାପରେ ମଧୁମାଳତୀଙ୍କ ନିର୍ଦ୍ଦେଶ ଅନୁଯାୟୀ କର୍ତ୍ତବ୍ୟ ପାଳନ । ଯଦି ନା କୁହନ୍ତି ତା’ହେଲେ ସରବତ୍‌ ତିଆରି କରି ଶ୍ଵେତପଥରର ଲୋଟାରେ ଘୋଡ଼ଣି ଦେଇ ରଖି ଗୋଟିଏ ଦୁଇଟି ‘ମଧୁର କୋମଳ’ କଥା କହି, ଯେମିତି ପିଇବାକୁ ଭୁଲି ନ ଯାଆନ୍ତି । ଏଇ ଅନୁରୋଧ ଜଣାଇ ଧୀରେ ଧୀରେ ବିଦାୟ ଗ୍ରହଣ କରନ୍ତି ।

 

ଆଉ ଯଦି ‘ଦିଅ’ କୁହନ୍ତି ତ ସରବତ୍‌ ପିଆଇ ହାତ ଧୋଇବାପାଇଁ ପାଣି ଦେଇ ଲୋଟାଟା କୌଣସି ଦାସୀ ଜିମାରେ ଦେଇ ତେବେ ବିଦାୟ ଗ୍ରହଣ । ଏକଦା ଏ ଘରେ ଚାର ଚଳଣି ନ ଥିଲା ସେତେବେଳେ ସାନ୍ଧ୍ୟ ଜଳପାନଟା ଥିଲା ମିଶ୍ରିର ସରବତ୍‌ । ଏବେ ତାର ଅବାଧ ପ୍ରବେଶାଧିକାର ।

 

ଅତଏବ ମଧୁମାଳତୀ ମଧ୍ୟ ଉପରବେଳା ଦୁଇ ତିନିଥର ଚା’ ପାନ କରି ଏହାପରେ ଐତିହ୍ୟ ବଜାୟ ରଖିବା ପାଇଁ ସରବତ୍‌ ପିଅନ୍ତି । ତେବେ ଯେତେବେଳେ ପିଅନ୍ତି, ମନେହୁଏ ମହିଳାଙ୍କର ବୋଧହୁଏ ଶୋଷରେ ଛାତି ଫାଟିଯାଉଛି । ମୁହଁରେ ଆଖିରେ ସେଇ ଆକୁତି, ପିଇବାଠାରେ ସେଇ ପରିତୃପ୍ତିର ‘ଆଃ’ ଧ୍ଵନି ।

 

ମଧୁମାଳତୀଙ୍କ ଘରୁ ବାହାରି ରୋଷେଇଘର ଆଡ଼କୁ ଗଲେ ଅନୁରାଧା । ନିରାମିଷ ଘରେ ବ୍ରାହ୍ମଣୀ ଦିଦି ମଧୁମାଳତୀଙ୍କର ରାତି ଖାଇବା ତିଆରି କରିବାରେ ବ୍ୟସ୍ତ । ଅବଶ୍ୟ ବ୍ରାହ୍ମଣୀ ଦିଦିଙ୍କର ମଧ୍ୟ ଅଂଶ ଥିବ । ଆଉ ଥିବ ବିଧୁମୁଖୀର । କୈବର୍ତ୍ତ ଘରେ ‘ବିଧବାଙ୍କ’ ନିରାମିଷ ଖାଇବା ବାଧ୍ୟତାମୂଳକ ନୁହେଁ, ବ୍ରାହ୍ମଣୀଦିଦି ବକି ବକି କହେ, ମରଣ, ଉପାୟ ଥାଉ ଥାଉ ନିରାମିଷ ଗିଳି ମରୁଛି । ସେପଟେ ରଜନୀ କେତେ ରାମରାଜତ୍ୱ କରୁଛି । କେତେ ମୋଗଲାଇ, ବାଦଶାହି ରାନ୍ଧୁଛି-। ତୁ ମାଇକିନା ଯେ କାହିଁକି ଏଠି ଖାଇବାକୁ ମରିବାକୁ ଆସୁ ତା’ ଜାଣେନା ।

 

କାହିଁକି, ସେଇଟା ମାଇକିନା ନିଜେ ମଧ୍ୟ ହୁଏତ ଜାଣେନା । ତା’ର କେବଳ ମନେପଡ଼େ ସେଇ ମଣିଷଟି ମାଛ ଖାଇବାକୁ କେତେ ଭଲ ପାଉଥିଲେ । ରାତିରେ ଖାଇବାବେଳେ ଯଦି ଶୁଣିଲେ ଆଜି ମାଛ ନାହିଁ ନିରାମିଷ ଚାରା ହାତରେ ଧରି ପୋଖରୀ କୂଳକୁ ବାହାରି ପଡ଼ୁଥିଲେ । ଗାମୁଛାରେ ଛାଣି ହେଉ ବା ଖେପା ଜାଲ ପକାଇ ହେଉ । ଅନ୍ତତଃ ଦୁଇଟା ଚୂନାମାଛ, କେରାଣ୍ଡି ଧରି ଡାକ ଛାଡ଼ିବେ- କୁଆଡ଼େ ଗଲୁ ଖେଦିର ମା’, ନେ ଧର । ଯଦି କିଛି କରି ନ ପାରିବୁ ଟିକେ ଲୁଣହଳଦୀ କଞ୍ଚାଲଙ୍କା ଦେଇ ଚୁଡ଼ୁଚୁଡ଼ୁ କରି ଦେ । ଗରମ, ଗରମ, ଅମୃତ ଲାଗିବ-

 

ମନେପଡ଼ିଯାଏ ବୋଲି ରଜନୀର ରୋଷେଇ ଘରକୁ ମାଡ଼ିବାକୁ ଯାଏନା ବିଧୁମୁଖୀ । ବାସ୍ନା ଜିନିଷଟା ଯେମିତି ସ୍ମୃତି ଘରର ବନ୍ଦ କବାଟର ଚାବି । ଠକ୍‌ କରି କେତେବେଳେ ଚାବିଟା ଖୋଲିଯାଏ ଆଉ ସ୍ମୃତିଗୁଡ଼ାକ ହଠାତ୍‍ ପବନବେଗରେ ଉତ୍ତାଳ ହୋଇ ବାହାରି ଆସେ, ବିଛାଡ଼ି ହୋଇପଡ଼େ ।

 

ଅନୁରାଧା ଦେଖିଲେ ବ୍ରାହ୍ମଣୀ ଦିଦି ରୋଷେଇ ଘର ଭିତରେ ଗୋଟାଏ ଚକ୍‌ଚକ୍‌ ପରାତରେ ଗଦାଏ ମଇଦା ଚକଟୁଛି ! ଘର ବାହାରେ କବାଟ ପାଖରେ ବସି ବିଧୁମୁଖୀ ଛୋଟ ବେତର ଡାଲାରେ କଚ କଚ କରି ଗୁଆ କାଟୁଛି । ଅସଲ ଲୋକମାନେ କେହି ପାନ ଖାଆନ୍ତି ନାହିଁ କେବଳ ମଧୁମାଳତୀ ଛଡ଼ା । ତାଙ୍କର ପାନ ଭଙ୍ଗା ହୁଏ ସ୍ପେଶାଲ୍‌ ଗୁଆକୁ ଗୁଣ୍ଡ କରି କିଆ ଖଇର ଦେଇ । ଅତଏବ ଏଇ ଯେଉଁ ବଡ଼ ବଡ଼ ଢିମା ଢିମା ଗୁଆ କଟା ଚାଲିଛି, ବିଧୁମୁଖୀ, ବ୍ରାହୁଣୀ ଦିଦି, ସୁଶୀଳା, ହେନା, ରଜନୀ, କମ୍ପାନୀ ବାବଦକୁ ।

 

ପ୍ରଥମେ ପ୍ରଥମେ ଏମାନଙ୍କର ସବୁକିଛି ଦେଖି ଅବାକ୍‌ ଲାଗୁଥିଲା ଅନୁରାଧାଙ୍କର । କ୍ରମଶଃ ଦେହସୁହା ହୋଇଗଲାଣି । ତେଣୁ ଗୁଆଆଡ଼କୁ ଚାହିଁ ଆରେ ବାପ୍‌ରେ ବାପ୍‌, ଏତେ ଗୁଆ କିଏ ଖାଇବ- ପ୍ରଶ୍ନ ନ କରି କେବଳ କହିଲେ, ଖୁଡ଼ୀଙ୍କର ଅଲଗା ଗୁଆ ଅଛି ବିଧୁ ଦିଦି ?

 

ଅଛି ଗୋ ଭାଉଜ ଅଛି । ତାକୁ ନ ରଖିଲେ ରକ୍ଷା ଅଛି ? ଅନୁରାଧା ଆଉ କଥା ବଢ଼ାଇବା ପାଇଁ ଚାହିଁଲେ ନାହିଁ । କହିଲେ, ଖୁଡ଼ୀଙ୍କ ପାଇଁ କ’ଣ ରାନ୍ଧୁଛ ବ୍ରାହ୍ମଣୀ ଦିଦି ?

 

ଯାହା ତାଙ୍କର ହୁକୁମ ହୋଇଛି ।

 

ଏହା କହି ବ୍ରାହ୍ମଣୀ ଦିଦି ହାତରେ ଲାଗିଥିବା ମଇଦା ଅଲଗା ଗୋଟାଏ ପିତଳ ଥାଳିରେ ଝାଡ଼ି ଦିଏ । ଏଇଟା ଅବଶ୍ୟ ହୁଏ ଅନୁରାଧାଙ୍କ ସାମନାରେ ପଡ଼ିଗଲେ । ନଚେତ୍‌ ଚକଟା ମଇଦା ଉପରେ ଏ ପ୍ରକ୍ରିୟା ଚାଲିଥାଆନ୍ତା । ଅନୁରାଧା ଦିନେ ଦେଖିବାକୁ ପାଇ ଅନ୍ୟ ଥାଳିର ବ୍ୟବସ୍ଥା କରିଛନ୍ତି । ସେଇଟାକୁ ନେଇ ବାହାରେ ପକାଇ ଆସିବେ, ନଚେତ୍‌ ଘରର ମେଜିଆ ମଇଳା ହୋଇଯିବ ।

 

ଅନୁରାଧାଙ୍କର ପରିଷ୍କାର ପରିଷ୍କାର ମ୍ୟାନିଆକୁ ଏମାନେ କହନ୍ତି କଲିକତିଆ ଫ୍ୟାସନ-। ଅବଶ୍ୟ ଆଢ଼ୁଆଳରେ କହନ୍ତି, ମଧୁମାଳତୀଙ୍କ ପ୍ରଶୟପୁଷ୍ଠ ଆଡ୍ଡାଖାନାରେ । ଗୋଟାଏ ବ୍ୟାପାର ଦେଖୁଛନ୍ତି ଅନୁରାଧା । ଏମାନେ କେବେବି କୌଣସି ପ୍ରଶ୍ନର ସିଧା ଉତ୍ତର ଦେବେ ନାହିଁ-। ଦୁଇ ତିନି ଥରରେ ଜ୍ଞାତବ୍ୟ ବିଷୟ ଆଦାୟ କରାଯାଇ ପାରିବ ।

 

ଅତଏବ କହିବାକୁହିଁ ପଡ଼ିଲା ଅନୁରାଧାଙ୍କୁ କ’ଣ ରୋଷେଇ କରିବାକୁ କହିଛନ୍ତି ? ଅଧିକ କିଛି ନୁହଁ, କେବଳ ଆଳୁଦମ୍‌, ବୁଟ ଡାଲିର କଚୁରି, ବାଇଗଣ ଭଜା, ଆଉ କଖାରୁର ଖଟା, ରାବିଡ଼ି ତ ଅଛି । କର୍ତ୍ତା ଇଚ୍ଛାରେ କର୍ମ । ଆମେ ମଧ୍ୟ ସେଇଆ ଗିଳିବୁ । ଖାଇବାକୁ ଦେଲେହିଁ ପଚାରିବେ, ତୁମପାଇଁ ରଖିଛ ?

 

ତା’ହେଲେ ଭଲ ତ । କଚୁରି ଆଳୁଦମ୍‌ କ’ଣ ଖରାପ ?

ଏହା କହି ଘୁଞ୍ଚି ଯାଆନ୍ତି ଅନୁରାଧା ।

 

ଏମାନଙ୍କ ଏଇ ନିଭୃତ କ୍ଷେତ୍ରରେ ଦୃଷ୍ଟି ଦେବାକୁ ଇଚ୍ଛା ହୁଏନା ଅନୁରାଧାଙ୍କର । କିନ୍ତୁ ମଧୁମାଳତୀ କ’ଣ ଖାଉଛନ୍ତି ନ ଖାଉଛନ୍ତି ସେଇଟା ଅନୁରାଧାଙ୍କର ଜାଣିବା ଦରକାର । ଏହା ତାଙ୍କର ପ୍ରଥମ ଡିଉଟି । ପ୍ରଥମେ ଥରେ ମଧୁମାଳତୀଙ୍କର ହଠାତ୍‌ ଅସମ୍ଭବ ଧରଣର ପେଟ ଖରାପ ହେବାରୁ, ଡାକ୍ତର ଯେତେବେଳେ ପଚାରିଲେ, କ’ଣ ଖାଇଛନ୍ତି କାଲି ?

 

ଅନୁରାଧା ମୁଣ୍ଡ ହଲାଇ କହିଥିଲେ, ଜାଣନ୍ତି ନାହିଁ । ସେଇ ନ ଜାଣିବାଟା ଗୋଟାଏ ବରାଟ ତ୍ରୁଟି ତାଲିକାରେ ଉଠି ଯାଇଥିଲା । ସ୍ଵୟଂ ଡାକ୍ତର ବାବୁ ଯିଏ କେଉଁଠି ସୋମଶେଖରଙ୍କ ଜନ୍ମ ହେବା ପୂର୍ବରୁ ଏମାନଙ୍କର ଡାକ୍ତର, ସେ ଗମ୍ଭୀର ହୋଇ କହିଥିଲେ, ଏପରି କଥା ତ ତୁମ ମୁହଁରେ ଆଶା କରେନା ମା । ତୁମେମାନେ ଶିକ୍ଷିତା ଝିଅ, ତୁମମାନକୁ ତ ଆଉ ସେକାଳର ସାନ ସାନ ବୋହୂମାନଙ୍କ ପରି ହାତଧରି କର୍ତ୍ତବ୍ୟ ଶିଖାଇବା କଥା ନୁହେଁ ? ବିଧବା ଗୁରୁଜନ କ’ଣ ଖାଉଛନ୍ତି ନ ଖାଉଛନ୍ତି ତା’ର ଖବର ରଖିବା ନିହାତି ଦରକାର ।

 

ତା’ପରେ ସୋମଶେଖର ମଧ୍ୟ କହିଥିଲେ, ଖୁଡ଼ୀଙ୍କର ସେଇ ଖୋସାମଦ ବାହିନୀ ତାଙ୍କୁ ସମ୍ମାନ କରିବାକୁ ଯାଇ ଆଦର ସହକାରେ ଯେମିତି ବେଶୀ ଖୁଆଇ ନ ଦିଅନ୍ତି, ଦେଖିବ !

 

ଆଉ ଖୋସାମଦ ବାହିନୀ କହିଥିଲେ, ଭାଉଜ ଯଦି କ’ଣ ରୋଷେଇ ହେବ ବୋଲି କହି ଦେବାର ଦାୟିତ୍ଵ ନିଅନ୍ତି, ତା’ହେଲେ ଆମେ ବଞ୍ଚିଯିବୁ । କିନ୍ତୁ ଭାଉଜ ସେ ଦାୟିତ୍ୱ ନେଉଛନ୍ତି କେଉଁଠି ?

 

ତା’ପରଠାରୁ ଅନୁରାଧା ଦାୟିତ୍ଵ ନେଉଛନ୍ତି ।

ଅର୍ଥାତ୍‌ ଖବର ରଖୁଛନ୍ତି ।

 

ଅନୁରାଧା ଯଦି କହନ୍ତି, ଗୋଟିଏ ତାଟିଆ ରାବିଡ଼ି ସହିତ ବୁଟ ଡାଲି କଚୁରି କ’ଣ ହଜମ ହେବ ? ତା’ହେଲେ ତା’ର ପରିଣାମ ଯେ କେଉଁଠି ଯାଇ ପହଞ୍ଚିବ ସେ ଅଭିଜ୍ଞତା ଅଛି ଅନୁରାଧାଙ୍କର । ତେଣୁ ସେଇ ଖବରଟା ନେଇ ଯାଆନ୍ତି । ହୁଏତ ଭବିଷ୍ୟତରେ ଉତ୍ତର ଦେବାପାଇଁ ।

 

ଅନୁରାଧା ଚାଲି ଯିବା ପରେ ବ୍ରାହ୍ମଣୀ ଦିଦି ବିରକ୍ତି ସ୍ୱରରେ କୁହେ, ଉପରେ ଦେଖାନ୍ତି ଯେମିତି କିଛି ଚାହିଁ ଦେଖନ୍ତିନି । କିନ୍ତୁ ଦୃଷ୍ଟି ଦେବାକୁ ନିତି ଆସିବା ଦରକାର । ମଇଦାର ଗୋଳାଆଡ଼କୁ କେମିତି ନଜରରେ ଚାହୁଁଥିଲେ ଦେଖିଛୁ ?

 

ବିଧୁମୁଖୀ ଅବଶ୍ୟ ଦେଖିନାହିଁ, ତେବେ ବ୍ରାହ୍ମଣୀ ଦିଦିଙ୍କ କଥାରେ ପ୍ରତିବାଦ କରିବାର ସାହସ ତା’ର ନାହିଁ । ତେଣୁ ହାଇ ଉଠାଇ କହେ, ସବୁ ଦେଖିଛି ।

 

ତା’ପରେ ରଜନୀ ନିକଟରେ ।

 

ପ୍ରସ୍ତାବଟାରେ ଅବଶ୍ୟ ରଜନୀ ବିଶେଷ ଖୁସି ହୁଏ ନାହିଁ । ମଇଁଷିଗାଡ଼ିର ଗାଡ଼ୁଆନମାନଙ୍କ ପାଇଁ ଭଲ ରୋଷେଇ କରିବାକୁ ହେବ ! ସତେ ଯେପରି ସେମାନେ ମାମୁ ଘରକୁ ଆସିଛନ୍ତି !

 

ମୁଁ ଜାଣେନା ବାବୁ, ତୁମମାନଙ୍କର ଦାଦାବାବୁ କହିଲେ, ତେଣୁ ଜଣାଇ ଦେଲି ତୁମକୁ । ଦାଦାବାବୁଙ୍କର ସେଇପରି କଥା । ବୋଲ୍ଟର, ବଜୁରି ବୋହିବା ମଜଦୁରଗୁଡ଼ାଙ୍କୁ ପ୍ରାୟ ଚା’ ପକୁଡ଼ି ଖାଇବାକୁ ଅଲଗା ଟଙ୍କା ଦେବେ । ଆପଣ ଯଦି ଟିକେ ଦୃଢ଼ ନ ହୁଅନ୍ତି ଭାଉଜ- ଅନୁରାଧା ପଳାଇ ଆସନ୍ତି ।

 

ଏମାନଙ୍କ ସାଙ୍ଗରେ କଥା କହିବାକୁ ଡର ଲାଗେ ।

 

ଆପାତ ମଧୁର ସବୁକଥା କେତେବେଳେ ଯେ କେଉଁଠି ଯାଇ ନିମ୍ବଫଳ ପ୍ରସବ କରି ବସିବ କିଏ ଜାଣିଛି ?

 

ସିଢ଼ିରେ ଚଢ଼ି ଉପରକୁ ଆସନ୍ତି ଅନୁରାଧା ।

ପରବର୍ତ୍ତୀ ଡିଉଟି ଶଶୀଶେଖର ।

 

॥୪॥

 

ଶଶୀଶେଖରଙ୍କ ଘରର ଅଧା ଆଉଜା କବାଟ ବାହାରୁ ବର୍ମାଚୁରୁଟର ଘନ ଗାଢ଼ ଭାରୀ ଭାରୀ ବାସ୍ନା ଯେମିତି ଗୋଟାଏ ବିଶେଷ ବ୍ୟକ୍ତିତ୍ୱର ଘୋଷଣାବାହୀ । ଏ ବାସ୍ନା ଯେମିତି ଜଣାଇ ଦିଏ, ଏ ଘରର ଚୌକାଠ ଡେଇଁବା ସମୟରେ ଜାଣିବୁଝି ପ୍ରବେଶ କର କାହାଘରେ ପଶୁଛ ।

 

ଏ ବାସ୍ନା ସହ ସୋମଶେଖର ଆଶୈଶବ ଅଥବା ଜନ୍ମରୁ ପରିଚିତ, ତେବେବି ଯେମିତି ସେଇ ଗାଢ଼ ଭାରୀତ୍ଵଟା ଥରେ ତାଙ୍କୁ ସଚକିତ କରିଦିଏ । ତେବେ ଶଶୀଶେଖରଙ୍କର ସେ ଏକାନ୍ତ ପ୍ରିୟ ନାତି । ତେଣୁ କଥାବାର୍ତ୍ତାରେ ‘ମାଇଁ ଡିଆର୍‌’ର ସ୍ଵର ବ୍ୟବହାର କରିବାକୁ ଦ୍ୱିଧାବୋଧ କରନ୍ତି ନାହିଁ ।

 

ଘରକୁ ପଶି ଦେଖିଲେ ଝରକା ସାମନାରେ ସୋଫାରେ ବସି ଚୁରୁଟ ଟାଣୁଛନ୍ତି ଶଶୀଶେଖର । ଦେହରେ ଗୋଟାଏ ହାଲ୍‌କା ଗେରୁଆ ରଙ୍ଗର ସିଲ୍କର ଢିଲା ପାଇଜାମା ଉପରେ କଳା ଭେଲ୍‌ଭେଟର ଡ୍ରେସିଂ ଗାଉନ୍‌ । ତା’ର ଅଣ୍ଟାରେ ବାନ୍ଧିବାପାଇଁ ବେଣୀପରି ରଙ୍ଗିନ ରେଶମ ଦଉଡ଼ିର ଦୁଇପଟ ମୁହଁ ଅବନ୍ଧା ଅବସ୍ଥାରେ ଆଣ୍ଠୁ ଉପରକୁ ବିଚ୍ଛେଇ ହୋଇପଡ଼ିଛି । ଶଶୀଶେଖରଙ୍କର ମଝି ମୁଣ୍ଡରେ ଈଷତ୍‌ ଚନ୍ଦା ଥିଲେ ବି, ବାକି ମୁଣ୍ଡରେ ଯଥେଷ୍ଟ କେଶ ବିଦ୍ୟମାନ, ସେଇ କେଶ ପୂରା କଳା କୁଚ୍‍କୁଚ୍‌ ।

 

ନିଶଦାଢ଼ି କାଟିଥିବା ମସୃଣ ମୁହଁର ଚେହେରାରେ କେଉଁଠିବି ନାହିଁ ଅଶୀ ବର୍ଷ ପାରି କରି ଆସିଥିବାର ଛାପ । ଦାନ୍ତ ପାଟି ଏତେ ନିଖୁଣ ଆଉ ହସଟା ଏତେ ଉଜ୍ଜ୍ୱଳ ଯେ, ଅନୁମାନ କରି ସନ୍ଦେହ କରିବାକୁ ପଡ଼େ ବୋଧହୁଏ ବନ୍ଧେଇ ଦାନ୍ତ । ନଚେତ୍‌ ତା’ର ସାଜସଜ୍ଜାରେ ମଧ୍ୟ କୌଣସି ଏପଟ-ସେପଟ ନାହିଁ ।

 

ଶଶୀଶେଖରଙ୍କ ଘରର ଆସବାବ ପତ୍ରରେ, ସାଜ ସଜ୍ଜାରେ ପରଦା, ଫୁଲଦାନି, କଣ୍ଢେଇ ଥିବା ଆସ୍‍ଟ୍ରେ ସବୁକିଛି ଏକକାଳରେ ବିଲାତୀଆନା ଚିହ୍ନରେ ପରିସ୍ଫୁଟ । ବିଲାତୀ ଫ୍ୟାସନଟା ଯେ ପୁରୁଣା ହୋଇଗଲାଣି, ଏଇଟା ଶଶୀଶେଖରଙ୍କ ଅନୁଭୂତିର ଗୋଚରରେ ଆସି ପହଞ୍ଚି ପାରିନାହିଁ । ତେବେ ସୁବିଧା ଏଇ ଯେ, ଶଶୀଶେଖରଙ୍କ ଘରେ କୌଣସି ନୂଆ ସଂଯୋଜନାର ପ୍ରୟୋଜନ ହୁଏନା । ସେଇ ଯେ ଏକଦା ସେ ତାଙ୍କର ଘରଟିକୁ ‘ଏଇ ବିଶ୍ୱ ମଝିରେ ଯେଉଁଠି ଯାହା ସାଜେ’ ଏଇପରି କରି ସଜାଇ ଦେଇଥିଲେ, ସେଇ ବ୍ୟବସ୍ଥାହିଁ ଅବିକଳ ଅଟଳ ହୋଇ ରହିଛି । ସେମାନଙ୍କୁ କେବଳ ଝଡ଼ାପୋଛା ହୁଏ, ହଲ୍‌ଚଲ୍‌ କରିବାର ଜୁ ନାହିଁ ।

 

କେବେ ଯେମିତି ସୋମଶେଖର କହିଥିଲେ, ପିଆନୋଟା ଏପଟ କାନ୍ଥଆଡ଼କୁ ଘୁଞ୍ଚାଇ ଆଣି ରଖିଲେ, ଏଠି ଗୋଟାଏ ‘ଡିଭ୍ୟାନ’ ରଖା ହୋଇପାରନ୍ତା ଜେଜେ, ତୁମେ ଆନନ୍ଦରେ ହୁକାକୁ ହାତରେ ନେଇ ତା’ ଉପରେ ବସି–

 

ଶଶୀଶେଖର ଏଇ ବିରାଟ ଘରଟା ଜିନିଷ ପତ୍ରରେ ଏମିତି ଠେସା ହେଇ ରହିଛି ଯେ, ସୋମଶେଖର ଜେଜେଙ୍କୁ ଗୋଟାଏ ଡନ୍‌ଲୋପିଲୋର ଡିଭ୍ୟାନ୍‌ ଉପହାର ଦେବା ଇଚ୍ଛାରେ ସେଇ ଘୁଞ୍ଚାଇବା କଥାଟା ନ କହି ରହି ପାରି ନାହାଁନ୍ତି । କିନ୍ତୁ ଶଶୀଶେଖର ରାଜି ହୋଇ ନାହାଁନ୍ତି । କହିଲେ, ନାଇଁରେ ଭାଇ, ତୋ’ ଜେଜେମା ସେଇଠି ବସି ପିଆନୋଟା ବଜାଉଥିଲେ, ମୁହଁରେ ଝରକାର ଆଲୁଅଟା ଆସି ପଡ଼ୁଥିଲା । ସେଇ ଦୃଶ୍ୟଟା ଏବେବି ମୁଁ ଦେଖିବାକୁ ପାଏ ଆଖି ବୁଜିଲେ-। ଏ ଘରର କୌଣସି ଜିନିଷକୁ ଏପଟ-ସେପଟ କରିବା ଦରକାର ନାହିଁ । ମୁଁ ଆରାମଚେୟାରରେ ଶୋଇ ଶୋଇ ଖୁବ୍‌ ଭଲ ଭାବରେ ହୁକା ଟାଣିପାରିବି ।

 

ସେ ଆରାମଚେୟାରଟା ମଧ୍ୟ ଦୁର୍ଦ୍ଧର୍ଷ ।

 

ତା’ର ଚକ୍‌ଚକ୍‌ ମେହଗାନି ପାଲିସ୍‌, ହାତଯୋଡ଼ିକ ଏତେ ଚଉଡ଼ା ଯେ ଗୋଟିଏ ଲୋକ ତା’ ଉପରେ ଶୋଇପାରିବ ।

 

ଗୁଡ଼ଗୁଡ଼ି, ହୁକା ।

 

ଯେଉଁଟା ସାହେବୀଆନା ସାଙ୍ଗରେ ମୋଟେ ମାନେ ନାହିଁ, କିନ୍ତୁ ସେଇଟା ଶଶିଶେଖରଙ୍କର ଗୋଟିଏ ବିଶେଷ ସଉକ । ଘରର ଗୋଟାଏ କୋଣରେ ଉଚ୍ଚାସନରେ ପ୍ରତିଷ୍ଠିତ ରୁପାର ଖଚିତ ବୃହତ ନଳୀ ସମ୍ବଳିତ, ସୌଖିନ ମୁରାଦାବାଦୀ କାରୁକାର୍ଯ୍ୟ ନିର୍ମିତ ଗୁଡ଼ଗୁଡ଼ି ହୁକାଟି ମାଲିକଙ୍କ ନବାବୀଆନାର ସଉକ ପ୍ରକାଶ କରୁଛି । ସେଇ ଭାବର ଆଉ ଏକ ପ୍ରକାଶ, ଉପରେ ଦୋଦୁଲ୍ୟମାନ ଝାଡ଼ଲଣ୍ଠନ ।

 

ତା’ର ସବୁ ଆଲୁଅଗୁଡ଼ାକ ଜାଳି ଦେଇ ବସିବସି ଚୁରୁଟ ଟାଣୁଛନ୍ତି ଶଶୀଶେଖର । ସୋମଶେଖର ଘର ଭିତରକୁ ଯାଇ ଜୋର ଗଳାରେ କହି ଉଠିଲେ, ଇଏ କ’ଣ ଜେଜେ, ପୂରା ତ ଧୂମ୍ରଲୋକ ସୃଷ୍ଟି କରି ବସି ରହିଛ ।

 

ଶଶୀଶେଖର ଚୁରୁଟଟା ହାତରେ ଧରି କହିଲେ, ଧୂମ୍ରଲୋକ ଭିତର ଦେଇ ପରଲୋକ ସହ ଯୋଗାଯୋଗର ପଥ ଆବିଷ୍କାର କରିବାକୁ ଚେଷ୍ଟା କରୁଛି ।

 

ଆଚ୍ଛା, ଆପାତତଃ ଏଇ ମହତ ଚେଷ୍ଟାଟି ଛାଡ଼ି ଟିକେ ଇହଲୋକ ଆଡ଼କୁ ଦୃଷ୍ଟିପାତ କରନ୍ତୁ ତ ପ୍ରଭୁ । ଯେଉଁ କାଗଜପତ୍ରଗୁଡ଼ାକ ଦେଇ ଯାଇଥିଲି, ଦେଖି ସାରିଛନ୍ତି ?

 

ସରିଗଲା ! ଆଜି ଦରକାର ଥଲା ନା କ’ଣ ?

 

ଆଜି ଆଉ କେତେବେଳେ ? କାଲି । କାଲି ଦରକାର ହେବ । ଠିକ୍‌ ଅଛି ଦେଖି ଦେବି-। କ’ଣ ? ରାତିରେ ? ନା, ନା- ରାତିରେ ଆଉ କଷ୍ଟ କରିବା ଦରକାର ନାହିଁ । ସକାଳେ ହେବ । ଶଶୀଶେଖର କହିଲେ, କଷ୍ଟ କରି କରିବା ଦରକାର ନାହିଁତ ? କଷ୍ଟ ନ କରି କରିବାରେ ଆପତ୍ତି ନାହିଁତ ?

 

କଷ୍ଟ ତ ହେବ ।

 

ନାଇଁରେ ସୋମ, ରାତିରେ କାମ କରିବାକୁ ସୁବିଧା ପାଏ । ମନଟା ବ୍ୟସ୍ତ ଭିତରେ ନ ଥାଏ । ତୁମମାନଙ୍କ ଜେଜେମା ରାଗି ଯାଇ କହୁଥିଲେ, ତୁମକୁ ବୋଧହୁଏ ଭଗବାନ ଓଲଟା ଗଢ଼ିଛନ୍ତି, ଆଉ ସବୁ ଲୋକଙ୍କଠାରୁ ପୂରା ଅଲଗା ।

 

ସୋମଶେଖର ମନେ ମନେ ହସନ୍ତି ।

 

ଯେକୌଣସି ପ୍ରସଙ୍ଗରେ ଶଶୀଶେଖର, ସୋମଶେଖରଙ୍କ ଜେଜେମାଙ୍କୁ ନିଶ୍ଚିତ ନେଇ ଆସିବେ ।

 

ଠିକ୍‌ ଅଛି, ତେବେ ସେଇଆ କର । ଦସ୍ତଖତଗୁଡ଼ାକ କରି ଦେବ ।

 

ଶଶୀଶେଖର ପୁଣି ହାତରେ ଧରିଥିବା ଚୁରୁଟଟା ମୁହଁରେ ଧରି ଘରକୁ ଭାରାକ୍ରାନ୍ତ କରି ଦେଇଥିଲେ । ପୁଣି ବାହାର କରି କହିଲେ, କାଗଜରେ ସେଇ ଆଡ଼ଭର୍ଟାଇଜ୍‌ମେଣ୍ଟ ପଠାଇ ଦିଆହୋଇଛି ?

 

ହଁ, ନିଶ୍ଚିତ । ପହରଦିନ ପଠେଇ ଦେଇଛି । ଆସନ୍ତାକାଲି ବାହାରିପାରେ । ଗୋଟିଏ ଦିନ ପାଇଁ ଦେଇଛ ?

 

ନା, ନା, ଲାଗଲାଗ ତିନି ଦିନ ପାଇଁ କୁହା ହୋଇଛି । ତା’ପରେ କିଛିଦିନ ଅପେକ୍ଷା କରି ଦେଖାଯାଉ କିପରି ରେସ୍‌ପନ୍ସ ମିଳୁଛି ।

 

ଦରମା କଥା କିଛି ଉଲ୍ଲେଖ କରିଛୁକି ? ପଚାରିଲେ ଶଶୀଶେଖର ।

 

ସୋମଶେଖର କହିଲେ, ନା । ତୁମେ ଯେମିତି କହିଛ-ଇଚ୍ଛୁକ ବ୍ୟକ୍ତି ନିଜର ଦାବି ଜଣାଇ ଆବେଦନ କରନ୍ତୁ । ସେଇପରି ଲେଖା ହୋଇଛି ।

 

ଶଶୀଶେଖର ପଚାରିଲେ, କେବଳ ସ୍ଥାନୀୟଭାଷାରେ ଦେଇଛୁ ନା କ’ଣ ? ସୋମଶେଖର କହିଲେ, ନା, ନା ‘ଷ୍ଟେଟସ୍‌ମ୍ୟାନ’, ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡ଼, ଆଉ ଆନନ୍ଦବଜାର, ଏଇ ତିନୋଟିରେ ।

 

ଶଶୀଶେଖର ପୁଣି କିଛିକ୍ଷଣ ଧୂମ୍ରାଲୋକ ସୃଷ୍ଟି କରି ଚୁରୁଟ୍‌ର ଧ୍ଵଂସାବଶେଷ ଟିକକ ଆସଟ୍ରେ ଭିତରେ ପକାଇ କହିଲେ, ଆଚ୍ଛା ସୋମ, ତୋ’ର କ’ଣ ମନେହୁଏ, ଏଠି ଏଇ କାମ ପାଇଁ କେହି ଆସି ରହିବାକୁ ରାଜି ହେବ ?

 

ସୋମଶେଖର ମୃଦୁହସି କହନ୍ତି, ରାଜି ହେବାର ଦବାଇତ ତୁମେ କୋବଲାଉଛ ଜେଜେ-। ସେଇ ଦବାଇର ପ୍ରଭାବରେ ଲୋକେ ମାସେ ଦୁଇମାସ କବର ମଧ୍ୟରେ ମାଟି ଚପା ଦେଇ ବସି ରହିବାକୁ ବି ରାଜି ହୋଇପାରନ୍ତି ।

 

ଶଶୀଶେଖର କହିଲେ, ସବୁଯାକ ହିଁ ମୋର ପିଲାଳିଆମି, ତେବେ ଯେତେବେଳେ ମନକୁ ଆସିଛି ସେତେବେଳେ ଯଥାଶୀଘ୍ର କରି ପକାଇବା ହିଁ ଭଲ ।

 

ସୋମଶେଖର କହିଲେ, ପିଲାଳିଆମି କାହିଁକି ? ଗୋଟାଏ ଭଲ ଜିନିଷ ହିଁ ତ ହେବ ! ଶଶୀଶେଖର କିଛି କହିବା ପୂର୍ବରୁ ଅନୁରାଧା ଆସି ଘରେ ପଶିଲେ । ଅନୁରାଧାଙ୍କ ଶାଢ଼ିର ଜରି ଧଡ଼ିଟା ଝାଡ଼ଲଣ୍ଠନର ଆଲୁଅରେ ଝକ୍‌ମକ୍‌ ହୋଇ ଉଠିଲା । ଝକ୍‌ମକ୍‌ ହୋଇ ଉଠିଲା ତା’ର କାନର ଗହଣା ଓ ଗଳାର ହାର ।

 

ଶଶୀଶେଖର କହି ଉଠିଲେ, ଏତେବେଳକେ ଏଇ ବିରହୀ ହତଭାଗ୍ୟକୁ ମନେପଡ଼ିଲା ମହାରାଣୀ ?

 

ଅନୁରାଧା କହିଲେ, ବିରହୀ କେଉଁଠି ? ଆପଣ ତ ଜେଜେ ସବୁବେଳେ ସେଇ ଫଟୋଟିକୁ ଚାହିଁ ଚାହିଁ ମିଳନାନନ୍ଦରେ ବିଭୋର ଥାଆନ୍ତି ।

 

ସାଙ୍ଗେ ସାଙ୍ଗେ ଶଶୀଶେଖରଙ୍କ ଆଖି ସେଇ ଫଟୋଟି ଆଡ଼କୁ ଚାଲିଗଲା । ସୋମଶେଖରଙ୍କର ମଧ୍ୟ । ଚଉଡ଼ା ସୁନେଲି ଫ୍ରେମ୍‍ ଘେରା ସୁଧାହାସିନୀ ଦେବୀଙ୍କର ବିରାଟ ଅଏଲପେଣ୍ଟିଂ । ଗୋଟିଏ ପଟ ମୁହଁ । ପିଆନୋ ବଜାଉଥିବା ସମୟର ମୂର୍ତ୍ତି । ସାହେବ ଆର୍ଟିଷ୍ଟଦ୍ୱାରା ଅଙ୍କା ।

 

ମୁହଁର ଗଢ଼ଣ ହୁଏତ ନିଖୁଣ ନୁହେଁ, ଅନ୍ତତଃ ପରମା ସୁନ୍ଦରୀ କୁହାଯାଇପାରେନା, କିନ୍ତୁ ମୁହଁରେ ଗୋଟାଏ ଆଶ୍ଚର୍ଯ୍ୟ ପ୍ରକାରର ଦୀପ୍ତି । ଯେମିତି ଭିତରୁ ଉଦ୍‌ଭାସିତ ହୋଇ ବିଛାଇ ହୋଇ ପଡ଼ିଥିବା ଗୋଟାଏ ସୁଷମାମୟ ଆଲୁଅ ।

 

କାହାର ଏଇ ଦୀପ୍ତି ?

ପ୍ରେମର ? ଆନନ୍ଦର ? ସୁରର ସୁଷମାର ?

ଚାହିଁ ଦେଖିଲେ କିଛିକ୍ଷଣ ଚାହିଁ ରହିବାକୁ ଇଚ୍ଛା ହୁଏ ।

 

ଶଶୀଶେଖର ସୋମଶେଖରଙ୍କ ଆଡ଼କୁ ଚାହିଁ ଟିକେ ହସି ଦେଇ କହିଲେ, ତୋ’ର ଏଇ ସ୍ତ୍ରୀଟା ବେଜାଏ ଫାଜିଲ । ବୁଝିଲୁ ?

 

ହଁ, ସେଇଆ ତ ।

 

ସୋମଶେଖର ଦୁଷ୍ଟାମି ହସ ହସି କହିଲେ, କେବଳ ସେଇଟା ହିଁ ଅଛି, ଆଉ ତ କୌଣସି କର୍ମର ନୁହଁନ୍ତି ।

 

ଆଉ କୌଣସି କର୍ମରେ ନାହିଁ ।

 

ଅନୁରାଧା ରାଗ ଦେଖାଇ କହନ୍ତି, ଦେଖୁଛନ୍ତି ଜେଜେ କି ଅପମାନ । ଯେତେବେଳେ ସେତେବେଳେ ଏଇପରି ଅପମାନ । ଆପଣଙ୍କ ସାମନାରେ ମଧ୍ୟ ।

 

ଶଶୀଶେଖର କହିଲେ, ଏଇ ଶଳା ଖବର୍‍ଦାର୍‍ ! ମୋ ସାମନାରେ ମୋର ଦ୍ୱିତୀୟପକ୍ଷକୁ ଏଇପରି ଭାବରେ ଇନ୍‌ସଲ୍ଟ କରିବୁନି ।

 

ସୋମଶେଖର ଚୋରା ହସ ହସି କହିଲେ, ମୁଁ ହେଉଛି ସତ୍ୟସନ୍ଧ ବ୍ୟକ୍ତି । ତୁମର ଦ୍ଵିତୀୟପକ୍ଷ କି ମୋର ପ୍ରଥମପକ୍ଷ, ଏ ସବୁ ଭାବି ସତ ଛାଡ଼ି ମିଛର ଆଶ୍ରୟ ନେଇପାରିବ ନାହିଁ । କର୍ମ କ୍ଷମତା କ’ଣ ଦେଖାଇ ପାରିଲ ? ଏଇ ସାତସାତଟା ବର୍ଷ ସମୟ ପାଇ ମଧ୍ୟ ଜେଜେଙ୍କର ବହିଟିର ବ୍ୟବସ୍ଥା କରିପାରିଲ ? ଶୁଣିଥିଲି ତ ବି.ଏ ପାଶ୍‌ । ସବୁ ବାଜେ ଧପ୍ପା ।

 

ବି.ଏ. ପାଶ୍‌ ।

 

ଅନୁରାଧା ସାଙ୍ଗେ ସାଙ୍ଗେ ମୁହଁ ଲାଲ କରି କହି ଉଠିଲେ, ଜେଜେ ଦେଖୁଛନ୍ତି ? ଦେଖୁଛନ୍ତି ? ସେ କୁଆଡ଼େ ସତ ଛାଡ଼ି ମିଛ କହିବେ ନାହିଁ । ପାଶ୍‌ କରିବାକୁ ଦିଆହୋଇଥିଲା ମୋତେ ? ଦୁଇଟା ମାସ ମାତ୍ର ବାକି । ସେଇଠି ଖତମ୍‌ । ଶୁଭକ୍ଷଣ ଯେମିତି ପୂରା ଚିରଦିନ ପାଇଁ ପଳାଇ ଯାଉଥଲା । ପଞ୍ଜିକାରେ ଆଉ ଦିନ ମିଳି ନ ଥାଆନ୍ତା ।

 

ଶଶୀଶେଖର ଏଇ ମଧୁର କଳହ ଉପଭୋଗ କରୁ କରୁ ମୃଦୁ ହସି କହିଲେ, ସେଇଟା ଯଦି କହିବୁ ଭାଇ, ତା’ହେଲେ ସତରେ ମିଳି ନ ଥାଆନ୍ତା । ସେଇ ମାହେନ୍ଦ୍ରକ୍ଷଣରେ ଶୁଭଦୃଷ୍ଟି ହେବା କଥା । ଠିକ୍‌ ସେଇଟାହିଁ ହେବା ଦରକାର ।

 

ଅନୁରାଧା କହିଲେ, ଜେଜେ, ଆପଣ ଏତେ ସାହେବ ହୋଇବି ଏସବୁ ପୁରୁଣା ସେକାଳର ସଂସ୍କାରଗ୍ରସ୍ତ ଲୋକପରି କଥା କୁହନ୍ତି ଯେ ?

 

ଶଶୀଶେଖର କହିଲେ, କିଛି କିଛି ବ୍ୟାପାର ଥାଏରେ ଦିଦି, ସେଇଟା ସେକାଳ ଏ କାଳ ସବୁକାଳର ! ଏସବୁ ସଂସ୍କାର ହେଉଛି ସର୍ବକାଳର ।

 

ସୋମଶେଖର କହିଲେ, ତା’ହେଲେ ଜେଜେ, ତୁମେ ହାରିଗଲ । ଏ ଅଭାଗାର ଚାରି ଆଖିର ସେଇ କ୍ଷଣଟି ତା’ହେଲେ ମୋଟେ ଠିକ୍‌ ନ ଥିଲା । ତାଙ୍କ ସାଙ୍ଗରେ ତ ମୋର ଅଦା କଞ୍ଚା କଦଳୀର ସମ୍ପର୍କ ଅର୍ଥାତ୍‌ ଅହି ନକୁଳ ।

 

ଶଶୀଶେଖର ଉଠି ବସି ଉଚ୍ଚ ସ୍ଵରରେ କହିଲେ, ସେଇଟା ହିଁ ତ ଅସଲ ମେଳରେ ଶଳା-। ପାଣି ତଳକୁ ତ ପାଣି ତଳକୁ, ପାଣି ଉଚ୍ଚକୁ ତ ପାଣି ଉଚ୍ଚକୁ, ଏଇଟା କ'ଣ ମେଳ ? ତୁମମାନଙ୍କ ଜେଜେମା ସାଙ୍ଗରେ ତ ମୋର ଅହରହ କଳି ଲାଗୁଥିଲା । ମେମ୍‌ ପାଖରୁ ପିଆନୋ ବଜାଇବା ଶିଖିବାକୁ ହେବ ? ମରିଗଲେବି ନୁହେଁ । ପୁଣି ସେଇ ମେମ୍‌ ଦିନେ ଆ୍ୟାବସେଣ୍ଟ ହେଲେ ତାଙ୍କ ଘରକୁ ଲୋକ ପଠା ହେଲା ଖବର ନେବା ପାଇଁ । ସାହେବ ଆର୍ଟିଷ୍ଟଙ୍କ ସାମନାରେ ବସି ବସି ଚିତ୍ର ଆଙ୍କିପାରିବି ନାହିଁ । ପୁଣି ସେଇଚିତ୍ର ଦେଖି ଏତେ ମୋହିତ ଯେ କୁହନ୍ତି, ମୁଁ କ’ଣ ଏତେ ସୁନ୍ଦରୀ-! ତୁମେ ସେଇ ସାହେବଙ୍କୁ ଅଧିକ ପଇସା ଦେଇ ବେଶୀ ସୁନ୍ଦରୀ କରି ଅଙ୍କାଇଛ । ସେଇ ଚିତ୍ର ମୋ ପାଦ ସାମନାରେ ଓହ୍ଲାଇ ରଖି କହିଲେ, ହେଇ ଦେଖ । ମୁଁ ତୁମକୁ ତୁମର ପ୍ରେୟସୀର ଚିତ୍ର ଉପହାର ଦେଲି । ମୋ ଅନ୍ତେ ଏହା ସହିତ କଥାବାର୍ତ୍ତା କରି ଭଲ ପାଇବାକୁ ଆରମ୍ଭ କରିବ ।

 

ଆପଣ ତା’ହେଲେ ତାଙ୍କ କଥା ରଖିଛନ୍ତି ? ହସି ଦେଇ ଅନୁରାଧା କହିଲେ ହୁଏତ ସେଇଆ ।

 

ଶଶୀଶେଖର ଅନ୍ୟମନସ୍କ ହୋଇ କହିଲେ, ତେବେ–ମୁଁ ମଧ୍ୟ ସେଇ ସାହେବଙ୍କୁ କହିଥିଲି, ‘ସାହେବ ! ମୋ ମିସେସ୍‌ କ’ଣ ପ୍ରକୃତରେ ଏତେ ସୁନ୍ଦରୀ ? ସେ କହିଲେ, ମିଷ୍ଟର ସମାଦ୍ଦାର, ଆମେ ଆର୍ଟିଷ୍ଠ ଆମେ ଭିତରର ସୌନ୍ଦର୍ଯ୍ୟ ଅବଲୋକନ କରିପାରୁ । ଭିତରର ଆଲୋକ ଦେଖିପାରୁ ।’

 

ସୋମଶେଖର ଗୋଟାଏ ଚାପା ହସର ଆଭାସ ଅନୁଭବ କରନ୍ତି । ସୋମଶେଖର ଏବେ ଖୋଲା ହସ ହସି କହନ୍ତି, ତା’ମାନେ ଲୋକଜଣକ ଜେଜେମା’ଙ୍କ ପ୍ରେମରେ ପଡ଼ିଯାଇଥିଲେ-

 

ଶଶୀଶେଖର ହସିଲେ ନାହିଁ । ତାଙ୍କ କଥାରେ ତାମସାର ସ୍ଵର ମଧ୍ୟ ନ ଥିଲା । କହିଲେ, ହୋଇପାରେ । ମୋର ବି ମନେହୋଇଛି ସମୟ ସମୟରେ । କିନ୍ତୁ ଯଦି ହୁଏ ସେଇଟା ଅଲଗା ଜିନିଷ, ସ୍ଵର୍ଗୀୟ ଜିନିଷ । ସେଥିରେ କୌଣସି ମଳିନତା ନ ଥିଲା । ଅତୀତରେ ନିମଜ୍ଜିତ, ଚାଳିଶ ବର୍ଷ ଆଗେ ହାୱା ହୋଇଯାଇଥିବା ପ୍ରେୟସୀର ପ୍ରେମରେ ନିମଗ୍ନ ଏଇ ଅବାସ୍ତବ ବୃଦ୍ଧଙ୍କ ଖଟିରେ ଆଉ କେତେ ସମୟ ରହିହେବ ? ଅନୁରାଧା ଇତବ୍ୟସ୍ତ ହେଉଥିଲେ । ହଠାତ୍‌ ପ୍ରସଙ୍ଗ ପରିବର୍ତ୍ତନ କରିବାର ପଥ ପାଇଲେ । କହିଲେ, ଜେଜେ, ଆପଣଙ୍କର ସତ୍ୟଭୂଷଣ ତ ଆଜି ଜେଜେମାଙ୍କ ମାଳିଟା ଆଣି ଦେଲା ନାହିଁ ।

 

ଶଶୀଶେଖର ଅତି ଶାନ୍ତ ସ୍ଵରରେ କହିଲେ, ଆଣିଛିରେ ଭାଇ ଦେଇଯାଇଛି । ତୁମମାନଙ୍କ ଅପେକ୍ଷାରେ ଅଛି । ଅପେକ୍ଷାରେ ରହିବାକୁ ହୋଇଛି, ଗେଡ଼ା ବ୍ରଜରାଜ ଟୁଲ୍‌ ଉପରେ ଚଢ଼ି କାନ୍ଧରେ ଝୁଲୁଥିବା ଫଟୋ ଇତ୍ୟାଦି ସଫା କରି ବୁଲେ ସତ, କିନ୍ତୁ ବ୍ରଜରାଜକୁ ଲଗାଇ ତ ଆଉ ସୁଧାହାସିନୀ ଦେବୀଙ୍କ ବେକରେ ମାଳି ପିନ୍ଧାଇବା ଠିକ୍‌ ନୁହେଁ ?

 

ଆଉ ସୋମଶେଖରଙ୍କର ତ ଟୁଲ୍‌ ଦରକାର ନାହିଁ, ତାଙ୍କର ଦୈର୍ଘ୍ୟତାରେ ଜେଜେମା ପ୍ରାୟ ଧରା ଦିଅନ୍ତି, ପାଦଟା ଟିକେ ଉଚ୍ଚ କରି ବୁଢ଼ା ଆଙ୍ଗୁଠିରେ ଭରା ଦେଇ ହାତ ବଢ଼ାଇଲେ ହେଲା ।

 

ଅନୁରାଧା କହିଲେ, କାହିଁ କେଉଁଠି ?

ମୋର ମୁଣ୍ଡ ତକିଆଟା ଓଲଟାଇ ଦେଖ ।

 

ଅନୁରାଧା ଆଗେଇ ଯାଇ ଶଶୀଶେଖରଙ୍କ ତକିଆ ଓଲଟାଇଲେ, ସାଙ୍ଗେ ସାଙ୍ଗେ ଗୋଟିଏ ଲାଲ ଟୁକ୍‌ଟୁକ୍‌ ମଖମଲର କେସ୍‌ ଯେମିତି ହସି ଉଠିଲା ।

 

ଆସ୍ତେ କେସ୍‌ଟା ସାମନାକୁ ଆଣି ଖୋଲିଲେ ।

 

ଆଖି ଝଲସି ଗଲା । ‘କେସ’ ଭିତରେ ଗୋଲ କରି ରଖିଥିବା ଲମ୍ବା ଚେନ-ତା’ର କେନ୍ଦ୍ରସ୍ଥଳରେ ଗୋଟାଏ ବଡ଼ ତିନିକୋଣିଆ ଜଡୋୟାର ଲକେଟ୍‌ । ଲକେଟ୍‌ରେ ଗୁନ୍ଥା ହୋଇଥିବା ହୀରା, ପାନ୍ନା ଆଉ ଚେନର ଦାନାଗୁଡ଼ାକରୁ ଆଲୁଅ ଝଲସି ଉଠିଲା ।

 

ପାଲିସ୍‌ କରାଇ ଆଣିଛନ୍ତି ପରା ? ଅନୁରାଧା ମୁଗ୍ଧ ଆଖିରେ ଚାହିଁ କହିଲେ । ଶଶୀଶେଖର କହିଲେ, ପାଲିସ୍‌ ତ କରିବ ନିଶ୍ଚିତ, ରିପେୟାର କଲେହିଁ ପାଲିସ୍‌ କରିଦେବ । ସୋମ ଯା ଭାଇ, ଜେଜେମାଙ୍କ ବେକରେ ପିନ୍ଧାଇ ଦେ ।

 

ଏତେପାଖରୁ ତ ପ୍ରାୟ ଦେଖିବା ସମ୍ଭବ ହୁଏ ନା, ଅନୁରାଧା ନିରୀକ୍ଷଣ କରି ଦେଖନ୍ତି ଆଉ କହନ୍ତି, ଜେଜେ ଆପଣଙ୍କ ସ୍ତ୍ରୀ ଜଣକ ଭାରି ସୌଖିନ ଥିଲେ । ବାପ୍‌ରେ ବାପ୍‌ । ଚେନ୍‌ଟା ଭିତରେ ଏତେ କାରୁକାର୍ଯ୍ୟ ତ କେବେ ଲକ୍ଷ୍ୟ କରିନି ।

 

ସୋମଶେଖର କହିଲେ, ଉଚ୍ଚରେ ଥାଏ ତ ?

 

ଚେନ୍‌ର ଦାନାଗୁଡ଼ିକ ପ୍ରତ୍ୟେକଟି ଛୋଟ ଛୋଟ ଗୋଟିଏ ଗୋଟିଏ ଅଧଫୁଟା ଚମ୍ପାର କଢ଼ । ଉଚ୍ଚରେ ଥିଲା, ତେଣୁ ଜଣାପଡ଼ୁ ନ ଥିଲା । ନୂଆ ପାଲିସ୍‌ ହେଇ ଆସିବା ପରେ ପୂରା ଝକମକ୍‌ କରୁଛି ।

 

ହ୍ୟାମିଲ୍‌ଟନ୍‌ ଦୋକାନରୁ କରାଇ ଆଣିଥିଲି ।

ଶଶୀଶେଖର ପୁଣି ସ୍ମୃତିର ଅତଳରେ ବୁଡ଼ି ଯିବାକୁ ଆରମ୍ଭ କଲେ ।

ଆଖିରେ ସେଇ ବହୁ ଯୁଗର ସେପାରିର ଛାଇ ।

 

ତୁମମାନଙ୍କର ଜେଜେମା’ ନିଜେ ଆଙ୍କି ଡିଜାଇନ ବୁଝାଇ ଦେଇଥିଲେ । ଥରେ ଗୋଟିଏ ପାର୍ଟିରେ ସ୍ଵୟଂ ବଡଲାଟଙ୍କ ଗୃହିଣୀ ଏମିତି ଭାବରେ ଉଚ୍ଛ୍ୱସିତ ହୋଇ ପ୍ରଶଂସା କରିଥିଲେ ଯେ, ପରେ ବୁଦ୍ଧି କରି ହ୍ୟାମିଲଟନ୍‌ଙ୍କ ଦୋକାନରେ ଅର୍ଡର ଦେଇ ଅବିକଳ ଆଉ ଗୋଟାଏ ତିଆରି କରାଇ ଦୋକାନରୁ ହିଁ ପଠାଇ ଦେବାର ଅର୍ଡର ଦେଇଥିଲି, ପ୍ରେରିକା ଜଣେ ମହିଳା ଭକ୍ତ ବୋଲି ।

 

ସୋମଶେଖର କହିଲେ, ଏଁ କ’ଣ ! କହୁଛ ଜେଜେ? ଏ ଗପ ତ କେବେହେଲେ ଶୁଣିନି-? ଜୀବନରେ କେତେଟା ଗପ ବା ତୁମେମାନେ ଶୁଣିଛରେ ? କେତେ ସହସ୍ର ଗପ ଜମି ରହିଛି ଭିତରେ । କଥା ଉଠିଲେ ଉଚ୍ଛୁଳି ଆସେ । ତୁମମାନଙ୍କ ଜେଜେମା’ଙ୍କୁ ମଣିଷ କରି ତୋଳିବା ପଛରେ କେତେ ଯେ ଗପ ଅଛି । ଭାରି ଦୁଷ୍ଟାମି ଭରା ସ୍ଵଭାବର ଥିଲେ । ଯାହାକିଛି ଶିଖିବା କଥା ଉଠିବ ପ୍ରଥମେ କହିବେ, ‘କରିବିନି’ । ‘କହିବେ ମୋତେ ଭଲ ଲାଗେନା’ । ଚିତ୍ର ଆଙ୍କିବା, ଗୀତ ଶିଖିବା, ଛୁଞ୍ଚିର କାମ ଶିଖିବା, ଲେସ୍‌ ବୁଣା, ଇଂଲିଶ କଥା କହିବାରେ ଦୋରସ୍ତ ହେବା, ସବୁକିଛିରେ ପ୍ରଥମେ ପ୍ରବଳ ଆପତ୍ତି । ତା’ପରେ ପୁଣି ଏତେ ମନ, ଏତେ ନିଷ୍ଠା, ଏତେ ନିଶା ଯେ ପୂରା ଫାର୍ଷ୍ଟକ୍ଳାସ ଫାଷ୍ଟ ।

 

ଶଶୀଶେଖରଙ୍କ କଥାର ପ୍ରମାଣ ଏଇ ପୁରୁଣା ରଜାଘରେ ସର୍ବତ୍ର ବିଛାଇ ହୋଇ ରହିଛି-। କାନ୍ଥରେ କାନ୍ଥରେ ପାଉଁଶିଆ ପଡ଼ି ଆସିଥିବା ଲ୍ୟାଣ୍ଡସ୍କେପ୍‌, ଏଠି ସେଠି କାର୍ପେଟ୍‍ରେ ଚିତ୍ର, ବିରାଟ ବିରାଟ ଆଇନା ଦେହରେ ଲେସ୍‌ର ଘୋଡ଼ଣୀ । ବୟସ ଭାରରେ ମଳିନ ହୋଇ ଆସିଲେ ବି ତା’ର ମୁନ୍‌ସିଆନା ଧରାପଡ଼େ ।

 

ତେବେ ଏସବୁର ପ୍ରଧାନ ଅଂଶ ଥିଲା, ସେଇଟା ହେଉଛି କଲିକତା ପ୍ରାସାଦରେ । ତା’ର ସାଜସଜା ଚାକଚକ୍ୟ ଏମାନଙ୍କୁ ଦେଖାଇ ପାରିନାହାଁନ୍ତି ଶଶୀଶେଖର । ବଡ଼ ପୁଅ ଚନ୍ଦ୍ରଶେଖର ରହୁଥିଲେ ଏଠିକାର ପ୍ରାସାଦରେ, କୋଲିଆରିର ତତ୍ତ୍ୱାବଧାନ କରୁଥିଲେ, ମହାଲ ଦେଖୁଥିଲେ, ପ୍ରଜାପାଳନ ପ୍ରଜାପୀଡ଼ନ ସବୁକିଛି ଥିଲା ତାଙ୍କ ହାତରେ ।

 

ସାନପୁଅ ଇନ୍ଦୁଶେଖର ରହୁଥିଲେ କଲିକତା ଘରେ । ତିନି ପୁରୁଷଙ୍କ ଅମଳର ବିଲାତ ସାଙ୍ଗରେ ଏଇ ରାଜାମାନଙ୍କର ଯେଉଁ ଆମଦାନୀ ରପ୍ତାନୀର ବ୍ୟବସାୟ ଥିଲା, ତା’ର କ୍ଷୀଣ ହୋଇ ଆସିଥିବା ଧାରାଟି ଧାରଣ କରି ରଖିବାପାଇଁ ସାଙ୍ଗରେ ଶଶୀଶେଖରଙ୍କ ଜ୍ଵାଇଁ ଜୀବନରତନ, ଶଳା, ଭଉଣୀ-ଜ୍ୱାଇଁ ଦୁହେଁ ଦେଖାଶୁଣା କରୁଥିଲେ । ଶଶୀଶେଖର ନିଶ୍ଚିନ୍ତ ଥିଲେ । ଶଶୀଶେଖରଙ୍କ ଝିଅ ଚାରୁହାସିନୀ ବରାବର କଲିକତାର ସେଇ ଘରେ ରହୁଥିଲେ । କହିବାକୁ ଗଲେ ଜୀବନରତନ ଏକରକମ ଘର ଜ୍ୱାଇଁ । ଅନେକ ଛୁଆପିଲା ତାଙ୍କର । ରାଜାଙ୍କର ଚାଲିଚଳନ ଭଳି ମଣିଷ ହୋଇଥିଲେ ସେମାନେ । ଇନ୍ଦୁଶେଖରଙ୍କ ସ୍ତ୍ରୀ ମଧୁମାଳତୀ କେତେବେଳେ କଲିକତାରେ, କେତେବେଳେ ଏଠି ଦୁଇ ଝିଅ ଆଉ ଗୋଟିଏ ପୁଅକୁ ନେଇ । କିନ୍ତୁ ବେଶୀ ଭାଗ ଧନୀ ଘରର ଯାହା ଇତିହାସ, ସେଇ ଇତିହାସର ପୁନରାବୃତ୍ତି ଘଟିଲା । ଇନ୍ଦୁଶେଖରଙ୍କ ଉଚ୍ଛୃଙ୍ଖଳତା ଆଉ ଜୀବନରତନଙ୍କ ଅସତତା ବ୍ୟବସାୟ ବାଣିଜ୍ୟକୁ ଚରମ ଅବନତର ସୀମାରେ ପହଞ୍ଚାଇ ଦେଲା । ଆଉ ଦେଖାଗଲା ତଳେ ତଳେ ନିଜେ ସେମାନେ ପାଦ ତଳ ମାଟି ଖୋଳି ଗର୍ତ୍ତ ତିଆରି କରିଛନ୍ତି । ଶଶୀଶେଖର ଦସ୍ତଖତ ଜାଲ କରି କଲିକତା ଘରର ଯାବତୀୟ ସମ୍ପତ୍ତି ବିକ୍ରି କରି କରି ପୂରା ଶେଷ କରି ଦେଇଛନ୍ତି ।

 

ଜ୍ୱାଇଁଙ୍କୁ ବହିଷ୍କାର କରି ଦିଆଯାଇପାରେ, ପୁଅଙ୍କୁ ନୁହେଁ । ପୁଅଙ୍କ ସଂସାରଟାକୁ ଅନ୍ତତଃ ନୁହେଁ । ମଧୁମାଳତୀଙ୍କୁ ସେଇଥି ପାଇଁ ଏଠି ଆସି ଥଇଥାନ କରିବାକୁ ପଡ଼ିଲା । ବିଶ୍ଵର ସବୁଯାକ ବିରକ୍ତି, ବିରାଗ ଆଉ ଅଭିଯୋଗ ନେଇ । ସେଇ ତିକ୍ତତାର ଗରଳ ବେଶ୍‌ କିଛିଟା ପାନ କରିବାକୁ ହୋଇଛି ସୋମଶେଖରଙ୍କ ମା’ ନିରୁପମାଙ୍କୁ ।

 

ତେବେ ସବୁହିଁ ଚଟାପଟ୍‌ ବିଲୁପ୍ତିର ପଥରେ ଆଗେଇ ଗଲା ।

 

ଇନ୍ଦୁଶେଖର ଅନାଚାର ଅତ୍ୟାଚାରର ଶିକାର ହୋଇ ମୃତ୍ୟୁବରଣ କଲେ କଲିକତାର ଏକ ନର୍ସିଂହୋମ୍‌ରେ । ନିରୂପମା ମୃତ୍ୟୁବରଣ କଲେ କାଶୀରେ ବାପ ଘରକୁ ଅଳ୍ପଦିନ ପାଇଁ ବୁଲିବାକୁ ଯାଇ । ରହିଲେ ଦୁଇଟି ସଂସାରର ଦୁଇଖଣ୍ଡି ଭଙ୍ଗା ଟୁକୁରା । ଚନ୍ଦ୍ରଶେଖର ଆଉ ମଧୁମାଳତୀ । ଆଉ ଚାରିଜଣ ବାଳକ-ବାଳିକା । ଚନ୍ଦ୍ରଶେଖରଙ୍କ ଏକମାତ୍ର ପୁଅ ସୋମଶେଖର, ମଧୁମାଳତୀଙ୍କ ପୁଅ ଜ୍ୟୋତିଶେଖର, ଆଉ ଦୁଇ ଝିଅ ଇଲା, ନୀଲା ।

 

॥୫॥

 

କିନ୍ତୁ ସୁଧାହାସିନୀ ?

 

ସେ ତ କେବେଠାରୁ ବିଦାୟ ନେଇଥିଲେ ଏ ଶୋଭାସମ୍ପଦମୟୀ ପୃଥିବୀରୁ । ସେତେବେଳେ ପିଲାମାନଙ୍କର ବାହାଘର ହୋଇ ନ ଥିଲା ।

 

ଚନ୍ଦ୍ରଶେଖର ଥିଲେ ଜଣେ ଶକ୍ତ ଧରଣର ମଣିଷ । ।

 

ସାନ ଭାଇର ଅଦୂରଦର୍ଶିତା ପାଇଁ ଯେଉଁ ବିପୁଳ କ୍ଷତି ଘଟି ଯାଇଥିଲା, ତାକୁ ପୂରଣ କରିବାପାଇଁ ଉଠିପଡ଼ି ଲାଗି ପଡ଼ିଲେ, ଜେଜେଙ୍କ ଅମଳର କୋଲିଆରି, ଚା’ ବଗିଚା, ଚୁନା ପଥର ଆଉ ଗେଟି, ବଜୁରି ବ୍ୟବସାୟର ଉନ୍ନତି ପାଇଁ । କିନ୍ତୁ ଚନ୍ଦ୍ରଶେଖର ବା ରହିଲେ କେଉଁଠି ? ଚା’ ବଗିଚା ଦେଖିବାକୁ ଯାଇ ଆସାମର ଜଙ୍ଗଲ ଅଞ୍ଚଳରୁ କାଲାଜ୍ୱରରେ ପୀଡ଼ିତ ହୋଇ ଶେଷ ନିଃଶ୍ଵାସ ତ୍ୟାଗ କଲେ ।

 

ଅତଏବ ରହିଲେ ଶଶୀଶେଖର, ଆଉ ରହିଲେ କିଛି ଅପଗଣ୍ଡ । ହଁ, ଶଶୀଶେଖର ରହିଲେ । ଆଶ୍ଚର୍ଯ୍ୟ ରକମ ରହିଲେ । ରହିଲେ ତାଙ୍କର ଏଇ ଘର ଆଉ ଘରଣୀଙ୍କର ସ୍ମୃତିର ସମ୍ଭାର ନେଇ, ଅବିଚଳିତ, ଅନଭିଭୂତ । ସଂସାରରେ ଯାହାକିଛି ଘଟଣା ଘଟି ଚାଲିଛି ସବୁ ଯେମିତି ତାଙ୍କର ବାହାର ଜଗତର । ସେ ଯେମିତି ଏଇ ଚଳମାନ ଘଟଣା ଧାରାର ଦର୍ଶକମାତ୍ର ।

 

ଶଶୀଶେଖରଙ୍କ ଜଗତ ଏକ ଅଲୌକିକ ମନ୍ତ୍ରମାୟାରେ ବିଶେଷ ଗୋଟିଏ, ‘କାଳଖଣ୍ଡ’ ମଧ୍ୟରେ ଆବଦ୍ଧ ହୋଇରହିଛି । ଯେଉଁ ‘କାଳଖଣ୍ଡ’ ମଧ୍ୟରେ କେବଳ ସେ ଆଉ ସୁଧାହାସିନୀ, ଯେଉଁଠି ଶଶୀଶେଖର ନାମର ଗୋଟିଏ ଅସ୍ତିତ୍ୱ, ତା’ର ନିଜର ଦୁର୍ଦ୍ଦନୀୟ ଘୋଡ଼ା ପରି ଟଗ୍‌ବଗ୍‌ ହୋଇ ଧାଇଁ ଚାଲିଛି ଆଉ ଗୋଟାଏ ଶାନ୍ତ ଗଭୀର ଅଥଚ ଦୃଢ଼ ଅସ୍ତିତ୍ୱକୁ ବହନ କରି ।

 

ଏଇ ‘କାଳଖଣ୍ଡ’କୁ ଧରି ରଖିଛି ବ୍ରିଟିଶଶାସିତ ଭାରତବର୍ଷର ସବୁ ଫାଲତୁ ସାହେବ-ସୁବା, ଯେଉଁମାନଙ୍କର ମଧ୍ୟରୁ କାହାରି କାହାରି ଫଟୋ ସେତେବେଳେ ବି ଝୁଲେଇ ରଖା ହୋଇଛି ଶଶୀଶେଖରଙ୍କ ପିତୃପୁରୁଷମାନଙ୍କ ଫଟୋର ଆଖପାଖରେ । ସେଇସବୁ ସାହେବମାନଙ୍କର ଜଣ ଜଣଙ୍କର ଚରିତ୍ର କି ମହତ୍‌, କି ବିଶାଳ । ଜଣେ ଜଣେ ପୁଣି କେତେ ଘରୁଆ କେତେ ଆପଣାର ଲୋକ ଭଳି ।

 

ଅନେକ ସାହେବ ଦମ୍ପତ୍ତି ଶଶୀଶେଖରଙ୍କ ଏଇ ଦିହାତି ରାଜପ୍ରାସାଦରେ ଦୁଇ ଚାରି ଦିନପାଇଁ ସମ୍ମାନିତ ଅତିଥିରୂପରେ ବାସ କରିଯାଇଛନ୍ତି । ପ୍ରଧାନତଃ ଶିକାର ଉପଲକ୍ଷରେ, କେତେବେଳେ ବା ଶଶୀଶେଖରଙ୍କ ଆକୁତିରେ । ସୁଧାହାସିନୀଙ୍କର ନିଖୁଣ ଆପ୍ୟାୟନରେ ମୁଗ୍ଧ ହୋଇ ଫେରିଛନ୍ତି ସେମାନେ ।

 

କୃତାର୍ଥମନ୍ୟ ଶଶୀଶେଖରଙ୍କ ପୁରୁଣା ଡାଏରିର ପୃଷ୍ଠାରେ ସେଇସବୁ ଅତିଥିଙ୍କର ନାମ ଧାମ ପଦମର୍ଯ୍ୟାଦା ଏବଂ ଆତିଥ୍ୟ ଗ୍ରହଣର ତାରିଖ, ତଦାନୀନ୍ତନ ବିଶେଷ ବିଶେଷ ଘଟଣା ଶିକାର କାହାଣୀଗୁଡ଼ିକ, ସେମାନଙ୍କ ସ୍ଥାନ, ସମାଚାର ଇତ୍ୟାଦି ଲିପିବଦ୍ଧ କରାହୋଇ ରହିଛି ।

 

ସେତେବେଳେ ଯେ ସେଇ ଶାସକଗୋଷ୍ଠୀର ପାଦତଳର ମାଟିରେ ଫାଟ ସୃଷ୍ଟି ହେବାକୁ ଆରମ୍ଭ କରିଛି, ସେମାନେ ଯେ ସେଇ ମାଟିକୁ ଜାବୁଡ଼ି ଧରି ରଖିବା ପାଇଁ ଯାହାଇଚ୍ଛା ତା’ କରୁଛନ୍ତି, ଏ ସବୁର ସନ୍ଧାନ ପାଇ ନାହାନ୍ତି ‘ରାଜଭକ୍ତ ପ୍ରଜା’ ଏବଂ ‘ସାହେବ ଭକ୍ତ ବ୍ୟକ୍ତି’-ମଣିଷ ରାଜା ଶଶୀଶେଖର ସମାବ୍ଦାର !

 

ଯେତେବେଳେ ସନ୍ଧାନ ପାଇଲେ ସେମାନଙ୍କ ସୂର୍ଯ୍ୟ ଅସ୍ତ ହୋଇଯାଇଛି । ପାଦତଳର ମାଟି ଘୁଞ୍ଚି ଯାଇଛି, ସେମାନେ ବିଦାୟ ନେଇ ଚାଲି ଯାଉଛନ୍ତି, ଭୟଙ୍କର ଗୋଟାଏ ଅସହାୟତା ବୋଧ କରିଥିଲେ । ବିଶ୍ଵାସ କରିବାକୁ ଅନେକ ଦିନ ଲାଗିଥିଲା, ଏଇ ଚାଲିଯିବା ଘଟଣାଟା ସ୍ଥାୟୀ ସତ୍ୟ ।

 

ଯେତେବେଳେ ବିଶ୍ଵାସ କରିବାକୁ ବାଧ୍ୟ ହେଲେ ସେତେବେଳେ ସେଇ ଘଟଣାଟାକୁ ଗୋଟାଏ ଦୁର୍ଘଟଣା ଛଡ଼ା ଆଉକିଛି ଭାବି ପାରିଲେ ନାହିଁ । ଦୁର୍ଘଟଣା ଛଡ଼ା ଆଉ କ’ଣ ? ଯେଉଁ ଘଟଣା ଫଳରେ ଚଉଦ ପୁରୁଷଙ୍କର ଅର୍ଜିତ ସମ୍ପଦ ହଠାତ୍‌ ଶୂନ୍ୟଅଙ୍କରେ ପରିଣତ ହୋଇଯାଏ, ଯାହା ପାଇଁ ଚିରକାଳ ଅଧିକାରର ମଶାଲ ଥରଟିଏ ଫୁଙ୍କି ଦେଲେ ଲିଭି ମିଥ୍ୟା ହୋଇଯାଏ, ତାକୁ କ’ଣ ଶୁଭ ଘଟଣା କୁହାଯାଇପାରେ ?

 

ଯେଉଁ ସମ୍ମାନସୂଚକ ଉପାଧିରେ ଦିନେ ଗୌରବର ଦୀପ୍ତିରେ ଭାସ୍ଵର ଥିଲା, ସେଇ ‘ରାଜ ସମ୍ମାନ’ କୁଆଡ଼େ ବ୍ୟଙ୍ଗ ଚିହ୍ନପରି ହାସ୍ୟକର ହୋଇଯାଇଛି । ଏଇ ଅପରିଚିତ ଜଗତର ଖୋଲା ରାସ୍ତାରେ ଆସି ଛିଡ଼ା ହେବାର ବାସନା ରହିଲା ନାହିଁ, ଶଶୀଶେଖରଙ୍କର ।

 

ଶଶୀଶେଖର ବରଂ ଗୋଟାଏ ଐତିହାସିକ ନାଟକର ଦୃଶ୍ୟ ମଧ୍ୟରେ ଆଶ୍ରୟ ନେବେ । ସେଇ ଦୃଶ୍ୟ ସମ୍ବଳିତ ମଞ୍ଚର ଖୁଣ୍ଟ ବ୍ରଜରାଜ ଆଉ ରଜନୀ, ଯେଉଁମାନେ ‘ରାଜା ବାହାଦୂର’ ବ୍ୟତୀତ ଆଉକିଛି କୁହନ୍ତି ନାହିଁ ।

 

ମାଳିଟା ଫଟୋର ବେକରେ ଝୁଲାଇ ଦେଲେ ସୋମଶେଖର । ତା’ପରେ ଟିକେ ହସିଦେଇ କହିଲେ, ଫଟୋ ବେକରେ ଫୁଲମାଳ ହିଁ ଝୁଲେ ରତ୍ନହାର ପିନ୍ଧାଇବା ବ୍ୟାପାରରେ ତୁମେହିଁ ବୋଧହୁଏ ଜେଜେ ‘ଏକମେବାଦ୍ୱିତୀୟମ୍‌' ? ଆଉ କେଉଁଠି କେବେ ଦେଖିଛ ?

 

ଶଶୀଶେଖର ଉତ୍ତର ଦେଲେ ନାହିଁ । ଶଶୀଶେଖର ସେତେବେଳେ ସେଇ ସଦ୍ୟ ପାଲିସ୍‌ କରିଥିବା ମାଳି ପିନ୍ଧା ଫଟୋଟାଆଡ଼କୁ ବିହ୍ଵଳ ଦୃଷ୍ଟିରେ ଚାହିଁ ରହିଛନ୍ତି ।

 

ଅନୁରାଧା ମଧ୍ୟ ମୁଣ୍ଡ ଟେକି ଦେଖୁଥିଲେ । କହିଲେ ସତରେ ଅପୂର୍ବ ! ଆଚ୍ଛା ଏଇ ମାଳିଟା ପିନ୍ଧିହିଁ ସେଇ ପୋଟ୍ରେଟ୍‌ଟା ଅଙ୍କା ହୋଇଥିଲାନା ? ବେକରେ ତିନିଚାରି ପରସ୍ତ ବୁଲାଇ ଲମ୍ବ ହୋଇ ଏଇ ଲକେଟ୍‍ଟା ହିଁ ଝୁଲୁଛି ମନେହେଉଛି ।

 

ଶଶୀଶେଖର ହସିଲେ । କହିଲେ, ଏତେଦିନେ ଆଖି ପଡ଼ିଲା ? ଠିକ୍‌ କହିଛ, ସାହେବଙ୍କ ସାମନାରେ ବସି ଚିତ୍ର ଆଙ୍କିବା ପ୍ରସ୍ତାବରେ ତ ଯଥାରୀତି ପ୍ରଥମେ ବାଙ୍କି ବସିଲେ, ତା’ପରେ ଖୋସାମତରେ ଭିଜାଇ ଯଦି ବା ନରମ କରି ଆଣିଲି, କୌଣସି ମତେ ଆଉ ରାଣୀ ବେଶରେ ସାଜି ବସିବେ ନାହିଁ । ମୁକୁଟ ତ ନୁହେଁ, କେତେଗୁଡ଼ାକ ଗହଣା ମଧ୍ୟ ନୁହେଁ । କହିଲେ, ‘ସେଇସବୁ ଝକ୍‌ମକିଆ ସାଜରେ ବସି ମଣିଷ ପିଆନୋ ବଜାଏ ? ବନାରସୀ ଶାଢ଼ି, ମୁକ୍ତାର ସାତ ଫେରର ଚେନ୍‌ ଜଡ଼ୋୟାର ନେକ୍‌ଲେସ୍‌, ହୀରାର ଚୁଡ଼ି ? ଛିଃ ?

 

ଭାବି ଦେଖ ମୋର ଅବସ୍ଥା ? ସାହେବ ଆର୍ଟିଷ୍ଟ ଜାଣିଛି ସେ ଜଣେ ‘ରାଣୀ'ର ପୋଟ୍ରେଟ୍‌ ଆଙ୍କିବାକୁ ଆସିଛି, ଦେଖିବ କ’ଣ ? ମୋର ଶହେ ଯୁକ୍ତିକୁ ସେ ମାନିଲେ ନାହିଁ । ‘ସୁରସାଧିକା'ର ଚିତ୍ର ଯଦି ଆଙ୍କିବାକୁ ହୁଏ ତ ସାଧାସିଧା ସାଜ ।

 

ହସି ଉଠିଲେ ଶଶୀଶେଖର ।

 

କହିଲେ, ମୋତେ ରଗାଇବା ପାଇଁ କ’ଣ କହିଲେ ଜାଣିଛୁ, ଭଲ କଥା, ତା’ହେଲେ ସେଇ ପିଆନୋ ଫିଆନୋର ସଉକ ଉଠାଇ ଦିଅ । ତୁମର ଜେଜେମାଙ୍କ ପରି ଅଙ୍କାଇ ଦିଅ । ତାଙ୍କର ଚିତ୍ର ମଧ୍ୟ ସାହେବ ଆର୍ଟିଷ୍ଟଦ୍ଵାରା ଅଙ୍କିତ । ଜେଜେମାଙ୍କ ଅଏଲ ପେଣ୍ଟିଂଟା ତୁମମାନଙ୍କୁ ଦେଖାଇ ପାରିନି, କଲିକତା ଘରେ ରହିଥିଲା । ମାନେ ଖାଲି ଦେହରେ ମୋଟା ଗୋଟାଏ ବନାରସୀ ଶାଢ଼ି ମଶିଣା ଗୋଟେଇବା ଧରଣରେ ପିନ୍ଧା, ମୁଣ୍ଡରେ ମୁକୁଟ, ବେକରୁ ପାଦ ପର୍ଯ୍ୟନ୍ତ ଗହଣା, ଜଗଦମ୍ବା ପରି ବସି ରହିଛନ୍ତି ଗୋଟିଏ ଭାରୀ ଚେୟାର ଉପରେ । ସେଇଟା ଦେଖି ସେ ହସୁଥିଲେ ।

 

ସେତେବେଳେ କହିଲେ, ସେଇ ବେଶଭୂଷାରେ ସେଇ ପୋଜ୍‌ରେ ବସାଇ ଦିଅ ତା’ହେଲେ ? ଭାବି ଦେଖ । ସେଇ ‘ଲଳିତା ଲବଙ୍ଗଲତା’ ଚେହେରାରେ ? ଶେଷରେ ରଫା ହେଲା ତାଙ୍କ ମତ ଅନୁସାରେ ସାଜସଜ୍ଜା ।

 

ଶେଷ ପର୍ଯ୍ୟନ୍ତ ସୁଧାହାସିନୀ ଦେବୀ କୁଆଡ଼େ ଆକ୍ଷେପ କରି କହିଥିଲେ, ସହଜ ହୋଇ ରହିବାର ଯେ କି ସୁଖ, ତା’ ଜୀବନରେ ଜାଣିପାରିଲି ନାହିଁ ।

 

ଶଶୀଶେଖର ଅବଶ୍ୟ ସେଇ ଆକ୍ଷେପକୁ ‘ଅମୃତ ବାଲ୍‌ଭାଷିତମ୍‌’ କହି ଉଡ଼ାଇ ଦେଇଥିଲେ । ତେବେ ଶଶୀଶେଖର ସେଥର ସ୍ତ୍ରୀଙ୍କୁ ତାଙ୍କ ମନ ଅନୁସାରେ ସାଜିବାକୁ ସୁଯୋଗ ଦେବାପାଇ ବିଲାତୀ ଦୋକାନରୁ ଦୁଇଟା ସରୁ ସୁନାର ବାଲା, ଆଉ ସେଇ ଲକେଟ୍‍ ଥିବା ଚେନଟା ଗଢ଼ାଇ ଆଣିଲେ । ସେତେବେଳେ ସେଇ ଚେନର ଡିଜାଇନ୍‌ଟା ନୂଆ ଉଠିଥିଲା ।

 

ସୁଧାହାସିନୀ କୁଆଡ଼େ ସେଇ ମାଳିଟାକୁ ଅସ୍ଵାଭାବିକ ଭାବରେ ଭଲପାଇ ବସିଥିଲେ । କହିଥିଲେ କୁଆଡ଼େ ତୁମର ଦେବା ଉପହାର ତ ଅକ୍ଷୟ ଅମର ହୋଇ ରହିଲା । ସାହେବର ତୂଳିର ସ୍ପର୍ଶରେ, ମୁଁ ମରିଗଲେ ଚିତାରେ ଉଠାଇବାବେଳକୁ ସାଙ୍ଗରେ ଦେଇଦେବ ।

 

ଶଶୀଶେଖର ଅବଶ୍ୟ ଏଇ ସୃଷ୍ଟିଛଡ଼ା କଥାଟାରେ କାନ ଦେଇନାହାଁନ୍ତି । ସୁଧାହାସିନୀ କୌଣସି ଗୋଟାଏ ଦିନ ଏ ପୃଥିବୀରୁ ଚାଲିଯିବେ । କୌଣସି ଗୋଟାଏ କ୍ଷଣରେ ତାଙ୍କୁ ଚିତାରେ ତୋଳିବାକୁ ହେବ, ଏମିତି ‘ଅନାସୃଷ୍ଟି’ କଥାରେ କାନ ଦେବେ ବା କାହିଁକି ?

 

କିନ୍ତୁ ସେଇ ଭୟଙ୍କର ସୃଷ୍ଟିଛଡ଼ା ଘଟଣାଟା ଯେତେବେଳେ ସତରେ ଘଟିଗଲା, ଶଶୀଶେଖର ବସି ବସି ଦେଖିଲେ, ହାର୍ଟଫେଲ କଲେ ନାହିଁ, ଛାତ ଉପରୁ ଡେଇଁପଡ଼ିଲେ ନାହିଁ, ଶିକାରର ବନ୍ଧୁକଟା ବାହାର କରି ନିଜକୁ ଗୁଳି କଲେ ନାହିଁ, ଆଶ୍ଚର୍ଯ୍ୟ ରକମ ଶାନ୍ତ ଭାବରେ କହିଲେ, ତାଙ୍କର ବେକରୁ ଗହଣାଟା ଯେମିତି ଖୋଲି ଦିଆ ନ ଯାଏ ।

 

ଖୋଲିନିଆ ହୋଇନି, ସେଇଆ ଜାଣିଥିଲେ ଶଶୀଶେଖର ।

 

ଜାଣିଥିଲେ କେଉଁ ଏକ ଅଦୃଶ୍ୟ ଲୋକରେ କେଉଁ ଏକ ଜ୍ୟୋତିର୍ମୟ ବାତାୟନ ପଥରେ ସେଇ ମାଳିଟି ବେକରେ ପିନ୍ଧି ବସି ରହିଛନ୍ତି ସୁଧାହାସିନୀ, ଶଶୀଶେଖରଙ୍କ ଅପେକ୍ଷାରେ-

 

॥୬॥

 

କିନ୍ତୁ ଦିନେ ସ୍ଵପ୍ନଭଙ୍ଗ ହୋଇଗଲା ।

ବଡ଼ପୁଅଙ୍କର ବାହାଘର ସମୟରେ ବୋଧହୁଏ ।

 

ବଂଶର ଐତିହ୍ୟବାହୀ ଯେଉଁସବୁ ଗହଣା ଅଛି, ସେଗୁଡ଼ିକ ଵାହାର କଲେ ଆୟରନ ସେଫ୍‌ ଖୋଲି । ବାହାର କଲେ ସେଇ ପାରିବାରିକ ମୁକୁଟ, ଯେଉଁ ମୁକୁଟ ପିନ୍ଧାଇ ବୋହୂଙ୍କୁ କ୍ଷୀର ଅଳତା ମିଶା ପଥର ଥାଳିରେ ଛିଡ଼ା କରାଇବାକୁ ହେବ । ବାହାର କଲେ ଶଶୀଶେଖରଙ୍କ ପୂର୍ବ ପିତାମହୀଙ୍କର ହାତ ବାଉଟି, ଯାହାକୁ ବୋହୂ ଆସି ଛିଡ଼ା ହେବାମାତ୍ରେ ପିନ୍ଧାଇ ଦିଆ ହେବ । ବାହାର କଲେ ସେଇ ମୋଟା ସୁନା ହାରଟା, ଯାହାକୁ ବର ବେଶରେ ସାଜି ମୁକୁଟ ଚନ୍ଦନ ପିନ୍ଧିବାବେଳେ ବେକରେ ପିନ୍ଧି ବାହା ହେବାକୁ ଯିବେ । ବାହାର କଲେ ସୁଧାହାସିନୀଙ୍କ ମଗର ମୁଖା ହୀରା ଖଚିତ ବାଲା, ବୋହୂଙ୍କୁ ଶାଶୁଙ୍କ ମୁହଁ ଦେଖି ଆଶୀର୍ବାଦ ଭାବରେ । ସେଫ୍‌ ବନ୍ଦ କଲାବେଳେ ହଠାତ୍‌ ଆଖିରେ ପଡ଼ିଲା ଏଇ ମାଳି । ପତଳା କାଗଜରେ ମୋଡ଼ା ହୋଇ ପଡ଼ିରହିଛି କୋଣଆଡ଼କୁ ।

 

ସ୍ତମ୍ଭିତ ହୋଇଯାଇଥିଲେ ଶଶୀଶେଖର ।

 

ନିଜର ଆଖିକୁ ବିଶ୍ଵାସ କରିପାରିଲେ ନାହିଁ । ମାଳି ପିନ୍ଧାଇ ତ ପଠାଇ ଦେଇଥିଲେ ତାଙ୍କୁ । ନିଜେ ଯାଇ ନାହାନ୍ତି, ଯାଇ ପାରିନାହାନ୍ତି । ଏମିତି ବି ମନେ ହୋଇଥିଲା, ସୁଧାହାସିନୀଙ୍କର ଅଶରୀରୀ ଆତ୍ମା ମାଳିଟାକୁ ତା’ର ଠିକ୍‌ ସ୍ଥାନରେ ରଖି ଯାଇନିତ ?

 

ତା’ପରେ ଜାଣିଲେ, ଘଟଣାଟା ଅତି ସାଧାରଣ ଆଉ ସ୍ୱାଭାବିକ । ଶବକୁ ଯେଉଁମାନେ ଶ୍ମଶାନକୁ ନେଇ ଯାଇଥିଲେ ସେମାନେ ପାଗଳ ନୁହଁନ୍ତି ବୋଲି ସେଇଟାକୁ ଫେରାଇ ଆଣି ଲୁଚାଇ ବଡ଼ପୁଅଙ୍କ ପାଖରେ ଜିମା ଦେଇ ଯାଇଥିଲେ । ଚନ୍ଦ୍ରଶେଖର କେବେ ଗୋଟାଏ ସମୟରେ -

 

ସେ କହିଲେ, ହଁ, ହଁ ମନେପଡ଼ିଲା, ଦେଓ୍ୱାନଜୀ କ’ଣ ଗୋଟାଏ ଦେଇ କହିଥିଲେ, ଆୟରନ ସେଫ୍‌ରେ ରଖି ଦେବାପାଇଁ । ସେତେବେଳେ ଆଉ ଆପଣଙ୍କୁ ବ୍ୟସ୍ତ କରି ନ ଥିଲି ।

 

ସେଇଦିନଠାରୁ ସେଇ ଚେନ୍‌ ସୁଧାହାସିନୀଙ୍କ ଅଏଲ ପେଣ୍ଟିଂର ବେକରେ ଦୋଦୁଲ୍ୟମାନ । ଗଭୀର ରାତିରେ କୁଆଡ଼େ ସେଇ ଫଟୋ ସାଙ୍ଗରେ କଥା କୁହନ୍ତି ଶଶୀଶେଖର, ଶୁଣିଛନ୍ତି କେହି କେହି । ସେଇ ମାଳିର ଲକେଟ୍‌ଟା ହଠାତ୍‌ ମନକୁ ମନ ଛିଣ୍ଡି ତଳେ ପଡ଼ିଯାଇଥିଲା-। ମ୍ୟାନେଜର ସତ୍ୟଭୂଷଣ ତାକୁ କଲିକତା ନେଇ ତିଆରି କରାଇ ଆଣିଛନ୍ତି ।

 

ବ୍ରଜରାଜ ଆସି ହୁକାକୁ ସଜାଇ ଶଶୀଶେଖରଙ୍କ ପାଖରେ ନ ଥୋଇ ହାତରେ ଧରାଇ ଦେଇଗଲା ।

 

ଘଣ୍ଟାର କଣ୍ଟା ଆଉ ବ୍ରଜରାଜ ଗୋଟିଏ ଧାତୁରେ ଗଢ଼ା । କରେକ୍ଟ ଘଣ୍ଟାର କଣ୍ଟା ।

ବର୍ତ୍ତମାନ ସାଢ଼େ ସାତଟା ।

ଗୋଟିଏ ଘଣ୍ଟା ଶଶୀଶେଖର ମଉଜ କରିବେ ।

ସାଢ଼େ ଆଠଟାରେ ଟେବୁଲ ଲଗାଇବ ବ୍ରଜରାଜ ।

ବର୍ତ୍ତମାନ ଚାଲିଗଲେ ଭଲ ହେବ ।

 

କିନ୍ତୁ ଚାଲିଗଲେ ଆଉ କି ଲାଭ ହେବ ଅନୁରାଧାଙ୍କର ? ତଳ ମହଲାର ବୈଠକଖାନାରେ ଘର ଭର୍ତ୍ତି ଲୋକ ଅପେକ୍ଷା କରିଛନ୍ତି । ସୋମଶେଖରଙ୍କୁ ଓହ୍ଲାଇ ତଳକୁ ଯିବାକୁ ପଡ଼ିବ ସେଠିକି । ନୀରସ ବିଜ୍‌ନେସ୍‌ ବ୍ୟାପାରର ସବୁକଥା ଚାଲିବ, କାଗଜପତ୍ର ହିସାବ-ନିକାଶ ବହୁତ ରକମର କାମ ଦାମ ।

 

ଉପରକୁ ଆସିବେ ସେଇ ରାତି ଦଶଟାବେଳେ, ଯେତେବେଳେ ଶଶୀଶେଖର ଖାଇ ଶୋଇପଡ଼ିଛନ୍ତି । ସେତେବେଳେ ରଜନୀ ଏମାନଙ୍କର ଟେବୁଲ ଖାଇବା ଲଗାଇବ । ଏ ଟେବୁଲରେ କଣ୍ଟା ଚାମଚର ବ୍ୟବହାର ନାହିଁ, ରୁପା ବାସନ ମଧ୍ୟ ନାହିଁ । କାଚ ପ୍ଲେଟ୍‌ରେ ଖାଆନ୍ତି ଏମାନେ, ହାତରେ ଚକଟି ।

 

ଦାର୍ଜିଲିଂ ବୋର୍ଡ଼ିଂରେ ମଣିଷ ହୋଇ ବି କାହିଁକି ଯେ ଏମିତି ମତିଗତି ପିଲାଟାର ବୁଝିପାରନ୍ତିନି ଶଶୀଶେଖର । ବୋହୂ ମଧ୍ୟ ହୋଇଛନ୍ତି ଠିକ୍‌ ସେମିତି ସୁନାକୁ ସୋହାଗା । ଏପଟେ ପୁରୁଣା ପ୍ରାସାଦରେ ଯେଉଁଠି ସେଇଠି ଭାଙ୍ଗି ଭାଙ୍ଗି ଆଧୁନିକ ଛାଞ୍ଚର ଆୟୋଜନ ଚାଲିଛି ଯେତେବେଳେ ସେତେବେଳେ ! ଅଥଚ ନିଜେ ଧୋତି ପଞ୍ଜାବି ପିନ୍ଧୁଛନ୍ତି, ହାତରେ ଚକଟି ଭାତ ଖାଉଛନ୍ତି । ଦୁର୍ବୋଧ୍ୟ । ଗୋଟାଏ ଛୁଆପିଲା ମଧ୍ୟ ହେଲା ନାହିଁ ଏତେ ଦିନରେ । ଶଶୀଶେଖର ଶୁଣିବାକୁ ପାଇଛନ୍ତି, ସେଇଟା କୁଆଡ଼େ ସେମାନଙ୍କର ଇଚ୍ଛାଧୀନ । ଖାସ୍‌ ସାହେବ-ମେମ୍‌ମାନଙ୍କ ପାଖରେ ମିଶିଛନ୍ତି ଶଶୀଶେଖର, ଏମିତି କଥା କେବେହେଲେ ଶୁଣି ନାହାଁନ୍ତି । ତାହାର ଅର୍ଥ ହେଲା ଇଏ ହେଉଛି ସ୍ଵଦେଶୀ ଗଭର୍ଣ୍ଣମେଣ୍ଟର ଏଇ ହତଭାଗା କାଳର ହତଭାଗା ଫ୍ୟାସନ । ଆଶ୍ଚର୍ଯ୍ୟ ! ନିଃସନ୍ତାନ ଜୀବନରେ ଶୂନ୍ୟତା ବୋଧ କରନ୍ତିନି ଏମାନେ ? ପୁଅଝିଅ ତ ଜୀବନରେ ଗୋଟାଏ ଶୋଭା । ହଁ ସେହିପରି ଭାବନ୍ତି ଶଶୀଶେଖର ।

 

କିନ୍ତୁ ସତରେ କ’ଣ ଶୂନ୍ୟତା ବୋଧ କରନ୍ତିନି ସେମାନେ ?

ସୋମଶେଖର ହୁଏତ ନୁହଁନ୍ତି, କିନ୍ତୁ ଅନୁରାଧା ?

ଅନୁରାଧାଙ୍କ ଜୀବନରେ ପୂର୍ଣ୍ଣତାର ସ୍ପର୍ଶ କେଉଁଠି ?

 

ଅବଶ୍ୟ ପ୍ରେମହିଁ ଯଦି ଜୀବନର ସବୁକିଛିର ଅଭାବ ପୂର୍ଣ୍ଣ କରିପାରେ ତ ତା’ ହୋଇଛି-। ଅନୁରାଧାଙ୍କ ପାଖରେ ତାଙ୍କର ସେଇ ରୂପବାନ, ଗୁଣବାନ, ବିତ୍ତବାନ୍‌, ସର୍ବୋପରି ପରମ ହୃଦୟବାନ୍‌ ସ୍ଵାମୀଜଣକ ତ ଆଶାତୀତ ଅପ୍ରତ୍ୟାଶିତ ପରମ ଐଶ୍ଵର୍ଯ୍ୟର ଭାର । ତେବେବି ସ୍ତ୍ରୀ-ମନ କ’ଣ ଚିରଦିନ କେବଳମାତ୍ର ପ୍ରେମରେ ହିଁ ପୂର୍ଣ୍ଣ ପରିତୃପ୍ତ ରହିପାରେ ? ମାତୃସ୍ନେହର କ୍ଷୁଧା ତାଙ୍କୁ କ’ଣ ପ୍ରବଳ ଭାବରେ ଚହଲାଇ ଦିଏ ନାହିଁ ?

 

କିନ୍ତୁ ସୋମଶେଖରଙ୍କ ମତରେ କେଉଁଠି ‘ଏବେବି ସମୟ ଆସିନି । ଯାଉ ଆଉ କିଛିଦିନ’ । ଅନୁରାଧା ମନେ ମନେ ଶତବାର କୁହନ୍ତି, ତୁମର ରହିଛି କର୍ମ, ତୁମର ରହିଛି ବିଶ୍ଵଲୋକ ।’ ମୋର କ’ଣ ଅଛି ?

 

କିନ୍ତୁ ମୁହଁରେ କିଛି କହିପାରନ୍ତିନି । ଆତ୍ମସମ୍ମାନ ଆସି ବାଧା ଦିଏ । ତେବେବି ମଣିଷଟିକୁ ଟିକେ ଯଦି ବେଶୀ ସମୟପାଇଁ ପାଆନ୍ତେ !

 

ସକାଳସଞ୍ଜରେ ଦୁଇଓଳି ଜେଜେଙ୍କ ଘରେ ଡିଉଟି କରିବା ସମୟରେ ଏକତ୍ର ହେବା, ଆଉ ରାତିରେ ଖାଇବାବେଳେ । ଦିନବେଳା ଖାଇବାର ତ କିଛି ଠିକ୍‌ ଠିକଣା ନାହିଁ । କେତେବେଳେ କେଉଁଠି ରହିବାକୁ ପଡ଼େ ସୋମଶେଖରଙ୍କୁ, କେବେ ପୁଣି ଚାଲି ଯିବାକୁ ହୁଏ କଲିକତା, କେବେ ସିଉଡ଼ି, କେବେ ରାଣୀଗଞ୍ଜ । ସେଇ ସେଇ ଜାଗାରେ ଲଞ୍ଚ୍‌ କରିବାକୁ ପଡ଼େ । ଅନୁରାଧାଙ୍କୁ ନିଃସଙ୍ଗ ଟେବୁଲରେ ଏକଲା ବସିବାକୁ ହୁଏ । ତାଙ୍କ ସାଙ୍ଗରେ ଖାଇବାପାଇଁ ଲୋକ କେଉଁଠି ?

 

ମଝିରେ ମଝିରେ ଜ୍ୟୋତି ଯେତେବେଳେ ଆସନ୍ତି, ଆନନ୍ଦରେ କଟିଯାଏ, କେତେଦିନ ବା ରହନ୍ତି ସେ । ଇହଜୀବନରେ ଜ୍ୟୋତିର ଆଉ ପଢ଼ା ଶେଷ ହେଉନି ଆଜି ଭଲ କରି ଜାଣିନେବାକୁ ହେବ, କେବେ ତାଙ୍କର ରିସର୍ଚ୍ଚ ଶେଷ ହେବ ? 'ଅପରାଧ ବିଜ୍ଞାନ’ ନେଇ ଗବେଷଣା କରୁଛନ୍ତି ସେ । ପଚାରିବାର ସମୟ ନାହିଁ !

 

ସବୁବେଳେ ତ ଶଶୀଶେଖର !

 

ଦୁହେଁ ନିଶ୍ଚିନ୍ତରେ ନିଜ ମଧ୍ୟରେ ଗପ କରନ୍ତି ରାତିରେ ଖାଇବା ସମୟରେ । କିନ୍ତୁ କ୍ଲାନ୍ତ ପରିଶ୍ରାନ୍ତ ଚିନ୍ତାରେ ବିକ୍ଷିପ୍ତ ଚିତ୍ତ ସୋମଶେଖର କ’ଣ ସେତେବେଳେ ଭଲ ଭାବରେ ଗପ କରିପାରନ୍ତି, ଅନୁରାଧାଙ୍କ ଆଗ୍ରହ ସାଙ୍ଗରେ ସମତା ରଖି ?

 

ଅନୁରାଧା କହିଲେ, ଜ୍ୟୋତି କେବେ ଆସିବେ ?

ସୋମଶେଖର ଅନୁରାଧା ଆଡ଼କୁ ଚାହିଁଲେ ।

 

ଉଜ୍ୱଳ ଆଲୁଅ ତଳେ ବସିଛନ୍ତି ଅନୁରାଧା । ବର୍ତ୍ତମାନ ସନ୍ଧ୍ୟାର ପ୍ରସାଧନ ଅନ୍ତର୍ହିତ । ଏବେ ପିନ୍ଧିଛନ୍ତି ଲାଲ ମୁଗା ଧାଡ଼ିର ତନ୍ତ ଶାଢ଼ି, ପତଳା ଲାଲ ବ୍ଲାଉସ୍‌ । କାନରେ ଦୁଲ ନାହିଁ । ହାର, ହାତର ଚୁଡ଼ି ସବୁ ଅଳ୍ପ, ଶଶୀଶେଖରଙ୍କ ଜ୍ୱାଳାରେ ଦିନାନ୍ତରେ ଥରେ ଅନ୍ତତଃ ‘ରାଜବଧୂ ରାଜବଧୂ’ ସାଜରେ ସାଜିବାକୁ ହୁଏ ଅନୁରାଧାଙ୍କୁ । ବର୍ତ୍ତମାନ ଶାନ୍ତି ।

 

ସୋମଶେଖରଙ୍କ ମଧ୍ୟ ଏବେ ସାଜସଜ୍ଜାର ପରିବର୍ତ୍ତନ ହୋଇଛି । ତାଙ୍କ ଦେହରେ ବର୍ତ୍ତମାନ ମଖନ ପରି ନରମ ସେଇ ରଙ୍ଗର ଟ୍ରାଉଜର୍‌ ଉପରେ ନୀଳ ରଙ୍ଗର ଟେରେଲିନ୍ ବୁଶ୍‌ ସାର୍ଟ । ପାଦରେ କଳା ଚମଡ଼ାର ଚଟି, ଖାଇବାକୁ ବସି ଚଷମାଟି ରୁମାଲରେ ପୋଛୁ ପୋଛୁ ଅନୁରାଧାଙ୍କ ପ୍ରଶ୍ନରେ ସେଇଟା ଆଖିରେ ପିନ୍ଧି ଚାପା ହସ ହସି କହିଲେ, ପତିର ଉପସ୍ଥିତିରେ ବି ଜ୍ୟୋତି, ଜ୍ୟୋତି ? ହାୟରେ ଏମିତି ଭାଗ୍ୟ ମୋର ?

 

ଦେଖ, ଏମିତି କହିଲେ ଭଲ ହେବନି କହୁଛି ।

 

ହେବନି, ସେଇଟାତ ଦେଖିପାରୁଛି । କ’ଣ କ’ଣ ଖରାପ ହେବ, ଶୁଣେ ! ଏବେବି ଠିକ୍‌ କରିପାରିନି ।

 

ବଞ୍ଚିଗଲା ମଣିଷ, ଏବେ ତା’ହେଲେ ଖାଇ-ପିଇ ‘ସୁଖମୟ ରାତ୍ରିଯାପନ’ର ସ୍ଵପ୍ନଟା ଦେଖିପାରେ ?

 

ଆଚ୍ଛା, ରଜାଘରରେ ଶୁଣିଛି ଅନେକ କାଏଦା । ତୁମେ ରଜାଘରର ପୁଅ ହୋଇ ଏତେ ଫାଜଲାମି ଶିଖିଲ କେଉଁଠୁ ?

 

ସୋମଶେଖର ଟିକେ ହସିଦେଇ କୁହନ୍ତି ‘କୌଣସି ମତେ ରଜାଘରର ପୁଅ ହେବି ନାହିଁ’ ଏଇ ପ୍ରତିଜ୍ଞାରେ ।

 

ତାହାର ଅର୍ଥ ଯେତେସବୁ ମସ୍ତାନ ପିଲାଙ୍କ ସାଙ୍ଗରେ ମିଶି ଏ ଅବସ୍ଥା ।

ତାହା ତ ହୋଇଛି ।

 

ଟେବୁଲ ଉପରେ ରଖାହୋଇଥିବା ପାତ୍ରରୁ ସୋମଶେଖରଙ୍କ ପ୍ଲେଟ୍‌ରେ ମାଛ ତରକାରି ଦେଉ ଦେଉ ଅନୁରାଧା କହିଲେ, ଏଇଟା ରଜନୀର ରାଗର ରୋଷେଇ ।

 

ରାଗର ରୋଷେଇ !

 

ତୁମର ଯେଉଁ ମଇଁଷି ଗାଡ଼ିର ଗାଡୁଆନ୍‌ମାନଙ୍କ ପାଇଁ ଟିକେ ଭଲ ରୋଷେଇ ଆବେଦନ ଜଣାଇଥିଲି ! କହିଗଲା, ଏଇଟା ବଡ଼ କୁମାରଙ୍କୁ ଖାଇ ଦେଖିବାକୁ କହିବେ । ଦେଖିବେ ତାଙ୍କର ମାନ୍ୟଗଣ୍ୟ ଅତିଥିମାନଙ୍କର କିଛି କସୁର ହୋଇଛି କି ନାହିଁ ?

 

ସୋମଶେଖର ହସି ଦେଇ କୁହନ୍ତି, ଲୋକଟା ଭାରି ରାଗି । ତେବେ ରୋଷେଇ ଭଲ କରେ ନା ?

 

ହଁ, ଠିକ୍‌ କଥା । ତେବେ ମିଜାସ୍‍ ଭଲ ନ ଥିଲେ ନୁହଁ ।

 

ସୋମଶେଖର କହିଲେ, ଏ ଘରର ସମସ୍ତଙ୍କୁ ଚିହ୍ନିଯାଇଛ ! ଆଉ ତ କିଛି କାମ ନାହିଁ । ଛାଡ଼, ଜ୍ୟୋତି କେବେ ଆସିବେ କହିବନି ତା’ହେଲେ ?

 

ମୋଠାରୁ ତ ତୁମର ବେଶୀ ଜାଣିବା କଥା । ମୋତେ ସେ କେତେଟା ଚିଠି ଦିଏ ଯେ-? ଯେତେ ପ୍ରେମପତ୍ର ତ ତୁମକୁ ।

 

ହଉ କୁହ, ଯାହାଇଚ୍ଛା କୁହ । ଅସଭ୍ୟମାନଙ୍କ କଥା ମୁଁ ଧରେନା । ଥଟ୍ଟା ରଖ । ଟିକେ ଖୋଜ ଖବର ନିଅ । ମୋର କେମିତି ସନ୍ଦେହ ଲାଗୁଛି ।

 

ସନ୍ଦେହ !

ହଁ, କେଉଁଠି ପ୍ରେମ-ଫ୍ରେମରେ ପଡ଼ି ଯାଇ ନାହାଁନ୍ତି ତ !

ସର୍ବନାଶ ! ତା’ହେଲେ ତ ତୁମ ପକ୍ଷରେ ରୀତିମତ ଚିନ୍ତାର କାରଣ !

ପୁଣି ? ଜ୍ୟୋତି ତୁମର ସାନଭାଇ ନା ?

ସେଥିରେ କ’ଣ ଅଛି ? ଦ୍ରୌପଦୀ–

ଖାଇବା ଛାଡ଼ି ଉଠିଗଲେ ଭଲ ହେବ ?

 

ଆଚ୍ଛା ବାବା, ଥାଉ, ଥାଉ । ହେଇ ଦେଖ, ଚୁପ୍‌ କଲି ! କିନ୍ତୁ ସନ୍ଦେହର କାରଣଟା କ’ଣ-?

 

କାରଣ, ଇଦାନୀଂ ଦୁଇ ଦୁଇଥର ଛୁଟିରେ ଆସି ନାହାଁନ୍ତି, ଚିଠିର ମାତ୍ର କମାଇ କମାଇ ପ୍ରାୟ ବର୍ତ୍ତମାନ ଶୂନରେ ଆସି ପହଞ୍ଚିଛି, ଯାହା ଲେଖନ୍ତି ତା’ ମଧ୍ୟ ଛଡ଼ା ଛଡ଼ା, ଭସା ଭସା ।

 

ଏ ସବୁ କହୁଛ, ପ୍ରେମରେ ପଡ଼ିବା ଲକ୍ଷଣ ?

ମୋର ସେଇଆ ବିଶ୍ଵାସ ।

ତା’ହେଲେ ତ ଖବର ନେବା ଦରକାର ।

ଅନୁରାଧା ସୋମଶେଖରଙ୍କ ଆଡ଼କୁ ଚାହିଁ ଦେଖନ୍ତି ।

ସେ ବର୍ତ୍ତମାନ ମୁଣ୍ଡ ତଳକୁ କରି ମାଛରୁ କଣ୍ଟା ବାଛୁଛନ୍ତି । କଣ୍ଟାକୁ ତାଙ୍କର ଭାରି ଭୟ ।

 

ଅନୁରାଧା ବୁଝିପାରନ୍ତି ସୋମଶେଖର ଯେଉଁ କଥାଗୁଡ଼ାକ କହିଯାଉଛନ୍ତି, ସେଇଟା ମଧ୍ୟ ସ୍ରେଫ ଛଡ଼ା ଛଡ଼ା ଭସା ଭସା । ନିହାତି ଅନୁରାଧା ଦୁଃଖ କରିବେ ବୋଲି କଥା ଚଳେଇ ରଖିଛନ୍ତି । ତାଙ୍କ ମନ ଭିତରେ ଅନ୍ୟଚିନ୍ତା । ମୋ କଥାରେ ଶ୍ରୋତା ସମ୍ପୂର୍ଣ୍ଣ ମନ ଦେଉଛନ୍ତି କି ନାହିଁ ଏଇଟା ଶିଶୁ ମଧ୍ୟ ବୁଝିପାରେ । ଜଣେ ସ୍ତ୍ରୀଲୋକ ବୁଝିପାରିବେନି ?

 

ଅନ୍ୟକଥାକୁ ଆସନ୍ତି ଅନୁରାଧା ।

 

ଜେଜେ ଯେଉଁ ଅ୍ୟାଡ୍‍ଭଟାଇଜମେଣ୍ଟ ଦେବାକୁ କହିଲେ ସେଇଟାର କଥା କିଛି ଭାବିଛ-?

 

ଭାବିବାର କ’ଣ ଅଛି ?

କିଛି ନାହିଁ ?

କ’ଣ ଆଉ ଅଛି ?

ମୋର କିନ୍ତୁ ଚିନ୍ତା ହେଉଛି ।

 

ତୁମର କେଉଁଥିରେ ଚିନ୍ତା ନ ହୁଏ ଯେ ! ବାଥରୁମ୍‌ରେ ବସାଇବାକୁ ଚାରିଟା ଟାଇଲ ଆଣିଲି, ତାକୁ ଦେଖି ତୁମର ଚିନ୍ତା ଆରମ୍ଭ ହୋଇଗଲା ।

 

ଅନୁରାଧା ସୋମଶେଖରଙ୍କ ଥାଳି ଆଡ଼କୁ ଛେନା ପାଏସ୍‌ ତାଟିଆଟା ଠେଲି ଦେଇ କହିଲେ, ଠିକ୍‌ କହିଛ । ଅକାରଣ ଅପଚୟ ଦେଖିଲେ ମୋତେ ଖରାପ ଲାଗେ ।

 

ପାଗଳ ପରି ଦୌଡ଼ାଦୌଡ଼ି କରି ଯାହା ଆହରଣ କରାହେଉଛି, ତାକୁ ପୁଣି ପାଗଳ ପରି ଦୁଇ ହାତରେ ଉଡ଼େଇ ବିଛେଇ ଦିଆହେଉଛି । ୟାର କିଛି ମାନେ ଅଛି ? ତେବେ ଜୀବନଟାକୁ ଉପଭୋଗ କରିବାର ଦିନ କେବେ ମିଳିବ ?

 

ସୋମଶେଖର ଗମ୍ଭୀର ଗଳାରେ କହିଲେ, ଧରିନିଅ, ଏହାହିଁ ଉପଭୋଗ ।

ନା, ଧରି ନେଇପାରିବିନି ।

 

ଅନୁରାଧାଙ୍କର ଗଳାଟା ଥରି ଉଠିଲା । ସେ କହିଲେ, ‘ମୋର ପ୍ରାପ୍ୟ ସମୟ ଟିକକ ବିକ୍ରି କରି ମୋ’ପାଇଁ ରଙ୍ଗିନ ବାଥରୁମ୍‌ ତିଆରି କରିବ, ଏଥିରେ ମୋର କି ସୁଖ ?

 

ସୋମଶେଖର କହିଲେ, ଆରେ କି ମୁସ୍କିଲ୍‌, ଛୋଟିଆ ଜିନିଷକୁ ଏତେବଡ଼ କରି ଧରୁଛ କାହିଁକି ?

 

ଅନେକ ଛୋଟ ଛୋଟ ପଥର ଜମା କଲେ ଗୋଟାଏ ବିରାଟ ପାହାଡ଼ ହୋଇଯାଏ । ତୁମର ଏଠି ଆସି, ଟଣା ପଙ୍ଖା, ମହମର ଝାଡ଼ଲଣ୍ଠନ, କିରୋସିନି ଆଲୁଅ ମୋତେ ଖୁବ୍‍ ଭଲ ଲାଗିଥିଲା । ଗୃହସ୍ଥ ଘରର ଛୋଟ ଘରେ ମଣିଷ ହେବା ଝିଅଟା ଏଇ ବିରାଟ ପ୍ରାସାଦ ଭିତରେ ଆସି ସତେ ଯେପରି ଦିଗହରା ହୋଇଯାଇଥିଲା । ଏହାର ଯେଉଁଠି ସେଇଠି ଘର ବାରଣ୍ଡା, ଅଗଣା, ଜାଫ୍‌ରି ଦେଖି ଦେଖି ଆଚ୍ଛନ୍ନ ହୋଇପଡ଼ିଥିଲା । ତୁମେ ହଠାତ୍‌ ପାଣି ପରି ପଇସା ଖର୍ଚ୍ଚ କରି ଡାଏନାମୋ ବସାଇ ବିଜୁଳି ଆଲୁଅ ଅଣାଇଲ, ପୁରୁଣା ଘର, ବାରଣ୍ଡା, ଝରକା ଭାଙ୍ଗି ଆଧୁନିକ ଧରଣର ଛାଞ୍ଚରେ ତିଆରି କରାଇଲ । ମୋତେ ଆନନ୍ଦ ଦେବାପାଇଁ ଛାତରେ ଗୋଲାପ ବଗିଚା ତିଆରି କରିଦେଲ । ଆଉ କ୍ରମଶଃ ମୋ ପାଖରୁ ସମୟଗୁଡ଼ାକ କାଢ଼ି କାଢ଼ି ନେବାକୁ ଲାଗିଲା । ଏଥିରେ ମୋର କୌଣସି ଉପଭୋଗ ନାହିଁ । ତୁମ ପୂର୍ବପୁରୁଷମାନେ ପ୍ରଜାପୀଡ଼ଣ କରି ଟଙ୍କା କମେଇ ତାକୁ ଦୁଇ ହାତରେ ଛିନ୍‌ଭିନ୍‌ କରି ଖର୍ଚ୍ଚ କରୁଥିଲେ । ତୁମେ ନିଜକୁ ପୀଡ଼ା ଦେଇ ଟଙ୍କା ରୋଜଗାର କରି ସେଇଆ କରୁଛ । ତଫାତ୍‌ କେଉଁଠି ? ନିଜକୁ ଯଦି ମୁଁ ନ ଭାବି, ପୃଥିବୀର ମଣିଷମାନଙ୍କ ମଧ୍ୟରୁ ଗୋଟିଏ ମଣିଷ ବୋଲି ଭାବିବ, ଦେଖିବ ମୋ କଥାରେ ଯୁକ୍ତି ଅଛିକି ନାହିଁ-

 

ସୋମଶେଖର ହତାଶ ଭାବ ଦେଖାଇ କହିଲେ, ତୁମର ବ୍ୟାରିଷ୍ଟର ହେବା ଉଚିତ ଥିଲା-

 

ସେଇ କଥାତ ! ଯାହାହେଉ ଗୋଟାଏ ଜୁଟେଇଜାଟେଇ ଉତ୍ତର ଦେଇ ମୋତେ ଚୁପ୍‌ କରାଇ ଦେବ । ସତରେ କୁହତ, ଥରେବି ଇଚ୍ଛା ହୁଏନା ଆମେ ଦୁହେଁ କେଉଁଠିକି ବୁଲିବାକୁ ଯାଉ-? ପାହାଡ଼, ସମୁଦ୍ର କୂଳ, ଦୂର ଦୂର ତୀର୍ଥସ୍ଥାନକୁ ?

 

ଖାଇବା ଶେଷ ହୋଇଛି । ସୋମଶେଖର ସାମନା କାନ୍ଥରେ ଝୁଲୁଥିବା ତାଙ୍କର ଜେଜେମାଙ୍କ ଅଙ୍କା ଗୋଟାଏ ଧୂସର ହୋଇ ଆସୁଥିବା ନିଃସର୍ଗ ଚିତ୍ର ଆଡ଼କୁ ଚାହିଁ ଧୀରେ ଧୀରେ କହିଲେ, କିଏ କହିଲା ଇଚ୍ଛା ହୁଏନା ? କିନ୍ତୁ ଜେଜେଙ୍କର ପ୍ରବଲେମ୍‌ଟା ? ତାଙ୍କୁ ପକାଇ- ଅନୁରାଧା କ’ଣ ଆଉ ଏକଥା ଜାଣି ନାହାଁନ୍ତି ? ତେବେ ବି ଭୁଲି ଯିବା ବାହାନା କରି କହିଥିଲେ ।

 

ବର୍ତ୍ତମାନ ଅନୁରାଧାଙ୍କ ଆଖିରେ ଲୁହ ଆସିଲା । ଟିକେ ପରେ ଆସ୍ତେ ଆସ୍ତେ କହିଲେ, ଜ୍ୟୋତି ବାହା ହେଲେ, ସେମାନେ ରହିବେ । ତା’ହେଲେ ଆମେ ତ-

 

ସୋମଶେଖର ଚାହାନ୍ତି ନାହିଁ ଆସନ୍ନ ରାତି ମୁହଁରେ ଏସବୁ ଭାରାକ୍ରାନ୍ତ ଆଲୋଚନା କରି ରାତିଟାକୁ ନିଥର କରିଦେବାକୁ । ତେଣୁ କହିଲେ, ସେଇଟା ଅବଶ୍ୟ ସତ । ଏଥର ଜ୍ୟୋତିକୁ ଚାପି ଧରିବାକୁ ହେବ ।

 

ଏଇ କଥାଟା ବି ଯେ ହୁଗୁଳା କଥା ତା’ ଜାଣିବାକୁ ଡେରି ହୁଏନା ଅନୁରାଧାଙ୍କର । ଗୋଟାଏ ଦୀର୍ଘ ନିଃଶ୍ଵାସ ପଡ଼େ ତାଙ୍କର ।

 

କିନ୍ତୁ ସୋମଶେଖର ବା କ’ଣ କରିବେ ? ତାଙ୍କର ଉପାୟ କେଉଁଠି ? ଅନୁରାଧାଙ୍କର ପ୍ରତ୍ୟାଶା ପୂର୍ଣ୍ଣ କରିବାପାଇଁ ତାଙ୍କର କ’ଣ ଦାୟିତ୍ୱର ଶେଷ ଅଛି ?

 

ଏଇ ବୃହତ୍‌ ଵଂଶର ଐତିହ୍ୟଧାରାର ଭାର ବହନ କରି ଆଗେଇ ଚାଲିବାକୁ ହେଉଛି ତାଙ୍କୁ । ଆଗେଇ ଚାଲିବାକୁ ହେବ । ଏଇ ଘର, ପରିଜନ ପ୍ରତ୍ୟାଶୀମାନେ ଭରା ସଂସାର, ସେଇ ‘ବୃଦ୍ଧ ଶାହାଜାହାନ’ ଏବଂ ତାଙ୍କ ବିଜ୍‌ନେସ୍‌, କୋଲିଆରି, ଚା’ବଗିଚା ଇତ୍ୟାଦି ଉଜୁଡ଼ି ଯାଇ ମଧ୍ୟ ଯାହା ଅଛି, ତା’ର ଦାୟିତ୍ୱ ଅସ୍ଵୀକାର କରି ସୋମଶେଖର କେବଳ ଗୋଟିଏ ‘ନିଭୃତ ସୁଖନୀଡ଼’ର ସ୍ଵପ୍ନ ଦେଖିବେ ? ସ୍ଵପ୍ନ ଦେଖିବେ କେବଳ ଦୁହେଁ ମିଶି ବୁଲି ଯିବାର ? ପାହାଡ଼, ସମୁଦ୍ର, ଦୂର ଦୂର ତୀର୍ଥ ସ୍ଥାନକୁ ।

 

ସୋମଶେଖର ତ ଅନୁରାଧାଙ୍କର ଅସୁବିଧା ଦୂରୀକରଣ ଅଥବା ସୁବିଧାକରଣ ଚେଷ୍ଟାରେ ତ୍ରୁଟି ରଖିନାହାଁନ୍ତି । କଲିକତା ଝିଅ ପକ୍ଷରେ ଏଇ ଦିହାତି ଜାଗାରେ ଆସି ରହିବାରେ ଯାହା ଯାହା ଅସୁବିଧା ହେବା ସମ୍ଭବ, ତା’ ନିବାରଣ କରିବାର ପରିକଳ୍ପନା ବିଷୟରେ କେତେ ମୁଣ୍ଡ ଖର୍ଚ୍ଚ କରନ୍ତି ସୋମଶେଖର, ତେବେ ଯେମିତି ଅନୁରାଧାଙ୍କର ମନ ତୃପ୍ତିହୀନ । ଅଥଚ ସ୍ୱାମୀ ପ୍ରେମରେ ତ ବିଭୋର ମନେହୁଏ ।

 

ସୋମଶେଖର ଭାବିଲେ, ହୁଏତ ଝିଅମାନଙ୍କର ମନ ଏମିତି ହିଁ ହୁଏ । ଅନେକ ପାଇବାର ଭାର ସହଜରେ ବହନ କରିପାରନ୍ତି ନାହିଁ । ସେଇଥିପାଇଁ ଜେଜେଙ୍କ ମୁହଁରେ ମଧ୍ୟ ଆକ୍ଷେପ ଶୁଣିଛନ୍ତି- ‘ତୋର ଜେଜେମା’ଙ୍କୁ ମୁ କେବେବି ବୁଝିପାରିନି । ଏପଟେ ମୋ ପ୍ରତି ବିଗଳିତ ଭାବରେ ପତିପ୍ରେମରେ ତଦ୍‌ଗତ କିନ୍ତୁ ହଠାତ୍‌ ହଠାତ୍‌ ମନେହୁଏ ତାଙ୍କ ମନର ସୀମାଟା ଯେମିତି ଠିକ୍‌ ଭାବରେ ପାଉନାହିଁ । ଚିରକାଳ ରହସ୍ୟ ହୋଇ ରହିଯାଇଥିଲା ମୋ ପାଖରେ ।

 

ସୋମଶେଖର ଭାବିଲେ ହୁଏତ ସବୁ ଝିଅ ପୁରୁଷଙ୍କ ପାଖରେ ଗୋଟାଏ ଦୁର୍ବୋଧ୍ୟ ରହସ୍ୟ । ତେଣୁ ଏକଦା ଗୋଟିଏ ଝିଅ ଦୃଢ଼ ଗଳାରେ ଘୋଷଣା କରିଥିଲେ ‘ରମଣୀର ମନ ସହସ୍ର ବର୍ଷରହିଁ ସଖା ସାଧନାର ଧନ ।’

 

ଠିକ୍‌ ତ ! ସୁନ୍ଦରୀ ଅସୁନ୍ଦରୀ ଭେଦ ନାହିଁ, ଗରିବ ବଡ଼ ଲୋକ ଭେଦ ନାହିଁ, ନାରୀ ପୁରୁଷଙ୍କ ସୀମାର ଉଚ୍ଚରେ ରହିବ । ପୁରୁଷ ‘ଅଖଣ୍ଡ'ର ପ୍ରତ୍ୟାଶୀ ନୁହେଁ, ଖଣ୍ଡଟିକକ ପାଇଲେ ତା’ର ଚଳିଯାଏ, ନାରୀର ଚାହିଦା 'ଅଖଣ୍ଡର' । ତୁମର ସମସ୍ତ ମନପ୍ରାଣ ଯେମିତି ମୋ ଉପରେହିଁ ନ୍ୟସ୍ତ ଥାଏ । ତୁମର ସମସ୍ତ ଚିନ୍ତାଚେତନା, କର୍ମ- ମର୍ମ ସବୁକିଛି ମଧ୍ୟରେ ଯେମିତି ‘ମୁଁ' ଥାଏ । ତା’ ଯଦି ନ ହୁଏ, ମୁଁ ଅଭିମାନରେ ତୁ ହେବି ବସି ବସି । ତୁମେ ମୋତେ ଛୁଇଁପାରିବ ନାହିଁ । ବାପ୍‌ରେ ବାପ୍‌ ଭାରି ଗୋଳମାଳିଆ ଜାତି !

 

॥୭॥

 

ଘଣ୍ଟାର କଣ୍ଟା ଶଶୀଶେଖର, ଘଣ୍ଟାର କଣ୍ଟା ବ୍ରଜରାଜ ।

ଦୁହେଁ ଦୁହିଁଙ୍କର ପରିପୂରକ ।

ଶଶୀଶେଖର ଯଦି ଠିକ୍‌ ସକାଳ ଛଅଟାରେ ସାଜସଜ୍ଜା ସମାପ୍ତ କରି ଚା’ ଟେବୁଲ ଉପରେ ଆସି ବସୁ ନ ଥାଆନ୍ତେ, କେମିତି ଜାଣିପାରନ୍ତେ ଯେ ବ୍ରଜରାଜ ମଧ୍ୟ ଠିକ୍‌ ଛ'ଟାବେଳେ ଚା'ର ସରଞ୍ଜାମ ସହ ଟ୍ରେ ଟା ହାତରେ ଧରି ଟେବୁଲ ପାଖରେ ଆସି ହାଜର ହୋଇଛି । ବ୍ରଜରାଜର ସାଜସଜ୍ଜା ମଧ୍ୟ ସମାପ୍ତ ।

ଧୋବ ଫରଫର ଧୋତି, ଫଡ଼ୁଆ, କାନ୍ଧରେ ସଫା ଝାଡ଼ଣ । ପୂରା ଘରଟା ବାରଣ୍ଡା ଦେଇ ଘେରା, ମାର୍ବଲର ମେଜିଆ, କାଠର ଜାଫରି । ପୂର୍ବପଟ ବାରଣ୍ଡାର ଗୋଟାଏ ଅଂଶରେ ଶଶୀଶେଖରଙ୍କ ଚା'ର ଟେବୁଲ । ଛୋଟ ଟେବୁଲ, ଦୁଇପଟେ ଦୁଇଟା ଚେୟାର ପଡ଼ିଛି ।

ସିଂହାସନ ଗଢ଼ଣ ପରି ଉଚ୍ଚ ଚେୟାର, ମଖମଲର ଗଦି । ସେଇ ଜୀର୍ଣ୍ଣ ଗଦି ଉପରେ ଆପାତତଃ ମୋଟା ଡନ୍‌ଲପିଲୋର କୁଶନ ।

ବ୍ରଜରାଜ ଜାଣିଛି ରାଜାବାହାଦୂର୍‍ ପ୍ରତିଦିନ ଯାହା ଖାଆନ୍ତି, କେବଳ ସେତିକି ଖାଇବେ, ଏତେଟିକେ ବି ଏପଟ ସେପଟ ନୁହେଁ । ସେଇ ଟୋଷ୍ଟ ମଖନ, ଅଣ୍ଡାପୋଚ ଅଥବା ହାଫ୍‌ ବଏଲ, କିଛି ଫଳ, ଗୋଟାଏ ମିଠା- ବାସ୍‌ । ବାହାଘର ପରେ ପ୍ରଥମେ ପ୍ରଥମେ ଅନୁରାଧା କେତେଦିନ ଦେଖିବାକୁ ଆସିଥିଲେ ଏବଂ କହିଥିଲେ ପ୍ରତିଦିନ ଏକା ପ୍ରକାରର ? ମୁଁ କିଛି ଖାଇବା ତିଆରି କରିଦିଏ ନା ବ୍ରଜଭାଇ ? ମଟରଛୁଇଁର କଚୁରି, କିମାର ସିଙ୍ଗଡ଼ା, ବା ଅଣ୍ଡାର ଫ୍ରେଞ୍ଚ ଟୋଷ୍ଟ ! ଆହୁରି କେତେ ରକମ ହୋଇପାରେ, କେକ୍‌ ପୁଡ଼ିଂ । ଖୁବ୍‌ ଭୋରରେ ଉଠି କରିଦେବି !

ବ୍ରଜରାଜ ଅବଜ୍ଞା ସହ ଚାହିଁ କହିଥିଲା, ନୂଆ ନୂଆ ଖାଇବାର ଟୋକାଟାକଳିଆଙ୍କ ମୁହଁରେ ଭଲ ଲାଗେ ବୋହୂରାଣୀ । ପ୍ରାଚୀନ ଜିଭ ଚିର ଅଭ୍ୟାସର ବସ୍ତୁଛଡ଼ା ଆଉ କିଛି ରୁଚିବ ନାହିଁ ।

ରୁଚିବନି ! 'ରୁଚେନା' କି 'ରୁଚିବ କି ନାହିଁ’ ନୁହଁ ସିଧା ରୁଚିବନି ।

ଏହା ଉପରେ ଆଉ କ’ଣ କିଛି କଥା ଅଛି ?

ବ୍ରଜରାଜ ଦୃଢ଼ ଘାଟି । ତେବେ ରଜନୀର ଦରବାରରେ ଆବେଦନ ରଖାଯାଉ ।

ଜେଜେଙ୍କ ପାଇଁ ମୁଁ କିଛି ରୋଷେଇ କରିଦିଏ ରଜନୀଭାଇ ?

ଏ ଆବେଦନର ଉତ୍ତରରେ ରଜନୀ ସଂକ୍ଷିପ୍ତରେ ଜଣାଇଦେଲା- ଯେତେବେଳ ଯାଏଁ ରଜନୀ ଅଛି ସେତେବେଳ ଯାଏଁ ଆଉ ବୋହୂରାଣୀଙ୍କର ନିଆଁ ପାଖକୁ ଆସିବାର ଦରକାର ନାହିଁ । ରଜନୀ ମରିଗଲେ ରୋଷେଇ ଘର ଦାୟିତ୍ୱ ଯେତେବେଳେ ଆଜେବାଜେ ଲୋକଙ୍କ ହାତରେ ପଡ଼ିବ ସେତେବେଳେ ବୋହୂରାଣୀ ନେବେ ଦାୟିତ୍ୱ ।

ରଜନୀ ମଲା ପରେ !

ରଜନୀ ମଲା ପରେ, ରୋଷେଇ ଘରେ ଆଜେବାଜେ ଲୋକ ପଶିଲେ, ତେବେ ଶଶୀଶେଖରଙ୍କ ନାତି-ବୋହୂ ତାଙ୍କର ପୂଜନୀୟ ଜେଜେଙ୍କୁ ହାତ ରୋଷେଇ ଖୁଆଇ ଧନ୍ୟ ହେବେ-

ଅନୁରାଧା ମୁହଁଖୋର ସ୍ତ୍ରୀଲୋକ ନୁହଁନ୍ତି, ତେଣୁ ଏ ପ୍ରଶ୍ନ କରିବାକୁ ଚାହିଁଲେ ନାହିଁ । ‘ତୁମମାନଙ୍କର ରାଜାବାହାଦୂର୍‍ କ’ଣ ଅମରବର ପାଇଛନ୍ତି ?

ଜଣାପଡ଼ୁଛି, ଏମାନେ ଏଇଲୋକମାନଙ୍କର କରତଳଗତ ସଜ୍ଜିତ ରାଜାସନ ପଟେ, ‘ବିନା ଯୁଦ୍ଧେ ନାହିଁ ଦେବି ସୂଚ୍ୟଗ୍ର ମେଦିନୀ’ ।

ଅନୁରାଧା ଗରିବ ଗୃହସ୍ଥ ଘରର ଝିଅ ବୋଲି ନା କ’ଣ ?

ହୁଏତ ସେଇଆ ! ହୁଏତ ଅନୁରାଧା ବି ଯଦି ଏ ପ୍ରକାର କୌଣସି ରାଜାଘରୁ ଆସିଥାଆନ୍ତେ, ଏମାନେ ସମୀହ କରନ୍ତେ, ସସମ୍ଭ୍ରମରେ ଘୁଞ୍ଚି ଛିଡ଼ା ହୁଅନ୍ତେ । ମନ ଭିତରେ ଅପମାନ ବୋଧକରି ଚାଲି ଆସିଛନ୍ତି ଅନୁରାଧା । ଅଥଚ ଏ କଥା ମନେହୋଇଛି, ସୋମଶେଖର ହୁଏତ ଭାବୁଛନ୍ତି, ଅନୁରାଧା ଜେଜେଙ୍କୁ - ଯତ୍ନ କରିବା ବ୍ୟାପାରରେ କୌଣସି ଆଗ୍ରହ ନାହିଁ । କିନ୍ତୁ ନିଜଆଡ଼ୁ କିଛି କୁହାବି ଯାଏନା । ବ୍ରଜରାଜ, ରଜନୀ ଉପରେ ଦୋଷାରୋପ ପରି ହୋଇପାରେ ।

ଦିନେ ଠିକ୍‌ ଜାଗାରେ କହିଦେଲେ ।

ଜେଜେ, ଆପଣଙ୍କ ଭକ୍ତମାନେ ଯେଉଁପରି ଭାବରେ ଆପଣଙ୍କୁ ଦଖଲ କରି ବସିଛନ୍ତି, ସେଠି ତ ମୁଣ୍ଡ ଗଳାଇବାର ଉପାୟ, ନାହିଁ । ମୋର କ’ଣ ଇଚ୍ଛା ହୁଏନା ଆପଣଙ୍କୁ କିଛି ରାନ୍ଧି ଖୁଆଏ ?

ଶଶୀଶେଖର ହସି ଉଠିଥିଲେ ।

ଓହୋ, ସେଇ ବଦମାସ୍‌ ବ୍ରଜରାଜ, ଆଉ ହାରାମଜାଦା ରଜନୀ ବୋଧହୁଏ ରାଇଟ୍‌ ଛାଡ଼ିବାକୁ ରାଜି ନୁହଁନ୍ତି ।

ଅନୁରାଧା ଆଉ ଏହାର କ’ଣ ଉତ୍ତର ଦେବେ ? ଚୁପ୍‌ ରହିବା ହିଁ ଉତ୍ତର ।

ଶଶୀଶେଖର ବୁଝିପାରିଥିଲେ । ହସି କହିଥିଲେ, ଛାଡ଼ିବେ ନାହିଁ । ଅସଲ ସଇତାନ ସେଇ ଦୁଇଟା, ଡର ଅଛି ଯଦି ନୂଆବୋହୂଙ୍କ ହାତର ରୋଷେଇ ଖାଇ ବୁଢ଼ା ମଜ୍ଜିଯାଏ ! ଯଦି ସେମାନଙ୍କର ଦାମ କମିଯାଏ ! ଛାଡ଼ ସେ କଥା, ତୁମକୁ ଆଉ ଏଇ ବୁଢ଼ାଟାକୁ ରାନ୍ଧିବାଢ଼ି ଖାଇବାକୁ ଦେବାକୁ ହେବନି । କେବଳ ହସି ହସି ପାଖରେ ବସି ଦୁଇଟା ମିଠା କଥା କହିଲେ ଯଥେଷ୍ଟ ।

କେବଳ ମିଠା କଥା ? କେତେଦିନ ମିଠା ଲାଗିବ ଜେଜେ ? ସ୍ତ୍ରୀଲୋକର କାମହିଁ ତ ରୋଷେଇ କରି ଖାଇବାକୁ ଦେବା । ସେଇଟାହିଁ ଯତ୍ନ ସେଇଟାହିଁ ଆଦର ।

ସେଦିନ ଶଶୀଶେଖର ଟିକେ ଥମ୍‍କି ଯାଇଥିଲେ, କହିଥିଲେ ସବୁ ସ୍ତ୍ରୀଲୋକଙ୍କ ମୁହଁରେ ଏକପ୍ରକାର କଥାରେ ଦିଦି ! ମୋର ପ୍ରଥମପକ୍ଷ ମଧ୍ୟ ଠିକ୍‌ ଏଇ କଥାହିଁ କହୁଥିଲେ । କହୁଥିଲେ ‘ମୋର କ’ଣ ଇଚ୍ଛା ହୁଏନା ଯତ୍ନ ଆଦର କରିବାପାଇଁ' ?

ମୁଁ କହୁଥିଲି, ମୋ ପାଖରେ ବସି ହସି କଥା କହିଲେହିଁ ଯତ୍ନ ଆଦର । ରୋଷେଇ ଆଡ଼କୁ ଯିବାକୁ ଦେଉ ନ ଥିଲିତ ! ସେତେବେଳେ ବାବୁର୍ଚି ରହମନ୍‌ ଥିଲା, ଦେଶୀ-ବିଲାତି ସବୁ ରକମ ‘ଡିଶ୍‌' ତିଆରି କରିପାରୁଥିଲା । ରାଣୀ ସୁଧାହାସିନୀ ଦେବୀ ତାକୁ ଖୋସାମତ କରି ଲୁଚି ଲୁଚି ରୋଷେଇ ଘରେ ପଶି ଗୋଟାଏ ଦୁଇଟା ଆଇଟମ୍‌ ତିଆରି କରୁଥିଲେ । ଶିଖି ଯାଇଥିଲେ ସବୁ । କେକ୍‌, ପୁଡିଂ, ମଠା ପାଉଁରୁଟି । ମୁଁ କିନ୍ତୁ ଟେର୍‌ ପାଇଲାମାତ୍ରେ ଗାଳି ଗୁଲଜ ଦେଉଥିଲି, ସେଥିପାଇଁ ସେ କ’ଣ କହୁଥିଲେ ଜାଣିଛୁ, ‘ତୁମେ ଚାହଁ ମୁଁ’ କେବଳ ଛବି ଭଳି ସାଜିଗୁଜି ବସିଥାଏ ନା କ’ଣ ? ଠିକ୍‌ ଅଛି, ଦେଖିବ ଦିନେ ମନ୍ତ୍ର ବଳରେ ‘ଛବି’ ହୋଇଯିବି ।

ବୃଦ୍ଧ ଶଶୀଶେଖରଙ୍କ ଦୀର୍ଘଶ୍ଵାସର ଭାରୀ ପବନରେ ଘରଟା ଭାରାକ୍ରାନ୍ତ ହୋଇଉଠିଲା-। ପୁଣି କହିଲେ, କଥା ଯାହା, କାମ ତାହା ! ଦେଖିବାକୁ ଶାନ୍ତ କିନ୍ତୁ ଭିତରେ ଇସ୍ପାତ୍‌ । ଯାହା କହିବେ, ସେଇଆ କରି ତା’ପରେ ଛାଡ଼ିବେ ! ମନ୍ତ୍ରବଳରେ ସହଜ ମଣିଷ ବସି ବସି ଲେସ୍‌ ବୁଣୁଥିଲେ, ହଠାତ୍‌ କହିଲେ, 'ଛାତିଟା କ’ଣ ହେଉଛି’ ବାସ୍‌ !

ସୁଧାହାସିନୀଙ୍କର ମୃତ୍ୟୁକାଳୀନ ପରିସ୍ଥିତି ଅନେକଥର ଶୁଣିଛନ୍ତି ଅନୁରାଧା । ଶୁଣିଶୁଣି ମୁଖସ୍ଥ ହୋଇଯାଇଛି । କେମିତି ଭାବରେ ଶୋଇପଡ଼ିଥିଲେ ସେ, କେତେଶୀଘ୍ର ସାହେବ ଡାକ୍ତର ଆସିଥିଲେ, ଡାକ୍ତର କ’ଣ କହିଥିଲେ, ସବୁ । ଏପରିକି ସୁଧାହାସିନୀଙ୍କ ହାତର ସେଇ ଅସମାପ୍ତ ଲେସ୍‌ ଯେ ମିଳିନାହିଁ, ବହୁତ ଖୋଜିଲା ପରେ ମଧ୍ୟ ନୁହେଁ, ସେ କଥା ବି ଜାଣନ୍ତି ଅନୁରାଧା !

ଆସିବା ପରଠାରୁ ତ 'ସୁଧାହାସିନୀଙ୍କ ଚରିତ’ ଶୁଣି ଆସୁଛନ୍ତି । ବେଳେବେଳେ ଭାବନ୍ତି ଏହାକୁ କ’ଣ ଅନିର୍ବାଣ ପ୍ରେମର ପରାକାଷ୍ଠାର ନିଦର୍ଶନ କହିବାକୁ ହେବ ? ନା ଏହା ଗୋଟିଏ ବିକାର । ବିରହ ବିକାର ! ସେଇ ବିକାରକୁ ନେଇ ଲାଳନ କରି ଆସୁଛନ୍ତି ବୁଢ଼ା ଭଦ୍ରଲୋକ ।

କରୁଛନ୍ତି କରନ୍ତୁ ମୋ ଜୀବନଟାକୁ ମହାନିଶା କରି ଦେଉଛନ୍ତି, ଏତିକି ଯାହା ଦୁହେଁ ଅନବରତ ସେଇ ବିକାରଗ୍ରସ୍ଥ ବୃଦ୍ଧଙ୍କର ମନୋରଞ୍ଜନ, ଏଇ ଜୀବନ ?

ପ୍ରଥମେ ପ୍ରଥମେ ଭାରି ଖରାପ ଲାଗୁଥିଲା ।

ଆସ୍ତେ ଆସ୍ତେ ନିଜେ ମଧ୍ୟ କେତେବେଳେ ଅନୁରାଧା ସେଇ ‘ଛବି’ ହୋଇ ଯାଇଥିବା ରାଣୀ ସୁଧାହାସିନୀ ଦେବୀଙ୍କ ପ୍ରେମରେ ପଡ଼ିଗଲେ । ପ୍ରେମରେ ପଡ଼ିଗଲେ ଏଇ ବୃଦ୍ଧ ଶାହାଜାହାନଙ୍କର ମଧ୍ୟ । ଏବେ ଆଉ ସେତେ ଅଦ୍ଭୁତ ଲାଗେ ନାହିଁ ।

ଆଉ ଦେଖୁଛନ୍ତି ତ ଜେଜେଙ୍କ ପ୍ରତି ଯଥାରୀତି କର୍ତ୍ତବ୍ୟ ହେଲେହିଁ ସୋମଶେଖର ନାମକ ମଣିଷଟି ସବୁଠାରୁ ସୁଖୀ । ତାଙ୍କୁ ସୁଖୀ କରିଲେହିଁ ଅନୁରାଧାଙ୍କର ସୁଖ !

ଅନୁରାଧାଙ୍କର ମା’ ଝିଅ ବିଦାବେଳେ କହିଥିଲେ, ମୁଁ କିଛି କରିନାହିଁ ମା’, ତୋର ଭାଗ୍ୟ ତୋତେ ରଜାଘରେ ପହଞ୍ଚାଇ ଦେଉଛି । ରାଣୀଗିରିର ସୁଖବି ଅଛି ଯନ୍ତ୍ରଣା ମଧ୍ୟ ଅଛି । ଅଜଣା ସବୁ ଲୋକବାକ କିଏ କେମିତି କିଛି ଜାଣିନୁ । ଶାଶୁ, ଆଈଶାଶୁ କେହି ନାହାଁନ୍ତି ଯେ ଶିଖାଇବେ, ଲକ୍ଷ୍ୟ କରିବୁ, ଜ୍ୱାଇଁ କେଉଁଥିରେ ସନ୍ତୁଷ୍ଟ ହୁଅନ୍ତି । ତାକୁହିଁ ବୁଝିସୁଝି ଚାଲୁଥିବୁ । ଆଉ କହିଥିଲେ ବଡ଼ଲୋକଙ୍କ ପୁଅର କେତେ ମନ୍ଦଗୁଣ ଥାଏ, ଭୟ ଥିଲା । ସମସ୍ତେ ଏକ ସାଥିରେ କହୁଛନ୍ତି ‘ହୀରାର ଟୁକୁରା’ । ସେଇ ଭରସାରେ ନିଶ୍ଚିନ୍ତ ଅଛି । ସେଇଥିପାଇଁ ଯାହା କହିଲି ! ସୁଖଦୁଃଖ ପାଇବା କିଛିଟା ଭାଗ୍ୟ ହାତରେ, କିଛିଟା ନିଜ ହାତରେ ।

ମା'ଙ୍କର କଥାଗୁଡ଼ାକ ମନ ଭିତରେ ପଥର କାଟି ଲେଖି ରଖିଥିଲେ ଅନୁରାଧା । ତେବେବି ବେଳେବେଳେ କେମିତି ହତାଶା ଆସେ । ଭାବନ୍ତି, ସଙ୍ଗ ଦରକାର ମଣିଷ ଜୀବନରେ । ସାଙ୍ଗ ଦୁଇଟାହିଁ ଦରକାର, ଭଲ ପାଇବାପାଇଁ, ରାଗିବାପାଇଁ, ଅଭିଯୋଗ ଆଣିବାପାଇଁ, କଳି କରିବାପାଇଁ, ମନର ପ୍ରାଣର କଥା କହିବାପାଇଁ, ସୁଖ ଦୁଃଖ ବୁଝିବାପାଇଁ । ଆଗେ ଯେଉଁ ଏକାନ୍ନବର୍ତ୍ତୀ ସଂସାର ଥିଲା, ଅନେକ ବଡ଼ ପରିବାର, ଅନେକ ରକମ ଲୋକ, ଅନେକ ବୟସର, ଅନେକ ସମ୍ପର୍କର, ଅତି ଭଲ ଥିଲା । ଏବେକା ପରି ନିଃସଙ୍ଗ ହୋଇଯାଆନ୍ତାନି ମଣିଷ । କଳିଝଗଡ଼ା ମଝିରେ ବି ଜୀବନ ଥିଲା । ନିଃସଙ୍ଗମାନେହିଁ ତ ନିଃସ୍ଵ !

ଚା’ ପିଇବାର କିଛିକ୍ଷଣ ପରେ, ଚିଠି ଆସି ପହଞ୍ଚିବା ପରେ, ହାଲକା ଗୋଟାଏ ବେତର ଟ୍ରେରେ ସଜାଇ ଗୋଟାଏ ଦୁଇଟା ଚିଠି ଆଉ ପ୍ରାୟ ଚାରିଖଣ୍ଡ ଖବରକାଗଜ ଆଣି ଧରାଇ ଦେଲା ବ୍ରଜରାଜ ।

ଶଶୀଶେଖର ଚିଠି ଦୁଇଟା ଉଠାଇ ଦେଖିଲେ, ବ୍ୟବସାୟ ସଂକ୍ରାନ୍ତ ମନେହେଲା । ଛାଡ଼, ସୋମ ଆସି ଦେଖିବ । କାଗଜଗୁଡ଼ାକ ଖୋଲି ବିଜ୍ଞାପନର କଲମଗୁଡ଼ାକ ଦେଖିବାକୁ ଲାଗିଲେ ଶଶୀଶେଖର ।

ବିଜ୍ଞାପନର ଭାଷାଟା ଠିକ୍‌ ରଖିଛିତ ?

ସେ ଯେପରି ଭାବରେ କହିଥିଲେ !

ପ୍ରଥମେ ଇଂରାଜୀ କାଗଜ ଦୁଇଟା ଦେଖିଲେ । ପରେ ଦେଖିଲେ ବଙ୍ଗଳା, ଦେଖି ସନ୍ତୁଷ୍ଟ ହେଲେ । ହଁ, ଠିକ୍‌ ରଖିଛି । ବର୍ତ୍ତମାନ ଦୁଇ ଚାରିଦିନ ସ୍ପନ୍ଦିତ ହୃଦୟରେ ଅପେକ୍ଷା କରିବା ।

 

॥୯॥

 

ଭାଇ, ଦେଖ୍‌ । କେମିତି ମଜାର ଗୋଟିଏ ଚିଠି ଆସିଛି ।

 

ସିଢ଼ିରୁ ସୁତପାର ଉଚ୍ଛ୍ୱସିତ କଣ୍ଠ ନିଖିଳେଶଙ୍କ ଲେଖା ଟେବୁଲ ଉପରେ ଆସି ଅଜାଡ଼ି ହୋଇପଡ଼ିଲା । ଅବଶ୍ୟ ସୁତପା ବି ଧଡ଼ପଡ଼ ହେଇ ପଶିଲେ ଶବ୍ଦର ପଛରେ ପଛରେ । କଲେଜରୁ ଫେରି ଘରେ ପଶିବା ସମୟରେ ଲେଟର୍‌ ବକ୍ସରୁ ଚିଠିଟା ବାହାର କରି ନେଇଛନ୍ତି, ଅବଶ୍ୟ କୌତୁହଳରେ ସାଙ୍ଗେ ସାଙ୍ଗେ ଲଫାପାର ମୁହଁ ଚିରି ଚିଠିଟା ପଢ଼ୁପଢ଼ୁ ସିଡ଼ିବାଟେ ଉଠି ଆସିଲେ ।

 

ସୁତପା ଯେତେବେଳେ ଫ୍ରକ୍‌ ପିନ୍ଧା ଝିଅ, ଲେଟର ବକ୍ସ ପାଖରେ ହାତ ପହଞ୍ଚିଛି ମାତ୍ର ସେଇଦିନଠାରୁ ଲେଟର ବକ୍ସର ଚାବିଟା ନିଜ ପାଖରେହିଁ ଅଛି, ଏବେ ପର୍ଯ୍ୟନ୍ତ । ଘରର ଲୋକଙ୍କର ଅବଶ୍ୟ ବିଶେଷ ଅସୁବିଧା ହୁଏ ନାହିଁ, ବରାବର ମର୍ଣ୍ଣିଂ କଲେଜରେ ପଢ଼ିଛନ୍ତି, ବର୍ତ୍ତମାନ ମର୍ଣ୍ଣିଂ କଲେଜରେ ପଢ଼ାଉଛନ୍ତି । ସେ ଯେତେବେଳେ ଫେରନ୍ତି, ତା’ ଆଗରୁ ଡାକପିଅନର ଆବିର୍ଭାବ ଘଟେ ନାହିଁ । ଘଟିଲେ ବି ବେଶୀ ସମୟପାଇଁ ବାକ୍ସବନ୍ଦୀ ହୋଇ ପଡ଼ି ରହିବାକୁ ପଡ଼େନା ଚିଠିପତ୍ରମାନଙ୍କର ।

 

ଲେଖକ ନିଖିଳେଶଙ୍କ ନାଁରେ ନିତିଦିନ ଅନେକ ଚିଠିପତ୍ର ଆସେ, ଅନେକ ବହିପତ୍ର ପ୍ୟାକେଟ୍‌ । ସେଗୁଡ଼ାକ ଦୁଇ ହାତରେ ଉଠାଇ ନେଇ ଆସିବା ସୁତ୍ରପାଙ୍କର ଦୈନିକ କର୍ମତାଲିକା ମଧ୍ୟରେ ଗୋଟିଏ ସୁଖକର କର୍ମ । ସେଇଟା ସାନବେଳୁ ଏ ପର୍ଯ୍ୟନ୍ତ ସ୍ଵାତୀ ଯଦି ଅନ୍ୟଧରଣର ଝିଅ ହୋଇଥାଆନ୍ତେ ବା ଅନ୍ୟଧରଣର ନ ହୋଇ ସାଧାରଣ ଝିଅ ହୋଇଥାଆନ୍ତେ, ହୁଏତ ସେଇ ଲେଟରବକ୍ସର ଚାବି ରଖିବା ନେଇ ନଣନ୍ଦଙ୍କ ସାଙ୍ଗରେ ମନାନ୍ତର ହୋଇଥାଆନ୍ତା ବା କୌଣସି ସନ୍ଦେହ କରିଥାଆନ୍ତେ । କିନ୍ତୁ ସ୍ଵାତୀ ଭାରି ଭଲ ଝିଅ । ଯାହାକୁ କୁହାଯାଏ ‘ନିର୍ମଳ ଚିତ୍ତ’ ସ୍ୱାତୀ ସେଇଆ । ସେଇଥିପାଇଁ ସ୍ଵାତୀ ନଣନ୍ଦଙ୍କ ଏଇ ଲେଟରବକ୍ସର ଚାବି ରଖିବା ନେଇ କେବଳ ମୁହଁ ଚାପି ହସି ହସି କୁହନ୍ତି, ଯଦି ରଖିବାର ଗୋଟାଏ କାରଣ ଦେଖାଇ ପାରନ୍ତୁ । ଏତେ ବୟସ ପର୍ଯ୍ୟନ୍ତ କ’ଣ ଯେ ଘୋଡ଼ାର ଘାସ କାଟିଲୁ । ଜୀବନରେ ଖଣ୍ଡିଏବି ତ ସନ୍ଦେହଜନକ ଚିଠି ଅଣାଇ ପାରିଲୁନି ।

 

ସୁତପା ମଧ୍ୟ ହସନ୍ତି, ପାରେକି ନାହିଁ ତୁ ଜାଣିଲୁ କେମିତି ? ଚାବିକାଠିଟା ତ ମୋ ହାତରେ, ଗାଏବ୍‍ କରି ପକାଇପାରେ ।

 

ଆହା, ତୁ ନ ହେଲେ ଆଉ ଗାଏବ୍‌ କରିବ କିଏ ? ଆଗେ ତ ନାଚିନାଚି ଦେଖାଇବାକୁ ଆସିବୁ ଭାଇ, ଦେଖ କି ଚିଠି ଆସିଛି ଆଜି ମୋର ।

 

ସ୍ୱାତୀ ଏଇ ଦୁଇ ତିନିବର୍ଷ ଭିତରେ ଅବିବାହିତା ନଣନ୍ଦଟିକୁ ବେଶ୍‌ ପଢ଼ିପାରିଛନ୍ତି ।

 

ସ୍ୱାତୀ କହିଲେ, ଅଭିଆଡ଼ୀର ସାଧୁ ଭାଷା କ’ଣ ଗୋଟାଏ ? ଅନୁଢ଼ା ନା ? ମୋର କିନ୍ତୁ ଶୁଣିଲେହିଁ ଯେମିତି ମନେହୁଏ ‘ବିମୂଢ଼ା’, କିଂକର୍ତ୍ତବ୍ୟ ବିମୂଢ଼ ହୋଇ ଯେଉଁମାନେ ବାହା ନ ହୋଇ ବୟସଟା ଖତମ୍‌ କରିପକାନ୍ତି ସେମାନଙ୍କର ସେଇ ସଂଜ୍ଞା ।

 

ସୁତପା ନିଜର ନିଟୋଳ ମସୃଣ ହାତଟା ବୁଲାଇ ଦେଇ କୁହନ୍ତି, ଇସ୍‌ ! ବୟସଟା ଖତମ୍‌ ! ଏବେବି ବ୍ୟାଙ୍କ ବ୍ୟାଲେନ୍ସ ଯଥେଷ୍ଟ ।

 

କିନ୍ତୁ ସ୍ୱାତୀ ଜାଣନ୍ତି ତାଙ୍କର ନଣନ୍ଦ ଜଣକର ‘ବାହାଘର ସଂସାର’ ଏସବୁରେ ବୀତରାଗ-। ଜଗତର ସବୁ କିଛିରେ ଇଣ୍ଟ୍‍ରେଷ୍ଟ ସୁତପାଙ୍କର, କେବଳ ‘ଘର ବର’ ସଂସାର ସମ୍ପଦ ବ୍ୟତୀତ । କଲେଜ ପଢ଼ୁଆ ସୁତପା ଯେମିତି ଥିଲେ, କଲେଜରେ ପଢ଼ାଇବା ମାଷ୍ଟ୍ରାଣୀ ହୋଇବି ସୁତପା ସେଇପରି । ହସଖୁସି-ଚଞ୍ଚଳ । ସବୁକିଛିରେ ଉଚ୍ଛ୍ୱସିତ । ସବୁକିଛିରେ ମଜା ପାଇବାର କ୍ଷମତା । ଲେଖାପଢ଼ା, ସିଲେଇ, ବୁଣା, ଗାୟନ ବାଜଣା, ରୋଷେଇ, ଗାଡ଼ି ଚଳାଇବା, ମାର୍କେଟିଂ କରିବା ସବୁଥିରେ ଚୌକଶ । ସବୁଥିରେ ତାଙ୍କର ଆନନ୍ଦ । ବାହାଘର ବାଦ୍‌ ଦେଇ ।

 

ନିଖିଳେଶ ଲେଖା ଉପରୁ ଆଖି ନ ଉଠାଇ କହିଲେ, ତୋ'ର ତ ସବୁଥିରେ ମଜା । ଆଦୌ ତାହା ନୁହେଁ । ଦେଖ୍‌ତ କି ବ୍ୟାପାର ! ଆଃ କଲମଟା ଛାଡ଼ିଦେତ ଟିକେ । କ’ଣ କରୁଛୁ କହିଲୁ, ଏ ତ ‘ପୂଜାର ଲେଖା’ ? ଆଉ କେତେଦିନ ଚଲେଇବୁ ? ପୂଜା ତ ଆସିଗଲା । ହଉ ଛାଡ଼, ଟିକେ ଅମନୋଯୋଗ ହେଲେ ବିଶେଷ କ୍ଷତି ହେବ ନାହିଁ । ପୂଜାସଂଖ୍ୟାର ପାଠକପାଠିକାଙ୍କ ପରି ଏମିତି ଭଦ୍ରଜୀବ ଆଉ ହୁଏନା । ଉପନ୍ୟାସର ମଝିରେ ହଠାତ୍‌ ନାୟିକା ନାଁ ବଦଳି ଗଲେ କିମ୍ବା ଶୈଶବରେ ପିତୃହୀନ ନାୟକଙ୍କୁ ଯୌବନରେ ବାପ ସାଙ୍ଗରେ ମତବାଦର ପାର୍ଥକ୍ୟ ନେଇ କଳିଝଗଡ଼ା କରିବାକୁ ଦେଖିଲେ ମଧ୍ୟ କିଛି କୁହନ୍ତିନି, କିଛି ନୁହେଁ ।

 

ନିଖିଳେଶ କଲମର ମୁହଁରେ ଟୋପି ପିନ୍ଧାଇ ପିଠି ସିଧା କରି କହିଲେ, ଏବେ ଆଉ ତା’ ନାହିଁରେ ! ପାଠକମାନେ ଯଥେଷ୍ଟ ସଚେତନ । ମନେନାହିଁ ଆରଥର କଥା । ବିଚରା ଶ୍ରୀମନ୍ତ ସରକାରଙ୍କର ଦୃଶ୍ୟ ? ନାୟକର ବାଲ୍ୟ ବିଧବା ପିଇସୀଙ୍କୁ କୌଣସି ଏକ ମହିମାମୟ ମୁହୂର୍ତ୍ତରେ ଭୁଲିଯାଇ ଥରେ ସିନ୍ଥିରେ ଲାଲ ଟକ୍‌ଟକ୍‌ ସିନ୍ଦୂର, କପାଳରେ ଝକ୍‌ଝକ୍‍ ସିନ୍ଦୂରର ଟୋପା, ଆଉ ଚଉଡ଼ା ଲାଲ ଧଡ଼ିର ମଠା ଶାଢ଼ି ପିନ୍ଧାଇ ପକାଇବାର ଅପରାଧରେ କି ପ୍ରକାର ହଇରାଣ ହେବାପାଇଁ ହୋଇଥିଲା ? ଚିଠିରେ ପୂରା ବାଣ ବୃଷ୍ଟି ।

 

ଆହାରେ !

 

ସୁତପା କରୁଣ ମୁହଁରେ ଦୁଃଖପ୍ରକାଶର ସେଇ ବିଶେଷ୍ୟ ‘ଚୁକ୍‌ଚୁକ୍‌’ ଶବ୍ଦଟି କରି କୁହନ୍ତି- ବିଚରା ! ମନେପଡ଼ିଲା ସତରେ ! ଥରେମାତ୍ର ପିନ୍ଧାଇ ଦେଇ କି ଲାଞ୍ଛନା । ହଉ ପଛେ, ସେଇ ଶ୍ରୀମନ୍ତ- ଫିମନ୍ତକୁ କୋଣରେ ଠେସି ଦେଲେ । ତୋତେ କେହି କହିବାକୁ ସାହସ କରିବେ ନାହିଁ । ତୋର ଏଡ଼ିଟର ସେମିତି ଚିଠି ଛାପିବେନି ଛାଡ଼, ଏବେ ଅସଲ କଥାକୁ ଆ-ତ ।

 

ଚିଠିଟା ଦେଖ୍‌ ।

କାହା ଚିଠି ?

ସୁତପା ମୁହଁରେ ହସର ଆଲୁଅ ଜଳି ଉଠିଲା ।

 

କହିଲେ, ମୋର ଜଣେ ସହପାଠିନୀ । ଏକଦା ବ୍ରେବୋର୍ଣ୍ଣରେ ପଢ଼ୁଥିଲା ମୋ ସାଙ୍ଗରେ-

 

ସହ-ପା-ଠି-ନୀ ।

 

ନିଖିଳେଶ ଥମି ଥମି କଥାଟା ଉଚ୍ଚାରଣ କରି କହିଲେ, ଧେତ୍‌ ସେଥିରେ ପୁଣି କ’ଣ ଦେଖିବାର ଅଛି ?

 

ଅଛି ବାବୁ ଅଛି । ପଢ଼ ତେବେ ଯାଇ ବୁଝିବୁ ।

 

ସୁତପା କହୁଛନ୍ତି ସତ, କିନ୍ତୁ ଚିଠିଖଣ୍ଡ ଆଗେଇ ଦେଉନାହାନ୍ତି । ନିଜେ ପଢ଼ି ଚାଲିଛନ୍ତି କଥା କହୁ କହୁ ।

 

ତା’ମାନେ ଭଲ ଭାବରେ ନ ପଢ଼ି ଭାଇଙ୍କ ପାଖକୁ ଦୌଡ଼ି ଆସିଛନ୍ତି ।

 

ନିଖିଳେଶ ଭଉଣୀଙ୍କୁ ଭଲ କରି ଜାଣନ୍ତି । ତେଣୁ ଆଉ ହାତ ବଢ଼ାଇଲେ ନାହିଁ । ମୁହଁଟା କୌତୁକ କରି କେବଳ ଚାହିଁ ରହିଲେ ।

 

ତୃତୀୟ ଥର, ପୂରା ପଢ଼ିସାରିବା ପରେ ସୁତପା କହିଲେ, ରହ, ଭାଉଜକୁ ଡାକେ । ଏକଲା ତୋ ସାଙ୍ଗରେ ଜମିବନି ।

 

ତା’ଠାରୁ ଭଲ ହେବ ତୋ’ ଭାଉଜ ସାଙ୍ଗରେ କେବଳ ଜମେଇବୁ ଯା- ନିଖିଳେଶ କହିଲେ, ମୋତେ ଟିକେ ଲେଖିବାକୁ ଦେ । ତୋର ‘କ୍ଲାସ ବାନ୍ଧବୀର’ ଚିଠି ପଢ଼ିବାଠାରୁ ଏଇଟା ଅନେକ ଦରକାରୀ ।

 

ଆଚ୍ଛା ହଉ, ଯେତେବେଳେ ବ୍ୟାଗ- ବ୍ୟାଗେଜ ନେଇ ହାଓଡ଼ା ଷ୍ଟେସନରୁ ଟାଟା କରି ଚାଲିଯିବି, ବୁଝିବୁ ସେତେବେଳେ ।

 

ତା’ ମାନେ ?

ନିଖିଳେଶ ଏଥର ସିଧା ହୋଇ ବସି କହିଲେ, କହିଲୁ ପରା ସହପାଠିନୀ !

ସେଇଆ ତ ! ତେବେ ଆଉ ‘ମଜା’ କହୁଛି କାହିଁକି ? ଭାଉଜ ଏ ଭାଉଜ ।

ସ୍ଵାତୀ ଆସିଲେ । ହସ ହସ ମୁହଁ, ମୁଣ୍ଡର କେଶ ଏପଟ ସେପଟ ଉଡ଼ୁଛି ।

 

ନିଖିଳେଶଙ୍କଠାରୁ ଟିକିଏ ଶ୍ୟାମଳରଙ୍ଗ । ଛୋଟଖାଟିଆ ଗଢ଼ଣ, ପାଠରେ ଏଇ ଦୁଇ ଭାଇ ଭଉଣୀଙ୍କ ପାଖରୁ ଅନେକ ତଳେ । କିନ୍ତୁ ତା’ ପାଇଁ ତାଙ୍କର ବିନ୍ଦୁଏ ମାତ୍ର କୁଣ୍ଠାଭାବ ନାହିଁ । କେବେ କେବେ ରଙ୍ଗର ପ୍ରଶ୍ନ ଉଠିଲେ, ଅନାୟାସରେ କୁହନ୍ତି, ଘରେ ତିନୋଟି ଗୋରା ଲୋକ ଘୂରି ବୁଲିଲେ ଗୋରା ରଙ୍ଗର ମହିମା ବୁଝାଯିବ କେମିତି ? ବ୍ୟାକ୍‍ଗ୍ରାଉଣ୍ଡ ଦରକାର ତ !

 

ଆଉ ପଢ଼ାଶୁଣା କଥା ଉଠିଲେ କୁହନ୍ତି, ଭାଗ୍ୟ ଭଲ ଏ ସଂସାରରେ ଗୋଟାଏ ମୂର୍ଖ ଅଛି । ସେଥିପାଇଁ ଚାରି ଓଳି ଯଥା ନିୟମରେ ଖାଇବା ପିଇବା ଚାଲିଛି ।

 

ସ୍ଵାତୀ ଆସି ଥରେ ପରିବେଶକୁ ଆଖି ବୁଲାଇ ନେଲେ । କହିଲେ, କଲେଜରୁ ଆସି ଏବେବି ହାତ ମୁହଁ ଧୁଆ ହୋଇନି ମନେହେଉଛି ।

 

ଧୋଇନିତ । ଏଥିରେ ପୁଣି ମନେହେବାର କ’ଣ ଅଛି ! ଆସିଲା ପରେ ଏ ଚିଠି ଦେଖି ଦେହର ଲୋମଗୁଡ଼ାକ ଝିଙ୍କକାଠି ପରି ଛିଡ଼ା ହୋଇଯାଇଛି ।

 

ସ୍ୱାତୀ କହିଲେ, କ’ଣ କହିଲୁ ? ପ୍ରେମପତ୍ର ନୁହେଁତ ?

 

ଧେତ୍‌ । ସେଇ ପୋଚରା ପୁରୁଣା ବ୍ୟାପାର ଛଡ଼ା ଆଉକିଛି କ’ଣ ଭାବିପାରନା ତୁମେମାନେ ? ନେଇଯା । ଜୋର ଜୋର ପଢ଼ । ଭାଇ ପୁଣି ପରର ଚିଠି ଛୁଏଁ ନାହିଁ ।

 

ପରର ଚିଠି ! ସେଥିରେ ପୁଣି ଏଇଟା ? ପରସ୍ତ୍ରୀ ତ ନୁହଁ ।

 

ସ୍ଵାତୀ ହାତ ବଢ଼ାଇ ଚିଠିଟା ନେଇ ସୋଫାରେ ବସିଲେ । ଆଗ ଶେଷଟା ଦେଖି ନେଇ କହିଲେ, ଅନୁରାଧା କିଏ ?

 

କେହି ନୁହଁ, ଗୋଟିଏ ଝିଅ ।

 

କେହି ନୁହଁ । କେବଳ ଗୋଟିଏ ଝିଅ ! ଆଉ କିଛି ନୁହଁ ଚମତ୍କାର । ଝିଅମାନଙ୍କ ସମ୍ପର୍କରେ ଦୃଷ୍ଟିଭଙ୍ଗୀ ଉଚ୍ଚ ଧରଣର ।

 

ସୁତପା ଚେୟାର ଉପରେ ବସି ପାଦ ହଲାଇ ହଲାଇ କହିଲେ, ସମାଜମାନସର ପରିପ୍ରେକ୍ଷୀରେ ଦୃଷ୍ଟିଭଙ୍ଗୀ ଗଢ଼ିଉଠେ । ଛାଡ଼, ବିଶଦ ବିବରଣ ଶୁଣ- ଅନୁରାଧା ଗୋଟିଏ ଭଦ୍ର ବ୍ରାହ୍ମଣ ଘରର ଝିଅ, ମୋ ସାଙ୍ଗରେ ବ୍ରେବୋର୍ଣ୍ଣରେ ପଢ଼ୁଥିଲା, ପଢ଼ାଶୁଣା ସାଧାରଣ, ଅବସ୍ଥାବି ସାଧାରଣ, ଭାଗ୍ୟଚକ୍ରରେ କେବଳ ଅସାଧାରଣ ସୁନ୍ଦରୀ । ଆଉ-

 

ଗୋଟାଏ ନିଃଶ୍ୱାସ ପକାଇଲେ ସୁତପା, ସେଇ 'ରୂପ' ହେଲା ତା’ର ‘କାଳ’ !

ଏଁ !

 

ନିଖିଳେଶ ଦୁହିଁଙ୍କୁ ଏକତ୍ର ଦେଖି ନିଶ୍ଚିନ୍ତ ହୋଇ ପୁଣି କଲମର ମୁହଁ ଖୋଲିଥିଲେ । ଘର ଭିତରେ ସେମାନେ ହଇଚଇ କରି ଗପ କଲେ । 'ଲେଖିବାରେ ବ୍ୟାଘାତ ହେବ’ ଏପରି ବିଳାସିତାର ସୁଯୋଗ ପାଇ ନାହାଁନ୍ତି କେବେ ହେଲେ ନିଖିଳେଶ । ଘରେ ବସି ଲେଖିଲେ ଗପ ଶୁଣିଶୁଣି ଗପ ଲେଖିବାକୁ ହୁଏ ତାଙ୍କୁ । ଦେହସୁହା ହୋଇଯାଇଛି ।

 

ଅଫିସ୍‌ରେ ବସି ଲେଖିବାଟା ଅବଶ୍ୟ ପ୍ରଧାନ । କିନ୍ତୁ ଅଫିସ୍‌ ତ ଖବର କାଗଜର ଅଫିସ୍‌, ସେଠି କ’ଣ ବ୍ୟାଘାତ କମ୍‌ ? ତେବେବି ତ ନିଖିଳେଶ ବେଶ୍‌ ନାଁ କମେଇ ସାରିଛନ୍ତି ଲେଖାରେ ।

 

ସୁତପା ଅବଶ୍ୟ ଭାଇର ସେଇ ‘ନାଁଟା’କୁ ଅମଳ ଦେବାଙ୍କୁ ରାଜି ନୁହଁ । ଘର ଭିତରେ ଗପ କରନ୍ତି ଆଉ କୁହନ୍ତି ‘କାଳି କଲମ, ମନ’ ଲେଖନ୍ତି ତିନି ଜଣ, ଏଇତ କଥା ? କାମର କଥାତ ନାହିଁ ସେଥିରେ ! ତୁ ଲେଖିବୁ ବୋଲି କ’ଣ ବିଶ୍ଵ ଚରାଚର ସ୍ତବ୍ଧ ହୋଇ ବସି ରହିବ ? ସେଇଆ ଯଦି ହୁଏ କାନରେ ତୁଳା ଦେଇ ବସି ଲେଖ । ପାଦରେ ଧୂଳି ଲାଗିବା ବନ୍ଦ କରିବାପାଇଁ ଚମଡ଼ା ଦେଇ ପୃଥିବୀକୁ ଘୋଡ଼ାଇ ଦେବାକୁ ମୂର୍ଖପରି ଚେଷ୍ଟା ନ କରି ପାଦ ଦୁଇଟାକୁ ଚମଡ଼ାଦ୍ଵାରା ଘୋଡ଼ି ରଖିବାର ନିୟମ ସୃଷ୍ଟି ହୋଇଛି ।

 

ତଳ ଉପର, ଭାଇ ଭଉଣୀ ସତ, ତେବେ ନିହାତି ପାଖପାଖି‌ ନୁହଁନ୍ତି, ବୟସର ତଫାତ୍‌ ପୂରା ଚାରି ବର୍ଷ । କିନ୍ତୁ ଭାଇ ପାଖରେ ସୁତପାଙ୍କର ଅଗାଧ ପ୍ରଶ୍ରୟ । ଅଳ୍ପ ବୟସରେ ମା'-ଛେଉଣ୍ଡ ଚାରି ବର୍ଷର ସାନ ଭଉଣୀଟାକୁ ଗୋଟାଏ ପଟେ ଯେମିତି ଅଭିଭାବକ ଦାୟିତ୍ଵରେ ଦେଖାଶୁଣା କରିଛନ୍ତି, ସେଇପରି ପୁଣି ତାଙ୍କର ନିଃସଙ୍ଗତାର ସାଙ୍ଗ ହେବାକୁ ସମପର୍ଯ୍ୟାୟରେ ରହି ଖେଳିଛନ୍ତି । ଆଉ ଏଇ ମୁଖର ଏବଂ ପ୍ରଖର ଭଉଣୀର ସବୁ ଅଳି ଅରଦଳି ହସ ହସ ମୁହଁରେ ଗ୍ରହଣ କରିଛନ୍ତି ।

 

ସେଇଥିପାଇଁ ସୁତପା ଅନାୟାସରେ ଏବେବି ଯାହା ଇଚ୍ଛା ତା’ କୁହନ୍ତି ।

ରୂପ ହେଲା କାଳ ।

ତାହା ଶୁଣି ନିଖିଳେଶ ଚମକି ଉଠି କହିଲେ, ଏଁ ? ଲୁଟ୍‍ ହୋଇଗଲା ନା ଝିଅଟା ?

 

ସୁତପା କହିଲେ, ପ୍ରାୟ ସେଇଆ । ଝିଅଟାର ସେତେବେଳେ ବି.ଏ. ଫାଇନାଲ୍‌ ପରୀକ୍ଷାର ମାତ୍ର ଦୁଇମାସ ବାକି । ତାକୁ କେଉଁଠି ଗୋଟାଏ ବାହାଘରରେ ଦେଖି ମୋହିତ ହୋଇ ଦୁମ୍‌କା ନା ଦାରୁକେଶ୍ଵର, ଦୁବରାଜପୁର ନା ଦିଗ୍‍ନଗର, କେଉଁ ଜାଗାର ରଜାଘରୁ ହଠାତ୍‌ ବାହାଘର ପ୍ରସ୍ତାବ ଆସି ବାହା ଦେଇ ନେଇଗଲେ । ସେମାନେ ଗହଣାପତ୍ର ଦେଇ କନ୍ୟାଘର ଖର୍ଚ୍ଚ ବି କଲେ । ପରୀକ୍ଷା ଆଉ ଦେଇପାରିଲାନି ।

 

ଭାଇ କହିଲେ, ‘ଦୁମ୍‌କା’ ନା ‘ଦାରୁକେଶ୍ୱର’, ‘ଦୁବରାଜପୁର’ ନା ‘ଦିଗ୍‍ନଗର’ ! ଚମତ୍କାର । ଜାଗାଟା ଭାରତବର୍ଷର ମାନଚିତ୍ର ଭିତରେ ତ ? ନା ଆଉ କେଉଁଠି ?

 

ସ୍ୱାତୀ କହିଲେ, ଆହା ! ‘ଲେଟରହେଡ଼୍‍ରେ ତ ଦେଖୁଛି ‘ଦିଗ୍‌ନଗର ରାଜବାଟୀ’, ବୀରଭୂମ । ଅବଶ୍ୟ ନାଁ ଶୁଣିନି କେବେହେଲେ ।

 

ସୁତପା କହିଲେ, ମୁଁ ବି ନୁହେଁ । ବର ଆସିଥିଲେ ଫୁଲମାଳ ସାଙ୍ଗରେ ଏତିକି ମୋଟା ଗୋଟାଏ ସୁନାହାର ପିନ୍ଧି । ଆମେ ତ ହସି ହସି ବେଦମ୍‌ !

 

ସ୍ଵାତୀ କହିଲେ, ବୁନିଆଦୀ ଘରମାନଙ୍କରେ ସେଇପରି ପିନ୍ଧନ୍ତି । କୁଳପ୍ରଥା । ଏମାନେ ତ ପୁଣି ‘ରାଜା’ । ଛାଡ଼ ସେ କଥା । ବର୍ତ୍ତମାନ ତୁ କ’ଣ ପାଇଁ ଅସ୍ଥିର ହେଉଛୁ । ଚିଠି ପାଇ ପୂରା ଆମକୁ ହାତଟେକି ଟା-ଟା କରି ଚାଲି ଯିବାକୁ ଇଚ୍ଛା ହେଉଛି । କାହିଁ, କେବେ ହେଲେତ ଏମିତି ପ୍ରାଣର ବନ୍ଧୁର ଗପ ଶୁଣିନି ତୋ’ ପାଖରୁ ।

 

ସୁତପା ଟିକେ ଲଜ୍ଜିତ ହୋଇ ହସି ଦିଅନ୍ତି ।

 

ତା’ପରେ ପାଦ ହଲାଇ ହଲାଇ କୁହନ୍ତି, ସତକଥା କରିବାକୁ ଗଲେ, ଏମିତି ବିଶେଷ ବନ୍ଧୁତା ନ ଥିଲା, ମନେବି ନ ଥିଲା । ଏବେ ମନେପଡ଼ିଲା । ମୁଁ ଯେତେ ତାକୁ ଗ୍ରହଣ ନ କଲେ ବି, ସେ ମୋତେ ଭାରି ଭଲ ପାଉଥିଲା । ତା’ ଛଡ଼ା ପଢ଼ାଶୁଣାରେ ଟିକେ ଭଲ ବୋଲି ବହୁତ ସମୀହ କରୁଥିଲା ମୋତେ । ନୋଟ୍‌- ଫୋଟ୍‌ ଲେଖି ଦେଉଥିଲି ବୋଲି କୃତାର୍ଥ ହୋଇ ଯାଉଥିଲା । ଏତେ ସୁନ୍ଦରୀ କିନ୍ତୁ ଅହଙ୍କାର- ଫହଙ୍କାର ନ ଥିଲା । ଅବଶ୍ୟ କ୍ଲାସର ବଦମାସ ଝିଅମାନେ କହୁଥିଲେ, ସେଇ ନିରହଙ୍କାର ଭାବଟାହିଁ କୁଆଡ଼େ ଅତି ଅହଙ୍କାରର ଗୋଟାଏ ଷ୍ଟାଇଲ୍‌ । ଛାଡ଼, ସେଇ ରୂପ ପାଇଁହିଁ ତା’ର ଇହକାଳ ଝକ୍‍ମକ୍‍ ହୋଇଗଲା । ଚାଲିଗଲା ପଢ଼ା ଛାଡ଼ି, ତା’ପରେ ଆଉ କିଏ କାହାକୁ ମନେରଖେ ?

 

ସ୍ୱାତୀ କହିଲେ- ହେଇ ତ ଜଣେ ମନେରଖିଛି ।

 

ସ୍ଵାତୀଙ୍କ ରୋଷେଇ ଚାଲିଛି, ଅସ୍ଥିର ଲାଗୁଛି । ତେବେବି ଚିଠିଖଣ୍ଡର ମର୍ମ ଉଦ୍ଧାର ନ କରି ଯିବାକୁ ଭଲ ଲାଗୁନି । ସୁତପା ଅବଶ୍ୟ ସବୁ କିଛିରେ ହୈ ଚୈ ସୃଷ୍ଟି କରନ୍ତି, ତେବେ ହଠାତ୍‌ ଟା-ଟା କରି ଚାଲିଯିବା କଥା କହିବା ବେଳକୁ ଟିକେ ଖଟ୍‍କା ଲାଗିଛି ।

 

Unknown

ରୋଷେଇ ଗ୍ୟାସ କମାଇ ସ୍ୱାତୀ ଆସିଛନ୍ତି ।

ସୁତପା କହିଲେ, ସେଇଆ ତ ଦେଖୁଛି ।

କେତେଦିନ ହେଲାରେ ?

ସାତ ଆଠ ବର୍ଷତ ନିଶ୍ଚିତ ।

 

ନିଖିଳେଶ ପୁଣି ଲେଖା ବନ୍ଦ କରି ପଚାରନ୍ତି, ବ୍ୟାପାର କ’ଣ ? ରାଜକୁମାରଙ୍କ ସାଙ୍ଗରେ ଆଉ ବନିବନା ନାହିଁକି ? ଚାକିରି ଖୋଜି ଦେବାକୁ କହୁଛି ?

 

ବରଂ ଓଲଟା ।

ସୁତପା କହିଲେ, ହେଇ ଦେଖୁନ ।

 

ଖବରକାଗଜର କଟିଂ ଦୁଇଟା ଲଫାପା ଭିତରୁ ବାହାର କଲେ ସୁତପା । ଗୋଟିଏ ଇଂରାଜୀ ଆଉ ଗୋଟାଏ ବଙ୍ଗଳା । ସ୍ଵାତୀ ହଠାତ୍‌ ବଙ୍ଗଳା କାଗଜଟା ଟାଣି ନେଇ ଜୋର ଜୋର ପଢ଼ିବାକୁ ଲାଗିଲେ ।

 

‘ଗୋଟିଏ ଇଂରାଜୀରେ ଲିଖିତ ଗ୍ରନ୍ଥର ପାଣ୍ଡୁଲିପି ‘କପି’ କରିବାପାଇଁ ଜଣେ ଉଚ୍ଚମାନର ଇଂରାଜୀ ଅଭିଜ୍ଞ ‘କପିଷ୍ଟ’ ଆବଶ୍ୟକ । ହସ୍ତାକ୍ଷର ପରିଷ୍କାର ହେବା ବାଞ୍ଛନୀୟ । ଦକ୍ଷିଣା ସମ୍ପର୍କରେ ପ୍ରାର୍ଥୀଙ୍କ ଦାବିହିଁ ବିବେଚ୍ୟ । ପୁରୁଷ ଅଥବା ମହିଳା ନିଜର ଉପଯୁକ୍ତତା ସମ୍ପର୍କରେ ବିବେଚନା କରି ଅବିଳମ୍ବେ ଦରଖାସ୍ତ କରନ୍ତୁ ।

 

ଆରେ, ବାପ୍‌ରେ ! ଭାଷାଟି ତ କାଏଦାରେ ଲେଖା ।

 

ନିଖିଳେଶ ହସିଲେ- ‘ନିଜର ଉପଯୁକ୍ତତା ସମ୍ପର୍କରେ ବିବେଚନା କରି’ - କିନ୍ତୁ ବ୍ୟାପାରଟା ତ ପରିଷ୍କାର ହେଲା ନାହିଁ ।

 

ସ୍ୱାତୀ କହିଲେ, ଚିଠିଟା ପଢ଼ିବାକୁ ଦିଅ ।

ଜୋର ଜୋର ପଢ଼ିବାକୁ ଲାଗିଲେ ।

 

ଭାଇ ସୁତପା, ଏଇ ଦୀର୍ଘଦିନ ପରେ ହଠାତ୍‌ ମୋର ଚିଠିଟା ପାଇ ନିଶ୍ଚିତ ଖୁବ୍‌ ଆଶ୍ଚର୍ଯ୍ୟ ହୋଇଯାଉଛୁ ? ଭାବୁଛୁ ବୋଧହୁଏ ଏଇଟା ପୁଣି ଏତେଦିନ ପରେ କେଉଁଠୁ ? କବର ଫୁଟେଇନା କ’ଣ ? ମୋ ନିଜକୁ ତ ସେଇଆ ମନେହେଉଛି । କବରିତ ହୋଇ ରହିଛି । ସେଇ ହଠାତ୍‌ ବନାରସୀ ପିନ୍ଧି ରଜାଘରେ ଆସି ପଶି ଯାଇଛି । ବାସ ! ମୋର ଯେ ଗୋଟାଏ ମୁକ୍ତଜୀବନ ଥିଲା ଭୁଲି ଯାଇଛି । ସୁନା ପଞ୍ଜୁରିରେ ବସି ଛତୁ ଖାଏ, ବୁଟ ଚୋବାଏ ଆଉ ରଜାଘରର ରାଜ କାଏଦା ସମ୍ଭାଳେ ।

 

ଏତେ ପ୍ରକାରର ବ୍ୟାପାର ଅଛି ଯେ ତୁ ଦେଖିଲେ ଅବାକ୍‌ ହୋଇ ଭାବିବୁ- ଅନୁରାଧାଟା ତ ପଢ଼ାପଢ଼ି ମୁଖସ୍ଥ କରିବାରେ କଞ୍ଚା ଥିଲା, ଏସବୁ ଏତେ ମୁଖସ୍ଥ କଲା କେମିତି ? ରାଜ୍ୟ ତ ଭୃତ୍ୟତନ୍ତ୍ର । ତେବେ କ’ଣ ଯେ ଗୋଟାଏ ଅଲିଖିତ ଶାସନ ଅଛି, ପାନରୁ ଚୂନ ଖସିବା ନା କ’ଣ କହନ୍ତି, ସେଇଆ । ଖସିବାର ‘ଜୁ’ ନାହିଁ ।

 

ଅବଶ୍ୟ ରାଜପୁତ୍ରଙ୍କୁ ଏହା ଭିତରେ ମିଶାଏ ନାହିଁ । ଲୋକଟି ନିନ୍ଦା କରିବାର ଯୋଗ୍ୟ ନୁହଁନ୍ତି । ସଜ୍ଜନ ବ୍ୟକ୍ତି, ସତରେ ଲୋ, ଲୋକଟି ଭଲ । ଦେଖିବାକୁ ଆହୁରି ଭଲ । ନିଜକୁ ତାଙ୍କ ପାଖରେ ‘ଅଧମ’ ମନେହୁଏ । କିନ୍ତୁ ଭଲ ହେଲେ କ’ଣ ହେବ, ସର୍ବଦା ତାଙ୍କର ‘ରାଜକାର୍ଯ୍ୟ’, ପ୍ରାଣଟା ପଳେଇବି ପଳେଇବି ହେଉଛି । ଅଥଚ ହଲିବାର ଜୁ ନାହିଁ, ଅନ୍ତତଃ ଦିନକପାଇଁ । ଶ୍ଵଶୁର-ଶାଶୁ ବହୁତ ଦିନ ହେଲା ଗତ, ଜଣେ ଖୁଡ଼ୀଶାଶୁ ଅଛନ୍ତି ବନ୍ଧାଇ ରଖିବା ପରି । ଆଉଯେ ଗୋଟିଏ ଜେଜେ ଅଛନ୍ତି ତାଙ୍କୁ ଏକ୍‍ଜିବିସନ୍‌ରେ ଦିଆଯାଇପାରେ । ନିଜେ ସେ ମୋ ଜୀବନରେ ଗୋଟିଏ ସମସ୍ୟା, ତା’ ଉପରେ ଆଉ ଗୋଟିଏ ଜଟିଳ ସମସ୍ୟା ଛନ୍ଦି ଦେଇଛନ୍ତି । ବର୍ତ୍ତମାନ ଏଇ ବିପଦରେ ପଡ଼ି ହଠାତ୍‌ ତୋତେ ମନେପଡ଼ିବାରୁ ଟିକେ ଆଶାର ଆଲୁଅ ଦେଖିପାରୁଛି ।

 

ଦୟାକରି ଅଳ୍ପ ଟିକେ ପଢ଼ି ଯେମିତି ବାଜେ କାଗଜର ଝୁଡ଼ିରେ ଫୋପାଡ଼ି ଦେବୁନି । ଧୈର୍ଯ୍ୟଧରି ପଢ଼ । ବିପଦଟା ଯେ କ’ଣ ସେଇଟା ଗୋଟାଏ ଖବରକାଗଜର କଟିଂ ଦେଖି ବୁଝିପାରିବୁ । ଆଜିହିଁ ସକାଳେ ବାହାରିଛି କାଗଜରେ । ମୋଟାମୋଟି ବ୍ୟାପାର ହେଉଛି, ମୋର ସେଇ ‘ପ୍ରଦର୍ଶନୀ ତୁଲ୍ୟ’ ଜେଜେ ଶ୍ୱଶୁର ପ୍ରାୟ ସାରାଜୀବନର ଚେଷ୍ଟାରେ ଚନ୍ଦ୍ରଶେଖର ମୁଖୋପାଧ୍ୟାୟ, ନା ସେଇପରି ନାଁର (ଜୀବନରେ ଶୁଣିନି) କିଏ ଜଣେ ଲୋକଙ୍କ ଲେଖା “ଉଦ୍‌ଭ୍ରାନ୍ତ ପ୍ରେମ’ ନାମକ ଗୋଟାଏ ବହି ଇଂରାଜୀରେ ଟ୍ରାନ୍ସଲେଟ୍‍ କରିଛନ୍ତି । ବର୍ତ୍ତମାନ ତାକୁ ସେ ଛପାଇବାକୁ ଚାହାଁନ୍ତି ।

 

ଛପାଇବାକୁ ଚାହାଁନ୍ତି ! ସରିଗଲା !

 

ନିଖିଳେଶ ପଢ଼ା ମଝିରେ କହି ଉଠନ୍ତି, ମାନେ, ତୋ’ର ଲେଖକ ଭାଇକୁ କହି ଏଇଟା ଛପାଇ ଦେବାର ବ୍ୟବସ୍ଥା କର । ବୁଝିପାରିଲି, ଏତେଦିନ ପରେ କାହିଁକି କବର ଫୁଟାଇ ବାହାରକୁ ଆସିବା ଜେଜେ ଶ୍ୱଶୁରଙ୍କ ପାଇଁ, ଓଃ !

 

ନିଖିଳେଶ ନିଜେ ନିଜର କେଶ ଛିଣ୍ଡାଇବା ପରି ଛଳନା କଲେ ।

 

ସ୍ଵାତୀ ବିରକ୍ତ ହେଲେ । କହିଲେ, ଆଗ ପୂରା ଶୁଣ । ଶୁଣୁଛ ରାଜାରାଜୁଡ଼ା ଲୋକ, ସେ ତୁମର ସାହାଯ୍ୟ ନେବାକୁ ଯିବେ କାହିଁକି ? ନିଜ ପଇସାରେ ଛପାଇବେ ।

 

ନିଖିଳେଶ କହିଲେ, ହୁଏତ ଛପାଇବେ । କିନ୍ତୁ ଗୋଟାଏ ପବ୍ଲିଶରର ନାଁ ନ ଥିଲେ ଯେ ପ୍ରେଷ୍ଟିଜ୍‌ ରହେନା ।

 

ଟିକେ ରହିଯାଅ, ପଢ଼ିବାକୁ ଦିଅ ।

 

ସ୍ଵାତୀ ପୁଣି ଚିଠିଟା ପଢ଼ିବାକୁ ଆରମ୍ଭ କଲେ । ଛପାଇବାକୁ ଚାହାଁନ୍ତି । ଛପାଇବାକୁ ଚାହାଁନ୍ତି କିନ୍ତୁ ତାଙ୍କର ପାଣ୍ଡୁଲିପିରୁ ଛପାଇବାକୁ ଦେବା ଅସମ୍ଭବ । ଗୁରୁଜନ, କହିବାକୁ ଚାହେଁନା, ତେବେବି କହୁଛି ହାତଲେଖା ପ୍ରାୟ ଦୁଷ୍ପାଠ୍ୟ । ସେଇ ଜ୍ଞାନ ଅବଶ୍ୟ ତାଙ୍କର ଅଛି । ବର୍ତ୍ତମାନ ସେଇ ଲେଖା ଉଦ୍ଧାର କରିବାପାଇଁ ସେ ଜଣେ ଉଚ୍ଚମାନର ଇଂରାଜୀ ଜ୍ଞାନସମ୍ପନ୍ନ ‘କପିଷ୍ଟ’ ଚାହାଁନ୍ତି-। ଯିଏ ତାଙ୍କ ପାଖରେ ବସି ଉଦ୍ଧାର କାମ କରିବ ଏବଂ ଦରକାର ହେଲେ କରେକ୍‍ସନ୍‌ ମଧ୍ୟ କରିଦେଇପାରିବ । ଏଇ ବାବଦରେ କାଗଜରେ ବିଜ୍ଞାପନ ଦେଇଛନ୍ତି, ତାଙ୍କର ଧାରଣା ପ୍ରାୟ ମାସେ ଭିତରେ କାମଟା ହେଇଯିବ । ତେବେବି ଛଅ ସପ୍ତାହ ପାଇଁ କହିଛନ୍ତି, ଦକ୍ଷଣା ପ୍ରାର୍ଥୀର ଦାବି ଅନୁଯାୟୀ ।

 

ୟାକୁ ଦେଖି ମୋ ମୁଣ୍ଡରେ ଗୋଟାଏ ପ୍ଲାନ୍‌ ଆସିଛି । ତୋ’ର ତ ସାମନାରେ ମାସେ ବା ଦେଢ଼ମାସ ପୂଜା ଛୁଟି । ତୁ ଗୋଟାଏ ଦରଖାସ୍ତ ପଠାଇ ଦେ ତ ! ପରବର୍ତ୍ତୀ ଅଗ୍ରଗତି ମୋ ହାତରେ ।

 

ଯଦି ମୋର ଏଇ କାତର ମିନତି ରଖିପାରୁ ତ ଚିର କୃତଜ୍ଞ ରହିବି । କୃତଜ୍ଞତା (୧) ବହୁଦିନ ପରେ ବନ୍ଧୁ ମିଳନ (୨) କିଏ ଗୋଟାଏ ବାହାରର ଲୋକ ଆସି ପୂରା ଅନ୍ତଃପୁର ଭିତରେ ପଶି ଆସିବେ, ସେଥିରୁ ଅବ୍ୟାହତି (ସେ ପୁଣି ବିଜ୍ଞାପନରେ କହିଛନ୍ତି ପୁରୁଷ ଅଥବା ମହିଳା ବୁଝ୍‍ ତା’ହେଲେ । )

 

ସବୁ ଦାୟିତ୍ୱ ତ ମୋର ନା !

 

ଆଜିକାଲି ତ ଆଉ ‘ଗୁଣ୍ଡା’ମାନେ ବେକରେ କଳା ସୂତାରେ ରୁପାର ପଦକ ପିନ୍ଧା ବଡ଼-ବଜାରର ଗୁଣ୍ଡା ନୁହଁ ? ବର୍ତ୍ତମାନ ଭଦ୍ରବେଶୀ ଉଚ୍ଚଶିକ୍ଷିତ ଗୁଣ୍ଡାମାନଙ୍କର ମଧ୍ୟ ଅଭାବ ନାହିଁ । ସେଇପରି ଗୋଟିଏ ମାଲ୍‌ ଯଦି- ଆରେ ବାପ୍‌ରେ ! ଜେଜେଙ୍କର ବିଶ୍ଵାସଭାଜନ ହେବାକୁ ବେଶୀ ସମୟ ଲାଗିବନି, ସେଇ ସୁଯୋଗରେ କ’ଣ ଯେ କରିପାରେ ନ ପାରେ । ଉଃ !

 

ଆଉ ଯଦି ମହିଳା ହୁଏ (ସେଥିରେ ମଧ୍ୟ ବିଶ୍ଵାସ ନାହିଁ ) ମହିଳା ପକେଟମାର୍‌ । ମହିଳା ଛିନ୍‌ତାଇକାର ତ ଏବେ ଯେଉଁଠି ସେଇଠି । ସେ ଆଉକିଛି କରୁ ନ କରୁ ମୋର ସୁନାର କାର୍ତ୍ତିକ ପରି ସ୍ଵାମୀଙ୍କ ଆଡ଼କୁ ‘ଦୃଷ୍ଟି ଦାନ’ କରିପାରେ । ଲୋକଟିକୁ ହାତମୁଠାକୁ ନେଇ ଆସିବ ସେ ଭୟ ମୋର ନାହିଁ, ତେବେ ଲୋଭୀଗିରି କରିପାରେ । ତାଙ୍କର ପୁଣି ଦୟାର ଶରୀର । ତୁ ଆସିଲେ ଏ ଭୟ ନାହିଁ, ଏଇଟା ହେଉଛି କୃତଜ୍ଞତାର ତିନି ନମ୍ବର କାରଣ ।

 

ତୁ ଯେତେବେଳେ ଏ ଯାବତ୍‌ ପୁରୁଷ ଜାତିଟାକୁ ଅଗ୍ରାହ୍ୟ କରି ସୁଖରେ କାଳଯାପନ କରୁଛୁ, ସେତେବେଳେ ତୋ’ ସମ୍ପର୍କରେ ନିଶ୍ଚିନ୍ତ ରହିବା ସମ୍ଭବ । ତୁ ଯେତେବେଳେ ‘ପରୀକ୍ଷା ଖାତା’ ଦେଖିବାରେ ଅଭ୍ୟସ୍ତ, ସେତେବେଳେ ଜେଜେଙ୍କର ଏଇ ମୁକ୍ତାକ୍ଷରଗୁଡ଼ାକ ପଢ଼ିସାରି କପି କରି ଦେଇପାରିବୁ ଆଶା କରୁଛି । ଏତେ ଲୋକ ଥାଉ ଥାଉ ତୋତେ ମନେକରିବାର ଏଇଆ ହେଲା କାରଣ । ତା’ଛଡ଼ା ପୂଜା ଛୁଟିରେ ଏମିତିରେ ତ ସାଙ୍ଗ-ଫାଙ୍ଗ ଘରକୁ ଲୋକେ ବୁଲି ଆସନ୍ତି, ସେଇ ହିସାବରେ ବି ତୁ ଆସିପାରିବୁ ।

 

ସୁନାଟା ପରା, ଆସିବୁରେ ଭାଇ ! ବହୁତ ଆଶା ନେଇ ତୋ’ର ଚରଣରେ ଶରଣ ନେଇଛି ମନେରଖିଥିବୁ ! ସେଇ ପୁରୁଷ ଅଥବା ମହିଳାଙ୍କର ଦୁଶ୍ଚିନ୍ତାରେ ମର ମର ଅବସ୍ଥା । ଏକ ବଗା ବୃଦ୍ଧ କାହାର ଆବେଦନ ଗ୍ରହଣ କରି ବସିବେ କିଏ ଜାଣେ ! ତୋ’ର ଲେଖାଟା ଆସିଲେ ମନରେ ବଳ ପାଇ କାମରେ ଓହ୍ଲାଇ ଆସିପାରେ ।

 

ଜାଣେନା ଅବଶ୍ୟ କେଉଁ ନିଧି‌ ତୋତେ କପି କରିବାକୁ ହେବ । ତେବେ ମନେହୁଏନା ତୋ’ର ଛାତ୍ରୀମାନଙ୍କ ଏକ୍‍ଜାମିନେସନ୍‌ ଖାତାରୁ ଅଧିକ ଖରାପ ହେବ ବୋଲି । ରାଜାବାହାଦୂର୍‍ଙ୍କର ଅବଶ୍ୟ ଧାରଣା ଏ ବହି କୁଆଡ଼େ ବିଶ୍ୱସାହିତ୍ୟରେ ସ୍ଥାନ ପାଇବାର ଯୋଗ୍ୟ-। ବିଶ୍ଵର ବିରହୀ ଚିତ୍ତ କୁଆଡ଼େ ଏହା ମଧ୍ୟରେ ନିଜକୁ ଖୋଜି ପାଇବେ । ଇଂରାଜୀ ଭାଷାରେ ଅନୁଦିତ ହୋଇଥିଲେ ଏତେ ଦିନରେ ଶହ ଶହ ଏଡ଼ିସନ୍‌ ହେଇଥାଆନ୍ତା । ଚାରି ଦିଗରେ ବହୁ ଭାଷାରେ ଅନୁବାଦ ହୋଇଥାଆନ୍ତା, କେହି ମନଦେଇ ଅନୁବାଦ କରିନାହାଁନ୍ତି ବୋଲି ଦେଶର ଏଇ ଲୋକ୍‌ସାନ୍‌ । ଯାହାହେଉ ଏତେ ଦିନକରେ ଗୋଟାଏ ସୁରାହା ହେଲା । ଭୀଷଣ ରାଗି ଯାଇଛନ୍ତି । ଯେତେଶୀଘ୍ର ପାରିବୁ ଉତ୍ତର ଦେବୁ । ସ୍ନେହ ନେବୁ । ଘରର ସମସ୍ତଙ୍କୁ ନମସ୍କାର ଜଣାଇବୁ । ତୋ’ ଦୟା ଉପରେ ପଡ଼ି ରହିଲି । ଯେତେ ମନେହେଉଛି ପୁଣି ତୋ’ ସାଙ୍ଗରେ ଦେଖାହେବ, ସେତେ ଡେରି ଆଉ ସହି ହେଉନି ।

 

ତେବେ ଗୋଟାଏ କଥା କହିରଖେ, ତୋ’ ସାଙ୍ଗରେ ମୋର ଚିହ୍ନା ଅଛି, ଏକଥା ଯେମିତି ପ୍ରକାଶ ନ ପାଏ । ସମ୍ପୂର୍ଣ୍ଣ ବାହାରୁ ଦରଖାସ୍ତ କରିବୁ ।

 

ଇତି

ଅନୁରାଧା

 

ପୁନଶ୍ଚ ଦେଈ ପୁଣି ଲେଖିଛି, ସୁତପା ଯେମିତି ମୋଟା ଟଙ୍କା ଦାବି କରିବ ଚାରି କିମ୍ବା ପାଞ୍ଚ ହଜାର, କାରଣ ଅଛି ।

 

ଦାବିର ମାତ୍ରାବେଶୀ ହେଲେ ରାଜାବାହାଦୂର୍‍ଙ୍କ ରଜା ମିଜାଜ୍‌ରେ ମନେହେବ ଲୋକଟାର ଦାମ୍‌ ଅଛି । ଅତଏବ କାମର ଲୋକ । କମ୍‌ କରି କହିଲେ ଭାବିବେ ଲୋକଟା ଦୀନହୀନ ।

 

ତୋର ବାନ୍ଧବୀ ବୋଧହୁଏ ସାଇକୋଲଜିର ଛାତ୍ରୀ ଥିଲା ? କହିଲେ ନିଖିଳେଶ । ସ୍ଵାତୀ କହିଲେ, ୟାକୁ ସାଇକୋଲଜି ଝିଅ ମାତ୍ରକେହିଁ ଜାଣିନେବାକୁ ହୁଏ । ନ ହେଲେ ସଂସାର ଚଳେଇବା କଷ୍ଟକର ହୋଇଯାଏ ।

 

ଭାଉଜ, ଭାରି ଭୋକ ହେଲାଣି । ଗରମ ମଧ୍ୟ ହେଲାଣି ପ୍ରବଳ । ଗାଧୋଇ ଶାଢ଼ି ବଦଳାଇ ଏବେ ଆସୁଛି । ଭାଇ, ଗୋଟାଏ ଦରଖାସ୍ତ ଲେଖିଦେ ।

 

॥୧୦॥

 

ବହୁତ ସମୟ ଧରି ଦେହରେ ପାଣି ଢାଳି ଶାଢ଼ି-ଫାଡ଼ି ବଦଳାଇ ପୁଣି ଆସି ବସିଲେ ସୁତପା । ସୁତପାଙ୍କ ମୁଣ୍ଡରେ ସେତେବେଳେ ପାଣି । କେଶରୁ ପାଣି ଝରୁଛି । ଛାପାଶାଢ଼ିର ପିଠି ଆଡ଼ଟା ଭିଜି ଯାଇଛି ଏହା ମଧ୍ୟରେ ।

 

ସ୍ଵାତୀ କହିଲେ, ବେଳ ତ ହେଲାଣି ବାରଟା, ଆଉ ଏତେବେଳେ ଚା’ ପିଇବୁ ? ନା, ଭାତ ଖାଇନେବୁ ?

 

ସୁତପା ଆଖି କପାଳକୁ ତୋଳି କହିଲେ, ଭାତ ? ଏବେ ? ତା’ ମାନେ ଚା’ଟା ବଞ୍ଚାଇବାର ପନ୍ଥା । ଭାଇ ତ ଦୁଇଟା ପୂର୍ବରୁ ଖାଇବ ନାହିଁ । ଚା’, ଜଳଖିଆ ଦେ । ଭାଇକୁ ବି ଦେବୁ ।

 

ଭାଇଙ୍କ କଥା ଛାଡ଼ । ଏହା ମଧ୍ୟରେ ଚାରି ପାଞ୍ଚଥର ଚା’ ହୋଇଗଲାଣି ।

ଆଚ୍ଛା ହେଉ, ମୋ ଅନର୍‌ରେ ଆଉଥରେ ହୋଇଯାଉ ।

ସ୍ଵାତୀ ଚା’ ଆଣିଦେଲେ । ତା’ ସାଙ୍ଗରେ ଘରେ ଭଜା ନିମ୍‌କି, ଆଉ ଗଜା ।

 

ସୁତପା ଖାଉ ଖାଉ ହସିଦେଇ କୁହନ୍ତି, ଇସ୍‌ ! କେବେ ଯେ ଏସବୁ ଆଜେ ବାଜେ ଖାଇବା ଛାଡ଼ି ରଜା ଘରକୁ ଯାଇ ଟିକେ ମୁହଁ ବଦଳାଇବାକୁ ଯିବି ? ଭାଇ, ଦରଖାସ୍ତଟା ଲେଖିଲୁ-?

 

ନିଖିଳେଶ କହିଲେ, ମୋର କ’ଣ ମୁଣ୍ଡ ଖରାପ ହୋଇଗଲା ନା କ’ଣ ?

 

କି କାଣ୍ଡ ! ତୁ କ’ଣ ଏଟାକୁ ଏଡ଼ାଇ ଦେବାକୁ ଚାହୁଁଛୁ ? ନିଖିଳେଶ କହିଲେ, କେବଳ ଏଡ଼ାଇ ନୁହଁ, ଚିରି ଖଣ୍ଡ ଖଣ୍ଡ କରି ଉଡ଼ାଇ ଦେବାକୁ ଚାହୁଁଛି ।

 

ଦେଖିବୁ, ମୁଁ ଠିକ୍‌ ଚାଲିଯିବି ।

ସ୍ଵାତୀ କହିଲେ, ଆଚ୍ଛା, ବର୍ତ୍ତମାନ ତ ଯିବାର ନାହିଁ ? ଖାଇନେ !

ବାରେ ! ‘ଅବିଳମ୍ବେ ଦରଖାସ୍ତ କରନ୍ତୁ ଲେଖିଛି ପରା ?

 

ନିଖିଳେଶ ଟିକେ ଗମ୍ଭୀର ହୋଇ କହିଲେ, ସୁତପା, ପାଗଳାମି କରନା । ତୋର ସେଇ ବାନ୍ଧବୀକୁ ତୁ ସାତ ଆଠ ବର୍ଷ ହେଲା ଦେଖିନୁ । ସେ ବି ତୋତେ ଦେଖିନି । ହଠାତ୍‌ ସେ ତୋ’ ପାଇଁ ମରିଯାଇ ଚରଣରେ ଶରଣ ନେଉଛି, ବ୍ୟାପାରଟା ସନ୍ଦେହଜନକ ଲାଗୁନି ?

 

ବାଃ, କାରଣଟା ତ ଖୋଲି ଲେଖିଛି ।

ଲେଖୁ । ଏପରି ‘ଅଦୂରଦର୍ଶିତା’ର ଫଳ ଭଲ ହୁଏ ନାହିଁ ।

 

କ’ଣ କହିଲୁ ? ‘ଅଦୂରଦର୍ଶିତା ! ବାପ୍‌ରେ ! କିନ୍ତୁ ଏହା ମଧ୍ୟରେ ମନ୍ଦ ଫଳ କ’ଣ ଦେଖୁଛୁ କହିଲୁ ? ବଡ଼ ଜୋର୍‍ ରାଜାବାହାଦୁର୍‍ଙ୍କ ମିଜାଜ୍‌ ଚଢ଼ା ହୋଇପାରେ । କିନ୍ତୁ ବୁଢ଼ା ଲୋକ ତ, ମ୍ୟାନେଜ୍‍ କରାଯାଇପାରେ ।

 

ସୁତପା, ଯାହାଇଚ୍ଛା ତାହା କରିବାକୁ ଯାଆନା- ଏତେଦିନ ହେଲା ରଜାଘରର ବୋହୂ ହୋଇ ରହି ତୋ’ର ପୁରୁଣା ବାନ୍ଧବୀର କି ଗୁଣାଗୁଣ ହୋଇଛି କିଏ କହିପାରେ ? ହୁଏତ କୌଣସି ଷଡ଼ଯନ୍ତ୍ର ନାୟିକା ହୋଇ ବସି ଏଇପରି ଭାବରେ ଟାଣି ନେଇଯାଇ ବିପଦରେ ପକାଇବ ।

 

ସୁତପା ଖାଲି କପ୍‌ଟା ଠକ୍‌ କରି ରଖି ଗମ୍ଭୀର ଗଳାରେ କୁହନ୍ତି, କ’ଣ ଯେ କହୁଛୁ ଭାଇ, ଚା’ କପ୍‌ ଭିତରେ ବାଘ ଦେଖ୍‌ନା । ସେ ଯାହା କହିଛି ତାକୁ ଭଲ ଭାବରେ ପଢ଼ି ଦେଖିଛି, କୌଣସି ଜାଗାରେ ଫାଙ୍କ ନାହିଁ, ଯାହା କହିଛି ସବୁ ଠିକ୍‌ ।

 

ତୋ’ପରି ବିଶ୍ଵାସୀ ମନ ସମସ୍ତଙ୍କର ହୁଏନାରେ ! ଆଚ୍ଛା, ଯଦି କୌଣସି ଦୋଷ ନାହିଁ, ତେବେ ଏ କଥା ଲେଖିଛି କାହିଁକି, ଖବରଦାର୍‌ ଯେମିତି କେହି ନ ଜାଣନ୍ତି ତୋ’ ସାଙ୍ଗରେ ଚିହ୍ନା ଅଛି ବୋଲି ।

 

ସୁତପା କହିଲେ, ଖୁବ୍‌ ସ୍ଵାଭାବିକ । ଶାଶୁଘର ବୋଲି କଥା, ହୁଏତ କେହି କହି ବସିବେ, ନିଜର ସାଙ୍ଗଟିକୁ କହିବୋଲି ଅଣାଇଛି ।

 

ସେଇପରି ତ ହେଉଛି ।

ତା’ହେଲେ ବି ଅନ୍ୟମାନଙ୍କର ଆଖି ପଡ଼ିବ ।

 

ଦୁଇ ଭାଇ ଭଉଣୀଙ୍କ ମଧ୍ୟରେ ଅନେକ ବାଦ ପ୍ରତିବାଦ ହୁଏ, କିନ୍ତୁ ସୁତପା, ନଛୋଡ଼ବନ୍ଧା । ସେ କହିଲେ, ତୁ ବୁଝିପାରୁନୁ ଭାଇ, ସେଇପରି ଭାବରେ କେହି ଚରଣରେ ଶରଣ ନେଲେ, ତୁ ମଧ୍ୟ ନ ଯାଇ ରହିପାରନ୍ତୁନି । ବିବେକ ବୋଲି ଗୋଟାଏ ଜିନିଷ ଅଛିନା ? ମାନବିକତା ମଧ୍ୟ ? ଆହା, ସତରେ ଭାବି ଦେଖ୍‌, ବିଚାରୀ ପଢ଼ୁ ପଢୁ ହଠାତ୍‌ ପୂରା ବନ୍ଦୀ ହୋଇ ପଡ଼ିରହିଛି, ଆଉ କାହା ସାଙ୍ଗରେ ଦେଖାବି ହୁଏ ନାହିଁ । ଏଇ ଗୋଟାଏ ଉପାୟ ପାଇ ନାଚି ଉଠିଛି-

 

ନାଚି ସେ ଯେତେ ନ ଉଠିଛି, ତୁ ତାଠାରୁ ବେଶୀ ଉଠିଛୁ ଦେଖୁଛି । ମନେହେଉଛି ଟଙ୍କାର ଅଙ୍କଟା ବେଶ୍‍ ଚଞ୍ଚଳ କରି ତୋଳିଛି ତୋତେ ।

 

ଏ କଥା ଶୁଣି ସୁତପା ରାଗି ଯାଆନ୍ତି ।

 

ସ୍ୱାତୀ ପୁଣି ମଧ୍ୟସ୍ଥତା କରନ୍ତି ଏବଂ କୁହନ୍ତି ଯଦି ସେଇଆହିଁ ହୁଏ ମନ୍ଦ କ’ଣ ? ସତରେ ତ ଛୁଟିର ସମୟଟା ଯଦି ପାର୍ଟ ଟାଇମ୍‌ ହିସାବରେ କୌଣସି କାମ କରେ ଦୋଷ କେଉଁଠି ? ଛୁଟିରେ ବନ୍ଧୁ ଘରକୁ ବି ତ ମଣିଷ ଯାଏ ।

 

ଚୋରର ସାକ୍ଷୀ ପକେଟ୍‌ମାର । ନିଖିଳେଶ କହି ଉଠନ୍ତି, ତୁମେ କେଉଁଠି ନିବୃତ୍ତ କରିବ ନା ପ୍ରବୃତ୍ତ କରୁଛ । ବୁଲିବାକୁ ଯାଇ କେହି ଦୁଷ୍ପାଠ୍ୟ ହାତଲେଖା କପି କରିବାକୁ ବସେ ନାହିଁ ।

 

ତେବେ ତୁମେ ବୁଝ- ସ୍ୱାତୀ କହିଲେ, ମୁଁ ତ କୌଣସି ଦୋଷ ଦେଖୁନାହିଁ ।

ତୁମେ ତ୍ରିଭୁବନରେ କେଉଁଠି ଦୋଷ ଦେଖିବାକୁ ପାଅ ?

ସ୍ଵାତୀ ଟିକେ ଗମ୍ଭୀର ହୋଇ କହିଲେ, ସେଥିରେ ମୋର କିଛି ଲୋକସାନ୍‌ ହେଉଛି ?

ହେବାକୁ କେତେ ସମୟ ? ଭଲ ମଣିଷମାନଙ୍କୁ ଠକାଏ ପୃଥିବୀ ।

 

ତା’ହେଲେ କ’ଣ କରାହେବ ? ମୁଁ ଯାହା ତାହା ତ ବଦଳାଇ ପାରିବିନି । ମୋଟ ଉପରେ ଏଇ ଚିଠିଟା ଯଦି ତୁମେ କୁହ କୌଣସି ‘ଷଡ଼ଯନ୍ତ୍ରର ନାୟିକା’ର, ତୁମ ମତରେ ମୁଁ ମତଦେଇ ପାରିବିନି, ପୂରା ଜେନୁଇନ୍‌ !

 

ଠିକ୍‌ ଅଛି । ଲେଖି ଦେଉଛି ।

 

ଏହା କହି କଲମ ଧରି ନିଖିଳେଶ କହିଲେ, ତୋ’ର କି କି ଗୁଣ ଅଛି, ସେ ସବୁ କହ ତା’ହେଲେ ?

 

ମୋର କି କି ଗୁଣ ଅଛି, ତୁ ଜାଣୁନା ?

 

ଆହା, ତୁ ଇଂଲିଶରେ ଡକ୍ଟରେଟ୍‌ କରିଛୁ, ତୁ ଗୋଟାଏ ଉଇମେନ୍ସ କଲେଜର ଲେକ୍‌ଚରର । ତୋ’ ହାତ ଲେଖା ଭଲ, ଏ ସବୁ ଜାଣିଛି । ଆଉ ସବୁ ?

 

ଆଉ କ’ଣ ଦରକାର ?

 

ବାଃ ! ସିଲେଇ ଜାଣୁକି ନାହିଁ, ବୁଣା ଆସେକି ନାହିଁ, ଗାଅଣ ବାଜଣା, ରୋଷେଇ ଇତ୍ୟାଦି ।

 

ଭାଇ ! ଭଲ ହେବନି କହୁଛି । ମୋତେ କ’ଣ କନିଆ ଦେଖିବାକୁ ଚାହୁଁଛନ୍ତି ?

ଓହୋ ! ସେଇଆ ନୁହଁ ପରା ?

 

ନିଖିଳେଶ ହସି ହସି ଲେଖନ୍ତି । ମନଟା କୁନ୍ଥୁ କୁନ୍ଥୁ ହୁଏ । ତେବେବି ଭାବନ୍ତି ଦରଖାସ୍ତ ଦେଇ ଦେଲେ କ’ଣ ସାଙ୍ଗେ ସାଙ୍ଗେ ଚାଲିଯିବାକୁ ପଡ଼ିବ ? ସିଲେକ୍ସନର ଭାର ତ ତାର ବାନ୍ଧବୀ ହାତରେ ନାହିଁ । ଗାଉଁଲି ବୁଢ଼ା ଇଂରାଜୀରେ ଅନୁବାଦ କରିବାକୁ ଆଉ ବହି ପାଇଲେ ନାହିଁ ? ‘ଉଦ୍‌ଭ୍ରାନ୍ତ ପ୍ରେମ’ । ପିଲାବେଳେ ବହିଟା ଦେଖିଥିଲେ ନିଖିଳେଶ ସତ, ତାଙ୍କର ପିଉସୀ ଘରେ ଥିଲେ । ପିଲାବେଳରେ କାହାରି ଘରେ ବୁଲିବାକୁ ଗଲେ, ସେମାନଙ୍କର କେଉଁଠି କ’ଣ ବହି ଅଛି ଦେଖି ଦେଖି ଗୋଟାଏ ଟାଣି ନେଇ ଘରର ଗୋଟାଏ କୋଣ ଜାଗାରେ ବସି ପଢ଼ୁଥିଲେ ।

 

ଅବଶ୍ୟ ନିଖିଳେଶଙ୍କ ମାଉସୀ- ପିଉସୀଙ୍କ ଘରେ ବହିର ସଂଗ୍ରହ ଖୁବ୍‌ ଉଲ୍ଲେଖଯୋଗ୍ୟ ନ ଥିଲା । କେବଳ ତୃତୀୟ ପିଉସୀଙ୍କ ଘରେ ପିଉସାଙ୍କ ବଡ଼ସଂଗ୍ରହାଳୟରେ କିଛି ‘ଗ୍ରନ୍ଥାବଳୀ’ ଥିଲା । ଆଉ ମଲାଟ ଛିଣ୍ଡା ସେଇ ବହିଟା ।

 

‘ଉଦ୍‌ଭ୍ରାନ୍ତ ପ୍ରେମ’ । ଦୁଇ ଚାରି ଲାଇନ ପଢ଼ିବା ପରେ ଭାରି ଖରାପ ଲାଗିଲା । ତାକୁ ରଖିଦେଇ ଗୋଟାଏ ଗ୍ରନ୍ଥାବଳୀ ଟାଣି ନେଇ ପଢ଼ିବାକୁ ବସିଲେ ।

 

ପରେ ଅବଶ୍ୟ ଲୋକଙ୍କ ମୁହଁରୁ ତାର ବିଷୟବସ୍ତୁ ଓ ଇତିହାସ ଶୁଣିଥିଲେ । କିନ୍ତୁ ଏ ଯୁଗରେ ସେଇ ବହି ଯେ ଏତେଟା ଜାତିରେ ଉଠିପାରିବ କିଏ ଜାଣିଥିଲ। ? ଉଦ୍ରଲୋକର କୁଆଡ଼େ ସାରାଜୀବନବ୍ୟାପୀ ସାଧନାର ଫସଲ ଏଇଟି । ଚିଠିଟାରେ ତ ସେଇଆ ମନେହେଲା । ରାଜାରାଜୁଡ଼ାଙ୍କ ପକ୍ଷରେ ସଉକଟା ଅଦ୍ଭୁତ ସତ ।

 

ସେମାନଙ୍କର ବେଶୀଭାଗ ପଞ୍ଚ-ମକାର ସଉକ ଥାଏ । ନଚେତ୍‌ ଶିକାର-ଫିକାରର । ବଙ୍ଗଳାରୁ ଇଂରାଜୀରେ ଟ୍ରାନ୍ସଲେଟ୍‌ କରିବା, କେଉଁଠି ଶୁଣିଛନ୍ତି ବୋଲି ମନେପଡ଼ିଲା ନାହିଁ ।

 

ମନେ ମନେ ହସି କହିଲେ, ଆଡ଼ମ୍ବର ସହକାରେ ତ ଚିଠିର କାଗଜରେ ‘ରାଜବାଟୀ’ ଲେଖା ଅଛି । ଅସଲରେ ତ ତାଳପୋଖରୀରେ ଲୋଟା ବୁଡ଼େନି । ରାଜ୍ୟ ବୋଲି କିଛି ଆଉ ଅଛି ନା କ’ଣ ? ମନେ ମନେ ପ୍ରାର୍ଥନା କରିବାକୁ ଲାଗିଲେ, ଚାକିରିଟା ଯେମିତି ନ ହୁଏ, ସେମାନେ ଯେମିତି ନ ଡାକନ୍ତି । ସୁତପା ଯେମିତି ଝିଅ, ସୁଯୋଗ ପାଇଲେ ନ ଯାଇ ଛାଡ଼ିବେ ନାହିଁ ।

 

ଆଶ୍ଚର୍ଯ୍ୟ ! ଏତେ ଝିଅ ଥାଉ ଥାଉ ସେଇ ରାଜରାଣୀର ବିଚରା ନିଖିଳେଶଙ୍କ ଭଉଣୀଟାକୁ ମନେପଡ଼ିଗଲା ?

 

॥୧୧॥

 

ସୁତପାଙ୍କୁ ଚିଠିଟା ପଠାଇ ଦେବା ପରଠାରୁ ମାନସିକ ଅସ୍ଥିରତା ମଧ୍ୟରେ ଦିନ କଟାଉଛନ୍ତି ଅନୁରାଧା । କେଜାଣି କେଉଁ ଆଖିରେ ଦେଖିବେ ସୁତପା ! ଭାଷାଟା କ’ଣ ବୋକାବୋକା ଗାଉଁଲି ଭଳି ହୋଇଯାଇଛି ? କେଜାଣି ଦୀର୍ଘଦିନ ତ ସେମାନଙ୍କ ଜଗତ ସାଙ୍ଗରେ ଯୋଗାଯୋଗ ନାହିଁ । ଯାହାହେଉ ଏମାନଙ୍କର ଗୋଟାଏ ଲାଇବ୍ରେରୀ ଅଛି, ତେଣୁ ରକ୍ଷା । ଯଦି- ଆଦିକାଳର, ତେବେବି ଅନୁରାଧାଙ୍କ ପ୍ରେରଣାରେ ନୂଆ ବହି ସଂଯୋଜନ ହୁଏ କିଛି କିଛି । ଏମାନଙ୍କର ଲୋକ ତ ହରଦମ୍‌ କଲିକତା ଯାଆନ୍ତି କେବଳ ଅନୁରାଧାହିଁ ଜାଲରେ ଅଟକି ପଡ଼ିଥିବା ଚଢ଼େଇ ।

ଅସ୍ଥିରତାର କାରଣ ଆହୁରି ଗୋଟାଏ ।

ସୁତପାଙ୍କୁତ କୁହାହେଲା, ମୋ ସାଙ୍ଗରେ ପରିଚୟ ଅଛି ବୋଲି ନ ଜଣାଇବା ପାଇଁ । କିନ୍ତୁ ସୋମଶେଖରଙ୍କୁ ବି କ’ଣ ନ ଜଣାଇ ରଖିବେ ? ଏଇଟା କ’ଣ ଠିକ୍‌ ହେବ ? ଯଦି ପରେ ପ୍ରକାଶ ପାଇଯାଏ ?

ଉତ୍ତାଳ ଚିନ୍ତାରେ ଅସ୍ଥିର ହେଉ ହେଉ ହଠାତ୍‌ ଗୋଟାଏ ସମୟରେ ସୁତପାଙ୍କ ଭାଇ ପରି ମନକୁ ସ୍ଥିର କଲେ ଯେ କହିଛି ବୋଲି କ’ଣ ହୋଇଗଲା ନା କ’ଣ !

ସୁତପାଙ୍କର ଯେଉଁ ଘରଟାର ଠିକଣା ଜଣାଥିଲା ଅନୁରାଧାଙ୍କର । ସେଇ ଘରଟା ସେମାନଙ୍କ ନିଜର ଥିଲା, ନା ଭଡ଼ା ଦେଇ ରହୁଥିଲେ କେଜାଣି ? ହୁଏତ ଭଡ଼ା ଘରହିଁ ଥିଲା, ହୁଏତ ଘର ବଦଳ କରିଛି, ଚିଠିଟା ପାଇବ ନାହିଁ ।

ଯଦି ବା ପାଇଥାଏ, ତା’ର ଲେଖକ ଭାଇଙ୍କ କେୟାରରେ ଯାଇଛି ନା ! ହୁଏତ ପାଇଛି, ଅନୁରାଧାର ଅନୁରୋଧଟା ହସି ଉଡ଼ାଇ ଦେବକି ନାହିଁ କିଏ ଜାଣିଛି ? ହୁଏତ ବା ଅଗ୍ରାହ୍ୟ କରି କହିବ, ମୋର ଆଉ ଖାଇ ପିଇ କାମ ନାହିଁ, ତେଣୁ ପୂଜା ଛୁଟିଟାକୁ ଏଇପରି ଭାବରେ ସର୍ବନାଶ କରିବି । ଆପ୍ଲାଇ କରିବହିଁ ନାହିଁ ।

ଛାଡ଼, ତାକୁ ନେଇ ଆଉ ମୁଣ୍ଡ ଖଟେଇବି ନାହିଁ ।

ଅସ୍ଥିରତା ଶଶୀଶେଖରଙ୍କର ।

ଶଶୀଶେଖରଙ୍କ ଦରାଜରୁ ତାଙ୍କର ସେଇ କାଗଜ ବଣ୍ଡିଲକୁ ବାହାର କରୁଛନ୍ତି, ପୃଷ୍ଠାର ନମ୍ବର ମିଳାଉଛନ୍ତି, ଅଧିକ କଟାକଟିଗୁଡ଼ାକ ଲାଲ ପେନ୍‌ସିଲ୍‌ରେ ଚିହ୍ନ ଦେଇ ରଖୁଛନ୍ତି, ସ୍ପେଶାଲ୍‌ କେୟାର ନେବାପାଇଁ । ଆଉ ଅପେକ୍ଷା କରୁଛନ୍ତି ଆବେଦନ ପତ୍ରକୁ ।

ସ୍ଥିର କେବଳ ସୋମଶେଖର ।

ସେ ଠିକ୍‌ କରିଛନ୍ତି, ବେଶୀ ସଂଖ୍ୟାରେ ଆବେଦନ ପତ୍ର ଆସିଗଲେ ତା’ ଭିତରୁ ବାଛିବାକୁ ପଡ଼ିବ । ବର୍ତ୍ତମାନ ଜେଜେଙ୍କୁ ଦେଖାଇ ଲାଭ ନାହିଁ ।

ଯେମିତି ବ୍ୟସ୍ତ ହେଉଛନ୍ତି ଯେଉଁଟା ଦେଖିବେ, ସେଇଟାହିଁ ଗ୍ରହଣ କରିନେବେ । ଏପଟେ ଅନୁରାଧାଙ୍କ କାତର ମିନତି, ଯଦି ‘ମହିଳା’ ଜୁଟନ୍ତି ତା’ହେଲେ ଯେମିତି ଅନ୍ୟ କାହାରିକି ସିଲେକ୍‌ସନ୍‌ କରା ନ ଯାଏ ।

କିନ୍ତୁ ‘ମହିଳା’ ଜୁଟୁଛନ୍ତି କେଉଁଠି ?

ଶଶୀଶେଖର ଉଦ୍‌ବିଗ୍ନ ହୋଇ ପ୍ରଶ୍ନ କରନ୍ତି, କ’ଣ ହେଲା ସୋମଶେଖର ? ଆଡ଼ଭର୍ଟାଇଜ୍‌ମେଣ୍ଟର କୌଣସି ରେସପନ୍ସ ପାଉନୁ ?

 

ବେଶୀ ଉଦ୍‌ବିଗ୍ନ ଥିଲେ ଶଶୀଶେଖର ନାତିମାନଙ୍କୁ ପୂରା ନାଁ ଧରି ଡାକନ୍ତି ।

ସୋମଶେଖର କୁହନ୍ତି, କହିବା ଭଳି ନୁହେଁ ଜେଜେ !

ଖୁବ୍‌ ବାଜେ ?

ମୋର ତ ସେଇଆ ମନେହେଉଛି ।

ଥରେ ଆଣି ମୋତେ ଦେଖାଉନୁ ।

ତୁମେ ପୁଣି କାହିଁକି ବାଜେ କାମରେ ଶକ୍ତି କ୍ଷୟ କରିବ ?

 

ଅବଶେଷରେ ଦିନେ ଅନୁରାଧାଙ୍କ ଇଚ୍ଛାର ଗଛରେ ଫୁଲ ଫୁଟେ । ଏକାସାଙ୍ଗରେ ତିନିଜଣ ମହିଳାଙ୍କର ଚିଠି ! ବର୍ଦ୍ଧମାନରୁ ଜଣେ ସ୍କୁଲ ଶିକ୍ଷୟିତ୍ରୀ, କଲ୍ୟାଣୀରୁ ଜଣେ କଲେଜ ଛାତ୍ରୀ, ଆଉ କଲିକତାରୁ ଜଣେ ମହିଳା କଲେଜର ଲେକ୍‌ଚରର ।

 

ଛାତ୍ରୀଜଣକୁ ଅବଶ୍ୟ ଗଣ୍ୟ କରନ୍ତି ନାହିଁ ସୋମଶେଖର, ଆର ଦୁଇଟି ବିବେଚନା ଯୋଗ୍ୟ । ବର୍ଦ୍ଧମାନର ମହିଳା ଜଣଙ୍କ ଏମ୍‌.ଏ.ବି,ଟି, ଇଂଲିଶ ଟିଚର, ଦୀର୍ଘ ଦିନର ଅଭିଜ୍ଞତା, କଲିକତାର ମହିଳା ଜଣକ ଇଂଲିଶରେ ଡକ୍ଟରେଟ୍‌ କରିଛନ୍ତି ସତ ତେବେ ପଢ଼ାଇବାର ଅଭିଜ୍ଞତା ମାତ୍ର ଚାରିବର୍ଷର ।

 

ବେଳ ପ୍ରାୟ ଦଶଟା ।

 

ଅନୁରାଧା ମଧୁମାଳତୀଙ୍କ କଥା ବୁଝିବାକୁ ତଳକୁ ଯାଇଛନ୍ତି, ଏବେବି ଅନୁରାଧାଙ୍କ ଦେହରେ ଗରଦର ଶାଢ଼ି । ତା’ର ମସୃଣ ରେଶମ ଧଡ଼ିଟି ଅନୁରାଧାଙ୍କର ସୁନ୍ଦର ମୁହଁଟିକୁ ଘେରାଇ ରଖିଛି, ଚାବି ବନ୍ଧା ପଣତ ବେକରେ ପଡ଼ିଛି । ଗରଦ ପିନ୍ଧିବାକୁ ହେଲେ ଏଇପରି ଗୃହିଣୀ ପ୍ୟାଟର୍ଣ୍ଣରେହିଁ ପିନ୍ଧିବାକୁ ହେବ । ବୁଲାଇ ଶାଢ଼ି ପିନ୍ଧିଲେ କୁଆଡ଼େ ମଧୁମାଳତୀଙ୍କ ଆଖିରେ ‘ଅଶୁଦ୍ଧ‘ ଦିଶେ ।

 

ପ୍ରଥମେ ପ୍ରଥମେ ଅନୁରାଧା ଏହାର ମାନେ ବୁଝିପାରୁ ନ ଥିଲେ, ଏବେ ବୁଝିପାରନ୍ତି ଏହାର କୌଣସି ମାନେ ନାହିଁ । ଅଧସ୍ତନ ଉପରେ ହିଂସ୍ର ଶାସନ କ୍ଷମତା ପ୍ରୟୋଗର ଗୋଟାଏ ଚରିତାର୍ଥ ମାତ୍ର !

 

ନ ହେଲେ–

 

ମନେ ମନେ ଭାବନ୍ତି ଅନୁରାଧା, ରାଣୀ ସୁଧାହାସିନୀ ଦେବୀ ବଞ୍ଚିଥିଲେ, ଯାହାଙ୍କର ବୟସ କୁଆଡ଼େ ଅଣାଅଶୀ ହୋଇଥାଆନ୍ତା, ତାଙ୍କର ଏଇ ପ୍ରତିକୃତିରେ ତ ଦେଖିବାକୁ ପାଆନ୍ତି ହାଲ୍‌କା କ୍ରେପ୍‌ ଶାଢ଼ି ବୁଲାଇ ପିନ୍ଧି କାନ୍ଧରେ ବ୍ରୋଚ୍‌ ଲଗାଇଛନ୍ତି ।

 

ମଧୁମାଳତୀଙ୍କର କୌଣସି ଫଟୋ ନାହିଁ ।

ଆଶ୍ଚର୍ଯ୍ୟ ! ଏହା କେମିତି ହେଲା ?

 

ଅନୁରାଧା ଜାଣନ୍ତିନି ଏଇ ଖାଲି ଦେହରେ ଗରଦର ଥାନ ପିନ୍ଧାଛଡ଼ା ଅଧିକ ତାଙ୍କର ଆଉକିଛି ପିନ୍ଧିବାକୁ ଥିଲା କି ନାହିଁ ।

 

ସୋମଶେଖର ଘର ଭିତରକୁ ଆସି ଥମକି ଛିଡ଼ା ହେଲେ । ଏ ସମୟରେ ଅନୁରାଧା ତଳ ମହଲାରେ ରହିବା କଥା ।

 

ଅତଏବ ଖୁଡ଼ୀଙ୍କ ଘରକୁ ଗଲେ ହୁଅନ୍ତା ।

 

ଏହା ମଧ୍ୟ ସୋମଶେଖରଙ୍କର ନିତ୍ୟ କର୍ମ ପଦ୍ଧତିର ଗୋଟିଏ ଅଙ୍ଗ । ଯେତେ କାମ ଥାଉ, ଏଠି ଥିଲେ, ଖୁଡ଼ୀଙ୍କର ଥରେ ଖବର ନେବା ନିହାତି ଦରକାର ।

 

ମଧୁମାଳତୀଙ୍କୁ ଦାସଦାସୀମାନେ ସମସ୍ତେ ଡାକନ୍ତି, ‘ସାନରାଣୀ ମା’ । ମଧୁମାଳତୀଙ୍କର ପିଲାମାନେବି ସେଇ ନାଁରେ ଡାକନ୍ତି ‘ସାନରାଣୀ ମା’ । କିନ୍ତୁ ସୋମଶେଖର ଡାକନ୍ତି ଖୁଡ଼ୀ ।

 

ପିଲାବେଳେ କେବେ ଯେମିତି କାହା ଘରେ ‘ଖୁଡ଼ୀ’ ଡାକଟା ଶୁଣିଥିଲେ, ତେଣୁ ଗେହ୍ଲେଇ ହେଇ କହିଥିଲେ, ମୋର କାହିଁକି ଖୁଡ଼ୀ ନାହାଁନ୍ତି ? ମୁଁ କେବେ ଖୁଡ଼ୀ ଡାକିବି ?

 

ନିରୁପମା କହିଥିଲେ, ହେଇ ତ ତୋରି ଖୁଡ଼ୀ । ସାନ ରାଣୀ ମା । ମୁଁ ତା’ହେଲେ ଖୁଡ଼ୀ ଡାକିବି । ସାନ ରାଣୀ ମା ଡାକିବି ନାହିଁ ।

 

ନା, ନା, ଖବରଦାର୍‌, ସେ ରାଗିଯିବେ ।

ନା, ରାଗିବେ ନାହିଁ । ମୁଁ ଖୁଡ଼ୀ ଡାକିବି ।

ଅତଏବ ଖୁଡ଼ୀ ଡାକହିଁ ବଜାୟ ରହିଲା ।

 

ହୁଏତ କୌଣସି ପ୍ରକାରେ ‘ରଜାଘରର ପୁଅ ହେବି ନାହିଁ’ ପ୍ରତିଜ୍ଞାର ସୂଚନା । ନ ହେଲେ ଶଶୀଶେଖରଙ୍କୁ ବା ସେ ରାଜାବାହାଦୂର୍‍ ନ ଡାକି ଜେଜେ ଡାକନ୍ତି କେଉଁ ସାହସରେ ?

 

ଜ୍ୟୋତି ଅନ୍ୟାନ୍ୟ ଲୋକମାନଙ୍କ ଭଳି ରାଜାବାହାଦୂର୍‍ କୁହନ୍ତି । ସେମାନେ ଭାବି ପାରନ୍ତିନି ରାଜାବାହାଦୁର୍‍ଙ୍କୁ ‘ତୁମେ’ କୁହାଯାଏ ବୋଲି । ସୋମଶେଖର ଅନାୟାସରେ କହିପାରନ୍ତି-

 

ତେବେ ସୁଧାହାସିନୀ ସମ୍ପର୍କରେ ‘ତୁମମାନଙ୍କର ଜେଜେମା’ କହି କଥା କହିବାଟା ଶଶୀଶେଖରଙ୍କର କହିବାକୁ ଗଲେ ପ୍ରକୃତି ବିରୁଦ୍ଧ ଅବଦାନ । ରାଣୀ ସୁଧାହାସିନୀ ଦେବୀଙ୍କୁ ‘ଜେଜେମା’କୁ ଓହ୍ଲାଇ ଆଣିବା ଆଶ୍ଚର୍ଯ୍ୟର କଥା ସତରେ ।

 

ଅନୁରାଧା ଅବଶ୍ୟ ଦିନେ କହିଥିଲେ, ଏତେ ସୁନ୍ଦରୀ ଆଉ ଯୌବନବତୀ ମହିଳାଙ୍କୁ ‘ଜେଜେ ମା’ କହିବାକୁ ଭାରି ବାଧେ ଜେଜେ । ‘ଜେଜେମା’ କଥାଟା କ’ଣ ତାଙ୍କୁ ମାନେ ? ଆଉ ଜେଜେମା ହେବା ପୂର୍ବରୁ ବୁଢ଼ୀ ହେବା ଭୟରେ ତ ପଳେଇ ଯାଇଛନ୍ତି ।

 

ଶଶୀଶେଖର ଗଡ଼ଗଡ଼ର ନଳୀ ମୁହଁରୁ ବାହାର କରି ଟିକେ ହସି କହିଥିଲେ, ସେଇଥିପାଇଁ ତ ଇଚ୍ଛା କରି କୁହେ । ଜୀବନର କୌଣସି ପରିଣତି ତ ଘଟିଲା ନାହିଁ କୌଣସି ସ୍ଵାଦ ମଧ୍ୟ ପାଇଲେ ନାହିଁ, ଅଥଚ ମୁଁ ଶଳା ବସି ବସି ସବୁ ଉପଭୋଗ କରୁଛି । ନିଜକୁ ଯେମତ ସ୍ଵାର୍ଥପର ପରି ଲାଗେ । ତେବେବି ମୋ ସାଙ୍ଗରେ ସାଙ୍ଗରେ ନେଇ ଚାଲେ ତାଙ୍କୁ । ମନେହୁଏ ସେ ମଧ୍ୟ ସଂସାରଟାକୁ ଭୋଗ କରୁଛନ୍ତି ।

 

ସୋମଶେଖର ଘରର ବାହାରୁ ଡାକିଲେ ।

ଖୁଡ଼ୀ ଘରେ ଅଛନ୍ତି ?

 

ମଧୁମାଳତୀ ସେତେବେଳେ ପ୍ରଥମ ପର୍ବର ଚା’ ପିଇ ସାରି ବସିଛନ୍ତି । ପଥରର ଗିନା ଓ ଗ୍ଲାସଟା ସେତେବେଳେ ବି ତାଙ୍କ ହାତ ପାଖରେ, ସାଙ୍ଗେ ସାଙ୍ଗେ ହେନାକୁ ଈଶାରା କରିବାରୁ ସେ ନେଇଗଲା । ମଧୁମାଳତୀ କୋମଳ ସ୍ଵରରେ କହିଲେ, ହଁ, ବାପା, ଆସ କୁହ ।

 

‘ବାପା’ ଆଉ କହିବେ କ’ଣ ?

 

ସେଇ ଗତାନୁଗତିକ ପ୍ରଶ୍ନ, ଦେହ କେମିତି ଅଛି ? ଟିକେ ଅସୁବିଧା ହେଲେ ଯେମିତି ଶୀଘ୍ର ଡାକ୍ତର ବାବୁଙ୍କୁ ଜଣାଇ ଦିଆଯାଏ । ଖାଇବା ପିଇବାର ଯତ୍ନ ନେବେ । ଇଲା ନୀଳାର ଚିଠି ଆସିଛି କି ନାହିଁ ?

 

ମଧୁମାଳତୀ କହିବେ, ଏ ଦେହ ଯିବାହିଁ ଦରକାର । ଆଉ କାହିଁକି ଖାଇବା ପିଇବା କଥାଟା ଶୁଣିଲେ ଲାଜମାଡ଼େ । ବିଧବାର ପୁଣି ଖାଇବା, ଇଲା, ନୀଳା ନିଜ ନିଜର ସଂସାର ନେଇ ବ୍ୟସ୍ତ । ମା’କୁ ଚିଠି ଦେବାକୁ ଫୁରସତ୍‌ହିଁ ନାହିଁ । ନୀଳା ସମ୍ପ୍ରତି ସ୍ଵାମୀଙ୍କ ସାଙ୍ଗରେ ୟୁରୋପ ବୁଲି ଆସିଛନ୍ତି, ଏବେ ଜ୍ଵାଇଁ କର୍ମସ୍ଥଳ ବମ୍ବେରେ । ମା’ ସାଙ୍ଗରେ ଦେଖା କରିବାକୁ ସମୟ ହୁଏନା ସେମାନଙ୍କର । ଜ୍ୟୋତିର ତ ମନେନାହିଁ ତା’ର ଗୋଟାଏ ମା’ ଅଛି ବୋଲି ଇତ୍ୟାଦି ଇତ୍ୟାଦି ।

 

ଅଭିଯୋଗ । ଅଭିଯୋଗ ।

ମଧୁମାଳତୀଙ୍କ ନାଁର ସତ୍ତାଟା ଯେମିତି ଅଭିଯୋଗ ଦେଇ ଗଢ଼ା ।

 

ତେବେବି ଜଣ ଜଣଙ୍କ ପାଖରେ ଏକ ଏକ ରକମର ସ୍ଵର । କିଏ କରିବ, ଟିକେ ପୂର୍ବରୁ ସେ କେଉଁ ସ୍ଵରରେ ଅନୁରାଧାଙ୍କୁ ପ୍ରଶ୍ନ କରିଥିଲେ । ଅନୁରାଧା କ’ଣ ଭାବିଛନ୍ତି ଏ ବଂଶରେ ସେ ଏକଲା ଗୋଟିଏ ବୋହୂ ହୋଇ ରହିବେ ? ଆଉ ବୋହୂ ଆସିପାରିବେ ନାହିଁ ? କାହିଁକି ? ଜ୍ୟୋତିର କ’ଣ ବାହାଘରର ବୟସ ହୋଇନି ? ଯେମିତି ଆଉ ଗୋଟିଏ ବୋହୂ ନ ଆସିବା ପାଇଁ ଅନୁରାଧାଙ୍କର ସ୍ଵାର୍ଥପରତାହିଁ ଦାୟୀ ।

 

ଏଇ ଅଭିଯୋଗର ଧକ୍କାରେ ଛିଟ୍‌କି ବାହାରି ଆସିଥିଲେ ଅନୁରାଧା, ମୁହାମୁହିଁ ହୋଇଗଲେ ସ୍ଵାମୀଙ୍କ ସାଙ୍ଗରେ ।

 

ସୋମଶେଖର କହିଲେ, ମୁହଁରେ କ’ଣ ମେଘ ଦେଖୁଛି ?

ମେଘ ପୁଣି କ’ଣ ?

ନୁହଁତ ? ତା’ହେଲେ ଭଲ । ଶୁଣ, ଏଠିକାର କାମ ସରିଛି ?

କାମ ପୁଣି କ’ଣ ? କେବଳ ନାଟକ ।

ନାଟକ ?

 

ତା’ ନୁହେଁତ ଆଉ କ’ଣ ? ସହଜ ମଣିଷଙ୍କୁ ପ୍ରତିଦିନ ଦୁଇବେଳା ପଚାରିବାକୁ ପଡ଼ିବ କେମିତି ଅଛନ୍ତି ? କହିବାକୁ ହେବ ସେମିତି ଭଲ ଦେଖୁ ନାହିଁତ, ଅଦ୍ଭୁତ !

 

ସୋମଶେଖର କହିଲେ, ଯେଉଁ ଦେବତାଙ୍କର ଯେଉଁ ମନ୍ତ୍ର । ଚାଲ, ଏଥର ଅସଲ ମଞ୍ଚକୁ । ଆଜି ତୁମର ଭାଗ୍ୟଦେବୀ ବୋଧହୁଏ ପ୍ରସନ୍ନ ହେଲେ, ତିନିଜଣ ମହିଳାଙ୍କ ପାଖରୁ ଆପ୍ଲିକେସନ୍‌ ଆସିଛି ।

 

ଅନୁରାଧାଙ୍କର ଛାତିଟା ଧଡ଼୍‌ଧଡ଼୍‌ ହୋଇ ଉଠିଲା ।

ପଚାରିଲେ, ନାଁ କ’ଣ ?

ଆରେ, ମୁଁ କ’ଣ ମୁଖସ୍ଥ କରି ରଖିଛି ? ଚାଲ ।

 

॥୧୨॥

 

ବର୍ତ୍ତମାନ ସାଢ଼େ ଦଶଟା ।

 

ଏଇ ସମୟଟା ଶଶୀଶେଖର ବ୍ରଜରାଜର ହାତ ମୁଠାରେ । ଶଶୀଶେଖରଙ୍କ ଦାଢ଼ି ଖିଅର କରି ଦେବା, ତେଲ ମାଲିସ୍‌ କରିବା, ସ୍ନାନ କଲାବେଳେ ସାହାଯ୍ୟ କରିବା, ପୋଷାକ ପିନ୍ଧିଲାବେଳେ ସାହାଯ୍ୟ କରିବା ଏବଂ ସବାଶେଷରେ ଶଶୀଶେଖର ଯେତେବେଳେ ଖବରକାଗଜ ହାତରେ ନେଇ ବସନ୍ତି, ସେତେବେଳେ ସରୁ ତୂଳିଦ୍ୱାରା କେଶରେ କଳପ ଲଗାଇବା ।

 

ସେଇ କାମଟାହିଁ ଚାଲୁଥିଲା ବର୍ତ୍ତମାନ ।

ଏଇ ସମୟଟା ଶଶୀଶେଖରଙ୍କର ସବୁଠାରୁ ପ୍ରସନ୍ନତାର ସମୟ ।

 

ଏଇ ସମୟରେ ଆବେଦନ ପେଶ୍‍ କରିବାର ଉତ୍କୃଷ୍ଟ ସମୟ । ଜେଜେ, ଆପଣମାନଙ୍କର ନୀତିରେ ତ ଲେଡିଜ୍‌ ଫାଷ୍ଟ । ତେବେ ଏ ଗୁଡ଼ାକ ଆଗ ଦେଖା ହେବା କଥା ।

 

ସୋମଶେଖର କହିଲେ, କିନ୍ତୁ ପାଟନାରୁ ଯେଉଁ ଭଦ୍ରଲୋକ ଆପ୍ଲାଇ କରିଛନ୍ତି ତାଙ୍କର ବିଲାତି ଡିଗ୍ରୀ ରହିଛି ।

 

ବିଲାତି ଡିଗ୍ରୀ !

ଶଶୀଶେଖର ଟିକେ ଉତ୍ତେଜିତ ହେଲେ, ଭଲ କରି କହିଲୁ ମୁଁ ଶୁଣେ ?

 

କହିବାର କିଛି ନାହିଁ, ଅକ୍ସଫୋର୍ଡ଼ର ଏମ୍‌. ଏ, କୌଣସି ବଡ଼ ଜାଗାରେ କାମ କରୁଥିଲେ-। ବର୍ତ୍ତମାନ ରିଟାୟାର କରିଛନ୍ତି । ଏଇପରି ଟୁକୁରା କାମଦାମ ପାଇଲେ କରିପାରନ୍ତି । ଦାବି ହଜାରେ ଟଙ୍କା ।

 

କ’ଣ କହୁଛୁ ? ଗୋଟାଏ ବିଲାତି ଡିଗ୍ରୀବାଲା ଲୋକ ମାତ୍ର ହଜାର ଟଙ୍କାରେ ମାସେ ବା ଦେଢ଼ମାସ ଖଟିବାକୁ ରାଜି ହେଉଛନ୍ତି ତ ! ମନେ ହେଉନାହିଁ ।

 

ଆଚ୍ଛା, ଆଉ ଗୋଟିଏ କିଏ ଡକ୍ଟର କହିଲୁ ?

 

ଡକ୍ଟର ସୁତପା ଭଟ୍ଟାଚାର୍ଯ୍ୟ । ଇଣ୍ଡିଆନ ଉଇମେନ୍ସ କଲେଜର ଇଂଲିଶ ଲେକ୍‍ଚରର । ୟାଙ୍କର ଆପ୍ଲାଇର ବୟାନଟା ଅଦ୍ଭୁତ । ଖୁବ୍‌ ଚାଲାକ୍‌ ବୋଲି ମନେହେଉଛି । ଲେଖିଛନ୍ତି, କାମଟା ସମ୍ପର୍କରେ ଏତେବେଶୀ ଉତ୍ସାହ ବୋଧ କରୁଛନ୍ତି ଯେ, ବିନାପାରିଶ୍ରମିକରେ କରିପାରନ୍ତି କାରଣ ମୂଳଗ୍ରନ୍ଥର ନାଁଟି ହିଁ ତାଙ୍କ ପାଖରେ ବିଶେଷ କୌତୁହଳ ଉଦ୍ଦୀପକ, ଆହୁରି ଆକର୍ଷଣୀୟ ଜଣେ ବୟସ୍କ ବ୍ୟକ୍ତି ଏଇ ଅନୁବାଦର କଠିନ କାମଟି କରିଛନ୍ତି ବୋଲି, ବିଶେଷ କରି ଜଣେ ‘ରାଜା’ । ରାଜା ମହାରାଜାମାନଙ୍କ ମଧ୍ୟରେ ତ ସଚରାଚର ଏସବୁ ଝୁଙ୍କ ଦେଖାଯାଏନା । କିନ୍ତୁ ଯେହେତୁ ଏଇ କାମଟି ପାଇଁ ତାଙ୍କୁ ବେଶ୍‍ କିଛିଟା ସମୟ ଦେବାକୁ ପଡ଼ିବ । ତେଣୁ ସମୟର ମୂଲ୍ୟ ହିସାବରେ ସେ ମାତ୍ର ଚାରି ହଜାର ଟଙ୍କା ଧାର୍ଯ୍ୟ କରିଛନ୍ତି ।

 

ଚାରି ହଜାର ! ଆରେ ବାପ୍‌ରେ !

ଅନୁରାଧା ଚମକି ଉଠନ୍ତି ।

ଏହା ଯେ ବହୁତ ଅଧିକ ?

 

ସୋମଶେଖର କୁହନ୍ତି, ହଁ, ସତରେ ଟିକେ ବେଶୀ ବୋଲିହିଁ ମନେହେଉଛି । ଶଶୀଶେଖର ଜୋର୍‍ ଗଳାରେ କୁହନ୍ତି । ‘ତୁମେମାନେ କ’ଣ କହୁଛ ?’ ଜଣେ ଇଂଲିଶରେ ଡକ୍ଟରେଟ, ଭଲ କଲେଜର ଲେକ୍‌ଚରର, ତାଙ୍କର ମାସେ- ଦେଢ଼ମାସର ସମୟ ଓ ପରିଶ୍ରମର ମୂଲ୍ୟ ଏତିକି ହେବନି ? ତୁ ତାଙ୍କୁହିଁ ଆପଏଣ୍ଟମେଣ୍ଟ୍‍ ଲେଟର ପଠାଇ ଦେ ସୋମଶେଖର ।

 

ବାଃ, ଗୋଟାଏ ଇଣ୍ଟରଭିଉ ଡାକିବାକୁ ହେବନି ?

 

ଇଣ୍ଟରଭିଉ ? କାହିଁକି ? ଭଦ୍ରଲୋକଙ୍କ ଝିଅ କେତେଥର ଆସିବେ ? ଲେଖିଦେ ସିଉଡ଼ିରୁ ବସ୍‌ରେ ଆସିବାର ଦରକାର ନାହିଁ । ଆମ ଗାଡ଼ି ରହିବ ସିଉଡ଼ିରେ ।

 

ଅନୁରାଧା କହିଲେ, ଏତେ ଖୋସାମତ୍‌ କାହିଁକି ଜେଜେ ? ବସ୍‌ରେ ଆସିଲେ ମହିଳା ଜଣଙ୍କ କ’ଣ କ୍ଷତି ହୋଇଯିବ ?

 

ଆହା, ଦେଖୁନୁ- ମିସ୍‌ ! ତା’ମାନେ ପିଲା ମଣିଷ ଝିଅଟି । ନା, ନା, ଏତିକି କରିବା ଦରକାର ।

 

ଅତଏବ ଗାଡ଼ି ଗଲା ଡକ୍ଟର ସୁତପା ଭଟ୍ଟାଚାର୍ଯ୍ୟଙ୍କୁ ଦିଗ୍‌ନଗର ରଜାଘରକୁ ନେଇ ଆସିବା ପାଇଁ ।

 

ମୋର କ’ଣ ବର୍ତ୍ତମାନ ମଧ୍ୟ କଥାଟା ଚାପିରଖିବା ଉଚିତ ହେଉଛି ? ତାଙ୍କ ପାଖରେ କ’ଣ ଭାଙ୍ଗିବିନି ଏବେବି ? ଏଇଟା କ’ଣ ମୋର ଅନ୍ୟାୟ ହେଉନାହିଁ ? ନିଜର ଟିକେ ଅଭୀଷ୍ଟ ସିଦ୍ଧିପାଇଁ ଏତେ ଛଳ ଚାତୁରୀ ଚଳେଇ ଯାଉଛି ! ଏମାନଙ୍କ ଘରକୁ ଆସି ଅଭିନୟ କରୁ କରୁ ପକ୍କା ଅଭିନେତ୍ରୀ ବନି ଯାଇଛି ।

 

ନା, ତାଙ୍କୁ କହିଦିଏ । ଭାବନ୍ତି ଅନୁରାଧା ।

 

କିନ୍ତୁ ବର୍ତ୍ତମାନ ତାଙ୍କୁ ପାଇବି କେଉଁଠି ? ସେ କ’ଣ ମୋର ‘ଜଣା’ ସୀମା ମଧ୍ୟରେ ଥାଆନ୍ତି ? ଅଥଚ ଗାଡ଼ି ଚାଲି ଗଲାଣି ସୁତପାକୁ ଆଣିବା ପାଇଁ । ସିଉଡ଼ି ଏଠୁ ଊଣେଇଶ ମାଇଲ । ଯିବା ଆଉ ଆସିବାକୁ ଯେତେ ସମୟ ଲାଗିବ । ଏଇ ସମୟ ମଧ୍ୟରେ କ’ଣ ତାଙ୍କର ଦରବାର ଘର କାମ ଶେଷ ହେବ ?

 

ଆଚ୍ଛା, ପରେ ଯଦି କୁହେ, ସୁତପା ଭଟ୍ଟାଚାର୍ଯ୍ୟକୁ ଦେଖି ଚମକି ପଡ଼ିଲି । ଏକା ସାଙ୍ଗରେ ବ୍ରେବୋର୍ଣ୍ଣରେ ପଢ଼ିଛୁ । ସେଇ ଝିଅ ଯେ ଡକ୍ଟର ସୁତପା ଭଟ୍ଟାଚାର୍ଯ୍ୟ ହୋଇଛି, ଜାଣିବ କେମିତି ?

 

ହଁ, ସେଇଟା ଭଲ । ସେଇଟା ଭଲ ।

ଚିହ୍ନାକୁ ଅଚିହ୍ନା ସଜେଇ ବରାବର ଚଳେଇ ଦେବା ଭାରି କଷ୍ଟ ।

କିନ୍ତୁ–

ତା’ମାନେ ଆଉ ଗୋଟାଏ ଦଫା ଅଭିନୟ ।

 

ବାପରେ ! ମଣିଷ କ’ଣ ଏତେ ଜାଲ ଜୁଆଚୋରୀ ଷଡ଼ଯନ୍ତ୍ର ମିଛ କଥା କହିବୁଲନ୍ତି ? ନିର୍ଦ୍ଦୋଷ ଗୋଟାଏ ବ୍ୟାପାର, କେବଳ ଟିକେ ମଜା କରିଛି, କହିବାକୁ ଗଲେ, ତାକୁ ନେଇ ଏତେ ଯନ୍ତ୍ରଣା ? ନାଃ ଏଜୀବନରେ ଆଉ ଏସବୁ ନୁହେଁ । ତାଙ୍କ ପାଖରେ ଅନ୍ତତଃ ନୁହେଁ ।

 

ଶୁଦ୍ଧିମନ୍ତ୍ର ପାଠ କରୁ କରୁ ଆସି ପହଞ୍ଚିଲେ ଡକ୍ଟର ସୁତପା ଭଟ୍ଟାଚାର୍ଯ୍ୟ ।

 

॥୧୩॥

 

ମ୍ୟାନେଜର ବାବୁ ତାଙ୍କୁ ନେଇ ଆସି ଭିତର ଘର କବାଟ ପାଖରେ ବିଧୁମୁଖୀ ହାତରେ ଜିମ୍ମା ଦେଇ ଗଲେ, ବିଧୁମୁଖୀ ତାଙ୍କୁ ନେଇ ଆସିଲା ଦୋତାଲାକୁ ।

ପୁରୁଣା ପ୍ରାସାଦ ।

ସିଡ଼ି ଉଠିବାବେଳକୁ ଶବ୍ଦ ହୁଏ । ତେବେ ଅଗଣା ବାରଣ୍ଡାରେ ପହଞ୍ଚି ହଠାତ୍‌ ଆଖି ଝଲସି ଗଲା ସୁତପାଙ୍କର । ପୂରା କାଚର ପୁସ୍‌ ଡୋର ଠେଲି ପଶିବାକୁ ହେଲା ବାରଣ୍ଡାରୁ ଘର ଭିତର ହଲ୍‌କୁ । ଏଇ ‘ହଲ୍‌’ର ଝରକାରେ ଝରକାରେ ଆଧୁନିକ ଛାଞ୍ଚର ଲୁହାର ଗ୍ରୀଲ, ସୋଫାସେଟଟି ମଧ୍ୟ ଆଧୁନିକ । ଅଥଚ ଯେଉଁ ବାରଣ୍ଡାଟା ପାରି ହୋଇ ଆସିଲେ ସେଠି ସବୁକିଛିରେ ପୁରୁଣାଛାପ ।

ସୁତପା ଭାବିଲେ, ଭାଇ କହିଥିଲା ତାଳପୋଖରୀରେ ଲୋଟା ବୁଡ଼େନା, ସେଇଟା ବୋଧହୁଏ ଠିକ୍‌ ନୁହେଁ । ଲୋଟା ବୁଡ଼ିବା ଭଳି ନୂଆ ପାଣି ସପ୍ଲାଇ ହେଉଛି । ତା ନ ହେଲେ ଅନୁରାଧା ଦକ୍ଷିଣା ଦାବିର ମାତ୍ରାଟା ଏମିତି ଜୋର୍‍ଦାର୍‍ କରି ରଖି ନ ଥାଆନ୍ତା ।

ନମସ୍କାର । ଆପଣ ବୋଧହୁଏ ଏ ଘରର ବୋହୂରାଣୀ ?

ଆଖିରେ -ଆଖିରେ ବିଦ୍ୟୁତ୍‍ !

ହଁ ! ଆପଣ ନିଶ୍ଚିତ ଡକ୍ଟର ସୁତପା ଭଟ୍ଟାଚାର୍ଯ୍ୟ ? ଆସିବା ପାଇଁ କୌଣସି କଷ୍ଟ ହୋଇନାହିଁତ ?

ନା, ନା, କଷ୍ଟ ଆଉ କ’ଣ ? ଗାଡ଼ି ଯାଇଥିଲା ।

ବିଧୁ ଦିଦି, ତାଙ୍କର ଜିନିଷ ପତ୍ର ?

‘ଗୁଡ଼୍‌ଗୁଡ଼୍‍’ ତାଙ୍କ ଘରେ ସଜାଇ ରଖି ଦେଇଯାଇଛି, ସେ ଗାଡ଼ିରୁ ଓହ୍ଲାଇବାମାତ୍ରେ ।

ଗୁଡ଼୍‌ଗୁଡ଼୍‌ ତା’ ଗାଁରୁ ଆସିଲାଣି ? କେବେ ?

ଏଇ ତ ଆଜି ! କିଛି ସମୟ ପୂର୍ବେ ।

ଗୁଡ଼୍‍ଗୁଡ଼୍‍ ! ଡକ୍ଟର ସୁତପା ଭଟ୍ଟାଚାର୍ଯ୍ୟ ହସ ଚପେଇବାକୁ ଯାଇ ତଣ୍ଟିରେ ଲାଗେ । ଗୁଡ଼୍‍ଗୁଡ଼୍‍ ମାନେ ? ଭାରି ଗେଡ଼ା, ବୋହୂରାଣୀ କହିଲେ, ତେଣୁ ତା’ର ନାଁ ଦିଆ ହୋଇଛି ଗୁଡ଼୍‍ଗୁଡ଼୍‌-। ସେ ଜଣେ ଚାକର ।

ଆସନ୍ତୁ ଗୋ ଝିଅ ଡାକ୍ତର ବାବୁ ଏଇଟା ଆପଣଙ୍କର ଘର ।

ଝିଅ ଡାକ୍ତର ବାବୁ !

ଆହୁରି ଥରେ ଆଶ୍ଚର୍ଯ୍ୟ ହୁଅନ୍ତି ସୁତପା ।

ସେପଟେ ମଧୁମାଳତୀଙ୍କର ବିରୂପ କଣ୍ଠରେ ପ୍ରଶ୍ନ । କାହାର ଦେହ ପୁଣି ଖରାପ ହେଲାରେ ବିଧୁ ? ତେଣୁ ଝିଅ ଡାକ୍ତର ?

ଜାଣେନା ସାନରାଣୀମା’ । ବୋହୂରାଣୀଙ୍କର ହେବ ବୋଧହୁଏ ।

ଜାଣିପାରୁନି ତ ରୋଗବ୍ୟାଧି‌ କେଉଁଠି ? ଚେହେରା ତ ଦିନକୁଦିନ ପାଟି ପଡ଼ୁଛି । ବନ୍ଧ୍ୟାର ଦେହ । ଫାଟିବ ତ !

 

ସେଇ କାରଣ ଯୋଗୁଁ ତା’ହେଲେ ଲେଡ଼ୀ ଡାକ୍ତରଙ୍କୁ ଅଣାହୋଇଛି, କ’ଣ ମନେହେଉଛିରେ ହେନା ? ତା’ଛଡ଼ା ଆଉ କ’ଣ ?

 

ନିଜ ପାଇଁ ସବୁ ହେବ, ତା’ପରେ ଯାଇ ଜ୍ୟୋତିର ବାହାଘର କରିବ । ଠିକ୍‌ ସମୟରେ ବାହାଘର କରିଥିଲେ ଜ୍ୟୋତିର ହିଁ ଆଗ ପିଲାଛୁଆ ହୋଇଥାଆନ୍ତା ?

 

ତା’ ତ ନିଶ୍ଚିତ !

ଟିକେ ନଜର ରଖିବୁ କି ଧରଣର ମଣିଷ ।

 

ତା’ ତ ରଖିବାକୁ ପଡ଼ିବ । ପୂରା ଅନ୍ଦର ମହଲରେ ଆସି ପଶିଲେ । ତେବେ ଆସି ରାଜାବାହାଦୁର୍‍ଙ୍କ ଘରକୁ ଯାଇଛନ୍ତି ।

 

ମାନ ରଖିବାକୁ ଥାଟ !

 

ହଁ, ଆସିହିଁ ଯାଇଥିଲେ । କିନ୍ତୁ ସୁତପା ଭଟ୍ଟାଚାର୍ଯ୍ୟ କ’ଣ ରାଜାବାହାଦୂର୍‍ଙ୍କ ଘରକୁ ଗଲେ ? ସେ ତ ପୂରା ଅନ୍ଦର ମହଲରେ ପଶିଗଲେ ।

 

ଘରେ ପଶିବା ମାତ୍ରେ ଚମକି ଉଠିଥିଲେ ଶଶୀଶେଖର । କହି ଉଠିଲେ, କିଏ ? କିଏ ? କିଏ ଆସି ଛିଡ଼ା ହେଲେ ?

 

ଅନୁରାଧା ସାଙ୍ଗେ ସାଙ୍ଗେ କହିଲେ, ହେଇତ ଜେଜେ, ଡକ୍ଟର ସୁତପା ଭଟ୍ଟାଚାର୍ଯ୍ୟ । ସିଉଡ଼ିରୁ ଗାଡ଼ି ଯାଇ ତାଙ୍କୁ ନେଇ ଆସିଲା ।

 

ଡକ୍ଟର । ଆସନ୍ତୁ, ଆସନ୍ତୁ !

ସୁତପା କହିଲେ, କି ଆଶ୍ଚର୍ଯ୍ୟ ! ମୋତେ ‘ଆପଣ’ କହୁଛନ୍ତି କାହିଁକି ?

ଠିକ୍‌ ଅଛି । ଠିକ୍‌ ଅଛି । ବସ । ରାସ୍ତାରେ କୌଣସି କଷ୍ଟ ହୋଇନାହିଁତ ?

ନା, ନା । ଆପଣଙ୍କର କାଗଜପତ୍ର କେଉଁଠି ?

ଶଶୀଶେଖର ବ୍ୟସ୍ତ ହୋଇ କହିଲେ, ଆରେ ଇଏ କି କଥା ? ଆଗ ବିଶ୍ରାମ କର ।

 

ସୁତପା କହି ଉଠିଲେ, ମାତ୍ର କେତେଘଣ୍ଟାର ତ ଜର୍ଣ୍ଣି । ଜିନିଷଟା ଦେଖିବାକୁ ଭାରି ଆଗ୍ରହ ହେଉଛି ।

 

ତା’ମାନେ ସୁତପା ନାମକ ଚୌକସ୍‌ ଝିଅଟା । ପୂରାପୂରି ଭଣ୍ଡାର ଘରର ଚାବିଟା ସଂଗ୍ରହ କରି ତେବେ ଆସିଛି । ତେବେ ଭଣ୍ଡାର ଘରେ ପଶିବାକୁ ଡେରି ହେବ କାହିଁକି ? ତୁମର ବାନ୍ଧବୀ ତ କର୍ତ୍ତା ବାବୁଙ୍କୁ ବେଶ୍‍ କବ୍‌ଜା କରି ନେଇଛନ୍ତି ଦେଖୁଛି ।

 

॥୧୪॥

 

ହଁ, ସେଇଆ ଦେଖୁଛି । ଟିକେ ବେଶୀ ନେଇଛନ୍ତି ବୋଲି ମନେହେଉଛି । ଭଲ କଥା । କିନ୍ତୁ କାମ ଆଗଉଛି ନା ନାହିଁ ?

 

ସେଇଟା ଆଗଉଛି ବୋଧହୁଏ । ଅସଲରେ କପିର କାମଟା ତ ଚାଲୁଛି ରାତିରେ ଘରକୁ ଆସିବା ପରେ, ସାରା ଦିନ ସ୍ରେଫ ଗପ ! ତୁମର ଜେଜେବାପା ପୂରା ବିମୁଗ୍ଧ । ଠିକ୍‌ କେଉଁ ଧରଣର ପ୍ରସଙ୍ଗ ଉଠାଇଲେ ବୃଦ୍ଧ ଭଦ୍ରଲୋକଙ୍କ ମନର କବାଟ ଖୋଲିଯିବ ସେଇଟା ବେଶ୍‌ ଭଲରୂପେ ଜାଣନ୍ତି ଦେଖୁଛି ।

 

ଜେଜେ ଖୁସି ରହିଲେ ହେଲା । ଚଏସ୍‌ଟା ଭଲ ହୋଇଛି ।

ଭାଗ୍ୟ ମୋ ପ୍ରତି ଅନୁକୂଳ ।

 

ହଁ, ଏଇ କଥାହିଁ କୁହନ୍ତି ଅନୁରାଧା, ଭାଗ୍ୟ ମୋ ପ୍ରତି ଅନୁକୂଳ । କାରଣ ଶେଷ ପର୍ଯ୍ୟନ୍ତ ନାଟକଟାକୁ ଚଲେଇ ଯିବାକୁ ପଡ଼ୁଛି ।

 

ସୋମଶେଖରଙ୍କ ପାଖରେ ଆଦ୍ୟପ୍ରାନ୍ତ କୌଣସି ପ୍ରକାରେ କହିପାରି ନାହାଁନ୍ତି ସେ । ଭୟ ହେଉଛି ଯଦି ସୋମଶେଖର ଅନୁରାଧାଙ୍କ ଉପରୁ ବିଶ୍ୱାସ ହରାନ୍ତି । ଯଦି ଭାବନ୍ତି, ସେ ତ ଅନେକ ଛଳନାର ଜାଲ ପାରି ପାରନ୍ତି । ଏ ସବୁ ବୁନିଆଦୀ ବଂଶର ପିଲାମାନଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ନିର୍ଭର କରାଯାଇ ପାରେନା । ସତେ ଯେମିତି ଏଇ ବର୍ତ୍ତମାନ ପ୍ରଶ୍ରୟର ଅନ୍ତରାଳରେ କଠିନ କିଛି ଗୋଟାଏ ମହଜୁତ୍‌ ରହିଛି । କୌଣସି ଅସତର୍କତାରେ ହଠାତ୍‌ ସେଇ କାଠିନ୍ୟର ସ୍ପର୍ଶ ଆସି ଲାଗିପାରେ ।

 

ଅନୁରାଧା ଅନେକ ସମୟରେ ତାଙ୍କ ମା’ଙ୍କ ମୁହଁରୁ ଶୁଣିଛନ୍ତି- ‘ନଦୀ ଚଡ଼ାରେ ବାସ, ଭାବନା ବାରମାସ !’

 

କାହିଁକି କହୁଥିଲେ ଆଉ କେଉଁ ପ୍ରସଙ୍ଗ ନେଇ କହୁଥିଲେ ମନେନାହିଁ, ସେତେବେଳେ ଏତେଟା କାନ ଦେଉ ନ ଥିଲେ । ବରଂ ଯେତେବେଳେ ସେତେବେଳେ ପ୍ରବାଦ ପ୍ରବଚନ କହିବା ଅଭ୍ୟାସ ନେଇ ହସୁଥିଲେ ସେମାନେ । ଅନୁରାଧା ତାଙ୍କ ସାନ ଭଉଣୀ ଶ୍ରୀମତୀ ।

 

ଶ୍ରୀମତୀଟା ଯଦି ଥାଆନ୍ତା ! ଅନେକ ସମୟରେ ଭାରି ଦୁଃଖ ହୁଏ ଅନୁରାଧାଙ୍କର । ଶ୍ରୀମତୀକୁ ମଝିରେ ମଝିରେ ଆମନ୍ତ୍ରଣ କରି ଅଣାଯାଇ ପାରିଥାଆନ୍ତା, ଦୁଇ ଚାରି ଦିନ ଅନ୍ତତଃ ରଖିପାରନ୍ତା । ଶ୍ରୀମତୀର ବାହାଘର ଉପଲକ୍ଷେ ଥରେ ଯାଇପାରନ୍ତେ । ସେଇ କାରଣଟା ବେଶ୍‍ ଜୋରଦାର ହୋଇଥାଆନ୍ତା । କିନ୍ତୁ ଶ୍ରୀମତୀ ସେଇ ଗୁଡ଼ରେ ବାଲି ପୂରାଇ ଦେଇଛି ।

 

ନା, ମରି ଯାଇ ଦିଦିର କ୍ଷତି ଘଟାଇ ଯାଇନି ଶ୍ରୀମତୀ ।

କିନ୍ତୁ ତା’ର ପାଖାପାଖି ।

 

ବ୍ୟାପାରଟା କୁଆଡ଼େ ଅନୁରାଧାଙ୍କର ମା’-ବାପାଙ୍କ ପାଖରେ ମୃତ୍ୟୁ ତୁଲ୍ୟ‌ହିଁ ହୋଇଛି-। ଶ୍ରୀମତୀ ମା’- ବାପାଙ୍କର ଅଜାଣତରେ ସାହିର ଗୋଟାଏ ଅପଦାର୍ଥ ମାଙ୍କଡ଼କୁ ବାହା ହୋଇ ଘରୁ ବିତାଡ଼ିତ ହୋଇଛି । ପୁଅଟା ଅପଦାର୍ଥ ବେକାର, ଶ୍ରୀମତୀ ସମାନ ବୟସର । ଅତଏବ ଶ୍ରୀମତୀର ଜୀବନରେ ଏହାପରେ କ’ଣ ଘଟିଲା, କ’ଣ ଘଟୁଛି ଜାଣନ୍ତିନି ଅନୁରାଧା । ଜାଣିବାକୁ ଚେଷ୍ଟା କରିବାର ଉପାୟ ମଧ୍ୟ ନାହିଁ ।

 

ଏଥିପାଇଁ ସୋମଶେଖରକୁ କିଛି ଅନୁରୋଧ କରାଯାଇ ପାରେନା । ସେଥିରେ ଲଜ୍ଜା ଅଛି । ସୋମଶେଖର ତ ଅନୁରାଧାଙ୍କ ହୃଦୟର ଏଇ ଗଭୀର ବେଦନାର କ୍ଷତ ବୁଝିପାରି ନାହାଁନ୍ତି । ବରଂ ହସି ହସି କହିଥିଲେ, ଭାଗ୍ୟ ଭଲ ଜଣକୁ ଲୁଟ୍‌ କରି ଆଣି ହାରେମରେ ପୂରାଇ ଦେଇଥିଲି ! ଏତେଦିନ ବାହାରେ ପଡ଼ିଥିଲେ କେଉଁ ହନୁମାନ, ଫନୁମାନ ବେକରେ ମାଳି ପିନ୍ଧାଇ ଦିଅନ୍ତା ।

 

ଏଇ ପାଖରେ କ’ଣ ମନଖୋଲି କିଛି କୁହାଯାଇପାରେ, ସାନଭଉଣୀଟା ପାଇଁ ମଝିରେ ମଝିରେ ମନଟା ଭାରି ଖରାପ ଲାଗେ, ଟିକେ ଖବର ନିଆଯାଇ ପାରେନା ? ତୁମମାନଙ୍କର ତ ଅନେକ ଲୋକବଳ । ସେ ବଦମାସ ମଧ୍ୟ ‘ଦିଦି’ ବୋଲି ଗୋଟାଏ ଚିଠି ଦେଇପାରନ୍ତା । କିନ୍ତୁ ଦିଏନା । ଅତଏବ ତା’ର ପ୍ରସଙ୍ଗ ଉଠାଇବା ଉଚିତ ନୁହେଁ ।

 

‘ଭାବନା ବାରମାସ’ର ସେଇଟା ମଧ୍ୟ ଗୋଟାଏ କାରଣ ।

 

ଯଦି କହି ଦିଅନ୍ତି, ତୁମ ଘରକଥା ଆଉ କୁହନା । ଯଦି ହଠାତ୍‌ କହି ବସନ୍ତି ତୁମର ସେଇ ଗୁଣବତୀ ଭଉଣୀ କଥା କହୁଛ ?

 

ଏଇ ପରିସ୍ଥିତିରେ ନିଜ ଦୁର୍ବଳତାର ସବୁ ଇତିହାସ କୁହାଯାଇ ପାରେନା । କୁହାଯାଇପାରେ କିଛି ରଖି କିଛି ଢାଙ୍କି ।

 

ଜାଣିଛ କି ମଜା ହୋଇଛି ? ସୁତପା ଯେଉଁଦିନ ଆସିଲେ, ସେଇ ଦିନହିଁ । ସୋମଶେଖର ତାଙ୍କର ବୈଷୟିକ କାମଦାମ ସାରି ଉପରକୁ ଉଠି ଆସିଲେ । ଏବଂ କହିଲେ ଜେଜେଙ୍କ ସାଙ୍ଗରେ ଦେଖା କରେଇଛ ?

 

କହିବା ବାହୁଲ୍ୟ, ସୁତପା ସମ୍ପର୍କରେହିଁ ପ୍ରଶ୍ନ ।

 

ଅନୁରାଧା ହସ ହସ ମୁହଁରେ କହିଲେ, ସାଙ୍ଗେ ସାଙ୍ଗେ । ତା’ପରେ ସେଇ ହସକୁ ଅତୁଟ ରଖି କହିଲେ, ଜାଣିଛ କି ମଜା ହୋଇଛି ? କି ମଜା ? ଜେଜେ-

 

ନା, ନା, ଜେଜେ ନୁହଁନ୍ତି, ମୋ ବ୍ୟାପାର । ମହିଳାଜଣକ ଆସି ଛିଡ଼ା ହେବାମାତ୍ରେ ମୁଁ ତ ଅବାକ୍‌ । ବହୁତ ଚିହ୍ନା । ମୋ’ ସାଙ୍ଗରେ ବ୍ରେବୋର୍ଣ୍ଣରେ ପଢ଼ୁଥିଲା ।

 

ସତରେ ? ଆଚ୍ଛା, ଏତେଚିହ୍ନା, ନାଁ ଦେଖି ବୁଝିପାରିନାହିଁ ।

 

ଆରେ, ସେଇଟା ତ ମୁସ୍କିଲ୍‌ ! ନାଁଟା ଚିହ୍ନା ଚିହ୍ନା ଲାଗିଲେ ବି, ଧାରଣା କରିପାରିନି । ସେଇ ସୁତପା ଏଇ ଡକ୍ଟର ସୁତପା ଭଟ୍ଟାଚାର୍ଯ୍ୟ ! (ଠାକୁରେ, କ୍ଷମା କରନ୍ତୁ, ଏହାହିଁ ଶେଷ ଆଉ କେତେବେଳେ ବି, ଏମିତି କାମ କରିବି ନାହିଁ ।) ସେତ ଦେଖି ତୁ- ମୁଁ ବରଂ କହିଲି, ରହ ରହ ଏମିତି କାମ କରନା । ତୁ-ଫୁ କହିଲେ, ସମସ୍ତେ ଭାବିବେ, ମୁଁ ବୋଧହୁଏ (ଭଗବାନ ତୁମ ପାଦ ଧରୁଛି) ଜାଣିଶୁଣି ନିଜର ଲୋକ ଅଣାଇଛି ଦଳ ବଢ଼ାଇବା ପାଇଁ । କେବଳ ତୁମକୁ କହିଲି ମୁ, ତୁମେହିଁ ଜାଣିବ । ଆଉ ସମସ୍ତେ ଜାଣନ୍ତୁ ଜେଜେଙ୍କର ନିୟୋଜିତ ଲୋକ, ମୋ ସାଙ୍ଗରେ ‘ଆପଣ’, ‘ଆଜ୍ଞା’ର ସମ୍ପର୍କ ।

 

ଚଳେଇ ନେଇପାରିବ ?

ଦେଖେ, ବେଶ୍‍ ଆନନ୍ଦ ଲାଗୁଛି ।

ସେଇଥିପାଇଁ ବର୍ତ୍ତମାନ ଅନୁରାଧା କହିପାରିଲେ, ଭାଗ୍ୟ ମୋ ପ୍ରତି ଅନୁକୂଳ ।

 

॥ ୧୫ ॥

 

କିନ୍ତୁ କେବଳ କ’ଣ ଅନୁରାଧା କହିଲେ ଭାଗ୍ୟ ମୋ ପ୍ରତି ଅନୁକୂଳ । ରାଜା ଶଶୀଶେଖର ସମାଦ୍ଦାର ବାହାଦୂର୍‍ ମଧ୍ୟ କହିଲେ, ଆଉ ଏଇ କହିବାଟା ଅନୁରାଧାଙ୍କ ଭଳି ସଜାଇଥିବା ସଂଳାପ ନୁହେଁ । ଶଶୀଶେଖର କହିଲେ, ଭାଇ ସୋମ, ଭାଗ୍ୟ ମୋ ପ୍ରତି ଭାରି ଅନୁକୂଳ । କିଏ ଜାଣିଥିଲା ସୁତପା ପରି ଗୋଟିଏ ଝିଅ ମୋ ଘରକୁ ଆସିବ ।

ହଁ, ସୁତପା ।

‘ଡକ୍ଟର ଭଟ୍ଟାଚାର୍ଯ୍ୟ’ ସମ୍ବୋଧନ ମୁହୂର୍ତ୍ତକ ମଧ୍ୟରେ ବିଲୁପ୍ତ ହୋଇଛି । ସୁତପା କହିଥିଲେ, ସେଇ ନାଁରେ ଡାକିଲେ, ମୁଁ ଉତ୍ତର ଦେବିନି । ଲାଞ୍ଜ, ମୁଣ୍ଡ ବାଦ୍‌ ଦେଇ ଦିଅନ୍ତୁ ।

ଶଶୀଶେଖର ତତ୍‌କ୍ଷଣାତ ବାଦ୍ ଦେଲେ ଲାଞ୍ଜ ଏବଂ ମୁଣ୍ଡ ।

କେବଳ ସୁତପା ।

ବର୍ତ୍ତମାନ ଖାଲି ସୁତପା ! ସୁତପା ! ସୁତପା !

ସୁତପା । ତୁମକୁ ସେଇ ଗପଟା କହିଥିଲି ?

କେଉଁ ଗପଟା ରାଜା ଜେଜେ ?

ସୁତପା ମଧ୍ୟ ଲାଞ୍ଜ ମୁଣ୍ଡ ବାଦ୍‌ ଦେଇଛନ୍ତି ‘ରାଜାବାହାଦୂର୍‍’ରୁ ‘ରାଜା ଜେଜେ’ । ସେଇଟା ଯେଉଁ ବ୍ରାଉନ୍ ସାହେବଙ୍କ ମେମ୍‌ ରାଣୀ ସୁଧାହାସିନୀଙ୍କୁ ଦେଖି କ’ଣ କହିଥିଲେ ? କାହିଁ, ନାହିଁତ । କ’ଣ କହିଥିଲେ ?

କହିଥିଲେ, ଓଃ । ଓ୍ୱାଣ୍ଡାରଫୁଲ୍‌ ! ହ୍ଵାଟ୍‍ ଏ ବିଉଟି ।

 

ସୁତପା କହିଲେ, ବେଶୀକିଛି କହିନାହାଁନ୍ତି ସେ, ମୁଁ ତ ଏ ଘରେ ପଶିଲା ପରେ ମୋ ମୁହଁରୁ ସେଇ କଥାଟାହିଁ ବାହାରି ଆସୁଥିଲା ସତରେ, ଅଦ୍ଭୁତ ସୁନ୍ଦର ! ଅସଲ କଥା ହେଲା ଏଠି ଗୋଟିଏ ବିଶେଷ ମୁହୂର୍ତ୍ତର ବିଶେଷ ଭାବକୁ ଧରି ରଖା ହୋଇଛି । କିଛିଟା ଆଲୌକିକ ।

 

ଶଶୀଶେଖର ବିଚଳିତ ଗଳାରେ କହିଲେ, ତୁମର ମଧ୍ୟ ସେଇଆ ମନେହେଲା ? ଆଶ୍ଚର୍ଯ୍ୟ ! ତା’ପରେ ସୁଧାହାସିନୀ ଉତ୍ତର ଦେଲେ, ତୁମେ ତ ଆହୁରି ଅନେକ ସୁନ୍ଦର !

 

ବ୍ରାଉନ୍‌ ମେମ୍‌ ବଙ୍ଗଳା ବୁଝିପାରୁଥିଲେ ?

 

ଶଶୀଶେଖର ଉତ୍ତେଜିତ ହେଲେ । ନା, ନା, ସେଇଟା ମୁଁ ବର୍ତ୍ତମାନ କହିଲି । ସୁଧାହାସିନୀଙ୍କର ଇଂରାଜୀ କଥା ଆଢ଼ୁଆଳରୁ ଶୁଣିଲେ ମନେହେଉଥିଲା, କୌଣସି ଯୁରୋପୀୟାନ ଲେଡ଼ୀ କଥା କହୁଛନ୍ତି ।

 

ଛଳନା ନୁହଁ, ସୁତପା ସତରେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି ।

 

କୁହନ୍ତି, ସେତେବେଳକାର ଦିନରେ ପ୍ରକୃତରେ ଆଶ୍ଚର୍ଯ୍ୟ ଲାଗେ । ଏତେସବୁ ଜଣାଥିଲା । ହେଇତ ସେଦିନ କହୁଥିଲେ ଘୋଡା ଚଢ଼ିବା ଜାଣିଥିଲେ, ଗାଡ଼ି ଡ୍ରାଇଭ ଜାଣିଥିଲେ, ସେତେବେଳର ମସ୍ତ ମସ୍ତ ସାହେବମାନଙ୍କୁ ପାର୍ଟି ଦେଉଥିଲେ, ପୁଣି ଏଇ ଗାଆଣବାଜଣା, ଚିତ୍ର ଆଙ୍କିବା, ସିଲେଇ ବୁଣା, କହିବାକୁ ହେବ ଆଶ୍ଚର୍ଯ୍ୟ ମହିଳା ଥିଲେ ।

 

କିନ୍ତୁ ଆହୁରି କ’ଣ ଆଶ୍ଚର୍ଯ୍ୟ ଜାଣ ସୁତପା ? ସବୁକିଛି ତ ଏତେ ନିଖୁଣ ଭାବରେ ଶିଖିଥିଲେ ! କିନ୍ତୁ କୌଣସି ଶିକ୍ଷାରେ ତାଙ୍କର ମନ ନ ଥିଲା । ସବୁବେଳେ କହୁଥିଲେ ମୁଁ ଯେମିତି ତୁମର ଘୋଡ଼ାଶାଳର ଗୋଟାଏ ସଉକର ଘୋଡ଼ା, ଅନବରତ ଛାଟ ମାରି ମାରି ଦୌଡ଼ାଉଛ ।

 

ସୁତପା ଟିକେ ସ୍ତବ୍ଧ ହୋଇଗଲେ । କହିଲେ, ଏଇକଥା କହୁଥିଲେ ? କହୁଥିଲେ, କିନ୍ତୁ ଶିଖି ନେଉଥିଲେ ଦୁଇଦିନ ମଧ୍ୟରେ । ତା’ମାନେ ମୋ ଜ୍ୱାଳାରେ, ଥଟ୍ଟା କରୁଥିଲେ, ଆଉ କ’ଣ ?

 

ଥଟ୍ଟା ନୁହଁ, ସୁତପା କହିଲେ, ମନର କଥା ।

 

ଶଶୀଶେଖର ଏଥିରେ ଦବି ନ ଯାଇ, ପୁଣି କଥା ଆରମ୍ଭ କରନ୍ତି । ଥରେ କାଶ୍ମୀର ଯାଇ ବୁଝିଲ ସୁତପା-

 

ଦୁହେଁ ଯେତେବେଳେ ଥରେ ଆବୁ ପାହାଡ଼କୁ ଯାଇଛୁ-

 

ବୁଝିଲ ସୁତପା, ବଡ଼ ପୁଅ ଯେତେବେଳେ ଜନ୍ମ ହେଲା । ନର୍ସ କହିଥିଲା- କେବଳ ରାଣୀ ସୁଧାହାସିନୀ ଦେବୀଙ୍କର ମହିମା କୀର୍ତ୍ତନ ! ଚରିତ୍ର ଚିତ୍ରଣ ! ଯେମିତି ନୂଆ କରି ପୁଣି ପ୍ରାଣ ପାଇଛନ୍ତି ସୁଧାହାସିନୀ ।

 

ଯେମିତି ଏଇ ସେଦିନର କଥା ।

 

ସୁତପାଙ୍କୁ ପାଇ ଶଶୀଶେଖରଙ୍କର ଆସିଛି ନୂଆ ଜୁଆର । ସେମାନଙ୍କ ପାଖରେ ଆଉ ସେମିତି ଉତ୍ସାହ ମିଳୁ ନ ଥିଲା ଇଦାନୀଂ ।

ଶଶୀଶେଖର ବୁଝି ପାରୁଥିଲେ ।

ମନ ଭିତରେ ଆଉ ସେମିତି ସୁଖର ଜବାବ ପାଉ ନ ଥିଲେ, ତୁମମାନଙ୍କର ‘ଜେଜେମା’ ବୋଲି ଗପ ଫାନ୍ଦିବାକୁ । ଶଶୀଶେଖର ଭୁଲି ଯାଆନ୍ତି ସେଇ ଗପଗୁଡ଼ାକ ବାରମ୍ବାର କୁହା ହେଇଯାଇଛି । ସେମାନେ ଅବଶ୍ୟ ସେଇଟା ମନେକରାଇ ଦିଅନ୍ତିନି । ଶୁଣିବା ଗପ ପୁଣି ଶୁଣିବା ମଧ୍ୟରେ ଆଗ୍ରହର ଘାଟ୍‌ତି ରହିବ ହିଁ ରହିବ ଆଉ ସେଇଟା ଧରାପଡ଼ିବ ।

ତାହା ବ୍ୟତୀତ-

ସେମାନେ ଖାଲି ଶୁଣନ୍ତି । ଜ୍ୟୋତିଶେଖର ତ ପୁଣି କାନରେ ବି ଶୁଣିବାକୁ ଚାହାଁନ୍ତି ନାହିଁ । ସୋମଶେଖର ଆଉ ତାଙ୍କର ସ୍ତ୍ରୀ ଶୁଣନ୍ତି ତେବେ କୁହନ୍ତିନି ବିଶେଷ କିଛି । ସୁତପା କୁହନ୍ତି ।

କାମ ବୁଝି ନେଉ ନେଉ ହୁଏତ କହି ଉଠିଲେ, ଏଇ ଯେଉଁ ବହିଟା ଅନୁବାଦ କରିଛନ୍ତି ଜେଜେ, ଏଇଟା ଯେମିତି ଆପଣଙ୍କର ମନର କଥା ।

ବୁଝିପାରିଲୁରେ ! ଭାଇ !

ଶଶୀଶେଖର ଉଚ୍ଛ୍ୱସିତ ହୋଇ ‘ତୁ’ ସମ୍ବୋଧନ କରି କୁହନ୍ତି ପାରିବୁ ତ ! ତୋ’ର ହୃଦୟ ଅଛି, ବୁଦ୍ଧି ଅଛି । ପିଲାମାନେ ଟିକେ ବଡ଼ ହୋଇ ଯିବା ପରେ ଦୁହେଁ ୟୁରୋପ ବୁଲିବାକୁ ଯିବା ପାଇଁ ଆୟୋଜନ କରୁଛି, ଚାଲିଛି ତୋଡ଼ଜୋଡ଼, ରବର୍ଟ ସାହେବ ବିଲାତରୁ ଉତ୍ସାହ ଦେଇ ଦେଇ ଚିଠି ଦେଉଛନ୍ତି, ହଠାତ୍‌ ଏଇ ମହାକ୍ଷଣରେ ବିନା ନୋଟିସ୍‌ରେ ସବୁ ଶେଷ !

ଏଁ ! ଇସ୍‌ !

ସେଇଆ ତ ! ପାଗଳ ହୋଇଉଠିଲି ! ପୂରା ପୃଥିବୀ ଶୂନ୍ୟ, ସବୁ ଯେମିତି ହାହାକାରରେ ଭରା, କେବଳ ମନେହେଉଥଲା କେମିତି ତାଙ୍କ ସାଙ୍ଗରେ ମିଳିତ ହେବି ?

ଆପଣ ଏତେ ସାହେବ ଥିଲେ, ଏସବୁ ମାନୁଥିଲେ ?

ଶଶୀଶେଖର ସୁତପାଙ୍କ ମୁହଁ ଆଡ଼କୁ ଚାହିଁଲେ ।

ସୁତପାଙ୍କ ମୁହଁରେ ହଠାତ୍‌ ହଠାତ୍‌ ଏପରି ଆଲୁଅ ଝଲସି ଉଠେ କାହିଁକି ? ଯେମିତି ଭାରି ପରିଚିତ ବହୁତ ଦେଖିଥିବା । ଦେଖିଲେ ଚାହିଁ ରହିବାକୁ ଇଚ୍ଛା ହୁଏ ।

ଶଶୀଶେଖର ସାଙ୍ଗେ ସାଙ୍ଗେ ଅନ୍ୟଆଡ଼କୁ ଆଖି ଫେରାଇ ନେଲେ । ଗଭୀର ସ୍ଵରରେ କହିଲେ, ମନ ଜିନିଷଟା ଭାରି ଅଦ୍ଭୁତରେ ଭାଇ ! ସେ ଯେ କେତେବେଳେ କେଉଁଆଡ଼କୁ ବୁଲିଯାଏ-। ଆଗେ ମାନୁ ନ ଥିଲି ‘ପୂର୍ବଜନ୍ମ’, ‘ପରଜନ୍ମ’ ଶୁଣିଲେ ହସି ଉଠୁଥିଲି । ପିତାମାତାଙ୍କ ଶ୍ରାଦ୍ଧ ତର୍ପଣ କରିବାକୁ ବସିଲେ ମନେହେଉଥିଲା ଗୋଟାଏ ଅର୍ଥହୀନ ବ୍ୟାପାର ? ବ୍ରାହ୍ମଣ ପୁରୋହିତମାନଙ୍କର ଆୟ ପାଇଁ ଏସବୁ ପ୍ରଥା, ମୃତ୍ୟୁପରେ ପୁଣି କ’ଣ ଥାଏ ? କିନ୍ତୁ ସୁଧାହାସିନୀ ଯିବା ପରେ ଯେମିତି ଭିତରରେ ଗୋଟାଏ ଭୂମିକମ୍ପ ଘଟିଗଲା । ସବୁ ଅବିଶ୍ୱାସ ଚାଲିଗଲା । ସ୍ଥିର ବିଶ୍ଵାସ ଆସିଲା ପୁଣି ଦିନେ ।

 

ହଠାତ୍‌ ହଠାତ୍‌ ଚୁପ୍‌ ହୋଇଯାଆନ୍ତି ।

ସୁତପା ମଧ୍ୟ ଚୁପ୍‌ ହୋଇଗଲେ ଭଲ ।

 

ଆଢ଼ୁଆଳରେ ଅନୁରାଧା କୁହନ୍ତି, କାହିଁକିରେ ବାବା ଆଉ ଲିଭିଲା ନିଆଁରେ ହଲାଇ ହଲାଇ ଘୃତହୁତି ଦେଉଛୁ ? ତୋତେ ତ ଉତ୍ତେଜିତ କରିପକାଉଛନ୍ତି ।

 

ସେଇଟା ଠିକ୍‌ ନୁହେଁ ।

 

ସୁତପା ଅନ୍ୟମନସ୍କଭାବେ କୁହନ୍ତି, ମୁଁ ମଧ୍ୟ କେମିତି ବିଭୋର ହୋଇଯାଏ, ଏତେ ଗଭୀର ଭଲ ପାଇବା ସତରେ ଦେଖାଯାଏ ନାହିଁ ।

 

ଅନୁରାଧାଙ୍କର ମୁହଁରେ ଆସୁଥିଲା, ୟାକୁ ତୁ ଭଲ ପାଇବା କହୁଛୁ ? ମୋର ତ ମନେହୁଏ ଏହା ଏକ ରକମ ମନର ବିକାର । ପତ୍ନୀପ୍ରେମ ନୁହଁ ଆତ୍ମପ୍ରେମ ।

 

କିନ୍ତୁ କିଛି କହିଲେ ନାହିଁ ।

 

ଯେତେବଡ଼ ସାଙ୍ଗ ହେଲେବି ଗୁରୁଜନ ସମ୍ପର୍କରେ ଅସଂଲଗ୍ନ ଉକ୍ତି ଠିକ୍‌ ନୁହେଁ । ତା’ଛଡ଼ା ଯେମିତି ଆଶା କରିଥିଲେ ଠିକ୍‌ ସେମିତି ହେଲା ନାହିଁ । ଶଶୀଶେଖର ‘କାମ’ ଅବକାଶରେ ବାନ୍ଧବୀର ସଙ୍ଗଟା ପାଇବେ । କିନ୍ତୁ ଶଶୀଶେଖର ତ ସୁତପାଙ୍କୁ ଗ୍ରାସ କରି ରଖିଛନ୍ତି ।

 

ଆଶ୍ଚର୍ଯ୍ୟ, ସୁତପା ବି ଯେମିତି ସେଥିରେ ବରଂ ଖୁସି କିନ୍ତୁ ଅତିଷ୍ଠ ନୁହଁନ୍ତି ।

ତେବେ–

ତେବେ ଏତେ ମନଖୋଲା ଯାଇ ପାରେନା ।

ତେଣୁ ଅନୁରାଧା କହିଲେ, ହଁ ! ଶାହାଜାହାନ୍‌ଙ୍କ ପରି !

 

॥୧୬॥

 

ସୋମଶେଖର କହିଲେ, ତୁମ ସୁତପାଙ୍କ ମିଆଦ ତ ସରି ଆସୁଛି ଜେଜେ । ଶଶୀଶେଖର କେମିତି ଗୋଟିଏ ଅସହାୟ ମୁହଁରେ କହିଲେ ଭାରି ଶିଘ୍ର କାମ କରନ୍ତି । ସେଇଆ ତ ଦେଖୁଛି । ଭାରି କାମିକା ଝିଅ ।

ଶଶୀଶେଖର ବ୍ୟାକୁଳ ଗଳାରେ କହିଲେ, ସେ କ’ଣ ଚାଲିଯିବା କଥା କହିଛନ୍ତି ?

ନା, ନା, ବର୍ତ୍ତମାନ କହିବେ କାହିଁକି ? ତେବେ କାମଟା ତ ପ୍ରାୟ ଶେଷ ହୋଇଆସିଲା-। ଆମେ ଭାବିଥିଲୁ ପ୍ରାୟ ଦେଢ଼ମାସ ଲାଗିବ, ଇଏ ତ ଯାହା ଦେଖୁଛି ଗୋଟାଏ ମାସ ଭିତରେ, କଲିକତାର ଗୋଟାଏ ପ୍ରେସ୍‌ ସହ କଥାବାର୍ତ୍ତା ହୋଇଛି ।

ଯେଉଁ ବହି ଛପାଇବାପାଇଁ ଶଶୀଶେଖରଙ୍କର ଏତେ ତୀବ୍ର ଆକାଂକ୍ଷା ଦେଖାଦେଇଥିଲା, ସେଇ ବହି ଯେତେବେଳେ ପ୍ରସ୍ତୁତିର ପଥରେ, ସେତେବେଳେ ଯେମିତି ସ୍ତିମିତ ହୋଇଗଲେ ଶଶୀଶେଖର । ଯେମିତି ଏତେ ଶୀଘ୍ର ନ ହେଲେହିଁ ଭଲ ହୁଅନ୍ତା । ବହିଟା ପ୍ରେସକୁ ଛାଡ଼ିବା ସାଙ୍ଗେ ସାଙ୍ଗେ ଯେମିତି ଗୋଟାଏ ନିଧି ହାତଛଡ଼ା ହୋଇଯିବ ତାଙ୍କର ।

ହଠାତ୍‌ ଜୋର ଗଳାରେ କହି ଉଠିଲେ, ଚଟ୍‌ କରି ପ୍ରେସ୍‌କୁ ଦେବା ଉଚିତ ହେବନି । ପୂରା ଶେଷ ହେଲେ ତୁମମାନଙ୍କର ଉପସ୍ଥିତିରେ ସୁତପା ସମ୍ପୂର୍ଣ୍ଣଭାବେ ପଢ଼ି ଶୁଣାଇବେ, ଯଦି କିଛି କରେକ୍‌ସନ୍‌ କରିବାର ଥାଏ ତ ତୁମେମାନେ କହିବ ।

ଆମ୍ଭେମାନେ !

ଆମ୍ଭେମାନେ କ’ଣ କହିବୁ ?

ଶଶୀଶେଖର ଅଭିମାନ କ୍ଷୁବ୍ଧ ଗଳାରେ କହିଲେ, ସେଇଟା ସତ, ତୁମ୍ଭେମାନେ ତ କେବେହେଲେ ଖୋଲି ଦେଖିନାହଁ, କ’ଣ ନିଆଁ ପାଉଁଶ ଲେଖି ଲେଖି କାଗଜ ଭରି, ଦେଉଛି ବୁଢ଼ା-। ଅଥଚ ସେଇ ଝିଅଟି-

ସୋମଶେଖର ଅପ୍ରତିଭ ହୋଇ କହିଲେ, ମୁଁ କ’ଣ ସେସବୁ ବୁଝେ ଜେଜେ ? କ’ଣ ବୁଝିପାରୁନା ? ସେଇ ପ୍ରେମ ଫ୍ରେମ ।

ସେଇଥିପାଇଁ ତ କିଛି ବୁଝିପାରୁନା ? ଶଳା ବର୍ଣ୍ଣଚୋରା ! ହୁଁ ! ସେଇ ଝିଅଟି କି ପ୍ରକାର ଆପ୍ରିସିଏଟ୍‌ କରେ ଜାଣିଛୁ ?

ସୋମଶେଖର ମନେ ମନେ କହିଲେ, ତା’ତ କରିବେ ! ନାରୀ ମାତ୍ରେ ଛଳନାମୟୀ

ମୁହଁରେ କହିଲେ, ବିଦ୍ୟାବୁଦ୍ଧି ଅଛି ତ !

ଯାହା କହିଲୁ । ବୁଦ୍ଧିଟା ଖୁବ୍‌ ଅସାଧାରଣ ବୁଦ୍ଧି । ଠିକ୍‌ ସୁଧାହାସିନୀଙ୍କ ପରି ମଝିରେ ମଝିରେ ଚମକି ପଡ଼େ ।

ସୋମଶେଖର ଦେଖିଲେ ଜେଜେଙ୍କର ଅନେକ ଉନ୍ନତି ହୋଇଛି । ଆଉ ତୁମମାନଙ୍କର ଜେଜେମା’ ନ କହି ସୁଧାହାସିନୀ କହୁଛନ୍ତି, ସୂତପାଙ୍କ ସାଙ୍ଗରେ ସବୁବେଳେ ଗପ କରିବାର ଫଳ । ତାଙ୍କୁ ତ ଆଉ ‘ତୁମ ଜେଜେମା’ କହିବେନି ।

 

କାଲି କ’ଣ କହିଲେ ଜାଣିଛୁ ? କହିଲେ, ମହାରାଣୀ ଯେ ସତରେ ବୁଦ୍ଧିମତୀ ଥିଲେ, ତାଙ୍କର ଯଥା ସମୟରେ ପୃଥିବୀରୁ ଚାଲି ଯିବାରୁହିଁ ବୁଝାପଡ଼େ ! ବୁଢ଼ୀ ହେଲେ ନାହିଁ । ଚିରଯୌବନା ହିଁ ରହି ଗଲେ ।

 

ମୁଁ କହିଲି, ମୋତେ ତ ଏକଲା ଛାଡ଼ି ଦେଇ ଚାଲିଗଲେ ।

 

କହି ଉଠିଲି, ଏକଲା କାହିଁକି ? ଆପଣଙ୍କ ପାଖରେ ପାଖରେ ରହିଛନ୍ତି ସେ । ମୁଁ ତ ଆପଣଙ୍କ ପାଖରେ ତାଙ୍କର ଉପସ୍ଥିତି ଟେର୍‌ ପାଏ । ଶୁଣି ମୋ ଦେହ ଶୀତେଇ ଗଲା ।

 

ଏଇପରି ଭାବରେ କେହି କେତେବେଳେ ବୁଝିପାରି ନାହାଁନ୍ତି । ହୁଁ !

ସୋମଶେଖର ମନେ ମନେ ଭାବିଲେ, ଧୁରନ୍ଧର ମହିଳା ।

 

ଶଶୀଶେଖର ପୁଣି କଥା ଆରମ୍ଭ କଲେ, କିନ୍ତୁ ସୋମ, ଆମେ ତ ଆଡ଼ଭର୍ଟାଇଜମେଣ୍ଟରେ କହିଥିଲୁ ପ୍ରାୟ ଦେଢ଼ମାସ ରହିବାକୁ ପଡ଼ିପାରେ । କହିଥିଲୁ କି ନାହିଁ ?

 

ସେଇଟାତ କୁହା ହୋଇଥିଲା, ସେଇଥିପାଇଁ ସେ ପୂଜାଛୁଟିର ସୁଯୋଗରେ- କିନ୍ତୁ ଏବେ ଦେଢ଼ମାସ ତ ଅନେକ ଡେରି । ଆମେ ସେତେଦିନ ପର୍ଯ୍ୟନ୍ତ କ୍ଲେମ୍‌ କରିପାରୁ ? ସୋମଶେଖର ହସି ଦେଇ କହିଲେ, ତା’ ହୁଏତ ପାରେ କିନ୍ତୁ କରିବୁ କାହିଁକି ? କରିବୁ କାହିଁକି ?

 

ଉତ୍ତେଜିତ ଶଶୀଶେଖର ଚୁରୁଟ୍‌ଟା ଟାଣୁ ଟାଣୁ କହି ଚାଲିଲେ, କରିବୁନି କାହିଁକି ?

ବାଃ, ସେଥିରେ ଆମର ଲାଭ ?

ଲାଭ ? ତୁ ଏତେ ଇଏ ହୋଇ ଉଠିଲୁ ସୋମଶେଖର ?

 

ଶଶୀଶେଖର ଆହୁରି ଉତ୍ତେଜିତ ହେଲେ । ସବୁ କିଛିରେ ଲାଭ ଲୋକ୍‍ସାନ୍‌ ହିସାବ ଶିଖିଲୁ କେବେଠାରୁ ? ଗୋଟାଏ ମଣିଷ ତୁମମାନଙ୍କ ଘରକୁ ଆସି ପ୍ରାଣପାତ କରି ଖଟିଲେ । ତାଙ୍କ ସମ୍ପର୍କରେ ଆମର କୌଣସି କର୍ତ୍ତବ୍ୟ ନାହିଁ ? ଯେମିତି କାମ ଶେଷ ହେଲା, ‘ସାଙ୍ଗେ ସାଙ୍ଗେ ଭାଗୋ ଇହାଁସେ’ ?

 

କାହିଁକି ଦଶବାର ଦିନ ତାଙ୍କୁ ବିଶ୍ରାମ ଦେବା କଥା ନୁହେଁକି ? ଆଦର ଯତ୍ନ କରି ରଖା ଯାଇପାରେନା ? ତୁମମାନଙ୍କର ଏପଟେ କ’ଣ କ’ଣ ଦେଖିବାର ଅଛି ଦେଖାଇ ଦେବା ଉଚିତ ନୁହେଁକି ?

 

ସୋମଶେଖର ଅବଶ୍ୟ ଶଶୀଶେଖରଙ୍କର ଏଇ ଉତ୍ତେଜନାରେ ଅବାକ୍‌ ହୁଅନ୍ତି ନାହିଁ, ବିଚଳିତ ମଧ୍ୟ ହୁଅନ୍ତି ନାହିଁ । ଏସବୁ ତାଙ୍କର ଦେହସୁହା ।. ନିର୍ଲିପ୍ତ ଗଳାରେ କହିଲେ, ସେ ଯଦି ରହିବାକୁ ରାଜି ହୁଅନ୍ତି, ଏସବୁ କରିବା କ’ଣ କଠିନ କାମ ?

 

ରାଜି ହେବେ ନାହିଁ କାହିଁକି ? ସେଇପରି ଭାବରେ କହିଲେ- ଶଶୀଶେଖର ପ୍ରାୟ ଅଧଖଣ୍ଡ ଚୁରୁଟ୍‌ଟା ଆସ୍‌ଟ୍ରେରେ ପକାଇ ଛିଡ଼ା ହୋଇ ବୁଲୁବୁଲୁ କହିଲେ- ଆଗ୍ରହ ଦେଖାଇବାର ଚେଷ୍ଟା ଦରକାର ସୋମଶେଖର । ଏଇ ଯେ ତୁମର ଏଇ ରଜାଘରେ କେତେ କେତେ ବଡ଼ ବଡ଼ ସାହେବସୁବା ଅତିଥି ହୋଇ ଆସି ଦୁଇ ଚାରି ଦିନ ରହି ଯାଇଛନ୍ତି, କାହା ଜୋର୍‍ରେ ? କେବଳ ଆଗ୍ରହ ଅନୁରୋଧ ଉପରୋଧ !

 

ତା’ହେଲେ ତୁମର ସେଇସବୁ ଅଭ୍ୟାସ ତ ଅଛି ଜେଜେ । ତୁମେହିଁ କହିବ । ମୁଁ ? ମୁଁ କହିଲେ ହେବ କାହିଁକି ?

 

ଶଶୀଶେଖର କହିଲେ, ମୁଁ କହିଲେ, ଭାବିବେ ବୁଢ଼ାର ପାଗଳାମି । ତୁମ୍ଭମାନଙ୍କ ପକ୍ଷରୁ କହିବା ଦରକାର ।

 

ଏଇ ସମୟରେ ଅନୁରାଧା ଆସିଲେ ଡିଉଟି ଦେବାପାଇଁ । ଆଜିକାଲି ଏ କାମଟା ଅନେକ ହାଲ୍‌କା ହୋଇ ଯାଇଛି । ବେଶୀ ସମୟ ସୁତପାହିଁ ଥାଆନ୍ତି କାମ ନେଇ ।

 

ସୋମଶେଖର କହିଲେ, ହେଇତ ତୁମକୁହିଁ ଦରକାର ।

ମୋତେ ପୁଣି କି ଦରକାର ?

 

ଅନୁରାଧା ଏପଟ ସେପଟ ଚାହିଁ କହିଲେ, ମିସ୍‌ ଭଟ୍ଟାଚାର୍ଯ୍ୟ କେଉଁଠି ? ଶଶୀଶେଖର ଗମ୍ଭୀର ଭାବରେ କହିଲେ, ସବୁବେଳେ ତ ଏଇ ଘର ଭିତରେହିଁ କାମ ! ମଣିଷର ଯେ ଟିକେ ରେଷ୍ଟ ଦରକାର ତାହା ତ ତୁମେମାନେ ଥରେବି ଭାବି ଦେଖନା । ଦୁଃଖ କରି କହୁଥିଲେ, ଏତେଦିନ ହେଲା ରହିଛି, ଏଇ ପୂରା ଘରଟା ଏବେବି ଦେଖି ପାରିଲି ନାହିଁ । ଦେଖିବାକୁ ପଠେଇଛି-

 

ଏକୁଟିଆ ।

ଏକୁଟିଆ କାହିଁକି ? ଗୁଡ଼୍‍ଗୁଡ଼୍‍ ସାଙ୍ଗରେ । ଗୁଡ଼୍‍ଗୁଡ଼୍‍ ପାଖରେହିଁ ତ ଦୁଃଖ କରୁଥିଲେ ।

ଗୁଡ଼୍‍ଗୁଡ଼୍‍ ପାଖରେ ? ଦୁଃଖ ପ୍ରକାଶ ।

ଅନୁରାଧା ଅତି କଷ୍ଟରେ ହସ ଚାପି ଚାଲିଯାଆନ୍ତି ।

 

ଆଉ ସୋମଶେଖର କୁହନ୍ତି, ଜେଜେ, ଆଜି ତୁମକୁ ମୋ ହାତରେ ପାଇଛି, ଟିକେ କାମ ଦାମ ଦେଖିଲ !

 

॥୧୭॥

 

ଏହା ପ୍ରଥମେ ରଜାଘରର ଘୋଡ଼ାଶାଳ ଥିଲା ।

 

ଗାଇଡ଼ ଗୁଡ଼୍‌ଗୁଡ଼୍‌ ଦାର୍ଶନିକ ପରି କୁହେ, ଭଲ ଭଲ ସବୁ ବିଲାତି ଘୋଡ଼ା ଥିଲା । ସେ ରାଜା ନାହାଁନ୍ତି କି ସେ ଅଯୋଧ୍ୟା ନାହିଁ । ଏଠି କିଛିଟା ଭଙ୍ଗା ଗାଡ଼ିର ଗ୍ୟାରେଜ ତିଆରି କରା ହୋଇଛି, ଆଉ କିଛିଟା ବେକ ଭାଙ୍ଗି ପଡ଼ିରହିଛି ।

 

ସୁତପା ପଚାରିଲେ, ମରାମତି ହୁଏନା ?

କିଏ ମରାମତି କରୁଛି ?

 

ଗୁଡ଼୍‍ଗୁଡ଼୍‍ ଆଉ ଟିକେ ବିଜ୍ଞ ହୋଇ କହିବାକୁ ଲାଗିଲା, ବର୍ତ୍ତମାନ ଉପର ମହଲାରେ ନୂଆ ନୂଆ ଫ୍ୟାସନ ହେଉଛି, ତଳ ମହଲାକୁ କିଏ ଚାହିଁବ କୁହନ୍ତୁ ।

 

ସୁତପା ମନେ ମନେ ହସନ୍ତି ।

ପିଲାଟି ଦେଖିବାକୁ ଏତେ ଟିକେ, କମ୍‌ ଚତୁର ନୁହଁ ।

 

ଏଠି ଏଇ ପ୍ରକାଣ୍ଡ ହଲରେ ଆଗେ କୁଆଡ଼େ ସାହେବ ସୁବାମାନେ ପାର୍ଟି ବସଉଥିଲେ, ମଦର ଫୁଆରା ବହୁଥିଲା, ଖାନାପିନା ବିରାଟ ବ୍ୟାପାର ! ଆଉ ଆଜି ? ଦେଖନ୍ତୁ ରାଇଜର ପୁରୁଣା ଜିନିଷ, ଆସବାବପତ୍ର ବୋଝେଇ ହୋଇ ପଡ଼ିରହିଛି ।

 

ସୁତପା ଚାହିଁ ଦେଖନ୍ତି, ସତରେତ !

 

ବିରାଟ ହଲ୍‌ଟା ବଡ଼ ବଡ଼ ଆଇନା, ଖଡ଼ଖଡ଼ି ଦିଆ ଝରକା କବାଟଗୁଡ଼ାକ ସବୁ ବନ୍ଦ କରି ଅନ୍ଧାରରେ ବସି ଧ୍ଵଂସର ତପସ୍ୟା କରୁଛନ୍ତି ଘର ଭର୍ତ୍ତି ବଡ଼ ବଡ଼ ଜିନିଷ । ଗୋଡ଼ଭଙ୍ଗା ପ୍ରକାଣ୍ଡ ଗୋଲ ଟେବୁଲ, ଗଦି ଛିଣ୍ଡା ତୁଳା ବାହାରି ପଡ଼ିଥିବା ବଡ଼ ବଡ଼ ସୋଫା, ଭାରୀ ଭାରୀ ଦରାଜ, କାଚ ଫାଟି ଯାଇଥିବା କାନ୍ଥ ଆଇନା ସବୁ ଡେରା ହୋଇ ରହିଛି । ମୁଣ୍ଡ ଉପରେ ତିନିଟା ଝାଡ଼ ଲଣ୍ଠନ, କିନ୍ତୁ ସବୁଗୁଡ଼ାକ ଭଲ ।

 

ଦେଖି ମନଟା ଯେମିତି ‘ହାୟ ହାୟ’ କରି ଉଠିଲା ସୁତପାଙ୍କର ।

 

ସେଇ ଉଦ୍‌ଭ୍ରାନ୍ତ ପ୍ରେମରେ ଉଦ୍‌ଭ୍ରାନ୍ତ ବୃଦ୍ଧ ଏକଦା ଏଇ ସମାରୋହର ନାୟକ ଥିଲେ । ତାଙ୍କର ସେଇ ସୁନ୍ଦରୀ ବିଦୂଷୀ ପ୍ରିୟତମା ପତ୍ନିଙ୍କୁ ନେଇ ଏଇଠି ଆସର ଜମାଇ ବସୁଥିଲେ । ଭାବିଲେ କେମିତି ଲାଗେ । ଲୋକଟି ପ୍ରତି ଶ୍ରଦ୍ଧା ଆସେ ।

 

ରାଜା ବାଦଶାହାମାନଙ୍କର ଯେଉଁ ନିଶ୍ଚିତ ବଦ୍‌ଖିଆଲ, ସେଇଟା ନ ଥିଲା ଭଦ୍ରଲୋକଙ୍କର ।

 

ଏଇଥିପାଇଁ କୁହାଯାଏ ‘ଚିରଦିନ କାହାରି ସମାନ ଯାଏନା’ ! ଗୁଡ଼୍‌ଗୁଡ଼୍‌ ଆଉ ଗୋଟିଏ ମନ୍ତବ୍ୟ ଦିଏ, କିଏ କହିବ ଏ ଜାଗାଟା ଏତେ ଜମଜମାଟ ଥିଲା । ବ୍ରଜଭାଇଙ୍କ ମୁହଁରୁ ସବୁ ଶୁଣିଛି-। ସେଇ ଯେଉଁ ବିରାଟ କାନ୍ଥ ଆଲମାରିଟା ରହିଛି, ସେଇଟା ଭିତରେ ମଦ ବୋତଲ ସଜ୍ଜା ହୋଇ ରହୁଥିଲା । ବିଲାତରୁ ଆସିଥିବା ନାମୀ, ଦାମୀ ବୋତଲ । ସାହେବଗୁଡ଼ାକ କୁଆଡ଼େ ରଙ୍କମାନଙ୍କ ପରି ପିଇ ଦେଉଥିଲେ ! ଆଲମାରିଟା ଭିତରେ ଏବେବି କୁଆଡ଼େ ସୁନ୍ଦର ସୁନ୍ଦର ଗ୍ଲାସ ଓ ବୋତଲ ଜମା ହୋଇରହିଛି । ବ୍ରଜଭାଇଙ୍କ ପାଖରେ ଚାବି, ପ୍ରାଣ ଦେଇ ଗୋଟିଏ ବି କାହାରିକି ଛୁଇଁବାକୁ ଦେବେନି । ତୁମେ ଆଉ କେତେକାଳ ସାଇତି ରଖିବ ? କୁହନ୍ତୁ ଝିଅ ଡାକ୍ତର ବାବୁ ! ତୁମେବି ତ ପ୍ରାୟ ରାଜା ବାହାଦୂର୍‍ଙ୍କର ପାଖାପାଖି ବୟସର ! ବିଧୁମାଉସୀ କହନ୍ତି, ବ୍ରଜ ମରିଯାଇ ଯକ୍ଷ ହୋଇ ଏଇ ରଜାଘରର ଭଙ୍ଗା ଜିନିଷକୁ ସାଇତି ରଖିବ ।

 

ଗୁଡ଼୍‌ଗୁଡ଼୍‌ ଚେହେରା ଦେଖିଲେ, ବୟସ ବୁଝିବାର ଉପାୟ ନାହିଁ । ପ୍ରାୟ ଗୋଟିଏ ଦଶ ବର୍ଷ ପିଲା ଭଳି ଆକୃତି, କିନ୍ତୁ କଥା ଶୁଣିଲେ ମନେହୁଏ ଜ୍ଞାନବୃଦ୍ଧ ବୋକା ପରି ଧୂର୍ତ୍ତ ମୁହଁ, ହାତରେ ପାପୁଲି ଦୁଇଟା ଚେହେରା ଅପେକ୍ଷା ଛୋଟ ଛୋଟ ।

 

ହାସ୍ୟକର ଦର୍ଶନର ଏଇ ପିଲାଟା ଏଇ ଘରର ସବୁଆଡ଼େ ଅଛି । ରଜାଘର କଥା ସବୁ ତାକୁ ମାଲୁମ ଅଛି । ସୁତପା ଲକ୍ଷ୍ୟ କରିଛନ୍ତି ଏବଂ ସନ୍ଦେହ କରିଛନ୍ତି, ପିଲାଟା ଏଇ ସଂସାର ରଣକ୍ଷେତ୍ରର ଗୁପ୍ତଚର କି ନୁହେଁ ।

 

ଯଦିଓ ଅନୁରାଧା କୁହନ୍ତି, ଏମାନେ ସମସ୍ତେ ଗୁପ୍ତଚର ।

କାହାର ?

କାହାର ଆଉ, ସମସ୍ତେ ସମସ୍ତଙ୍କର ।

ତେବେ ପ୍ରଧାନତଃ ମଧୁମାଳତୀ ଦେବୀଙ୍କର । ତାଙ୍କ ମହଲଟା ହେଉଛି ମୂଳ ଘାଟି !

 

ଆଚ୍ଛା, ତୁମେମାନେ ମୋତେ ଏମିତି ଅଦ୍ଭୁତ ନାଁରେ ଡାକ କାହିଁକି ? ‘ଝିଅ ଡାକ୍ତରବାବୁ’ ପୁଣି କ’ଣ ? ଏଇଟା କ’ଣ ଗୋଟାଏ ନାଁ ?

 

ଆଜ୍ଞା, ସାନରାଣୀମା’ ତ ସେଇଆ କୁହନ୍ତି ।

କୁହନ୍ତୁ । ତୁମେମାନେ ମୋତେ ‘ଦିଦି’ କହିପାରନା ?

 

ଗୁଡ଼୍‌ଗୁଡ଼୍‌ ଜିଭ କାମୁଡ଼ିଲା । ସେଇଟା କେମିତି ହେବ ? ମାନ୍ୟତା ନାହିଁ ଆପଣଙ୍କର ?

ସେଇଟାହିଁ ମୋର ମାନ୍ୟତା । ଝିଅ ଡାକ୍ତରବାବୁ ! ଅଦ୍ଭୁତ ! ମୁଁ କ’ଣ ଡାକ୍ତର ?

ଡାକ୍ତର ନୁହଁନ୍ତି ?

ଗୁଡ଼୍‌ଗୁଡ଼୍‌ର ବେକ ପାଖଟା ସଲସଲ ହୁଏ ।

ନା ।

ତେବେ ଆପଣ ଆସିଛନ୍ତି କାହିଁକି ?

ଆସିଛି ରାଜାବାହାଦୂର୍‍ଙ୍କ ଲେଖାପଢ଼ି କାମ କରିବାପାଇଁ । ଶେଷହେଲେ ଚାଲିଯିବି ।

ଗୁଡ଼୍‌ଗୁଡ଼୍‌ କ’ଣ ଗୋଟାଏ କହିବାକୁ ଯାଇ ଚୁପ୍‌ ହୋଇଯାଏ ।

ତୁମମାନଙ୍କର ସାନରାଣୀମା’ ସାଙ୍ଗରେ ଦେଖା ହୋଇପାରିବନି ?

 

ଗୁଡ଼୍‌ଗୁଡ଼୍‌ ଉତ୍ସାହର ସହ କହିଲା, କାହିଁକି ହେବନି ? ସେ ତ କହୁଥିଲେ, ଏତେଦିନ ହେଲା ଆସିଲେଣି, ଦିନେବି ତ ଦେଖା କରିବାକୁ ଆସନ୍ତିନି । ବ୍ୟାପାର କ’ଣ ?

 

ସୁତପା ପ୍ରାୟ ଜୋରରେ ହସି ଦେଇ କୁହନ୍ତି । ଆଚ୍ଛା ଚାଲ, ଆଜି ଦେଖା କରି ଆସେ । ଗୁଡ଼୍‌ଗୁଡ଼୍‌ର ଏଇ ପ୍ରକାର କହିବାଟା ଯେ ବୋକାର ସରଳତା ନୁହଁ, ଗୋଟିଏ ସୂକ୍ଷ୍ମ କୂଟନୈତିକ ଚାଲ, ସେଇ ଚାଲ୍‌ ଖେଳି ସେ ସମସ୍ତଙ୍କୁ ମନେଇ ରଖି ତା’ର ପୋଷ୍ଟଟିକୁ ବଜାୟ ରଖି ଚାଲିଛି, ତାହା ବୁଝିପାରନ୍ତିନି ‘ଡକ୍ଟର ସୁତପା ଭଟ୍ଟାଚାର୍ଯ୍ୟ । ଭାବନ୍ତି- ନା, ନା, ପିଲାଟା ବୋକା ।

 

ତେଣୁ ନିହାତି ବୋକା ଭାବରେ ସେ ପୁଣି କହେ, ତାଙ୍କ ପାଖକୁ ଯିବାକୁ ହେଲେ ଜୋତା ପିନ୍ଧି ତାଙ୍କର ଇଲାକା ବି ମାଡ଼ି ହେବନି । ସେଇ ଅଗଣାରେ ଜୋତା ଖୋଲି ବାରଣ୍ଡା ଉପରକୁ ଯିବାକୁ ହେବ ।

 

ଠିକ୍‌ ଅଛି ।

ବୋହୂରାଣୀମା’ଙ୍କର ରୋଗ ବ୍ୟାଧିର କିଛି ଉପଶମ ହେଲା ?

 

ରୁପା ପିକଦାନିଟା ହାତରେ ଧରି ପାନପିକ ପକାଇ ମଧୁମାଳତୀ ଦେବୀ ପ୍ରଶ୍ନ କଲେ, ଛୁଆପିଲା ହେବ ବୋଲି ମନେହୁଏ ?

 

ଭାଗ୍ୟ ଭଲ ସୁତପାଙ୍କୁ ଗୋଟାଏ ଶ୍ଵେତପଥର ଦିଆ ଚୌକି ଆଗେଇ ଦେଇଥିଲେ ବସିବା ପାଇଁ । ତେଣୁ ସୁତପା ଠିକ ଭାବରେ ବସି ରହିପାରିଥିଲେ, ତା’ ନ ହେଲେ ଛିଡ଼ା ହୋଇଥିଲେ ନିର୍ଘାତ ମେଜିଆ ଉପରେ ବସି ଯାଇଥାଆନ୍ତେ ।

 

ସୁତପା ଅକାରଣରେ ଚଷମା ଖୋଲି କାଚ ପୋଛୁ ପୋଛୁ କହିଲେ, ମୁଁ କିନ୍ତୁ ଆପଣଙ୍କ କଥା କିଛି ବୁଝିପାରିଲିନି ।

 

ଏଥିରେ ଆଉ ନ ବୁଝିବାର କ’ଣ ଅଛି ?

 

ମଧୁମାଳତୀ ରୁପା ଡବାରୁ ଆଉ ଗୋଟାଏ ପାନ ମୁହଁରେ ପୂରାଇ ଇଶାରା କରି ପଚାରିଲେ, ଚାଲେ ?

 

ନା; କିନ୍ତୁ ଆପଣ କ’ଣ କହିଲେ କୁହନ୍ତୁତ ?

 

କହିଲି ପୁଣି କ’ଣ ! ତୁମକୁ ଯେଉଁ କାମପାଇଁ ଅଣା ହୋଇଛି, ତା’ର କିଛି ସମାଧାନ ହେଲା ? ସେଇଟାହିଁ ପଚାରୁଛି ।

 

ସୁତପା ଦୃଢ଼ ଗଳାରେ କହିଲେ, ମୋତେ ରାଜାବାହାଦୂର୍‍ଙ୍କ ଲେଖା କପି କରିବାକୁ ଅଣାହେଇଛି ।

 

ସେଇ କୋବି ବାଇଗଣ ତ ଥିଲା । ସେଇଟା କିଏ ନ ଜାଣେ ? ବଡ଼କୁମାର ତା’ର ବନ୍ଧ୍ୟା ସ୍ତ୍ରୀଙ୍କ ଛୁଆପିଲା ହେବା ଚେଷ୍ଟାରେ ଆଣିନାହାଁନ୍ତି ତୁମକୁ ?

 

ସୁତପା କୁହନ୍ତି, ବୁଝିପାରୁନି ଏଠି ପାଗଳ କିଏ ?

ପାଗଳ କେହି ନୁହଁନ୍ତି ।

ମଧୁମାଳତୀଙ୍କ ବିରସ କଣ୍ଠ, ତେବେ ପାଗଳୀ ସାଜିବାର ସୁବିଧା ଅଛି ।

ଆଚ୍ଛା, ମୁଁ ଆସୁଛି ।

 

ରାଗିବାର କିଛି ନାହିଁ ! ତୁମେ ଲେଡ଼ୀ ଡାକ୍ତର ନୁହଁ ? ବୋହୂରାଣୀଙ୍କୁ ଲାଗିପଡ଼ି ଚିକିତ୍ସା କରିବାପାଇଁ ଅଣାଇ ନାହାନ୍ତି ତୁମକୁ ବଡ଼ କୁମାର ?

 

ଆପଣ ଯଦି ସେଇଆ ଭାବି ଥାଆନ୍ତି, ଭାବନ୍ତୁ । ମୋର କିଛି କହିବାର ନାହିଁ । ତେବେ ମୁଁ ଡାକ୍ତର ନୁହେଁ, ମାଷ୍ଟର । କଲେଜରେ ପଢ଼ାଏ । ଶୁଣିଛି ଆପଣଙ୍କ ପୁଅ କୁଆଡ଼େ କଲିକତାରେ ରହି ଡକ୍ଟରେଟ୍‍ କରୁଛନ୍ତି । ଆପଣ ଯେ କେମିତି ଏଇପରି ଅଦ୍ଭୁତ କଥା କହିଲେ । ଆଚ୍ଛା, ନମସ୍କାର ।

 

ସୁତପା ଚାଲି ଆସନ୍ତି ।

 

କିନ୍ତୁ ସାନରାଣୀମା’ଙ୍କର ବାରଣ୍ଡା ପାରି ହେଉଣୁ ନ ହେଉଣୁ କାନରେ ବାଜେ, ଦାଉଁ ଦେଖିଲୁ ହେନା ? ହେବହିଁ ତ, ବଡ଼ ଗଛରେ ନୌକା ବାନ୍ଧିଛନ୍ତି ଯେ ! ଚୌକିଟା ଗୋବର ପାଣି ଦେଇ ଧୋଇଦେ, ଭଗବାନ ଜାଣନ୍ତି ଖ୍ରୀଷ୍ଟାନ୍ନ-ମ୍ରିଷ୍ଟାନ୍ନ କି ନାହିଁ ।

 

॥୧୮॥

 

ତୁମ ଘରଟା ଆଜି ବୁଲିବୁଲି ସବୁ ଦେଖିଲି । ଅବଶ୍ୟ ‘ଘର’ କହିବା ଠିକ୍ ନୁହେଁ, ପ୍ରାସାଦ, ବାପ୍‌ରେ ବାପ୍‌, ଚାଲି ଚାଲି ଗୋଡ଼ ଦରଜ ହୋଇଯାଇଛି ।

 

ଆଜି ସୋମଶେଖର ଯାଇଛନ୍ତି ରାଣୀଗଞ୍ଜ, ଦିନବେଳା ଖାଇବା ଟେବୁଲରେ କେବଳ ଅନୁରାଧା ଆଉ ସୁତପା ! ଆସିବା ପରଠାରୁ ତିନିଜଣ ଏକାଠି ଖାଉଥିଲେ । ଖାଇବା ଟେବୁଲ ଉପରେ ଯେଉଁ ଗପ ହେଉଥିଲେ, ସେଥିରେ ମୁକ୍ତିର ସ୍ଵାଦ ନ ଥିଲା ।

 

ଦେଖି କେମିତି ଲାଗିଲା ? ପଚାରିଲେ ଅନୁରାଧା ।

 

ସୁତପା କହିଲେ, ଗୋଟିଏ ପଦରେ କହିବା ସମ୍ଭବ ନୁହେଁ । ଏହାର ଠିକ୍‌ ଗୋଟାଏ ବିଶେଷ ଅଖଣ୍ଡ ମୂର୍ତ୍ତି ନାହିଁତ ! ଭଗ୍ନଦଶାଗ୍ରସ୍ତ ପ୍ରାସାଦ ଦେଖିଛି, ତାର ସବୁଠି ସେଇ ଏକାଦଶା । ତୁମର ଏଠି ତିନିଦଶା । ମନେହେଲା ଯେମିତି ମଧ୍ୟଯୁଗର ଗୋଟିଏ ଛାଞ୍ଚର ମଝିରେ ମଝିରେ ହଠାତ୍‍ ହଠାତ୍‌ ଖାସ୍‌ ବାଲିଗଞ୍ଜର କିଛି କିଛି ଟୁକୁରା ତୋଳି ଆଣି ବସାଇ ଦିଆ ହୋଇଛି ।

 

ଅନୁରାଧା ଟିକେ ହସିଲେ । ସେ ହସରେ ଉଜ୍ଜ୍ୱଳତା ନାହିଁ ।

 

ତାଙ୍କର ମଧ୍ୟ ଠିକ୍‌ ଏଇପରି ମନେହୁଏ । ଅଥଚ ଏହା ମଧ୍ୟ ଅନୁରାଧା ଜାଣନ୍ତି, ତାଙ୍କରି ସୁବିଧାପାଇଁ ଏତେ ଆୟୋଜନ ସୋମଶେଖରଙ୍କର । ତା’ଛଡ଼ା ବାସ୍ତବ ଦିଗରୁ ଦେଖିବାକୁ ଗଲେ, ଅସ୍ଵୀକାର କରାଯାଇପାରେନା । ତଳମହଲାରେ ରୋଷେଇ ଘର ପାଖରେ ସେଇ ବିରାଟ ଡାଇନିଂ ରୁମ୍‌ଟାରେ ଯେଉଁ ଘରର ସିଲିଂ ଦେଖିବାକୁ ବେକକୁ ଉଚ୍ଚ କରିବାକୁ ହୁଏ, ଯାହାର ଝରକା ବନ୍ଦ କରିବାକୁ ଚାକରକୁ ଡାକିବାକୁ ପଡ଼େ । ସେଇ ଘର ଭିତରେ ଈଷତ୍‌ ମଳିନ ହୋଇ ଆସିଥିବା ଶୋଇବା ଘର ଖଟ ପରି ବିରାଟ ଆକୃତିର ଧଳା ପଥରର ଡାଇନିଂ ଟେବୁଲଟାରେ ଏକଲା ଖାଇବାପାଇଁ ବସିବାକୁ ହେଲେ ଖାଇବା ଛାଡ଼ି ଦେବାକୁ ହୋଇଥାଆନ୍ତା ଅନୁରାଧାଙ୍କୁ ।

 

ଦୋତାଲାରେ ଏଇ ବାରଣ୍ଡା ସଂଲଗ୍ନ ସାଧାରଣ ଆକାରର ଘରଟାକୁ ସୋମଶେଖର ଡାଇନିଂ ରୁମ୍‌ କରିଛନ୍ତି । ପୂରା ହଲ୍‌ ଡିଜାଇନର ଡାଇନିଂ ଟେବୁଲ ଚେୟାର ଦେଇ । ଏଠିକାର ବାସନପତ୍ର, ସାଜସଜ୍ଜା ସବୁ ନୂଆ । ଝରକାରେ ମୋଟା ମୋଟା ଲୁହା ଗାରଦ ଉଠାଇ ସୁନ୍ଦର ଗ୍ରୀଲ୍‌ ତିଆରି କରାହେଇଛି । ଏଠି ମୁଣ୍ଡଉପରେ ବୁଲୁଥିବା ପଙ୍ଖା, କାନ୍ଥରେ କାନ୍ଥରେ ଟିଉବୁ ଲାଇଟ୍‌, ଝରକା, କବାଟରେ ବାଲିଗଞ୍ଜର ଡିଜାଇନପୂର୍ଣ୍ଣ ପରଦା । ଏଇ ପରିବେଶଟା ନ ପାଇଥିଲେ କେମିତି ଲାଗିଥାଆନ୍ତା କହିବା କଷ୍ଟକର । ଅନୁରାଧା କହିଲେ, ବାଲିଗଞ୍ଜର ଝିଅକୁ ନେଇ ଆସି ରାଜକୁମୀରଙ୍କର ଏଇ ଦୁର୍ମତି ।

 

ସୁତପା କହିଲେ, ଅବଶ୍ୟ ଏଇଟା ରାଜକୁମାରଙ୍କ ମହାନୁଭବତା, ତେବେ ଦେଖବାକୁ କେମିତି ଲାଗେ ! ହେଇତ, ଏଠି ବାଲିଗଞ୍ଜର ଟୁକୁରା ଭିତରେ ବସି ରହିଛି ? ତଳ ମହଲାକୁ ଓହ୍ଲାଇ ଗଲେ ମନେହେବ ମଧ୍ୟଯୁଗକୁ ଚାଲି ଆସିଛି । ଆଉ ତୋ’ର ସେଇ ଖୁଡ଼ୀଙ୍କର ମହଲ ତ ସ୍ରେଫ ମୋଗଲ ହାରେମ୍‌ । କେତେ ଖିଲାଣ, କେତେ ଜାଫରି । ଝରକାଗୁଡ଼ାକ ସବୁ ଉଚ୍ଚାରେ ଉଚ୍ଚାରେ ।

 

ଅନୁରାଧା କହିଲେ, ବ୍ରଜଭାଇଙ୍କ ପାଖରୁ ଶୁଣିଛି ସେଇ ମହଲଟା ଥିଲା ନୂଆବୋହୂ ହୋଇ ଆସିଥିବା ବୋହୂମାନଙ୍କ ପାଇଁ, ଯେମିତି ନରଲୋକରେ ସେମାନଙ୍କ ମୁହଁ କେହି ନ ଦେଖିପାରନ୍ତି । ଗୋଟିଏ ଦୁଇଟି ଦାସୀ ସମ୍ବଳ କରି ରହିବାକୁ ପଡ଼େ । ଛୁଆ ପିଲା ହେଲେ, ତେବେ ଯାଇ ଉପର ମହଲାକୁ ପ୍ରମୋଶନ୍‌ ।

 

ସୁତପା ଦୁଷ୍ଟ ହସ ହସି କୁହନ୍ତି, ନରଲୋକରେ କୌଣସି ନରକରେ ବି ପଶିବାକୁ ଦିଆ ହେଉ ନ ଥିଲା ? ଅନୁରାଧା ହସନ୍ତି, ହେଉଥିଲା ‘ସ୍ପେଶାଲ୍‌ କେସ୍‌’ରେ । ତେବେ ଦିବାଲୋକରେ ନୁହେଁ ।

 

କି ଅଦ୍ଭୁତ ଅବସ୍ଥା ଥିଲା ସ୍ତ୍ରୀଲୋକମାନଙ୍କର ।

 

ଏବେବି କିଛି ସ୍ୱାଭାବିକ ନାହିଁ । ଛାଡ଼, ସାନରାଣୀମା’ଙ୍କୁ ଦେଖିବାର ସୌଭାଗ୍ୟ ହେଲା-?

 

ସୁତପା ପାଣି ଗିଲାସଟା ମୁହଁକୁ ନେଇ କହିଲେ, ହଁ, ହେଲା ।

କେମିତି ଲାଗିଲା ?

 

ଚମତ୍କାର । ଅନେକ ବିଷୟରେ ଜ୍ଞାନ ଅଛି । ତାଙ୍କରି ପାଖକୁ ଯାଇ ମୁଁ ଜାଣିପାରିଲି ଯେ ମୁଁ କାହିଁକି ଏଠିକି ଆସିଛି ।

 

ତୁ କାହିଁକି ଏଠିକି ଆସିଛୁ ସେଇଟା ଜାଣିପାରିଲୁ ତାଙ୍କ ପାଖକୁ ଯାଇ ?

ସୁତପା ପାଣି ପିଇବାକୁ ଯାଇ ତଣ୍ଟିରେ ଲାଗିଲା ।

 

ତା’ପରେ କହିଲେ, ସେଇଆ ତ ଜାଣିଲି । ସତରେ କେତେ କମ୍‌ ଜ୍ଞାନ ଆମମାନଙ୍କର-। ନିଜ କଥା ନିଜେହିଁ ଜାଣୁନା ।

 

ସୁତପାଙ୍କ ଆଖିରେ କୌତୁକ ମାଡ଼ି ଆସେ । ଅନୁରାଧା ଜାଣିପାରନ୍ତି, ବୋକାଙ୍କ ଭଳି ଓଲଟା ପାଲଟା କିଛି କହିଛନ୍ତି ସାନରାଣୀମା’ । ହସି କହିଲେ, କ’ଣ ଜାଣିଲୁ ?

 

ଜାଣିଲି ? ଜାଣିଲି-

 

ଆଉଥରେ ଢୋକ ଗିଳି ନେଇ ସୁତପା କହିଲେ, ମୁଁ ଗୋଟିଏ ଅଭିଜ୍ଞ ‘ଲେଡ଼ୀ ଡାକ୍ତର’-। ଏ ଘରର ବଡ଼କୁମାର ତାଙ୍କର ପ୍ରିୟତମା ପତ୍ନୀଙ୍କର ‘ଲାଗିପଡ଼ି’ ଚିକିତ୍ସା କରିବାପାଇଁ କଲିକତାରୁ ନେଇଆସି ମାସେ ପାଖାପାଖି ହେଲା ପୋଷିଛନ୍ତି ମୋତେ ।

 

ଅନୁରାଧାଙ୍କର ମୁହଁର ହସ ମିଳେଇ ଯାଏ ।

 

ଆଖି ଓ କପାଳକୁ କୁଞ୍ଚିତ କରି କୁହନ୍ତି, ସତେ ? ଆଚ୍ଛା, ସେଇ ପ୍ରିୟତମା ପତ୍ନୀଙ୍କର ବ୍ୟାଧିଟା କ’ଣ ? ମୁଣ୍ଡର ଗୋଳମାଳ ?

 

ସୁତପା ମୁଣ୍ଡ ହଲାଇ କହିଲେ, ଉଁ ହୁଁ । ସେଥିପାଇଁ ଲେଡ଼ୀ ଡାକ୍ତର କାହିଁକି ? ବ୍ୟାଧି ଅନୁର୍ବରତା । ଅନୁରାଧାଙ୍କ ଗୋରା ମୁହଁଟା ଲାଲ ହୋଇ ଉଠିଲା ।

 

କହିଲେ, ଏଇ କଥା କହିଲେ ସେ ?

 

ସ୍ପଷ୍ଟ ପରିଷ୍କାର, ରାଜାବାହାଦୂର୍‍ଙ୍କର ‘କୋବି ବାଇଗଣ’ ଯେ ଛଳନା, ସେଇଟା ତାଙ୍କୁ ପୂରା ଜଣା । ସେଇଥିପାଇଁ ତ କହୁଛି, ଅସୀମ ଜ୍ଞାନ, ଆଶ୍ଚର୍ଯ୍ୟ ଅଥଚ ସେଦିନ ତୁ କହିଲୁନି ଯେ ତାଙ୍କ ପୁଅ କେବଳ ପଢ଼ି ଚାଲିଛନ୍ତି ।

 

ଏ ପୁଅ ସାଙ୍ଗରେ ମା’ଙ୍କର କୌଣସି- କିଏ ? କିଏ ସେଠି ?

ପ୍ରକାଣ୍ଡ କାଚ କବାଟ ପାଖରୁ କାହାର ଯେମିତି ଛାଇ ଅପସରି ଗଲା ।

 

ରହ, ମୁଁ ଦେଖି ଆସେ । ଅନୁରାଧା ଖାଉ ଖାଉ ଉଠି ଦେଖି ଆସିଲେ ! କିନ୍ତୁ କହିଲେ ଦେଖି ପାରିଲିନି । ନିଶ୍ଚିତ ଗୁଡ଼୍‌ଗୁଡ଼୍‌ । କାନେଇ କାନେଇ ଶୁଣୁଥିଲା ।

 

ସୁତପା ଖାଇବା ବନ୍ଦ କରି ପଚାରିଲେ, କାହିଁକି କହିଲୁ ?

 

ସେଇଟାହିଁ ରହସ୍ୟ । ଏ ଘରର ଲୋକମାନେ ଅଦ୍ଭୁତ । ଅକାରଣରେ ସମସ୍ତେ ସମସ୍ତଙ୍କ ପଛରେ କାନ ଡେରି କଥା ଶୁଣନ୍ତି । ଛାଡ଼, ଖୁଡ଼ୀ ବେଶି ମଜବୁତ୍‌ ଗୋଟାଏ ସନ୍ଦେହ ଆଣି ଛିଡ଼ା କରେଇ ଦେଇଛନ୍ତି ବର୍ତ୍ତମାନ । ଆହୁରି ଗୋଟାଏ ଭଲ ଧାରଣା ଅଛି ତାଙ୍କର, ଏ ସଂସାରରେ ମୁଁ ଏକଲା ସର୍ବେସର୍ବା ହୋଇ ରହିବାକୁ ଚାହେଁ ବୋଲି ତାଙ୍କର ପୁଅ ବିଷୟରେ ମନ ଦେଉନି ।

 

ସୁତପା କହିଲେ, ପୁଅଟି କ’ଣ ଦୁଗ୍ଧପୋଷ୍ୟ ? ତୁ ମନ ନ ଦେଲେ ସେ ପଡ଼ି ରହିବେ ? ସେଇଟାହିଁ ତ ଶୁଣୁଛି ।

 

ଆଚ୍ଛା, ସେ ନିଜେ ବାହା ଦେଇପାରନ୍ତି ? ତାଙ୍କର ମନମୁତାବକ ପାନ ଗୁଣ୍ଡି ଖାଉଥିବା ଝିଅ ଗୋଟାଏ ଯୋଗାଡ଼ କରି ।

 

ଅନୁରାଧା ଟିକେ ଶଙ୍କିତ ଗଳାରେ କହିଲେ, ଥାଉ ଭାଇ ସେ କଥା । ଏ ଘରେ କାନ୍ଥର ବି କାନ ଅଛି ।

 

ସୁତପାଙ୍କର ଖାଇବା ସରି ଯାଇଥିଲା । ଟେବୁଲକୁ ଟିକେ ଠକ୍‌ ଠକ୍‌ କରି ଆସ୍ତେ ଆସ୍ତେ କହିଲେ, ଆଚ୍ଛା, ସେଇ ଗାଉଁଲି ମହିଳାଟିକୁ ତୋ’ର ଏତେ ଡର କାହିଁକି ?

 

ଅନୁରାଧା କହିଲେ ଜାଣେନା । ସେଇ ପାଗଳ ବୃଦ୍ଧଙ୍କୁ ମଧ୍ୟ ଏତେ ଡର କାହିଁକି ? କାହିଁକି ଡର, ଘରର ଦରମା ଦିଆ ଲୋକବାକଙ୍କୁ ମଧ୍ୟ । ଆସିବା ପରଠାରୁ ଦେଖୁଛି, ଘରର ବଡ଼ ରାଜପୁତ୍ର ଜଣକ ମଶା, ମାଛିକି ବି ସମୀହ କରି ଚଳନ୍ତି, ମୋର ମଧ୍ୟ ସେଇ ଅଭ୍ୟାସ ହୋଇଯାଇଛି-। କିଛି ନ ବୁଝିହିଁ ଡରି ରହିଥାଏ ।

 

ସୁତପା, ଅନୁରାଧାଙ୍କର ମୁହଁ ଆଡ଼କୁ ଚାହିଁଲେ ।

ଆହତ, ଉତ୍ତେଜିତ, ଲଜ୍ଜିତ । ଲାଲ ମୁହଁଟା ଯେମିତି ଫାଟିପଡ଼ୁଛି ।

 

ଅଥଚ ଏହାର ଷୋହଳ ଅଣା ସୁଖରୁ କୌଣସି ବାଧା ରହିବାର କଥା ନୁହେଁ । ରାଜପରିବାରର ବୋହୂ, ଅସ୍ତମିତ ସୂର୍ଯ୍ୟ ହେଲେବି ନୂଆଆଲୁଅର ଜୁଆରରେ ଅବସ୍ଥା ସ୍ୱଚ୍ଛଳ, ସ୍ଵାମୀ ଜଣକ ସ୍ନେହମୟ, ପ୍ରେମମୟ, ଉଦାର, ଶାନ୍ତିପିୟ (ଶାନ୍ତିପ୍ରିୟମାନେହିଁ ତ ସମସ୍ତଙ୍କୁ ସବୁକିଛିକୁ ଭୟ କରି ଚାଲନ୍ତି ।) ଏବଂ ସ୍ତ୍ରୀଙ୍କର ସୁଖ ସୁବିଧା ବିଧାନପାଇଁ ତତ୍‌ପର । ସେଥିରେ କୃପଣତା ନାହିଁ, ଶିଥିଳତା ନାହିଁ ।

 

ତେବେବି ଅନୁରାଧା ନାମକ ଝିଅ ଜଣକ ମନରେ ସୁଖ ନାହିଁ । ବୁଝିପାରୁଛନ୍ତି ସୁତପା ଏହି ସତ କଥାଟା । କିନ୍ତୁ କରିବାର ବା କ’ଣ ଅଛି ? ହଁ, କରାଯାଇପାରେ, ପରିସ୍ଥିତିକୁ ହାଲ୍‌କା କରିଦେଇ ।

Unknown

 

ଅତଏବ ସୁତପା ସେଇଟାହିଁ କଲେ ।

 

କହି ଉଠିଲେ, ବାପ୍‌ରେ, ଇଏ ଯେମିତି ‘ତୁମରି ଗରବରେ ଗରବିଣୀ ମୁଁ, ରୂପସୀ ତୁମରି ରୂପରେ’ । ବେଶ୍‌ ଭଲ ଅଛିରେ ବାବା ବାହା-ଫାହା ଗାଡ଼ରେ ନ ପଡ଼ି । ଭାଗ୍ୟ ଭଲ କଳା-ଫଳା ହୋଇ ଜନ୍ମ ହୋଇଥିଲି । ତୋ ପରି ରୂପସୀ ହେଲେ କ’ଣ ଆଉ ନିଜେହିଁ ନିଜେ ଜୀବନର ମାଲିକ ହୋଇ ରହିପାରି ଥାଆନ୍ତି । ହୁଏତ ନାବାଳିକା ହରଣ ହୋଇଯାଆନ୍ତା ।

 

ଅନୁରାଧା କହିଲେ, ତୋତେ ହରଣ କରି ନେଇ ଯାଆନ୍ତା କାହାର ସାଧ୍ୟ ? ତୁ କ’ଣ କେବେ ନାବାଳିକା ଥିଲୁ ?

 

'ନ ଥିଲି ? ହଁ ସତକଥା । ମୁଁ ବରାବର ଟିକେ ମୁଖରା, ଦସ୍ୟୁ । ଛାଡ଼, ଚାକିରି କରିବାକୁ ଆସି ମୋଫତରେ କିଛିଦିନ ରଜାଘରର ଆଦର ଆପ୍ୟାୟନ ଖାଇ ନେଲି, କିଛି ଅଭିଜ୍ଞତାବି ସଞ୍ଚିତ ହେଲା, ଏଥର ଯିବା ପାଇଁ ବନ୍ଧା ବନ୍ଧା ହେଉ । ବହିଟା ଛପା ହୋଇଗଲେ ମୋତେ ଗୋଟାଏ କପି ପଠାଇବାକୁ ଯେମିତି ନ ଭୁଲି ଯାଉ ।

 

ଅନୁରାଧା ତାଙ୍କର କଥା ମଝିରେହିଁ ଚମକି ଉଠିଥିଲେ, ଆଉ କହିଲେ, ଏବେ ଯିବୁ ମାନେ ? ତୋ’ର ତ ଆହୁରି ଅନେକ ଦିନ ଛୁଟି ବାକି ଅଛି ।

 

ମଲିରେ ମୁଁ । ପୂରା ଛୁଟିଟା ଏଇଠି ‘କଭର’ କରିବାକୁ ପଡ଼ିବ, ଏମିତି କଣ୍ଟ୍ରାକ୍ଟ ଥିଲା ନା କ’ଣ ?

 

ସେଇଟା କରିବା ଉଚିତ ଥିଲା । ଅନୁରାଧା କହିଲେ, କିଏ ଜାଣିଥିଲା ତୁ ଏତେ ପଟାପଟ୍‌ ସେଇ ବିଶାଳ କାମଟାକୁ ଉଦ୍ଧାର କରିଦେବୁ ?

 

ଆଦୌ କାମଟା ବିଶାଳ ନୁହେଁ, ସୁତପା ହସିଲେ, ପାଠକୁ ଉଦ୍ଧାର କରିବାହିଁ ଅସଲକାମ । ସେଥିପାଇଁ ରାଜାବାହାଦୂର୍‍ଙ୍କୁ ପରିଶ୍ରାନ୍ତ କରାଇଛି । ବହୁତ ଜାଗାରେ ତାଙ୍କୁ ପଢ଼ିବାକୁ କହିଛି ।

 

ତା’ବୋଲି ଏତେଶୀଘ୍ର ଶେଷ କରିଦେବା ଉଚିତ ହୋଇନି ତୋ’ର । ଅନୁରାଧା କହିଲେ, ମୋର କଥାଟା ଟିକେ ଭାବିବୁ ତ ? ଏତେ କୌଶଳ କରି ଅଣାଇଲି-

 

ସୁତପା ହସି ଉଠିଲେ, ଇଚ୍ଛା କରି ଡେରି କରିବି ? କରାଯାଇପାରେ ? ଅବଶ୍ୟ ଟିକେ ଡେରି ହେଲେ ମନ୍ଦ ହୁଅନ୍ତାନି । ଦକ୍ଷିଣାର ମାତ୍ରା ଏତେବେଶୀ ହୋଇଯାଇଛି ଯେ ନିଜେ ନିଜ ବିବେକ ପାଖରେ କାମୁଡ଼ା ଖାଉଛି । ମନେହେଉଛି ବୁଢ଼ା ଭଦ୍ରଲୋକଙ୍କ ଗାଲରେ ଚାପୁଡ଼ା ମାରି ଟଙ୍କାଗୁଡ଼ାକ ମାରି ନେଇଯାଉଛି । କୋଉ ବଡ଼ କାମ ଯେ, ତୁ ମଧ୍ୟ ଟିକେ ଟିକେ କରି ଶେଷ କରି ଦେଇପାରିଥାଆନ୍ତୁ । ତେବେ ହଁ, ଯେଉଁ ଗ୍ରନ୍ଥଖଣ୍ଡି ନିର୍ବାଚନ କରିଛନ୍ତି, ଆଉ ଯାହା ଭାଷାର ଛଟା ଅନେକ କଷ୍ଠରେ ହସ ଚାପିବାକୁ ହୁଏ ।

 

ଅନୁରାଧା ଉଠି ହାତ ଧୋଇ ଆସିଲେ ।

ସୁତପା ମଧ୍ୟ ।

ସାଙ୍ଗେ ସାଙ୍ଗେ ସୁଶୀଳା ଆସି ଟେବୁଲ୍‌ ସାଫ୍‌ କରି ନେଇଗଲା ।

କେଉଁଠି ଥିଲା ଇଏ ? କବାଟ ପାଖରେ ବୋଧହୁଏ ?

ଅନୁରାଧା କହିଲେ, ଆ- ସେଇ ସାମନା ବାରଣ୍ଡାରେ ଯାଇ ଟିକେ ବସିବା ।

ଖରା ନାହିଁ ?

ନା, ସେ ଦିଗଟା ପୂର୍ବ । ବର୍ତ୍ତମାନ ଖରା ମରି ଆସିଛି । ନେ- ମିଠା ଗୁଆ ଖା-

 

ଦୁହେଁ ଆସି ବସିଲେ, ସେଇ ଶୋଇବା ଘର ସଂଲଗ୍ନ ବାରଣ୍ଡାରେ, ଏଠି ଚଟ୍‌ କରି କେହି ପଶିପାରେନା ।

 

ଅନୁରାଧା ହାତରେ ଗୋଟାଏ ସିଲେଇ କାମ, ବସିବେ ବୋଲି ସାଙ୍ଗରେ ନେଇ ଆସିଛନ୍ତି । ଓଲଟି ପାଲଟି ଦେଖି ନେଇ ଛୁଞ୍ଚି ବସେଇ ଟିକେ ଲଜ୍ଜା ଲଜ୍ଜା ଗଳାରେ କହିଲେ, ଅନୁରାଧା । ସୁତପା ତୁ ଯାହା କହିଲୁ ହିସାବ ଅନୁସାରେ ତା’ ସତ । ବାହାଘର ପରଠାରୁ ତୁମମାନଙ୍କର ରାଜପୁତ୍ର ସେଇଟା କପି କରିବାପାଇଁ ଅନୁରୋଧ ଚଳାଇ ଆସୁଛନ୍ତି । ସତକଥା କହିବାକୁ ଗଲେ ମୋର ସେଇ କାମ କଥା ଭାବିଲେହିଁ ଦେହରେ ଜ୍ଵର ଆସୁଥିଲା ।

 

ରାଜାରାଜୁଡ଼ା ମଣିଷଙ୍କର ଗୋଟାଏ ସାମାନ୍ୟ ଇଚ୍ଛା ପୂରଣ ହୋଇପାରୁନାହିଁ । ଏଇଟା କିନ୍ତୁ ବଡ଼ ଆଶ୍ଚର୍ଯ୍ୟ ! ଏ ତଲ୍ଲାଟରେ ଇଂରାଜୀ ଲେଖକ ମିଳିଲା ନାହିଁ ?

 

ଅନୁରାଧା ହସି ଉଠିଲେ, ମିଳିବନି କାହିଁକି ? ତେବେ ଯାହା ତାହା ହାତରେ ତ ଆଉ ‘ଉଦ୍‍ଭ୍ରାନ୍ତ ପ୍ରେମ’କୁ ଧରେଇ ଦିଆଯାଇ ପାରେନା ?

 

ତା’ପରେ ଟିକେ ରହସ୍ୟମୟ ହସ ହସି ସୁତପା ଆଡ଼କୁ ଚାହିଁ କହିଲେ, ତୋତେ କିନ୍ତୁ ବିବେକର କାମୁଡ଼ା ନ ଖାଇଲେବି ଚଳିବ । ରାଜାବାହାଦୂର୍‍ ଯେପରି ଭାବରେ ତୋ’ର ପ୍ରେମରେ ପଡ଼ି ଯାଇଛନ୍ତି, ଶେଷରେ ଡବଲ ଦେବାର-

 

ପ୍ରେମରେ ?

 

ସୁତପା ଅଳୀକ କଥା ଶୁଣିବା ପରି ଅବିଶ୍ୱାସର ମୁହଁ କରି କହିଲେ, ପାଗଳୀ ହେଲୁ ? ରାଣୀ ସୁଧାହାସିନୀ ଦେବୀଙ୍କ ଚରଣରେ ଉତ୍ସର୍ଗ କଲା ପ୍ରାଣ ଯେଉଁ ‘ଲକର’ରେ ଗଚ୍ଛିତ ଅଛି, ସେଇ ‘ଲକର’ରୁ ପ୍ରାଣର ଗୋଟିଏ ନୂଆ ପଇସା ବି ବାହାରିବ ନାହିଁ ।

 

ଜଗତରେ କ’ଣ ହୁଏ ଆଉ ନ ହୁଏ !

 

ଅନୁରାଧା କହିଲେ, ଆମେ ତ ଦେଖିଛୁ ତୁ ଆସିବା ପରଠାରୁ ଜେଜେ ଯେମିତି ଏକ ସ୍ଵର୍ଗରାଜ୍ୟରେ ବାସ କରୁଛନ୍ତି ।

 

ସୁତପା କହିଲେ, ଯାହାହେଉ ତୋ’ କଥା ଶୁଣି ନିଜ ଉପରେ ଟିକେ ଭକ୍ତି ଆସୁଛି । କହି ସୁତପା ମୁହଁରେ ହାତ ଚାପା ଦେଇ ଗୋଟାଏ ହାଇ ଉଠେଇଲେ ।

 

ନିଦ ମାଡ଼ୁଛି କିରେ ?

ହଠାତ୍‌ ଯେମିତି ନିଦ ଆସିଗଲା ।

ହଁ, ସେଇଟା ସ୍ୱାଭାବିକ । କେତେଦିନ ହେଲା ଯେଉଁପରି ଭାବରେ ରାତି ଜଗିଲୁ ନା !

 

ରାତିରେ କାମ କରିବାକୁ ମୁଁ ସୁବିଧା ପାଏ । ପଢ଼ିବା ସମୟରେ ବରାବର ଦିନସାରା ଆଡ୍ଡା ମାରି ଆଉ ଶୋଇ ରାତିରେ ପଢ଼େ ।

 

ତା’ହେଲେ ଶୋଇବୁ ଯା । କିନ୍ତୁ ଏବେ ଯିବା କଥା ଉଠେଇବୁ ନାହିଁ । ଅସନ୍ତା ସାତ ତାରିଖରେ ଘରେ ଗୋଟାଏ ଉତ୍ସବ ଅଛି ।

 

କି ବ୍ୟାପାର ?

ଭୟ କରିବାର କିଛି ନାହିଁ । ଗୋଟାଏ ଛୋଟମୋଟ ଉତ୍ସବ ହେବ ।

ମ୍ୟାରେଜ ଆନିଭରସାରି ପରା ? ତା’ହେଲେ ତ-

ଆହାରେ ! କି ବୁଦ୍ଧି ! କାର୍ତ୍ତିକ ମାସରେ କ’ଣ ବାହାଘର ହୋଇଥିଲା ମୋର ?

ଯା- ଏବେ ଶୋଇବୁ ଯା । ପରେ କହିବି ।

ନିଜ ଘରକୁ ଆସି ଶୋଇପଡ଼ିଲେ ସୁତପା ।

 

ସୁଶୀଳା ହାତ-ମୁହଁ ହଲାଇ କହିଲା, ଏଇ ମା’ କାଳୀଙ୍କ ରାଣ ପକାଇ କହୁଛି, ଛୋଟ ରାଣୀମା’, ଖାଇବାକୁ ବସିଲାବେଳେ ଦୁହେଁ ଦୁହିଁଙ୍କୁ ‘ତୁ ତୁ’ କରି କଥାବାର୍ତ୍ତା ହେଉଥିଲେ ।

 

‘ତୁ ତୁ’ କରି ?

 

ଆଉ ମୁଁ କହୁଛି କ’ଣ ? ଆଉ କି ହସଗପ ! ଆଜି ତ ବଡ଼କୁମାର ଘରେ ନାହାନ୍ତି, ତେଣୁ ଖୁବ୍‌ ସ୍ଵାଧୀନତା । ଆହୁରି ଗୋଟାଏ କଥା ରାଣୀମା’ ଭୟରେ କହିବି ନା ନିର୍ଭୟରେ କହିବି-?

 

ଢଙ୍ଗ କରୁଛୁ କାହିଁକି ? ଯାହା କହିବୁ କହୁନୁ ।

ଆପଣଙ୍କୁ ନେଇ ଦୁହେଁ କି ହସ-ତାମ୍‌ସା ।

ମୋତେ ନେଇ ?

ଧନୁତୀର ଭଳି ଛିଟିକି ଉଠନ୍ତି ମଧୁମାଳତୀ ଦେବୀ ।

ମୋତେ ନେଇ କି ପ୍ରକାର ହସ-ତାମ୍‍ସା ?

 

ଏଇ ଆପଣଙ୍କର ବୁଦ୍ଧି କମ୍‌, ଆପଣ ଗାଉଁଲି ପରି କଥା କୁହନ୍ତି, ମୁଣ୍ଡ କାଟିବେନି ରାଣୀମା’, ଆପଣ ଅଭୟ ଦେଲେ ତେଣୁ କହିଲି ।

 

କହିଛନ୍ତି ଏ କଥା ? ଆଛା ? ଆଉ କ’ଣ କ’ଣ କହିଛନ୍ତି ଶୁଣେ ?

ମଧୁମାଳତୀଙ୍କର ମୁହଁର ଚେହେରା ମହୁମାଛିର ଫେଣା ଭଳି ହୋଇଗଲା ।

 

ଆହୁରି କେତେ କଥା । ସବୁକିଛି କ’ଣ ବୁଝିପାରିଲି ମୁଁ ! ମଝିରେ ମଝିରେ ଇଂରାଜୀ ବୁଲି । ତେବେ ଆମ ଛୋଟ କୁମାରଙ୍କ କଥାବି ଉଠିଲା । ମା’ ଏତେ ବୋକା ତ ପିଲା ସେମିତି ବିଦ୍ଵାନ ହେଲା କେମିତି ? ଏଇସବୁ । ଆପଣ ତାଙ୍କର ଚୌକି ଗୋବର ପାଣିରେ ଧୋଇବାକୁ କହିଲେ, ତାକୁ ବି ଲଗାଇଦେଲେ ।

 

ଜଣାଗଲା, ବୋକା ମୂର୍ଖ ବୋଲି ଯେଉଁମାନଙ୍କୁ ଅବଜ୍ଞା କରାହୁଏ, ସେମାନେ ଅସଲରେ ବୋକାବି ନୁହଁନ୍ତି ମୂର୍ଖବି ନୁହଁନ୍ତି ।

 

ଗୁଡ଼୍‌ଗୁଡ଼୍‌ ବାରଣ୍ତାର ଗୋଟାଏ ପଟେ ବସି ଗୋଟାଏ ଆଖୁ ନେଇ ଚୋବାଉଥିଲା, ଛେଦରାକୁ ନିଜ କୋଳରେ ପକାଉଥିଲା ।

 

ବିଧୁ କହିଲା, ସେଇଟା କ’ଣ କରୁଛୁ ଗୁଡ଼୍‌ଗୁଡ଼୍‌ ? ଲୁଗାଟାକୁ ଅଇଁଠା କରୁଛୁ ?

 

ଗୁଡ଼୍‌ଗୁଡ଼୍‌ କହିଲା, ବର୍ତ୍ତମାନ ତ ଗାଧୋଇବାକୁ ଯିବି । ତା’ପରେ ମୁରୁକି ମୁରୁକି ହସି କହିଲା, ସୁଶୀଳା ଦିଦି ଯେମିତି କେତେ ନୂଆ କଥା ଶୁଣାଉଛନ୍ତି । ମୁଁ ସେଇ ପ୍ରଥମ ଦିନରୁହିଁ ଦେଖୁଛି- ଲୋକସାମନାରେ ‘ଆପଣ ଆଜ୍ଞା’ ଲୋକ ଆଢ଼ୁଆଳରେ ‘ତୁ ତୁ’ । ଦୁହିଁଙ୍କ ମଧ୍ୟରେ କି ବନ୍ଧୁତା ! ଯେତେବେଳେ ସେତେବେଳେ ତ ଝିଅ ଡାକ୍ତର ବାବୁ ଆଉ ବୋହୂରାଣୀ ସେଇ କାଚ ବାରଣ୍ଡାରେ ଏକା ସାଙ୍ଗରେ ବସି କି ଗୁଜୁର ଗୁଜୁର ଫୁସୁର ଫୁସୁରୁ । ମୁଁ କହୁଛି ନିଶ୍ଚିତ ଆଗରୁ ଚିହ୍ନାଜଣା, ଭାବ-ସ୍ନେହ । ଏଠି ଲୋକ ଦେଖାଣିଆ ଅଚିହ୍ନା ସାଜୁଛନ୍ତି । ପୁଣି କହୁଛନ୍ତି, ଏତେ କୌଶଳ କରି ଆଣିଲି ତୋତେ ।

 

ରାଣୀ ମଧୁମାଳତୀ ଦେବୀଙ୍କ ହାତରେ ରୁପାର ପିକଦାନିଟା ମହଜୁତ୍‌ ଥାଏ । ମିନିଟକେ ମିନିଟକେ ଦରକାର । ବର୍ତ୍ତମାନ ଆଉଥରେ ଦରକାର ମିଟାଇ ଆତଙ୍କ ଭରା କଣ୍ଠରେ କହିଲେ, ତୁମେମାନେ ଭଲ କରି ଲକ୍ଷ୍ୟ କରିଛ, ସେ ସତରେ ଝିଅପିଲା ନା ଛଦ୍ମବେଶ ? ଏତେ ହାତ ଲମ୍ବା, ଚଳଣ-ଧରଣ, ଧଡ଼୍‌-ଧାଡ଼୍‌, ଫଟ୍‌-ଫାଟ୍‌ । ଆଗର ଭାବ-ସ୍ନେହ କହୁଛୁ । ମୋର ତ ସନ୍ଦେହ ହେଉଛି ।

 

ଗୁଡ଼୍‌ଗୁଡ଼୍‌ ସାମନାରେ ସବୁକଥା । ଗୁଡ଼୍‌ଗୁଡ଼୍‌ ସାଙ୍ଗରେ ସବୁ କଥା ।

 

ଗୁଡ଼୍‌ଗୁଡ଼୍‌ ଭୂମିକା ଯେମିତି ହାରେ ସର ‘ଖୋଜା’ ଭଳି । ସେଇ ବାଳକାକୃତି ଚେହେରା ଆଉ ଚରମ ଅବୋଧର ମୁହଁ, ସେଇଥିରେ ତା’ର ଗତି ଅବାଧ ।

 

ଗୁଡ଼୍‌ଗୁଡ଼୍‌ ଆହୁରି ମୁରୁକି ହସ କହେ ନା, ସନ୍ଦେହର କିଛି ନାହିଁ । ସେଇଟା ମୋର ଦେଖା ହୋଇଯାଇଛି ।

 

ମର୍‌, ପୋଡ଼ାମୁହାଁ, ମୁହଁରେ କିଛି ବାଡ଼ବତା ନାହିଁ ।

ହେନା ହସ ହସି ଗଡ଼ି ଯାଏ ।

ଗୁପ୍ତଚର୍‌ମାନଙ୍କର କାମ ଆହୁରି ବଢ଼ିଯାଏ ।

ସେପଟେ ବ୍ରଜରାଜ ତପ୍ତ, ଖପ୍ପା କାମରେ ଶିଥିଳତା ।

 

ଘରଦ୍ଵାର ସାଫ୍‌ କରିବାର ଚାକର ନବୀନ । ଏବେ ଅବାରିତ ହୁକୁମ ପାଇଛି ରାଜାବାହାଦୁର୍‍ଙ୍କ ଘର ସାଫ୍‌ କରିବାପାଇଁ । ଘର ଭିତରେ ସବୁବେଳେ ଛିଣ୍ଡା କାଗଜ ଟୁକୁରା, ୟାକୁ ଦେଖିଲେ ତା’ର ହାଡ଼ ଜଳିଯାଏ, ହାଡ଼ ଜଳି ଯାଏ ଗୋଟାଏ ବାହାର ଝିଅର ଅବାଧ ଅଧିକାରରେ ।

 

ବୋହୂରାଣୀଙ୍କ ହାତରେ କୌଣସି ଦିନ ରାଜାବାହାଦୂର୍‍ ସରବତ୍‌, ପଇଡ଼ ପାଣି ଆଣିବାରେ ଦାୟିତ୍ଵ ଦେବାକୁ ରାଜି ହୋଇନି ବ୍ରଜରାଜ, ଏବେ ଇଏ ଆସି ନେବାକୁ ଚାହାନ୍ତି, ମୋତେ ଦିଅନା ବ୍ରଜଭାଇ, ମୁଁ ନେଇଯିବି । ତୁମେ ଏବେବି ଖାଇନାହଁ ।

 

ଖାଇନି ତ ଖାଇନି ତୋ’ର କ’ଣ ଗଲା ?

 

ଭୃତ୍ୟରାଜ ବ୍ରଜରାଜ ଆଉ ସମସ୍ତଙ୍କ ସାଙ୍ଗରେ ବେଶୀ ମିଶୁ ନ ଥିଲା । ଏବେ ମଝିରେ ମଝିରେ ରଜନୀର ରୋଷେଇ ଖାନା ସାମନାରେ ଗୁମ୍‌ ହୋଇ ବସିଥିବା ଦେଖା ଯାଉଛି ବ୍ରଜରାଜକୁ ।

 

ନିଜ ଘରେ ଆସି ଶୋଇପଡ଼ିଲା ସୁତପା ।

ହଁ ବର୍ତ୍ତମାନ ପ୍ରାୟ ମାସେ ହେଲା ଏଇଟାହିଁ ସୁତପାଙ୍କର ‘ନିଜ ଘର’ ।

 

ଏ ଘରଟା କିନ୍ତୁ ‘ପୁରୁଣାକୁ ନୂଆ କରିବା’ ନୁହଁ । ଏହାର ଚେହେରା ପୂରା ସାହେବୀ ଗେଷ୍ଟ୍‍ ରୁମ୍‌ । ତେବେ ବରାବର ମହିଳା ଗେଷ୍ଟ୍‍ମାନଙ୍କ ପାଇଁ ଉତ୍ସର୍ଗୀକୃତ । ରାଣୀ ସୁଧାହାସିନୀ କୌଣସି ବାନ୍ଧବୀ ବା ପିତ୍ରାଳୟରୁ କୌଣସି ଆତ୍ମୀୟା ଆସିଲେ ଏଇଠି ରହିବାର ବ୍ୟବସ୍ଥା କରାହେଉଥିଲା ସେମାନଙ୍କର । ଏ ଘରର ଖଟଟା ‘ସିଙ୍ଗଲ୍‌’ ଆଲଣାଟା ଓ୍ୱାଡ଼୍‌ରୋବ ସମ୍ବଳିତ, ଗୋଟାଏ ପୂରା କାନ୍ଥ ଅଧିକାର କରି ଛିଡ଼ା ହୋଇଛି । ଗୋଟାଏ ଡ୍ରେସିଂ ଟେବୁଲ । ଏଠି- ସେଠି ଛୋଟ ଛୋଟ ଦୁଇ ତିନିଟା ଗଦି ଦିଆ ଚେୟାର ଯାହାର ପିଠିର ଗଢ଼ଣ ସିଂହାସନ ସଦୃଶ୍ୟ । ଗୋଟାଏ ପଟେ କବାଟ ଥିବା ଆଳମାରି ଯାହାରି କବାଟଟା ପୂରା ଆରିସି । ଏହାଛଡ଼ା କାନ୍ଥରେ କାନ୍ଥରେ ବ୍ରାକେଟରେ ସଜା ହୋଇଛି ପୋର୍ସିଲେନ୍‍ର ମେମ୍‌ କଣ୍ଢେଇର ଫୁଲଦାନି, ଏଇଟା-ସେଇଟା-

 

ସବୁଯାକ ଗୋଟିଏ ସମୟର ଅସଲ ବିଲାତି ।

 

ପ୍ରଥମ ଦିନ ଏ ଘରକୁ ପଶି ଏଇ ଅନଭ୍ୟସ୍ତ ପୁରୁଣା ଛାଞ୍ଚଟା ଅସ୍ଵସ୍ତିକର ମନେହୋଇଥିଲା । କିନ୍ତୁ ତାପରଦିନ ଭୋରବେଳା ଯେତେବେଳେ ଘରର ବିରାଟ ବିରାଟ ଝରକା ତିନିଟା ଖୋଲି ଦେଲେ ସୁତପା, ଆଖି ଓ ମନ ଦୁହେଁ ଗୋଟାଏ ଅନିର୍ବଚନୀୟ ଆନନ୍ଦରେ ଭରିଗଲା ।

 

ଝରକାର ଠିକ୍‌ ତଳେ ବିରାଟ ଲନ୍‌ ।

 

ଏକଦା ହୁଏତ ଟେନିସ୍‌ କୋର୍ଟ ଥିଲା, ବର୍ତ୍ତମାନ ଅବ୍ୟବହୃତ । ତେବେବି ସମାନ ଭାବରେ କଟାଘାସର ତାଜା ସବୁଜ ସମାରୋହଟି ବଜାୟ ରହିଛି । ଆଉ ସେଇ ‘ଲନ୍‍’ର ସୀମା ବାହାରେ ଦିଗନ୍ତ ବିସ୍ତୃତ ପ୍ରାନ୍ତ । ଭୋର ଆକାଶର ମୁହାମୁହିଁ ଛିଡ଼ା ହୋଇ ହଠାତ୍‌ ଯେମିତି ସୁତପା ଘରଟାକୁ ଭଲ ପାଇବାକୁ ଲାଗିଲେ ।

 

ବ୍ରଜରାଜ ଘର ଝାଡ଼ିବାକୁ ଆସି ଚମକି ଯାଇଥିଲା ।

 

ନିଜେ ନିଜେ ଝରକା ଖୋଲୁଛନ୍ତି ଗେଷ୍ଟ ଦିଦି । ବ୍ରଜରାଜ କ’ଣ ସମୟର ବ୍ୟତିକ୍ରମ କରିଛି ? ଘଣ୍ଟା ଘଣ୍ଟା ଧରି ହାଜର ହୋଇଛି ଝରକା ଖୋଲିବାପାଇଁ ।

 

ଏ ଘରେ ଝରକା ଖୋଲିବା-ବନ୍ଦ କରିବାର ମଧ୍ୟ ଗୋଟାଏ ଆଇନ ଅଛି ଏବଂ ସେଇ ଆଇନ ମାନି ସମସ୍ତଙ୍କୁ ଚାଲିବାକୁ ହୁଏ, ୟାକୁ ଶୁଣି ସୁତପା ସାଙ୍ଗେ ସାଙ୍ଗେ ତାଙ୍କ ଭାଇଙ୍କୁ ଚିଠି ଲେଖିଥିଲେ- ଭାଇରେ ! ମନେ ହେଉଛି ‘ଶିବଠାକୁରଙ୍କର ନିଜ ଦେଶକୁ ଚାଲି ଆସିଛି । ନିଜ ହାତରେ ନିଜ ଅଧିକୃତ ଘରର ଝରକାଟା ଖୋଲି ଏମାନଙ୍କର ହେଡ଼୍‌ ଭୃତ୍ୟ ବ୍ରଜରାଜର ବିରାଗ ଭାଜନ ହୋଇପଡ଼ିଲି । ଦେଖେ ଏହାପରେ କି ଜି ସର୍ବନାଶିଆ ଆଇନ କାନୁନ୍‍ର ସାକ୍ଷାତ୍‍ ପାଏ ।

 

ତେବେ ଏ ବ୍ୟାପାରରେ ଆଇନଙ୍ଗର ଅପରାଧ କରିହିଁ ଚାଲିଛନ୍ତି । ସେ ଏଇ ଉଦୁଉଦିଆ ଖରାବେଳେ ଧୂ ଧୂ ପ୍ରାନ୍ତର ଦିଗର ଝରକା ଧକ୍କା ଦେଇ ଖୋଲି ପକାଇଲେ, ଯେଉଁଟା ବ୍ରଜରାଜ ସାଢ଼େ ଏଗାରଟାବେଳେ ବନ୍ଦ କରି ଯାଇଥିଲା ।

 

ବର୍ତ୍ତମାନ ପବନ ସେମିତି ଗରମ ନାହିଁ । ଶରତର ପ୍ରାଣ ଜଗାଇବା ଉଡ଼ା ଉଡ଼ା ପବନ ଘରକୁ ଆସି ଝାପ୍‌ଟା ଦେବାକୁ ଲାଗିଲା । ସୁତପା ବିଛଣା ଉପରେ ଗଡ଼ି ପଡ଼ି ଭାବିବାକୁ ଲାଗିଲେ, ଆଚ୍ଛା, ବର୍ତ୍ତମାନ ଅନୁରାଧା ଯେଉଁ କଥା ମୋତେ କହିଲା, ସେଇ କଥାଟା କ’ଣ ମୋ ମନ ଭିତରେ ବି ମଝିରେ ମଝିରେ ଧକ୍କା ଦେଉନି ?

 

ରାଜା ଶଶୀଶେଖର ବାହାଦୂର୍‍ଙ୍କ ଆଖିରେ ଯେଉଁ ବିହ୍ୱଳ ଦୃଷ୍ଟି, ସେଇଟା କ’ଣ କେବଳ ‘ଉତ୍ତମ କାମ କରିବା’ ବାବଦ ପ୍ରଶଂସାର ଦୃଷ୍ଟି ?

 

ମଝିରେ ମଝିରେ ଯେ ସେ ରିଡିଂ ଦେଉ ଦେଉ ସୁତପାଙ୍କ ହାତ ଉପରେ ହାତ ରଖି କୁହନ୍ତି, ସୁତପା, ବୁଝିପାରିଲତ ? ସେଇ ହାତ ରଖିବାଟା କ’ଣ ଏମିତି ଅସତର୍କତା ବା ସାଧାରଣ-? ନା, ଅନ୍ୟ ଧରଣର କ’ଣ ଗୋଟାଏ ଗଭୀର ସ୍ପର୍ଶବାହୀ ବୋଲି ମନେହୁଏନା ?

 

ବେଳେବେଳେ ଦେହଟା ଶିର୍‌ ଶିର୍‌ କରି ଉଠେ ସେଇ ଅଭିଜାତ ବୃଦ୍ଧଙ୍କର ସାର୍ଟିନ ପରି ମସୃଣ ଆଉ ମଖମଲ ପରି କୋମଳ ଭାରୀ ପାପୁଲିର ସ୍ପର୍ଶରେ । ଅବଶ୍ୟ ତତ୍‌କ୍ଷଣାତ୍‌ ବୟସର କଥା ଭାବି ମନେ ମନେ ହସି ଉଠି ମନରୁ ସେଇ ଅସ୍ଵସ୍ତି ଝାଡ଼ି ଫୋପାଡ଼ି ଦିଅନ୍ତି । ତେବେବି ନାରୀ ମନ, ପୁରୁଷ ସମ୍ପର୍କରେ ଅସ୍ଵସ୍ତି ତା’ର ମଜ୍ଜାଗତ । ହୁଅନ୍ତୁ ବୃଦ୍ଧ, ତେବେ ଗଳିତ ଚର୍ମ, ଗଳିତ ଦନ୍ତ ଚକ୍ଷୁହୀନ ବୃଦ୍ଧ ତ ନୁହଁନ୍ତି । ଶାଳଗଛ ପରିଦୀର୍ଘ ଦେହ ଏବେବି ସିଧା ଓ ସତେଜ । ଦେହର ରଙ୍ଗ ଏବେ ମଧ୍ୟ ବେଦନାର ଦାନା ଭଳି, ଚମଡ଼ା ସିଲ୍କ ପରି ।

 

ଚଉଦପୁରୁଷ ବ୍ୟାପୀ ରାଜଭୋଗର ଦେହ ବାବା !

ଏହା ଭାବି ମନେ ମନେ ହସନ୍ତି ସୁତପା ।

 

ସୋମଶେଖରଙ୍କ ଏମିତି ଅବସ୍ଥା ନୁହେଁ । ତାଙ୍କୁ ଖଟି ଖାଇବାକୁ ହୁଏ । ତାଙ୍କର ‘ରାଜ ଦେହରେ’ ଖଟି ଖାଇବାର ଛାପ ପଡ଼ି ଯାଇଛି । ଶଶୀଶେଖର ଏବେବି ତାଙ୍କର ଚିର ଅଭ୍ୟସ୍ତ ଗଜଦନ୍ତ ମିନାରରେ ଆସୀନ । ସେଠି କାଳର ଛାପ ପଡ଼ିନି, ଯୁଗର ଛାପ ପଡ଼ିନି, ଯେମିତି କୃତ୍ରିମ ଗୋଟାଏ ମଞ୍ଚ ମଧ୍ୟରେ ଚାଲିଛି ତାଙ୍କର ଜୀବନଟା ।

 

ମୁଁ କାହିଁକି ମରିବା ପାଇଁ ଏ ନାଟକ ଭିତରେ ପଶି ଆସିଲି ।

 

॥୧୯॥

 

ଚିନ୍ତାର ଧାରା ଶତମୁଖୀ ! ଗୋଟାଏ ଜାଗାରୁ ଚାଲିଯାଏ ଅନ୍ୟ ଖାତକୁ । ଅନୁରାଧାଙ୍କର ଥଟ୍ଟାଟା ମଧ୍ୟ ଅସ୍ଵସ୍ତିବାହକ । ବୃଦ୍ଧଙ୍କର ସେଇ ଆତ୍ମହରା ବିହ୍ଵଳ ଚାହାଁଣି ଏମାନଙ୍କର ଆଖିରେବି ପଡ଼ିଛି ! କି ମୁସ୍କିଲ । ଇଏ ପୁଣି କି ଉତ୍ପାତ ! ଦରକାର ନାହିଁ ବାବା ଏମାନଙ୍କର ‘ଉତ୍ସବ’ ଦେଖିବା ପାଇଁ ବସି ରହିବା । କି ‘ଉତ୍ସବ’ ? କୌଣସି ପୂଜା- ଫୁଜାର ବ୍ୟାପାର ବୋଧହୁଏ ।

 

କିନ୍ତୁ ମୁଁ ବି ଯେମିତି ପ୍ରେମରେ ପଡ଼ିଯାଇଛି ।

 

ପ୍ରେମରେ ପଡ଼ିଯାଇଛି ଏଇ ଘରଟାର । ଦିନରେ ରାତିରେ ଯେତେବେଳେ ହେଉ, ଏଇ ଘର ଭିତରକୁ ପଶିଗଲେ ବେଶ୍‍ ଗୋଟାଏ ଭଲ ପାଇବା, ଭଲ ପାଇବା ଭାବ ଯେମିତି ଜଡ଼ାଇ ଧରେ ।

 

ଯେକୌଣସି ପୁରୁଣା ଜିନିଷର ନିଶ୍ଚିତ କୌଣସି ମନ୍ତ୍ରମାୟା ଅଛି ।

 

ଆଜି ଏମାନଙ୍କର ଘରଟା ଯେତେବେଳେ ବୁଲିବୁଲି ଦେଖୁଥିଲି, କେମିତି ଗୋଟାଏ ଆଚ୍ଛନ୍ନ ହୋଇ ଯାଉଥିଲି । ବହୁଦିନ ଧରି ଯେଉଁମାନେ ଏଇସବୁ ଭୋଗ କରିଯାଇଛନ୍ତି, ସେମାନଙ୍କର ଅଶରୀରୀ ଆତ୍ମାଗୁଡ଼ାକ ଯେମିତି କାନ୍ଥର ଭାଙ୍ଗ ଓ ଗାତ ମଧ୍ୟରେ ବନ୍ଦୀ ହୋଇ ରହିଛନ୍ତି ।

 

ତଳ ମହଲାର ସେଇ ଝରକା ବନ୍ଦ ଥିବା ହଲ୍‌ଟା ?

ଯାହାର କାନ୍ଥ ଆଲମାରିରେ ଏବେବି ଶେଷାଂଶ ନିରବ ହୋଇ ପଡ଼ିରହିଛି ।

 

ସେଇ ଘରଟାକୁ ପଶିବାମାତ୍ରେ କେହି ଯେମିତି ନିଃଶ୍ୱାସ ଛାଡ଼ିଲା । ଧେତ୍‌, ‘କ୍ଷୁଧିତ ପାଷାଣ'ର ଭୂତ ଦେଖିବାକୁ ଆରମ୍ଭ କଲି ନା କ’ଣ ? ଅନେକ ଦିନର ବନ୍ଦ ଘର ହଠାତ୍‌ ଖୋଲି ପକାଇଲେ ରୁଦ୍ଧ ପବନ ବାହାରି ଆସିବାପାଇଁ ଠେଲାପେଲା ତ ହେବ ନିଶ୍ଚିତ । ମଧୁମାଳତୀ ଦେବୀଙ୍କର ମହଲକୁ ପଶିବାବେଳେ ହଠାତ୍‌ ଯେମିତି ଛିଡ଼ା ହୋଇପଡ଼ିଥିଲି।

 

ଉତ୍ସବରେ ମଧୁମାଳତୀ ଦେବୀଙ୍କର ସେଇ ପୁଅ ଜଣକ ଆସିବେ ନିଶ୍ଚିତ । ସେଇ ମା’ଙ୍କର ସେଇ ପୁଅ ! ଦେଖିବାକୁ କୌତୁହଳ ହେଉଛି ।

 

ରାଣୀ ସୁଧାହାସିନୀ ଦେବୀ ମଧ୍ୟ ଗୋଟିଏ କୌତୁହଳ ଉଦ୍ଦୀପକ ଚରିତ୍ର, କହିବାକୁ ଗଲେ ଐତିହାସିକ ଚରିତ୍ର । ଆମ ଦେଶରେ ରଜାଙ୍କର ସଂଖ୍ୟା ତ କମ୍‌ ନ ଥିଲା । ‘ବ୍ରିଟିଶ ସ୍ନେହପୁଷ୍ଟ ଶାସକ ପଦଲେହନେ ତୁଷ୍ଟ’ ସେଇସବୁ ରାଜାମାନଙ୍କର ଗୌରବ ରବି ଅନେକ ଦିନ ଅସ୍ତମିତ ହେଲେ ମଧ୍ୟ ନାଁର ଝଙ୍କାର ଏବେବି ରହିଯାଇଛି । ରାଜବାଟୀର ଧ୍ଵଂସାବଶେଷ ବି ରହିଛି-। କିନ୍ତୁ କିଏ ଜାଣେ କ’ଣ ସେମାନଙ୍କର ଅନ୍ତଃପୁରର ଇତିହାସ ? ରାଜପୁରୁଷମାନଙ୍କର ଜୀବନ ତ ବେଶୀ ଭାଗ ବହିର୍ଜୀବନର ଉଚ୍ଛୃଙ୍ଖଳତାରେ ଚିହ୍ନିତ ।

 

ରାଣୀମାନେ ବା ରାଜପରିବାରର ମହିଳାମାନେ ପର୍ଦ୍ଦାନସୀନ ହୁଅନ୍ତି, ଏହା ତ ସମସ୍ତଙ୍କର ଚିରକାଳ ଜଣା । କେବେ ବି ଜାଣିବାକୁ ଚାହିଁନି କେଉଁ ରାଣୀ ପର୍ଦ୍ଦାନସୀନ ଥିଲେ, ଆଉ କେଉଁ ରାଣୀ ପିଆନୋ ବଜାଉଥିଲେ, ଚିତ୍ର ଆଙ୍କୁଥିଲେ, ଘୋଡ଼ାରେ ଚଢ଼ୁଥିଲେ, ସାହେବ ମେମ୍‌ମାନଙ୍କ ସାଙ୍ଗରେ ଡିନର କରୁଥିଲେ, ଆଉ ନିର୍ଭୁଲ ଉଚ୍ଚାରଣ କରି ଇଂରୀଜୀରେ ଗପସପ କରୁଥିଲେ ସେମାନଙ୍କ ସାଙ୍ଗରେ ।

 

ହୁଏତ ଏଇ ଇତିହାସ ଅନେକଙ୍କର ।

 

ମୁଁ ଏଇ 'ଦିଗ୍‌ନଗର’ ନାମ ଅଖ୍ୟାତ ଗୋଟାଏ ଗ୍ରାମ୍ୟରାଜ୍ୟର ରାଣୀଙ୍କର ଜୀବନ ଇତିହାସ ଦେଖିବାକୁ ପାଇଲି, ସେଇଥିପାଇଁ ।

 

ସବୁ ଭଲ, ରାଜାବାହାଦୂର୍‍ଙ୍କର ସେଇ ତୀବ୍ର ଆକର୍ଷଣଟାହିଁ ଅସ୍ଵସ୍ତିକର । ଅଥଚ ଠିକ୍‌ ଯେମିତି ଚିରାଚରିତ ଅଙ୍କକଷା ‘ଆକର୍ଷଣ’ ନୁହେଁ ।

 

ଚଉରାଶୀ ବର୍ଷର ଜୀର୍ଣ୍ଣ ଗୋଟାଏ ସତ୍ତା, ସେ ହିସାବ ମିଳାଇବେ କିପରି ? ଇଏ ଯେମିତି ଆଉକିଛି, ଅନ୍ୟକିଛି, ଯେମିତି ଅଜାଗତିକ କୌଣସି ଅନୁଭୂତିର ଆବେଶ । ସେ କୁହନ୍ତି, ତାଙ୍କର ସୁଧାହାସିନୀ ଚିରସୁଧାରେ ନିମଜ୍ଜିତ ।

 

ଠିକ୍‌ ବୁଝାଇ ହେବନି କାହାକୁ ।

 

ଭାଇକୁ ଯେଉଁ ଲୋଭ ଦେଖାଇ ଦେଖାଇ ଚିଠି ଲେଖୁଛି, ମୋର ମନେହେଉଛି ତୋ’ ଲେଖା ପାଇଁ ବେଶ୍‍ କିଛି ମେଟିରିୟାଲ୍‌ସ୍‌ ନେଇଯାଇ ପାରିବି ଏଠୁ । କିନ୍ତୁ ଏଇ ଅଜାଗତିକ ଭାବଟା କ’ଣ ବୁଝାଇପାରିବ ? ଯେଉଁଦିନ ପ୍ରଥମେ ଆସି ତାଙ୍କ ଘରକୁ ପଶିଥିଲି, ହଠାତ୍‌ ଯେଉଁ ଆର୍ତ୍ତନାଦ ପରି କିଏ, କିଏ ? କିଏ ଆସିଛି ? କହି ଚିତ୍କାର କରି ଉଠିଥିଲେ । ତା’ର କି ଏକ୍ସପ୍ଲାନେଶନ୍‌ ! କେମିତି ବୁଝାଇବି ଭାଇକୁ ? ମଧୁମାଳତୀ ଦେବୀଙ୍କୁ ବୁଝାଇପାରିବି, ବୁଝାଇପାରିବି ଅନୁରାଧା ଓ ତା’ର ସ୍ଵାମୀଙ୍କୁ । ସେଇ ଭୃତ୍ୟତନ୍ତ୍ରର ଘରର ସମସ୍ତଙ୍କୁ ବୁଝାଇପାରିବି, କିନ୍ତୁ ତାଙ୍କୁ ନୁହେଁ । ଅବଶ୍ୟ ବାସ୍ତବ ଯୁକ୍ତି ଅଛି । ବୟସ୍କ ଲୋକମାନଙ୍କର ଏକଲା ବସି ରହିଲେହିଁ ଝିମେଇବାର ଲକ୍ଷଣ ଦେଖାଦିଏ । ସେଇପରି ଗୋଟାଏ ସମୟରେ ବୋଧହୁଏ ମୋର ଆବିର୍ଭାବ ଘଟିଥିଲା ।

 

ନାଃ, ଭାଇକୁ ବୋଧହୁଏ ଏସବୁ ବୁଝାଇ ହେବ ନାହିଁ । ନ ବୁଝାଇପାରିଲେ ଲଜ୍ଜା ଲାଗିବ । ତେବେ ଏଠି ଖୁବ୍‍ ସହଜ ହେବାକୁ ପଡ଼ିବ, ଅନୁରାଧାର ଥଟ୍ଟା ଦେହରେ ନେବା ଉଚିତ ହେବ ନାହିଁ । ଯାହାହେଉ, ବର୍ତ୍ତମାନ ଅନ୍ତତଃ ଟିକେ ଅସହଜ ହୋଇଯାଏ ।

 

ଏଇ ଆରାମର ବିଛଣା ଉପରେ ଶୋଇ ଶୋଇ ସେଇ ଦିଗନ୍ତ ବିସ୍ତୃତ ପ୍ରାନ୍ତର ଆଉ ନୀଳ ନିର୍ଜନ ଖୋଲା ଆକାଶକୁ ଦେଖୁ ଦେଖୁ ଭାବେ, ମୁଁ ଯେମିତି ଉଇମେନ୍ସ କଲେଜର ଇଂଲିଶ ଟିଚର, ଡକ୍ଟର ସୁତପା ଭଟ୍ଟାଚାର୍ଯ୍ୟ ନୁହଁ, ଯେମିତି କୌଣସି ଅଦୂର ଅତୀତର ଏକ ‘ରାଜବଧୂ- ରାଜବାଳା’, ଏଇ ଆରାମ ଶଯ୍ୟାରେ ଶୋଇରହିଛି ନିଜ ଅଧିକାରରେ ।

 

ସେଇ ଆକାଶ, ଏଇ ପ୍ରାନ୍ତର ଆଉ ଏକ ଶରତର ଉଦାସୀ ପବନ ମୋତେ ନେଇଯାଉଛି । ସେଇ ଅତୀତର ପଟ୍ଟଭୂମିକାକୁ । କିଛିକ୍ଷଣ ପରେ ମୁଁ ଅଳସ ଭାଙ୍ଗି ଉଠି ବସିବି । ଦାସୀ ଆସି ମୋର କେଶ ବିନ୍ୟାଶ କରି ଦେବ, ଦେବ ପ୍ରସାଧନ ପେଟିକା ଆଗେଇ ନିଦ ଭିତରେ ତଳେଇ ଯାଉ ଯାଉ ଏଇପରି ଇଆଡ଼ୁ- ସିଆଡ଼ୁ ଭାବିବାକୁ ଭାରି ଭଲ ଲାଗେ ।

 

॥୨୦॥

 

ଏ ଘରକୁ ଆସିବା ପୂର୍ବରୁ ଅନୁରାଧାଙ୍କ ପାଇଁ ଗୋଟିଏ ଖାସ୍‌ ଦାସୀ ଠିକ୍‌ କରି ରଖା ହୋଇଥିଲା । ଅନୁରାଧା ତାକୁ ନେଇ ନାହାନ୍ତି । ଅର୍ଥାତ୍‌ ତାକୁ, ତାର ବେକାର ଜୀବନକୁ ଫେରାଇ ଦେଇଛନ୍ତି । ଯଦିଓ ଜ୍ୟୋତିଶେଖର କହିଥିଲେ, ଆହା ! ଆପଣ ଗୋଟିଏ ନିରୀହ ପ୍ରାଣୀର ଚାକିରି ଖାଇଦେଲେ ।

 

ଅନୁରାଧା କହିଲେ, କ’ଣ କରିବି ଭାଇ, ଅନ୍ୟ କେହି ମୋର କେଶ ବାନ୍ଧି ଦେବ, ଲୁଗାପଟା ପିନ୍ଧିବାକୁ ସାହାଯ୍ୟ କରିବ, ଆଉ ସବୁବେଳେ ସାଙ୍ଗରେ ସାଙ୍ଗରେ ବୁଲିବ- ଏହାକୁ ଭାବିଲେ ମୋତେ ଅସ୍ଵସ୍ତି ଲାଗେ ।

 

ଅତଏବ ସ୍ଵସ୍ତିଟା ରହିଲା, ଦାସୀଟା ଗଲା ।

 

ଡ୍ରେସିଂ ଟେବୁଲ ଆଇନା ସାମନାରେ ଗଦିମୋଡ଼ା ଟୁଲ ଉପରେ ବସି କେଶ ବାନ୍ଧୁଛନ୍ତି ଅନୁରାଧା । ସୋମଶେଖର ଆସିଲେ, କହିଲେ, ଜେଜେଙ୍କର ବହିଟା ଆଜି ପଠାଉଛି । କହିଛି ଯେତେଶୀଘ୍ର ପାରିବ-

 

ପୁଣି କହିଲେ, ମିସ୍‌ ଭଟ୍ଟାଚାର୍ଯ୍ୟ ଯେ ଏତେଶୀଘ୍ର ଏଇଟା ଶେଷ କରିଦେବେ, ମୁଁ ଭାବିପାରିନି ।

 

କହିଲେ, ତୁମେ ତ ନୂଆ କିଛି କରିବାକୁ ଗଲେ ଭାବିବ ‘ଅପଚୟ’ । ଆଉ ଗୋଟାଏ ଗାଡ଼ି କିନ୍ତୁ ବିଶେଷ ଦରକାର । ଗୋଟାଏ ନୂଆ ଗାଡ଼ି କିଣିଲି, କାଲି ଆସିବ । ସତ୍ୟଭୂଷଣବାବୁ ସାଙ୍ଗରେ ନେଇ ଆସିବେ । ଆଉ କହିଲେ, ‘ଜଳପାହାଡ଼’ ଟୀ ଗାର୍ଡେନରେ ଭାରି ଗଣ୍ଡଗୋଳ ଚାଲିଛି, ଆସନ୍ତା ସପ୍ତାହରେ ଥରେ ନ ଗଲେ ଚଳିବ ନାହିଁ ।

 

ଅନୁରାଧା ସବୁ ଶୁଣୁଥିଲେ, ବର୍ତ୍ତମାନ କେବଳ କହିଲେ, ଆସନ୍ତା ସପ୍ତାହରେ ? କେବେ ?

 

ଧର ତିନି-ଚାରି ତାରିଖରେ ।

କେତେଦିନ ରହିବାକୁ ହେବ ?

 

ତୁମର ତ ମୋର କେଉଁଠି ଯିବା କଥା ଶୁଣିଲେହିଁ ଭାବନା ପଶିଯାଏ । ଗୋଟାଏ ସପ୍ତାହ ତ ନିଶ୍ଚିତ । ଜେଜେଙ୍କର ଜନ୍ମଦିନ କଥା କ’ଣ ହେବ ତା’ହେଲେ ?

 

ଜେଜେଙ୍କର ଜନ୍ମଦିନ ?

ସୋମଶେଖରଙ୍କ ହଠାତ୍‌ ମନେପଡ଼ିଗଲା, କହିଲେ, ଲକ୍ଷ୍ମୀପୂର୍ଣ୍ଣିମା ତ ଆସିଗଲା ?

କେବେ ?

ସାତ ତାରିଖ ।

 

ସତେ ନା କ’ଣ ? ମୋର ଠିକ୍‌ ଧାରଣା ନ ଥିଲା । ଆଚ୍ଛା, ମ୍ୟାନେଜର ବାବୁ ବି ସେଇ ସାତ ତାରିଖ ନା କ’ଣ ଯେମିତି କହୁଥିଲେ ! ବ୍ୟସ୍ତ ଥିଲି, ସେଥିପାଇଁ ମନ ଦେଇପାରିନି । ହୁଏତ-

 

ଏକ କାଳରେ ‘ଦିଗ୍‍ନଗର ରଜାଘରର’ ଦୁର୍ଗାପୂଜା ଥିଲା ଏ ଅଞ୍ଚଳର ନାମଡାକ ପୂଜା । ଶଶୀଶେଖରଙ୍କ ବାପା-ଜେଜେ ସେଇ ପୂଜା ଉପଲକ୍ଷରେ ଗୋଟାଏ ପକ୍ଷ ଯାବତ୍‌ ଗାଁରେ ଆମୋଦ ପ୍ରମୋଦର ହାଟ ବସାଉଥିଲେ, ସପ୍ତାହବ୍ୟାପୀ ଗାଁରେ ଇତର- ଭଦ୍ର କାହାରି ଘରେ ଚୁଲିରେ ହାଣ୍ଡି ବସୁ ନ ଥିଲା ।

 

ଶଶୀଶେଖରଙ୍କ ଅମଳରେ ସେ ଧରଣର ନାମଡାକ ପ୍ରାୟ ମିଳାଇ ଯାଇଥିଲା । ତେବେବି ସେ ଗୋଟାଏ ଦିଗରେ ସାହେବ- ସୁବା ନେଇ ମତ୍ତ ଥିଲେ ବି ଠାକୁର ମେଲା ମହଲରେ ପୂଜା ଠିକ୍‌ ହେଉଥିଲା । ଶୁଦ୍ଧାଚାର ସଦାଚାରରେ ଯଥାରୀତି, ଲୋକବାକ ଯେ ଖାଉ ନ ଥିଲେ ତା’ ନୁହେଁ, ପ୍ରଚୁର ଖାଉଥିଲେ ।

 

କିନ୍ତୁ ସେ ପୂଜା ବନ୍ଦ ହୋଇଯାଇଛି ।

ଶଶୀଶେଖର ବନ୍ଦ କରି ଦେଲେ ପୂଜା ।

ଦେବେହିଁ ତ ! ଆକ୍ରୋଶ ବଶତଃ ବନ୍ଦ କରିଦେଲେ ।

 

ପୂଜା ଆସନ୍ନ, ଠାକୁର ମଣ୍ଡପରେ, ଠାକୁର ତିଆରି ପାଇଁ ମାଟି ଉଠା କାମ ସରିଯାଇଛି, ରଙ୍ଗ କାମରେ ହାତ ପଡ଼ିବ, ରାଣୀ ସୁଧାହାସିନୀଙ୍କର ମୃତ୍ୟୁ ହେଲା, ଅକସ୍ମାତ୍‌ ହାର୍ଟ ଫେଲ୍‌ କଲେ ଘଣ୍ଟାଏ ଭିତରେ ।

 

ମଣ୍ଡପରେ ଅସମାପ୍ତ ପ୍ରତିମା ଛିଡ଼ା ହୋଇ ରହିଲେ ବୋକା ଭଳି, ଚାଲିଗଲେ ଘରର ‘ପ୍ରାଣା ପ୍ରତିମା’ ।

 

ପୂଜା ହେଲା ନାହିଁ । ଜମିଦାରୀ ତ ସେତେବେଳେ ଉଚ୍ଛେଦ ହେବା ଉପରେ । ଶଶୀଶେଖର କହିଲେ, ଆଉ ନୁହେଁ ।

 

ଅଶୌଚାନ୍ତରେ ଲକ୍ଷ୍ମୀପୂଜାଟି ହେଲା ଅତି ନିରାଡ଼ମ୍ବର ଭାବରେ ।

ଶଶୀଶେଖର ଟେର୍‌ ପାଇଲେ ନାହିଁ ।

 

ତା’ପରଠାରୁ ସେଇ ଭାବରେହିଁ ଚାଲି ଆସୁଛି । କିନ୍ତୁ ସେଇ ଲକ୍ଷ୍ମୀ ପୂର୍ଣ୍ଣିମାରେ ଯେ ଶଶୀଶେଖରଙ୍କ ଜନ୍ମଦିନ, ସେଇଟା ଆବିଷ୍କାର କଲେ ପିଲାମାନେ ବଡ଼ ହୋଇ, ବୋହୂମାନେ ସଂସାରକୁ ଆସିବା ପରେ ।

 

ସୋମଶେଖରଙ୍କର ମା’ ନିରୁପମା ପ୍ରବର୍ତ୍ତନ କଲେ ଏଇ ଜନ୍ମଦିନର ଉତ୍ସବକୁ । ସେଇ ସୂତ୍ରରେ ‘ଲକ୍ଷ୍ମୀଙ୍କର’ ମଧ୍ୟ ଭୋଗରାଗ ବଢ଼ିଲା । କିନ୍ତୁ ବିପର୍ଯ୍ୟୟ ପରେ ବିପର୍ଯ୍ୟୟ । ଉତ୍ସବକୁ ଆଉ ଛିଡ଼ା ହେବାକୁ ଦେଉ ନ ଥିଲା । ସବୁ ଚାଲିଥିଲା ନାମକା ୱାସ୍ତେ ।

 

ସୋମଶେଖର ଆଉ ଜ୍ୟୋତିଶେଖର ଜନ୍ମଦିନର ପରିପାଟି ବଢ଼ାଇ ଦେଲେ । କାରଣ ସୋମଶେଖରଙ୍କ ଉଦ୍ୟମରେ ‘କ୍ଷୟିଷ୍ଣୁ ରାଜ-ଭଣ୍ଡାର’ ଏବେ ସହିଷ୍ଣୁ ହେଇ ଉଠିଛି । ଏଇ ଗୋଟାଏ ପାରିବାରିକ ବାର୍ଷିକ ଉତ୍ସବ ।

 

ତିଥି ହିସାବରେ ଧରାହୋଇ ଆସୁଛି ବୋଲି ତାରିଖଟା ବଦଳି ଯାଏ ।

 

ସୋମଶେଖର କହିଲେ, ତାହେଲେ ତ ଯିବାଟା ପଛେଇ ଦେବାକୁ ପଡ଼ିବ । ଯିବାଟା ପଛେଇ ଦେଇ ସମାରୋହର ଆୟୋଜନରେ ତତ୍‌ପର ହୋଇଉଠିଲେ । ଅବଶ୍ୟ ସବୁ ବନ୍ଧା ବ୍ୟବସ୍ଥା ଅଛି । କେବଳ ନୂଆ କରି ଥରେ ତାଲିକାରେ ଆଖି ବୁଲାଇଲେ ।

 

॥୨୧॥

 

କେଉଁଠୁ ବୁଲି ଆସି ନିଖି‌ଳେଶ ଲେଟର ବକ୍ସ ଦେଖି ଦୋତାଲାକୁ ଚାଲି ଆସିଲେ ।

ସାମନାରେ ସ୍ଵାତୀ । କହିଲେ, ତପୁର ଚିଠି ଆସିଛି ?

ସ୍ୱାତୀ ମୁହଁକୁ ଚାପି ହସି ଦେଇ କହିଲେ, ଚିଠି ନୁହଁ, ମହାଭାରତ !

ବଡ଼ ଚିଠି ?

ନିଖିଳେଶ ବିଛଣା ଉପରେ ବସି ପଡ଼ି କହିଲେ, କାହିଁ ?

ସ୍ୱାତୀ କହିଲେ, ବାହାରୁ ଆସିଲ, ହାତମୁହଁ ନ ଧୋଇ-

 

ବାହାରେ ସବୁବେଳେ କ’ଣ ଏମିତି ଧୂଳିମାଟି ଘାଣ୍ଟି ଆସୁଛି ? ସ୍ଵାତୀ କହିଲେ, ଖାଲି ଖାଲି ଆଉ ଭଉଣୀ ଶାଶୁଘରକୁ ଯିବାର ବ୍ୟବସ୍ଥା କରିନି ! ନିଅ । ଚା’ ଫା ନ ପିଇ-

 

ପଢ଼ାଟା ଆଖିର କାମ । ମୁହଁର ନୁହେଁ ।

 

ମୁହଁର ମଧ୍ୟ ହୋଇପାରେ । ତାକୁ କହନ୍ତି ରାକ୍ଷସ ପରି ଖାଇବା । ସ୍ଵାତୀ ଡ୍ରୟାର ଭିତରୁ ଚିଠିଟା ବାହାର କରିଦେଇ ହସି ହସି ଚାଲିଗଲେ । ଚା’ ଆଣିବା ପାଇଁ । ଲଫାପା ଖୋଲି ଚିଠିଟା ଆଖି ସାମନାରେ ଧରିବାବେଳେ ଯେମିତି ‘ସୁତପା’ ନାଁର କଳଝଙ୍କାରମୟୀ ଝିଅଟି କଳରବ କରି ଉଠନ୍ତି ।

 

ଭାଇରେ,

 

ଆସିବା ପରଠାରୁ ତୋତେ ସାନ୍ତ୍ୱନା ଦେଇ ଚାଲିଛି ଯେ, ଏହାପରେ ବଡ଼ ଚିଠି ଦେବି ବୋଲି । ସେଇଟା ଆଉ ହୋଇପାରୁନି । ‘ତୁ ନିଶ୍ଚିତ ରାଗିପାଚି' ଲାଲ ହୋଇ ବସିଛୁ । କିନ୍ତୁ ବଡ଼ ଚିଠି ଲେଖିବି କେମିତି ? ସମୟ କାହିଁ ?

 

ଆସିବା ଆଗେ ଭାବିଥିଲି ରାଜାରାଜୁଡ଼ାଙ୍କର ଘର ତ କେବେ ଆଖିରେ ଦେଖିନି । ଗୋଟାଏ କାମ କରିବା ବାହାନାରେ ଆସି ଗୋଟାଏ ‘ରାଜବାଟୀ’ ଦେଖା ହୋଇଯିବ । ରଜାଘର ରୋଷେଇଖାନାର ଭଲମନ୍ଦ ଦୁଇଟା ଖାଇବି- ପିଇବି, ସାଙ୍ଗ ସାଙ୍ଗରେ ଦୁଇଟା ଗପସପ କରିବି ଏବଂ କର୍ମ ଅନ୍ତେ ମୋଟା ଟଙ୍କା ବ୍ୟାଗରେ ପୂରାଇ ଘରକୁ ଫେରିବି । ଚାରୋଟି ‘ମ୍ୟାନୁସ୍କ୍ରିପ୍ଟ’ କପି କରିବା ? ସେଇଟା ତ କିଛି ନୁହେଁ । ଫାଉ ।

 

କିନ୍ତୁ ଦେଖିଲି, ଆଶା ଛଳନାମୟୀ, ବେଶ୍‌ ବଡ଼ ଗୋଟାଏ ଗାତ ଭିତରେ ପଡ଼ି ଯାଇଛି । ରାଜ୍ୟହୀନ ରାଜା ଶଶୀଶେଖର ସମାଦ୍ଦାର ବାହାଦୁର୍‍ ଗୋଟିଏ ପାଗଳ ।

 

ଅବଶ୍ୟ ତାଙ୍କର ସାରା ଜୀବନର ଚେଷ୍ଟାରେ ବିଷୟବସ୍ତୁ ନିର୍ବାଚନ ଦେଖି ସନ୍ଦେହ କରିବା ଉଚିତ ଥିଲା । ଦିନେ କହି ଦେଇଥିଲି, ଶୁଣିଛି ପତ୍ନୀ ବିୟୋଗ ବିଧୁର ଏଇ ଭଦ୍ରଲୋକ କୁଆଡ଼େ ଏଇ ବିରହ କାବ୍ୟ ରଚନା କରିବା ପରେ ପୁଣି ବାହା ହୋଇଥିଲେ (ତୋ ପାଖରୁ ଶୁଣିବା କଥାଟା ଲଗାଇ ଦେଇଥିଲି) । ଶୁଣି ଏମିତି ଆହତ ହେଲେ ଯେ, ଯେମିତି କିଏ ତାଙ୍କୁ ଚାବୁକ୍‌ ମାରିଛି । ତା’ପରେ ଗମ୍ଭୀର ହୋଇ କହିଲେ, ଶୁଣା କଥା ବିଶ୍ଵାସ କରିବାର ନୁହଁ । ମନ୍ଦ ଲୋକମାନଙ୍କର କାମ ହେଉଛି ମହତ ବସ୍ତୁକୁ ‘ଛୋଟ’ କରିବାପାଇଁ ମିଥ୍ୟା ରଚନା ।

 

ଯାହାହେଉ, କାମ ସରିଯାଇଛି, ବହି ପ୍ରେସ୍‌କୁ ଚାଲି ଗଲାଣି, ତେବେବି ମୋତେ ଏଠି ଅଟକି ରହିବାକୁ ପଡ଼ୁଛି । ମାନେ, ସେମାନେ ମୋତେ ଅଟକାଇଛନ୍ତି । କୁଆଁରପୂର୍ଣ୍ଣିମା ଦିନ କୁଆଡ଼େ ରାଜାବାହାଦୂର୍‍ଙ୍କର ‘ଶୁଭ ଜନ୍ମତିଥି’ (ତୋ’ ଠିକଣାରେ ଚିଠି ଯାଇଛି, ପାଇବୁ) ବିଶେଷ ଆୟୋଜନ, ବିଶେଷ ଆନନ୍ଦଉତ୍ସବ । ମନେହେଉଛି ବହିରାଗତ ଅତିଥିରେ ଘର ଭରି ଯିବ । ଅତଏବ ଗୃହାଗତ ଅତିଥିଟାକୁ ଏମାନେ ଛାଡ଼ିବେ କେଉଁ ପ୍ରାଣରେ ?

 

ସେଥିପାଇଁ ଅପେକ୍ଷା କରୁଛି ସେଇ ଶୁଭଦିନଟିର ଶୁଭ କ୍ଷଣପାଇଁ, ଯେଉଁଦିନ ଏମାନଙ୍କର ନୂଆ ଆମ୍ବାସାଡ଼ର ଚଢ଼ି କଲିକତା ବାହାରିବି । ସେଇପରି ଆଶ୍ଵାସ ଦେଇଛନ୍ତି ଏମାନେ । ନୂଆଗାଡ଼ି କିଣି ଏମାନଙ୍କର ମନେହେଉଛି ରଙ୍ଗଟା ଜମୁନି । ରଙ୍ଗ ବଦଳିବା ଦରକାର । ତେଣୁ ଗାଡ଼ିକୁ କଲିକତା ପଠାଇବାକୁ ହେଉଛି । ଆଉ ଯେତେବେଳେ ପଠାଇବାକୁ ହେଉଛି କେହି କେହି ଚଢ଼ି ଚାଲି ଯାଆନ୍ତୁ ।

 

ଏଇ ପରିସ୍ଥିତି ।

 

ବର୍ତ୍ତମାନ ଉତ୍ସବର ଆୟୋଜନ ଚାହିଁ ଚାହିଁ ଦେଖୁଛି । ଗଦା ଗଦା ବାଉଁଶ ଆସି ପଡ଼ିଛି ଲନ୍‌ରେ, ପ୍ୟାଣ୍ଡେଲ ବାନ୍ଧିବାପାଇଁ, ଶଗଡ଼ରେ ଗାଡ଼ି ବୋଝେଇ କରି ପେଟ୍ରୋମାକ୍ସ ଆସି ହାଜର ହୋଇଛି (ଆଲୁଅ ତ ଡାଇନାମୋର ଉତ୍ସବର ଭାର ସହିପାରିବ ନାହିଁ), ଘରର କେଉଁ ଅନ୍ତରାଳରୁ ଡର୍ଜନ ଡର୍ଜନ ଅ୍ୟାସିଟିଲିନ ଗ୍ୟାସ୍‌ ବାହାରିଛି । ସେମାନଙ୍କର ମଜା ଘଷା ଚାଲିଛି ।

 

ମଜା ଘଷା ଚାଲିଛି, ଉତ୍ସବ ପାଇଁ ବିରାଟ ବିରାଟ ବାସନର ପାହାଡ଼ ! କେଉଁଠି ସେ ସବୁ ଥିଲା କେଜାଣି ! ବୋହୂରାଣୀ ତ ଥାଆନ୍ତି କାଚ-ଘେରା ଘରେ, ରାଜାବାହାଦୂର୍‍ ତାଙ୍କର ସେଇ (ଆଗ କହିଛି) ଐତିହାସିକ ନାଟକର ନାଟ୍ୟମଞ୍ଚରେ । ମୋର ସେଇ ଗୋଟାଏ ଜାଗାକୁ ମାତ୍ର ଯିବା ଆସିବା ।

 

ଦେଖୁଛି ଆଉ ଅବାକ୍‌ ହେଉଛି, କେଉଁଠି ଥିଲା ଏତେ କାର୍ପେଟ୍‍ ସତରଞ୍ଜି ଚାଦର ଆଉ ଶାମିୟାନା ଡେକୋରେଟରର କାମ ନୁହେଁ, ସବୁ ମାଲ୍‌ ନିଜର ।

 

ବାହାର ଘର ପରି କୁଆଡ଼େ ରୋକ୍ଷଦ ଚୌକୀ (ମହୁଟା ବାଜା) ବାଜିବ । ଗୁଡ଼୍‌ଗୁଡ଼୍‌ ସାଙ୍ଗରେ ବୁଲି ବୁଲି ଖନ୍ଦାଶାଳ ବି ଦେଖି ନେଇଛି । ଯେମିତି ହୁଏ, ପ୍ରକାଣ୍ଡ ପ୍ରକାଣ୍ଡ ଚୁଲି ଖୋଳା ହୋଇଛି, ଗଦା ଗଦା କାଠ ଜମା ହୋଇଛି ପାଖ ଅଗଣାରେ । ଭଣ୍ଡାରଘର ସାମନାରେ ଧୁଆ, ମଜା, ପୋଛା ଚାଲିଛି, କେତେ ପନିକି, କେତେ କାଠର ଥାଳି, କେତେ ନଡ଼ିଆ କୋରଣା, କଟୁରି-ଫଟୁରି । କେଉଁ ବଗିଚାରୁ ବସ୍ତା ବସ୍ତା ବୁଟ, ସୋଲା, ମଟର, ନିଜ କ୍ଷେତ ବାରିରୁ ।

 

ଜନ୍ମଦିନ ସାଙ୍ଗରେ ଲକ୍ଷ୍ମୀପୂଜା ମଧ୍ୟ ରହିଛିନା ? ନଡ଼ିଆ କୋରା ପ୍ରସାଦ ସବୁଆଡ଼େ ବଣ୍ଟା ହେବ । ଆଉ କେତେ କ’ଣ ଯେ ହେବ !

 

ଯେଉଁମାନେ ଆସି ଦିନେ ଦୁଇଦିନ ରହିବେ, ସେମାନଙ୍କପାଇଁ ବିଛଣା, ତକିଆ ଇତ୍ୟାଦି ବାହାର କରାହେଇଛି, ହାତପଙ୍ଖା ଆସିଛି ଗୁଡ଼ାଏ ।

 

ବଡ଼ଲୋକ ଘରର ଗୋଟିଏ ଝିଅ ବାହାଘର ପରି ଏ ବ୍ୟାପାର । ବସି ବସି ଅବଲୋକନ କରୁଛି ଆଉ ଭାବୁଛି ଟଙ୍କା ଥିଲେ କଳ୍ପନାର ପଙ୍ଖା କେତେଦୂର ଉଡ଼ିପାରେ । ତେବେ ଇଏ ତ ‘ସେକାଳ’ ସମାରୋହର କୌଣସି ଛାୟାହିଁ ବହନ କରୁନାହିଁ ।

 

ତେବେ ଗୁଡ଼୍‌ଗୁଡ଼୍‌ର ‘ସମାଚାର’ ଅନ୍ୟଥର ଏତେ ବେଶୀ ହୁଏନା । ଏଥର ରାଜାବାହାଦୂର୍‍ଙ୍କର ଶେଷ ‘ଜନ୍ମଦିନ’ ସେଇଥିପାଇଁ ।

 

‘ଶେଷ ଜନ୍ମଦିନ” ଶୁଣି ମୁଁ ତ ହାଁ ।

 

ତା’ପରେ ବୁଝିଲି ଏଇଟା ତା’ର ବିଜ୍ଞତାର ଫସଲ । ଶହେ ବର୍ଷ ପାଖାପାଖି ବୟସ ହେଲା, ବୁଢ଼ା ଆଉ କେତେଦିନ ପୃଥିବୀରେ ଅନ୍ନ ଜଳରେ ଭାଗ ବସାଇବେ ?

 

ଛାଡ଼, ବୁଝିଲି ପଞ୍ଚାଅଶୀ ବର୍ଷରେ ପଦାର୍ପଣଟା ଗୋଟାଏ ମାଇଲ୍‌ଷ୍ଟୋନ ସଦୃଶ । ତେଣୁ ଏତେ ସମାରୋହ । କର୍ତ୍ତାଙ୍କର କୁଆଡ଼େ ଗୋଟିଏ ଝିଅ ଥିଲେ ‘ଚାରୁହାସିନୀ ଦେବୀ’ । ବାପାଙ୍କର ମୁହଁ ଦେଖି ନ ଥିଲେ ବହୁକାଳ ହେଲା । ତାଙ୍କର ପତି ଦେବତାଙ୍କର ଅପମାନ ବାବଦରେ । ସେଇ ମହିଳା ମଧ୍ୟ ଆସୁଛନ୍ତି ବୋଲି ଶୁଣିଲି । କାରଣ ପତିଦେବତାଙ୍କର ସମ୍ପ୍ରତି ବିୟୋଗ ଘଟିଛି, ମନପ୍ରାଣ ଖରାପ, ତେଣୁ ବାପାଙ୍କୁ ଶେଷଦେଖା ଦେଖିବାକୁ ଆସୁଛନ୍ତି । ସେ କୁଆଡ଼େ ତାଙ୍କ ଚିଠିରେ ବି ‘ଶେଷ ଦେଖା’ ବୋଲି ଲେଖିଛନ୍ତି । ଅର୍ଥାତ୍‌ ଗୁଡ଼୍‌ଗୁଡ଼୍‌ର ଚିନ୍ତାଧାରା ସାଙ୍ଗରେ ଇଏ ଚିନ୍ତାଧାରା ଅଭିନ୍ନ ।

 

ଏ ସବୁ ଛିନ୍ନ ଛିନ୍ନ ପଲ୍ଲବରୁ ସଂଗୃହୀତ ।

ଅନୁରାଧା ମଧ୍ୟ କିଛି କହିଛି, ଯେତେ ଟିକେ ସେ ନିଜେ ଜାଣେ ।

ତା’ର ପୁଣି ବିରାଟ ଡିଉଟି ।

 

ତାକୁ କୁଆଡ଼େ ସାରାଦିନ ଉପବାସ ରହି ଲକ୍ଷ୍ମୀଙ୍କର ଭୋଗ ରାନ୍ଧିବାକୁ ହେବ । ଭୋଗର ଘର ଦେଖିବି ମୋ ଆଖି କପାଳକୁ ଉଠିଗଲା । ସେଠି ମଧ୍ୟ ବଡ଼ ବଡ଼ ଚୁଲି, ଗଦା ଗଦା କାଠ, ବଡ଼ ବଡ଼ ବାସନ ।

 

ଗୁଡ଼୍‌ଗୁଡ଼୍‌ କହିଛି ସାହାଯ୍ୟ କରିବାପାଇଁ ଲୋକ ଆସିବେ । ଭଗବାନ ଜାଣନ୍ତି । ଦେଖି ଦୟା ହେଲା । ମୋତେ ବାବା ମାରି କାଟିଦେଲେ ବି ‘ରାଜବାଟୀର ବୋହୂ’ ହେବାକୁ ରାଜି ହେବି ନାହିଁ । ଅବଶ୍ୟ କାହାରି ଘରର ବି ନୁହେଁ । ଦେଖିଶୁଣି ପ୍ରାଣ ଥରିଯାଉଛି । ଭାଇ, ମୁଁ ଯିବା ପରେ ତୋତେ ଯେଉଁ ମେଟିରିଆଲ୍‌ସ ଦେବି ବୋଲି ରଖିଛି, ସେଥିରେ ଟିକେ କହୁଛି ।

 

ପ୍ରାଣଟା ଥରିଯାଉଛି । ତେବେ ଅଦ୍ଭୁତ ଗୋଟାଏ ରକମର ଆନନ୍ଦ ଅନୁଭୂତ ହେଉଛି ଏବଂ ଦୁଃଖ ଅନୁଭବ କରୁଛି । ମୁଁ ଏଇ କର୍ମଯଜ୍ଞର କେହି ନୁହେଁ । କେବଳ ମାତ୍ର ଦର୍ଶକ ବୋଲି ।

 

ତେବେ ଅନଧିକାର ମଧ୍ୟରେ କିଛି ଅଧିକାର ଜୁଟିଛି ।

 

ସ୍ଵୟଂ ରାଜାବାହାଦୂର୍‍ କୁଆଡ଼େ ଇଚ୍ଛା ପ୍ରକାଶ କରିଛନ୍ତି, ତାଙ୍କ ଘରର ଡେକୋରେସନ୍‌ଟା ମୁଁ କରେ । କଲିକତାରୁ କୁଆଡ଼େ ଫୁଲ ଆସିବ । ଏଇଟା ମଧ୍ୟ ଗୋଟାଏ ଅସ୍ଵସ୍ତିକର ବ୍ୟାପାର ଦେଖିବାକୁ ଗଲେ କର୍ତ୍ତାଙ୍କର ଏଇ ଝିଅ ଡାକ୍ତରବାବୁ ଉପରେ ସ୍ନେହ ଦୃଷ୍ଟି ଦେଖି, ଖାସ୍‌ ଖାନ୍‌ସାମା ବ୍ରଜରାଜ ମୋ ଉପରେ ପ୍ରଥମରୁ ଖପ୍ପା । କେବଳ ଜ୍ଵାଳାମୟ ଦୃଷ୍ଟିରେ ଚାହେଁ ମୋ ଆଡ଼କୁ । ଆହୁରି ଯେଉଁମାନେ ଅଛନ୍ତି, ସେମାନେ ପ୍ରତ୍ୟେକେ ଯେମିତି ଶ୍ୟେନ ଦୃଷ୍ଟିରେ ଚାହାଁନ୍ତି ମୋତେ । ମୋର ପ୍ରାଧାନ୍ୟ ତାଙ୍କ ହାଡ଼ ଭିତରେ ଅଗ୍ନିଦାହ ଘଟାଉଛି । ବେଶ୍‌ ଭଲ ଭାବରେ ବୁଝିପାରୁଛି, ତେବେବି ପ୍ରଧାନ ହେବାକୁହିଁ ପଡ଼ୁଛି । ଅଥଚ ଦେଖ କି ମୁସ୍କିଲ ! ଏଇ ଉଦ୍‍ଭ୍ରାନ୍ତ ବୃଦ୍ଧ ମୋ ପାଖରେ ଯେମିତି କୃତଜ୍ଞତାରେ ବିଚଳିତ । ମୋତେ ନେଇ କ’ଣ କରିବେ ଭାବି ପାରୁନାହାଁନ୍ତି । ଏଡ଼ାଇପାରେନି ତାଙ୍କର ଆଗ୍ରହ ଆକୁଳତା ।

 

ଅନୁରାଧା ଆଉ ତା’ସ୍ୱାମୀ ହସି ହସି କୁହନ୍ତି, ତୁ ଆମର ଅନ୍ନ ମାରିଲୁ । ହସିଲେ ବି କଥାଟା ମନ ଭିତରେ ଆସିଛିତ ?

 

ଯାହାହେଉ, ଏଇ ଆସନ୍ତା ଜଞ୍ଜାଳଟା ଶେଷ ହୋଇଗଲେ, ପ୍ରାଣଟାକୁ ନେଇ କେମିତି ପଳେଇବି, ଦିନ ଗଣୁଛି । ଆଜି ଏଇଠି ଶେଷ କରୁଛି ! ହଁ, ତୁ ଆଉ ଭାଉଜ କେମିତି ଅଛ ? ଆଉ ତୁମେଦୁହେଁ ମୋର ସ୍ନେହ ନେବ ।

 

ତୁମାନଙ୍କର

‘ତପୁ’

 

॥୨୨॥

 

ଫୁଲମାଳ ଆସି ଯାଇଛି । ତା’ ଭିତରୁ ପ୍ରକାଣ୍ଡ ଦୁଇଟା ଗାର୍ଲ୍ୟାଣ୍ଡ ଅଲଗା କରି ରଖା ହୋଇଛି । ରାଜା ଶଶୀଶେଖର ସମାଦ୍ଦାର ବାହାଦୂର୍‍ ଏବଂ ରାଣୀ ସୁଧାହାସିନୀ ସମାଦାର ବାହାଦୂର୍‍ଙ୍କ ପାଇଁ । ଗୋଲାପର ତୋଡ଼ା ରହିଛି ଦୁଇଟା ।

ବାକି ଅନେକ ପତ୍ରପୁଷ୍ପ ଶୋଭିତ ରିଂ ଯେଉଁଗୁଡ଼ାକ କାନ୍ଥରେ କାନ୍ଥରେ ସଜାଇ ଦିଆ ହେଉଛି ସଜାଇବାର ନାୟିକା ଡକ୍ଟର ସୁତପା ଭଟ୍ଟାଚାର୍ଯ୍ୟ ।

ଯାହାଙ୍କର ଏ ପରିବାର ସହ କୌଣସି ଯୋଗସୂତ୍ରହିଁ ନାହିଁ । ପରିବାର ପକ୍ଷରେ ଏହାଠାରୁ ଗାତ୍ରଦାହକର ବ୍ୟାପାର ଆଉ କ’ଣ ହୋଇପାରେ ?

ଅନୁରାଧାଙ୍କୁ ଅନୁରୋଧ କରିଥିଲେ, ତୁ ବାବା, ମୋ ସାଙ୍ଗରେ ସାଙ୍ଗରେ ରହିବୁ । କିନ୍ତୁ ଏ ଅନୁରୋଧ ରଖିବାର ଉପାୟ କେଉଁଠି ତାଙ୍କର ? ତାଙ୍କୁ ତ ସାରାଦିନ ଗରଦ ଲୁଗା ପିନ୍ଧି ଲକ୍ଷ୍ମୀଙ୍କ ଭୋଗ ଘରେ ଡିଉଟି ଦେବାକୁ ହେବ । ପ୍ରତିଥରହିଁ ହୁଏ । ସେ ଜାଣିନାହାନ୍ତି କେଉଁଠି କ’ଣ ସଜାଇବା କଥା । ଅନୁଷ୍ଠାନ ଆରମ୍ଭ ହେବା ଆଗେ ଥରେ ଆସି ଛିଡ଼ା ହୁଅନ୍ତି ମାତ୍ର ।

ଅନୁଷ୍ଠାନ ମାନେ-

ଠିକ୍‌ ପ୍ରଦୋଷ କାଳରେ ଜଣେ ବେଦଜ୍ଞ ବ୍ରାହ୍ମଣ ଆସି ମଙ୍ଗଳାଚରଣ କରନ୍ତି ଏବଂ ‘ଶୁଭେଚ୍ଛା’ ଜଣାନ୍ତି । ପୁରୋହିତ ହୋମଟିକା ପିନ୍ଧାଇ ଦିଅନ୍ତି । ତା’ପରେ ପରେ ଆରମ୍ଭ ହୋଇଯାଏ ପ୍ରଣାମ । ନମସ୍କାର ଉପହାର ଦେବାର ପାଳି ।

ବର୍ତ୍ତମାନ ବେଳ ଦୁଇଟା, ଫୁଲ ଆସିବାକୁ ଡେରି ହେବାରୁ ହୁରି ପଡ଼ିଯାଇଛି । ଶଶୀଶେଖର ବସି ରହିଛନ୍ତି ଟିକେ ଆଚ୍ଛନ୍ନ ଦୃଷ୍ଟି ମେଲି । ଆଜି ଯେମିତି ଅଭ୍ୟସ୍ତ ଧୂମପାନରେ ବି ଆଗ୍ରହ ନାହିଁ ତାଙ୍କର । ମଝିରେ ମଝିରେ କହୁଛନ୍ତି, ବୁଝିଲ ସୁତପା, ମୁଁ ଯେମିତି ପଚାଶ ବର୍ଷ ପଛକୁ ଚାଲି ଯାଉଛି । ଘରେ କୌଣସି ପାର୍ଟି-ଫାର୍ଟି ହେଲେ ରାଣୀ ଏଇପରି ଭାବରେ ଅଣ୍ଟା ଭିଡ଼ି ଲାଗି ଯାଆନ୍ତି ।

ତାଙ୍କୁ ଆପଣ କ’ଣ ବୋଲି ଡାକୁଥିଲେ ରାଜା ଜେଜେ ?

କଥା । କଥା । ଇଚ୍ଛା କରି କଥା କହିବାକୁ ଚାହୁଁଛନ୍ତି ସୁତପୀ । ସେଥିରେ, ଯେମିତି ଶାନ୍ତିଥାଏ ସୁତପା ନିଃଶବ୍ଦରେ କାମ କରିଯିବେ, ଶଶୀଶେଖର ନିଃଶବ୍ଦରେ ତାଙ୍କ ଆଡ଼କୁ ବିଗଳିତ ସପ୍ରଶଂସା ଦୃଷ୍ଟି ମେଲି ବସିଥିବେ, ନିଃଶବ୍ଦରେ ସେଇ ଦୃଷ୍ଟି ଅବଲୋକନ କରି, “ଏଇଟା କ’ଣ କଥା-? ଏହା ଭାରି ଅସ୍ଵସ୍ତିକର ।’’

ଶଶୀଶେଖର ଟିକେ ସିଧା ହୋଇ ବସି କହିଲେ, ଗୋଟାଏ ନାଁରେ ଡାକି କ’ଣ ଅଣ୍ଟେ ଭାଇ ? ତା’ହେଲେ ଆଉ ଶହେ ଆଠ ନାଁ ଲାଗେ କାହିଁକି ? ‘ରାଣୀ’ ‘ମହାରାଣୀ’, ‘ରାଣୀ ସାହେବା’, ‘ହାସି’, ‘ସୁଧା’, ‘ସୁଧାହାସିନୀ’ କେତେ ନାଁରେ ଡକା ହେଉଥିଲା ।

ଆପଣଙ୍କୁ କିଏ ସଜାଇ ଦିଏ ଜେଜେ ?

ମୋତେ ? ଆଉ କୁହନା, କୁହନା, ମୋତେ ସଜାଇ ଦିଏ ସେଇ ଶଳା ଜ୍ୟୋତି । ଚନ୍ଦନ ତିଳକ, ଲମ୍ବା କୁଞ୍ଚବାଲା ଧୋତି-ଫୋତି ଆଣି, ଯାହା କରିବ ଦେଖିବ । ଦେଖିଲ ତ ତାକୁ ? ଫୁଲ ଗାଡ଼ିରେ ଆସିଲା ।

ଦେଖିଛି ଥରେ । ଆପଣଙ୍କ ଝିଅ ବି ତ କାଲି ଆସିଛନ୍ତି । ଦେଖା ହୋଇଛି ତ ? ଶଶୀଶେଖର ନୀରସ କଣ୍ଠରେ କହିଲେ, ହଁ, ହୋଇଛି ।

 

ଆହୁରି ସବୁ କେତେ ଲୋକ । ମୁଁ ତ କାହାରିକି ଚିହ୍ନିନାହିଁ । ମୋତେବି କେହି ଚିହ୍ନି ନାହାଁନ୍ତି । ଏତେ ଲାଜ ମାଡ଼ୁଛି ।

 

କାହିଁକି ? ଲାଜ କ’ଣ ପାଇଁ ? ଶଶୀଶେଖର ଉତ୍ତେଜିତ ହୋଇ କହିଲେ, ଲାଜ କ’ଣ ପାଇଁ ?

 

ବାଃ, ମୋର ଏଠି କି ପରିଚୟ ?

 

ଶଶୀଶେଖର ଗମ୍ଭୀର ଭାବରେ କହିଲେ, ତୁମେ ମୋର ସ୍ନେହ ପାତ୍ରୀ, ଏହାହିଁ ଶ୍ରେଷ୍ଠ ପରିଚୟ ।

 

ଯାହାହେଉ, ଭଲ ।

 

ମନେ ମନେ କହିଲେ ସୁତପା, ପ୍ରିୟପାତ୍ରୀ ବା ପ୍ରେମପାତ୍ରୀ କହି ବସି ନାହାଁନ୍ତି ଆପଣ ! ମୁହଁରେ କହିଲେ, ଠିକ୍‌ ଅଛି । ମୁଁ ଆଉ ଲଜ୍ଜା କରିବିନି । କିନ୍ତୁ ସଜାଇବାଟା ଠିକ୍‌ ହେଇଛି କି ନାହିଁ କୁହନ୍ତୁ । ଆପଣଙ୍କର ନିଜର ଲୋକମାନଙ୍କର ପସନ୍ଦ ହେବକି ନାହିଁ କେଜାଣି ?

 

ନ ହେଲେ ତ ବୋହିଗଲା ।

 

ଶଶୀଶେଖର ଉଦ୍ଧତ ଭାବରେ କହିଲେ, ଅନ୍ୟର ପସନ୍ଦ, ଅପସନ୍ଦକୁ କେୟାର କରେନା, ମୋତେ ଯାହା ଭଲ ଲାଗିବ ମୋ ଘରେ ସେଇଟାହିଁ ଚାଲିବ, ବାସ୍‌ ।

 

ସୁତପା ଗୋଟାଏ ଭାରୀ ଟେବୁଲ ଉପରେ ଚଢ଼ି କାନ୍ଥ ସଜାଉଛନ୍ତି, ଟୁଲ୍‌ଟା ଘୁଞ୍ଚାଇ ଘୁଞ୍ଚାଇ ନେଉଛି ବ୍ରଜରାଜ । ଅନେକ ଥର ଏମିତି କରିବା ପରେ ସୁତପା କହିଲେ, ବ୍ରଜଭାଇ, ତୁମେ ଆଉ କେତେ ବୋହି ବୋହି ନେବ ? ମୁଁ ଟାଣି ଟାଣି ନେଇଯାଉଛି ।

 

ବ୍ରଜରାଜ ଉତ୍ତର ଦେଲା ନାହିଁ । ନିଃଶବ୍ଦରେ ଟୁଲ୍‌ଟା ଧରିଲା ।

 

ସୁତପା କହିଲେ, ତାହେଲେ ତୁମେ ଟୁଲ୍‌ଟାକୁ ରାଣୀ ସାହେବଙ୍କ ଫଟୋ ତଳକୁ ନେଇ ଆସ । ତଳ ବ୍ରାକେଟରେ ଗୋଲାପ ତୋଡ଼ାଟା ଦେଇଦିଏ । ମାଳଟା, ବଡ଼ କୁମାର ଦେଇଦେବେ-

 

ବ୍ରଜରାଜ ମଦଗର୍ବ ଢଙ୍ଗରେ କହିଲା, ସେ ସବୁ ଥାଉ, କୁମାର ବାହାଦୂର୍‍ମାନେ ଦେବେ-

 

ଆଚ୍ଛା ତେବେ ଥାଉ, କହିଲେ ସୁତପା । ହାତର ତୋଡ଼ାଟା ଟେବୁଲ ଉପରେ ରଖିଲେ, ଆଉ ସେଇ ମୁହୂର୍ତ୍ତରେ ଗୋଟାଏ ବିସ୍ଫୋରଣ ଘଟିଗଲା । ଅନ୍ତତଃ ବ୍ରଜରାଜ ପାଖରେ ।

 

ଟେବୁଲ ଉପରେ ରଖିବା ମାତ୍ରେ ଶଶୀଶେଖର ଜୋର୍‍ରେ ଧମକ ଦେଲେ । ସବୁବେଳେ ସର୍ଦାରୀ କରୁ କାହିଁକି ବ୍ରଜ ? ସଜାଇବା କାମ ଚାଲିଛି, ହୋଇଯାଉ ।

 

ସୁତପା ପ୍ରମାଦ ଗଣିଲେ । ସାଙ୍ଗେ ସାଙ୍ଗେ କହିଲେ, ନା, ନା, ବ୍ରଜଭାଇ ତ ଠିକ୍‌ କହିଛନ୍ତି, ଯେଉଁମାନେ ବରାବର ଦିଅନ୍ତି, ସେଇମାନଙ୍କର ତ ଦେବା ଉଚିତ ।

 

ଶଶୀଶେଖର ତାଙ୍କର ନୂଆ ସ୍ନେହପାତ୍ରୀଙ୍କର ମର୍ଯ୍ୟାଦା ବଜାୟ ରଖିବା ପାଇଁ ଅପମାନ ନିରାକରଣାର୍ଥେ, ଚିର ପ୍ରିୟପାତ୍ର ବ୍ରଜରାଜର ମର୍ଯ୍ୟାଦା ଖତମ କରି ବସିଲେ । ତୀବ୍ର ଜିଦ୍‌ ସହ କହିଲେ, ନା, ତୁମେହିଁ ଦେବ ।

 

ନା, ନା, ଠିକ୍‌ ଅଛି । ସେମାନେ ଆସନ୍ତୁ ନା ।

 

ଶଶୀଶେଖର ପୁଣି କହିଲେ, ତୁମେହିଁ ଦେବ ମୋର ଇଚ୍ଛା । ବ୍ରଜ ଟୁଲ୍‌ଟା ଘୁଞ୍ଚାଇ ଦେ-। ବ୍ରଜ ନିଃଶବ୍ଦରେ ଟୁଲ୍‌ଟା ଘୁଆଇ ଦେଇ ନିଃଶବ୍ଦରେ ଘରୁ ବାହାରି ଗଲା । ସୁତପା ଅନୁଭବ କଲେ ‘ଦରମା ଦିଆ ଲୋକମାନଙ୍କୁ’ ମଧ୍ୟ ଡରିବାକୁ ହୁଏ । ଡର ଆସିଯାଏ । ବ୍ରଜରାଜ ଚାଲିଯିବା ଦେଖି ସୁତପା ମଧ୍ୟ ଡରିଗଲେ ।

 

କହିଲେ, ବ୍ରଜଭାଇ ରାଗି ଯାଇ ଚାଲି ଗଲେ ।

 

ଛାଡ଼ ! ଦିନ ପରେ ଦିନ ବହୁତ ସାହସ ବଢ଼ିଯାଉଛି ତା’ର । କାହାକୁ କ’ଣ କହିବାକୁ ହୁଏ ନ ହୁଏ ତା’ର ଜ୍ଞାନ ରହୁନି ।

 

ମୁଁ କ’ଣ କହୁଛି କି ଜେଜେ, ମାଳ ପିନ୍ଧାଇବାଟା ଥାଉ । ସେମାନେ ଆସି-

 

ନା, ନା, ନା । ଶଶୀଶେଖର ଉତ୍ତେଜିତ ଗଳାରେ କହିଲେ, ଏଥର ତୁମେହିଁ ପିନ୍ଧାଇବ-। ତାଙ୍କର ଆତ୍ମା ସେଥିରେ- ହଠାତ୍‌ ଥମି ଗଲେ ।

 

ଅଗତ୍ୟା ଟୁଲ ଉପରେ ଉଠିବାକୁ ହେଲା ସୁତପାଙ୍କୁ । ଆଗେଇ ଦେବାପାଇଁ କେହି ନାହାଁନ୍ତି, ଥରେ ଚଢ଼ି ବ୍ର୍ୟାକେଟ୍‌ରେ ଗୋଲାପର ତୋଡ଼ାଟା ରଖିଲେ, ଆଉଥରେ ଚଢ଼ି ଫଟୋ ଗଳାରେ ପିନ୍ଧାଇ ଦେଲେ ସେଇ ବିରାଟ ଗାରଲ୍ୟାଣ୍ଡରୁ ଗୋଟିଏ । ଠିକ୍‌ ଭାବରେ ପିନ୍ଧାଇବାକୁ ସମୟ ଲାଗିଲା, ପରିଶ୍ରମ ବି ହେଲା । ଓହ୍ଲାଇ ଆସି ଟିକେ ଟୁଲ୍‌ ଉପରେ ବସି କହିଲେ, ଏଥର ଘରଟା ସାଫ୍‌ କରି ନୂଆ କାର୍ପେଟ୍‍ଟା ବିଛାଇ ଦେବାକୁ ପଡ଼ିବ । ମୁଁ ଯାଏ । ନିଜେ ପ୍ରସ୍ତୁତ ହୋଇଯାଏ ।

 

ଶଶୀଶେଖର ଡାକିଲେ, ବ୍ରଜ ।

ବ୍ରଜର ଉତ୍ତର ମିଳିଲା ନାହିଁ ।

ପୁଣି ଡାକିଲେ ବ୍ରଜ ।

ଉତ୍ତର ନାହିଁ ।

ବ୍ରଜ କ’ଣ ବସାରେ ଯାଇ ମରିଗଲୁ ? ଗୁଡ଼୍‌ଗୁଡ଼୍‌ ?

କେଜାଣି କେଉଁଠି ଥିଲା ଗୁଡ଼୍‌ଗୁଡ଼୍‌, ମୁହୂର୍ତ୍ତ ମଧ୍ୟରେ ଅ।ସି ହାଜର ହୋଇଗଲା ।

ବ୍ରଜ କେଉଁଠି ?

ହେଇ ତ, ବାରଣ୍ଡା ଉପରେ ଛିଡ଼ା ହୋଇଛନ୍ତି ।

ଓହୋଃ, ମାନ ହୋଇଛି ବାବୁଙ୍କର । ଏ ଘର ସାଫ୍‌ କରିବ କିଏ ।

ଆଜ୍ଞା ନବୀନ ଭାଇ ତ ଅପେକ୍ଷା କରି ଛିଡ଼ା ହୋଇଛନ୍ତି ।

ଡାକ ତାକୁ । କାର୍ପେଟ୍‍ ବିଛାଇବ କିଏ ?

ଆଜ୍ଞା ମଧୁ ଆଉ ନବୀନ ଭାଇ ତ ପାରିବେ ।

ଠିକ୍‌ ଅଛି । ବ୍ରଜକୁ କହ, ଦେଖେଇ ଦେବ ।

ଏହାପରେ ସବୁ ହୋଇଯାଏ ।

 

ବ୍ରଜର ତତ୍ତ୍ଵାବଧାନରେ ଘର ମେଜିଆ ଉପରେ ଭଲ ଦାମୀ କାର୍ପେଟ୍‍ ବିଛାଇ ଦିଆହୁଏ-। ଗୋଲାପ ପାଣି ସ୍ପେୟାରରେ ଗୋଲାପ ପାଣି ଭରି ଦିଆହୁଏ ଏବଂ ଜ୍ୟୋତି ଆସି ହାଜର ହୁଅନ୍ତି-

 

ଜ୍ୟୋତିଶେଖରଙ୍କ ମୁହଁରେ ବିରକ୍ତି ।

 

ରାଜାବାହାଦୂର୍‍, ଘର ସଜାଇବା ସମୟରେ ଆପଣ ପୂରାପୂରି ବସି ରହିଲେ କାହିଁକି ? ଏଇ ସମୟରେ ଅନ୍ୟ ଘରକୁ ଯାଇ ଟିକେ ବିଶ୍ରାମ ନେବା ଉଚିତ ଥିଲା ।

 

ଆରେ ବାବୁ, ଖାଇବା ପରେ କିଛି ସମୟ ବିଶ୍ରାମ ନେଇଛି ।

 

ସେଇ ମହିଳାଜଣଙ୍କର ଏସବୁ କରିବାର କି ଦରକାର ଥିଲା ? ଏସବୁ କରିବାକୁ ତାଙ୍କୁ କିଏ କହିଛି ?

 

ଦୂରରେ ରହୁଥିବା ଅଥବା ବିଶେଷ ଧରଣର ପ୍ରିୟ ନାତିଙ୍କର ଏଇ ବିରକ୍ତିକର ପ୍ରଶ୍ନ ସାମନାରେ ଶଶୀଶେଖର ଈଷତ୍‌ ଦୁର୍ବଳ ହୋଇଯାଆନ୍ତି, ଆସ୍ତେ କୁହନ୍ତି, ମୁଁ କହିଛି । ସେ କହୁଥିଲେ କଲେଜ ଫଙ୍କସନ୍‌ରେ ସଜାସଜି କରିବାର ଦାୟିତ୍ଵ ନିଏ, ସଜାଇବାର ହାତ ଅଛି ।

 

ଏତେଦିନ ଯେତେବେଳେ ‘ହାତ’ ନ ଥିବା ହାତରେ ଚାଲିଛି, ସେତେବେଳେ ଆଜି ବି ଚାଲିଥାଆନ୍ତା । ହଉ, ଆପଣ ଟିକେ ବିଶ୍ରାମ କରନ୍ତୁ, ତା’ପରେ ଆପଣଙ୍କୁ ସଜାଇବି ।

 

ଶଶୀଶେଖରଙ୍କୁ ଜୋର କରି ଶୁଆଇ ଦେଇ ଚାଲି ଯାଆନ୍ତି ଜ୍ୟୋତିଶେଖର । ଜ୍ୟୋତିଶେଖରଙ୍କ ମଧ୍ୟରେ ବିଶେଷ ଗୋଟାଏ ପ୍ରାବଲ୍ୟ ଅଛି । ସୋମଶେଖରଙ୍କ ମଧ୍ୟରେ ଯାହା ଅନୁପସ୍ଥିତ । ହୁଏତ ଶଶୀଶେଖରଙ୍କ ପ୍ରକୃତିଟା ପାଇଛନ୍ତି ତାଙ୍କ ସାନପୁଅର ପୁଅ ।

 

॥୨୩॥

 

ଫୁଲ ପତ୍ର, ଆଲୁଅ ଚନ୍ଦନ, ଗୋଲାପ ପାଣି, ରାଶି ରାଶି ଧୂପର ସୌରଭରେ ପୂରାଘର ଯେମିତି ମହମହ କରୁଛି । ଏ ସବୁହିଁ ଉତ୍ସବର ସଜ୍ଜା ।

 

ଶଶୀଶେଖର ବସିଛନ୍ତି ସିଂହାସନ ପରି ଗୋଟାଏ ଚେୟାରରେ । ଗଳାରେ ସୁଗନ୍ଧୀ ସେଇ ଗଜରାମାଳଟି । ଯାହାର ଅନ୍ୟଟି ରାଣୀ ସୁଧାହାସିନୀଙ୍କ ଫଟୋରେ । ସେଇ ଫଟୋର ମୁହାମୁହିଁ ଶଶୀଶେଖରଙ୍କର ଆସନ ।

 

ପୂରା ଘରଟାରେ କାର୍ପେଟ୍‍ । ତା’ ଉପରେ ବସିଛନ୍ତି ଘରର ଲୋକ, ବସିଛନ୍ତି ପୁରୋହିତ, ବେଦଜ୍ଞବ୍ରାହ୍ମଣ ।

 

ଜ୍ୟୋତିଶେଖର ପଚାରିଲେ, ବୋହୂରାଣୀ କୁଆଡ଼େ ଗଲେ ?

ସୋମଶେଖର କହିଲେ, ସେ ତ ଲକ୍ଷ୍ମୀଙ୍କ ଘରେ ।

କି ଆଶ୍ଚର୍ଯ୍ୟ ! ସେ ଏଠି ଆସି ବସିବେନି ?

କେଜାଣି, ସେଠି କାମ ଶେଷ ହୋଇଛି କି ନାହିଁ ।

 

ଜ୍ୟୋତି ଜୋର୍‍ ଦେଇ କହିଲେ, ‘ସେଠି’ ଦେଖିବା ପାଇଁ ଲୋକଙ୍କର ଅଭାବ ନାହିଁ । ତାଙ୍କୁ ଡାକି ପଠାନ୍ତୁ । ଜ୍ୟୋତି ରାଜବାଟୀର କାଇଦା ଜାଣିଛନ୍ତି, ସମସ୍ତଙ୍କୁ ଆପଣ ବୋଲି ସମ୍ବୋଧନ କରନ୍ତି ।

 

‘ପ୍ରଣାମ’ କରିବା ସମୟରେ ଆସିବେ ।

 

ଜ୍ୟୋତି କହିଲେ, ନା, ବର୍ତ୍ତମାନ ଆସି ବସିବେ । ଆଶ୍ଚର୍ଯ୍ୟ ! କିଏ ନା କିଏ ଜଣେ ବାହାରର ମହିଳା ରାଜାବାହାଦୂର୍‍ଙ୍କ ପାଖରେ ଲାଗି ରହିଲେ, ସେ ଯେମିତି ‘ମଧ୍ୟମ ମଣି’ ଆଉ ବୋହୂରାଣୀ । ହଠାତ୍‌ ତ ମୁଁ ବୋହୂରାଣୀ ବୋଲି ଭାବିଥିଲି । ମହିଳାମାନଙ୍କ ଶାଢ଼ି-ଫାଡ଼ି ତ ପୂରା ଏକାପରି ହୁଏ !

 

ଜ୍ୟୋତି ଅବଶ୍ୟ ଶାଢ଼ିଟାର ଇତିହାସ ଜାଣି କହିନାହାନ୍ତି । ଏମିତି ସାଧାରଣ ଭାବରେହିଁ କହିଛନ୍ତି । ଇତିହାସ ଅଛି । ଅନୁରାଧା ଜବରଦସ୍ତି କରି ତାଙ୍କର ଗୋଟାଏ ହାଲ୍‌କା ନୀଳ କ୍ରେପ୍‌ ବନାରସୀ ଶାଢ଼ି ଆଜି ପିନ୍ଧାଇଛନ୍ତି ସୁତପାଙ୍କୁ । ତାଙ୍କ ମତରେ ଏଇ ଉତ୍ସବରେ ସୁତପାଙ୍କ ପ୍ରିଣ୍ଟେଡ଼୍‌ ମୁର୍ଶିଦାବାଦୀ ଅଚଳ । ଚାରିଆଡ଼େ କେବଳ ଜରି ଆଉ ଜରି । ସୁନା ଭଉଣୀଟା ପରା, ଆଜି ଏଇଟା ପିନ୍ଧିଦେ । ମୋର ଶାଢ଼ିଟା ତୋ’ ପରି ବିଦୂଷୀର ଅଙ୍ଗସ୍ପର୍ଶରେ ଧନ୍ୟ ହେଉ ।

 

ହାଲ୍‌କା ନୀଳ କ୍ରେପ୍‌ ବନାରସୀ ଦେହରେ ଛୋଟ ଛୋଟ ରୁପେଲି ଜରିର ଫୁଲ । ସୁତପାଙ୍କର ମନେହେଲା, ସେ ଯେମିତି ଝରକା ଖୋଲି ତାରା ଭରା ରାତିର ଆକାଶ ଦେଖିଛନ୍ତି । ପିନ୍ଧି ପକାଇଲେ ଲଜ୍ଜାକୁ ବାଦ୍‌ ଦେଇ ।

 

ସୁତପା ଅବଶ୍ୟ ଅନୁରାଧାଙ୍କ ପରି ସୁନ୍ଦରୀ ନୁହଁନ୍ତି, ପାଖାପାଖି ମଧ୍ୟ ନୁହଁନ୍ତି, ତେବେବି ମୁହଁରେ ବିଦ୍ୟାବତ୍ତା ଆଉ ପ୍ରଖର ବୁଦ୍ଧି ସାଙ୍ଗରେ ମାର୍ଜିତ ଶାଳୀନତାର ଯେଉଁ ଛାପ, ସେଥିରେ ସମସ୍ତଙ୍କଠାରୁ ଉଜ୍ଜ୍ୱଳ ଦିଶୁଛି ତାଙ୍କୁ ।

 

ସୋମଶେଖର କହିଲେ, ବେଦମନ୍ତ୍ର ପରେ ସେ ଗୀତ ଗାଇବେ ।

ଅର୍ଥାତ୍ ସେଇଥିପାଇଁ ବୋଧହୁଏ ‘ମଧ୍ୟମ ମଣି’ ହୋଇ ବସିବାର ଅଧିକାର ।

କିନ୍ତୁ କିଏ ଜାଣିଥିଲା ଗୀତ ଏତେ ବିପତ୍ତି ଡାକି ଆଣିବ ?

 

ସୁତପାଙ୍କ ସାମନାରେ ହାରମୋନିୟମଟା ଆଣି ରଖିବା ମାତ୍ରେ ଶଶୀଶେଖର ଚମକି ଉଠିଲେ । କହିଲେ, କିଏ ଗୀତ ଗାଇବେ ?

 

ମିସ୍‌ ଭଟ୍ଟାଚାର୍ଯ୍ୟ ।

ମିସ୍‌ ଭଟ୍ଟାଚାର୍ଯ୍ୟ, ସୁତପା ? ସୁତପା ଗୀତ ଗାଇ ଜାଣନ୍ତି ?

ସୋମଶେଖର ମୃଦୁ ହସି କହିଲେ, ସେଇଆ ତ ଶୁଣିଲି ।

କିଏ କହିଲେ ? ଏଁ, କିଏ କହିଲେ ?

 

ଅନୁରାଧା ସେତେବେଳେ ଡକାଡକି ହେବାରୁ ବାଧ୍ୟ ହୋଇ ଉଠି ଆସିଛନ୍ତି ହଲ୍‌କୁ । ଭୟରେ ସାଙ୍ଗେ ସାଙ୍ଗେ କହିଲେ, ମୁଁ କହିଛି ଜେଜେ ।

 

ତୁମେ ? ତୁମେ କେମିତି ଜାଣିଲ ସେ ଗୀତ ଜାଣନ୍ତି ବୋଲି ? ଅନୁରାଧା ପ୍ରମାଦ ଗଣିଲେ । ତେବେବି ସହଜାତ ଅଭିନୟ ନୈପୁଣ୍ୟ ତାଙ୍କୁ ବଞ୍ଚାଇ ଦିଏ ।

 

କଥାରେ କଥାରେ ଜାଣିଗଲି ।

 

କିନ୍ତୁ କହିଲେ ନାହିଁ ଯେ ତାଙ୍କର ଗୀତରେ ଡିପ୍ଲୋମା ଅଛି, ‘ଗୀତବିତାନର’ ନାମକରା ଛାତ୍ରୀ । କେବଳ କହିଲେ, ଆରମ୍ଭ କରନ୍ତୁ ମିସ୍‌ ଭଟ୍ଟାଚାର୍ଯ୍ୟ ।

 

ଗୀତ ସମ୍ପର୍କରେ ଏଇ ଉତ୍ତେଜନାର କାରଣ କେହି ଠିକ୍‌ ବୁଝିପାରିଲେ ନାହିଁ । ଶଶୀଶେଖରଙ୍କ ଭଣଜା, ଭଣଜାବୋହୂମାନଙ୍କର ତ ସଂଖ୍ୟା ଅନେକ ଥିଲା ।

 

ଘରର ଲୋକମାନେ ଭାବିଲେ, କାରଣଟା ହେଉଛି ବୟସ ।

 

ମଙ୍ଗଳାଚରଣ ଓ ପୁରୋହିତମାନଙ୍କର ଆଶୀର୍ବଚନ ପରେ ପରେ ହିଁ ଗୀତ ଆରମ୍ଭ କଲେ ସୁତପା । ଅନୁଷ୍ଠାନର ଉଦ୍‌ବୋଧନ ହିସାବରେ । ପ୍ୟାଣ୍ଡେଲ ତଳେ ବହୁତ ଲୋକ ଅପେକ୍ଷା କରି ରହିଛନ୍ତି, ରାଜାବାହାଦୂର୍‍ଙ୍କୁ ଅଭିନନ୍ଦନ ଜଣାଇବାପାଇଁ ।

 

ଫୁଲତୋଡ଼ାରେ ପ୍ୟାଣ୍ଡେଲର ଗୋଟିଏ କୋଣ ପୂରା ଭରି ଯାଇଛି ।

 

ପାରିବାରିକ ଅନୁଷ୍ଠାନ ଶେଷ କରି ତଳକୁ ଓହ୍ଲାଇ ପ୍ୟାଣ୍ଡେଲରେ ଆସି ବସିବେ ରାଜା ଶଶୀଶେଖର ସମାଦ୍ଦାର ବାହାଦୂର୍‍, ଏସବୁ ଅଭିନନ୍ଦନ ନେବାପାଇଁ । ଏମାନେ ଅଧିକାଂଶହିଁ ଏମାନଙ୍କର ବିଜନେସ୍‌ ସୂତ୍ରରେ ପରିଚିତ ଏବଂ କର୍ମୀବୃନ୍ଦ ।

 

ଏବେ ବର୍ଷକୁ ଥରେ ଏଇ ଦିନ ତଳମହଲାକୁ ଓହ୍ଲାନ୍ତି ରାଜବାହାଦୂର୍‍ ଶଶୀଶେଖର । ଏମାନଙ୍କ ସାଙ୍ଗରେ ଦେଖାହୁଏ ।

 

କିନ୍ତୁ ଓହ୍ଲାଉ ନାହାଁନ୍ତି, କାହିଁକି ?

ପ୍ରଦୋଷକାଳ ଉତ୍ତୀର୍ଣ୍ଣ ହେବା ମାତ୍ରେ ତ ଓହ୍ଲାଇବା କଥା ।

କ’ଣ ହେଉଛି ଉପରେ ?

 

ତିନି ହାତ ଚଉଡ଼ା କାନ୍ଥର ଘର, ଉପର ତାଲାରେ ହଲର ମାଇକ୍‌ ହୀନ ଗୀତର ଶବ୍ଦ ପ୍ୟାଣ୍ଡେଲକୁ ଚାଲି ଆସି ପାରେନା । ଅତଏବ କେହି ବୁଝିପାରନ୍ତିନି ଚିର ଆତ୍ମସ୍ଥ ବିଚକ୍ଷଣ ଶଶୀଶେଖର ଅବୋଧର ଭୂମିକା ନେଇଛନ୍ତି । ଗୋଟିଏ ପରେ ଗୋଟିଏ ଗୀତର ଫରମାସ କରି ଚାଲିଛନ୍ତି ।

 

‘ତୁମକୁ କରିଛି ମୁଁ ଜୀବନର ଧ୍ରୁବତାରା’-

 

ଏ ଗୀତଟା ତୁମେ ଜାଣ ସୁତପା ? ‘ଅନ୍ଧଜନେ ଦିଅ ଆଲୁଅ ମୃତଜନେ ଦିଅ ପ୍ରାଣ ? ‘ନୟନ ତୁମକୁ ପାଏନା ଦେଖି’- ଏଇଟା ? ଜାଣ ? କି ଆଶ୍ଚର୍ଯ୍ୟ ! ଆଉ ସେଇ ଗୀତଟା ? ସେଇ କ’ଣ ଲାଇନ୍‌ଟା- ଭୁଲି ଯାଉଛି ‘ତୃଷିତ ଏ ମରୁ ତୃଷିତ ଏ ମରୁ- ଏଇଟା ବି ଜାଣିଛ ? ସୁତପା, ଏତେଦିନ ତୁମେ ! ଓଃ ସୋମଶେଖର ଏତେଦିନ ହେଲା ତୁମେମାନେ ମୋତେ ବଞ୍ଚିତ କରି ରଖିଥିଲ ? କି ପ୍ରକାର ଲୋକ୍‍ସାନ୍‍ ! ଗୋଟାଏ ମାସ ପୂରି ଗଲାଣି ସୁତପାର ରହଣି ।

 

ସେପଟେ ଅପେକ୍ଷାମାନମାନେ ଭାବୁଛନ୍ତି-

କି ପ୍ରକାର ଲୋକ୍‍ସାନ୍‍ ‍! ସମୟର କି ପ୍ରକାର ଲୋକ୍‍ସାନ୍‌ ।

କେଜାଣେ ଏଥର ଆଉ ଓହ୍ଲାଇ ପାରିବେ କି ନାହିଁ !

ବର୍ଷକୁ ବର୍ଷ ବୟସ ବଢ଼ୁଛି ବରଂ କମୁନି ! ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ନା କ’ଣ ?

 

ମିସ୍‌ ଭଟ୍ଟାଚାର୍ଯ୍ୟ ଆପଣ ଟାୟାର୍ଡ଼ ହୋଇଯାଇଛନ୍ତି, ଏବେ ରେଷ୍ଟ ନିଅନ୍ତୁ । ଆପଣ ତ କାଲି ଯାଉନାହାଁନ୍ତି, ପୁଣି କାଲି ଗୀତ ଗାଇ ଶୁଣାଇବେ ।

 

ଜ୍ୟୋତିଙ୍କର ଏଇ ସୌଜନ୍ୟ ବାକ୍ୟ ଯେମିତି ଆଦେଶ ଭଳି ଲାଗିଲା ଶୁଣିବାକୁ ।

ମିସ୍‌ ଭଟ୍ଟାଚାର୍ଯ୍ୟ ଗୀତ ବନ୍ଦ କଲେ ଏବଂ ଚାଲି ଯାଇ ବେଶ ପଛରେ ବସିଲେ ।

 

॥୨୪॥

 

ଗୀତ ଗାଇବାବେଳେ ତୁମେମାନେ ତାଙ୍କ ମୁହଁ ଆଡ଼କୁ ଚାହିଁଥିଲ ? ଶଶୀଶେଖର କହିଲେ ତାଙ୍କ ନାତିମାନଙ୍କୁ ଲକ୍ଷ୍ୟ କରି । ସେଇ ଆଲୁଅ ।

 

କେଉଁ ଆଲୁଅ ?

 

ଯେଉଁ ଆଲୁଅ ସେଇ ଫଟୋରେ ସ୍ଥିର ହୋଇ ରହିଛି । ଅବିକଳ ସେଇ ଆଲୁଅ, ସେଇ ମୁହଁ । କିଏ ଆଉ କ’ଣ କହିବେ ଏଇ ବିକାରଗ୍ରସ୍ତ ବୃଦ୍ଧଙ୍କର ଗୋଟାଏ ଅବାସ୍ତବ କଳ୍ପନାରେ ? ସମସ୍ତେ ଚୁପ ହୋଇ ରହନ୍ତି ।

 

ବୃଦ୍ଧ ପୁଣି କୁହନ୍ତି, ତୁମମାନଙ୍କୁ ଥରେବି ଆଶ୍ଚର୍ଯ୍ୟ ଲାଗିଲା ନାହିଁ ସୋମ, ‘ସେଇ’ ଗୀତଗୁଡ଼ାକ ସେ ସବୁ ଗାଇଲେ ଶୁଣି ? ଏସବୁ ସେକାଳର ଗୀତ, ସେ ପିଲା ମଣିଷ, କେଉଁଠୁ ଶିଖିଲେ ? କୁହ କେଉଁଠୁ ଶିଖିଲେ ?

 

ଶଶୀଶେଖରଙ୍କର କଣ୍ଠରେ ଉତ୍ତେଜନା ।

ଗୀତର ପୁଣି ସେକାଳ-ଏକାଳ କ’ଣ ରାଜା ବାହାଦୂର୍‍ ? କହିଲେ ଜ୍ୟୋତି ।

 

ନାହିଁ ? ସବୁ ଜିନିଷର ସେକାଳ-ଏକାଳ ଥାଏ, ଆଉ ଗୀତର ରହିବ ନାହିଁ ? ତୁମମାନଙ୍କର ପ୍ରତିଜ୍ଞା ହେଉଛି କୌଣସି କିଛିରେ ଅବାକ୍‌ ହେବ ନାହିଁ । ନଚେତ୍‌ ହେବା କଥା । ମୁଁ ତ ଅବାକ୍‌ ହୋଇଗଲି । ଏଁ ସେଇସବୁ ଗୀତ ! ସେଇସବୁ ଗୀତ ! ? ଏତେ ଟିକିଏ ଝିଅ ! ସେଇ ସବୁ ସେକାଳର ଗୀତ ଶିଖିବେ କାହିଁକି ? ଆଉ ସେମିତି ସୁଲଳିତ ସ୍ୱର । ଥମିଯିବା ପରେ ମଧ୍ୟ ତା’ର ଝଙ୍କାର ଥାଏ । ଏଇ ସ୍ଵର ଏତେଦିନ ବନ୍ଦୀ ହୋଇ ରହିଥିଲା, ଆମେ ଟେର୍‌ ପାଇନୁ । ଲେଖା କାମ ଶେଷ କରି ତାଙ୍କ ପାଖରୁ ଗୀତ ଶୁଣିଥାଆନ୍ତି ମୁଁ ।

 

ସୋମଶେଖର ନମ୍ର ଭାବରେ କହିଲେ, ଜେଜେ, ତା'ହେଲେ ତାଙ୍କୁ ଆଉ ଦୁଇଦିନ ରହିବା ପାଇଁ ଅନୁରୋଧ କରିବି । ବର୍ତ୍ତମାନ ତଳକୁ ଚାଲନ୍ତୁ, ସମସ୍ତେ ଅପେକ୍ଷା କରିଛନ୍ତି ।

 

ସୋମଶେଖର, ପିଆନୋଟା କ’ଣ ଏବେବି ବାଜୁଛି ? ନା ଦୀର୍ଘଦିନ ପଡ଼ି ପଡ଼ି ନଷ୍ଟ ହୋଇଗଲାଣି ? ଆଚ୍ଛା, ସେଇଟା ପରେ ଦେଖା ହେବ ଜେଜେ, ଏବେ-

 

ମୁଁ ଥରେ ତାଙ୍କୁ ବଜାଇବାକୁ କହିବି । ପରୀକ୍ଷା କରି ଥରେ ଦେଖିବାକୁ ଚାହେଁ ମୁଁ । ଜ୍ୟୋତି ପ୍ରକାଶ ଆସି ଛିଡ଼ା ହେଲେ । ବିରକ୍ତଗଳାରେ କହିଲେ, କ’ଣ ହେଉଛି ଏଠି ? ତଳେ ସମସ୍ତେ ବ୍ୟସ୍ତ ହେଉଛନ୍ତି, ଖାଇବାକୁ ଦିଆ ହୋଇପାରୁନି । ନବୀନ-ଫବିନ, ଗୋଟାଏ ଚେୟାରରେ ବସେଇ ନେଇ ଯାଆନ୍ତୁ ନ ହେଲେ ।

 

ଚେୟାରରେ ବସାଇ କାହିଁକି ? ଶଶୀଶେଖର ବେଶ୍‌ ଚଢ଼ାଗଳାରେ କହିଲେ, ବର୍ଷକୁ ଏଇ ଗୋଟିଏ ଦିନ ମୁଁ ନିଜେହିଁ ଓହ୍ଲାଇ ତଳକୁ ଯାଏ ଜ୍ୟୋତିଶେଖର ।

 

ଆପଣଙ୍କୁ ଖୁବ୍‌ ଟାୟାର୍ଡ଼ ଲାଗୁଛି ରାଜାବାହାଦୂର୍‍ ।

 

ବର୍ତ୍ତମାନ ଜ୍ୟୋତିଙ୍କ ଗଳା ନମ୍ର ବିନୀତ । ତା’ଛଡ଼ା ଲମ୍ବା ଧୋତି-ଫୋତି ପିନ୍ଧି ହେଉନାହିଁ ! ତୁ ଶଳା ଧୋତିର କୁଞ୍ଚକୁ ଧର । କହି ଶଶୀଶେଖର ହଠାତ୍‌ ଅସ୍ଵାଭାବିକ ଭାବରେ ତରବର ହେଇ ସିଡ଼ି ଆଡ଼କୁ ଆଗେଇ ଗଲେ ।

 

ସେଠି ସିଂହାସନ ।

 

ରାଜା ବାହାଦୂର୍‍ ବସିବେ ସେଇ ସିଂହାସନରେ । ମୁହୂର୍ମୁହୁଃ ଚାଲିବ ପ୍ରଣାମ ନମସ୍କାର ଆଉ କରମର୍ଦ୍ଦନର ପାଲା । ହଁ, ସାହେବ-ସୁବା ନ ହେଲେ ମଧ୍ୟ କିଛି ଲୋକ ରାଜାବାହାଦୂର୍‍ଙ୍କର କରମର୍ଦ୍ଦନର ସୌଭାଗ୍ୟ ଲାଭ କରନ୍ତି ।

ଫୁଲରେ ଫୁଲରେ ପ୍ୟାଣ୍ଡେଲ ମଧ୍ୟ ଭାରାକ୍ରାନ୍ତ। ।

 

ଉପହାର ଦ୍ରବ୍ୟ ବି ଜମିଛି କିଛି କିଛି । ଦାମୀ ସିଗାରେଟ୍‌, ରୁପାର ସିଗାରେଟ୍‌ କେସ, ଦାମୀ କିଛି ବହି ।

 

॥୨୫॥

 

ମୋତେ କିନ୍ତୁ ଆସନ୍ତାକାଲି ଛାଡ଼ି ଦେବାକୁ ପଡ଼ିବ ଅନୁରାଧା । ସୁତପା କହିଲେ ।

ଆଜି ଅନୁରାଧାଙ୍କୁ ଏକଲା ପାଇବା ତ ଅସମ୍ଭବ ।

 

ବହୁତ ସମୟ ପରେ ଉପବାସ ଭାଙ୍ଗିବା ଆଗେ ସେ ଯେତେବେଳେ ଘରକୁ ଆସିଲେ, ଗରଦର ଶାଢ଼ି ବଦଳାଇ ସୂତା ଶାଢ଼ି ପିନ୍ଧିବା ପାଇଁ ସେତେବେଳେ ସେ ଅନୁରାଧାଙ୍କୁ ଏକଲା ଦେଖିବାକୁ ପାଇଲେ ।

 

କାଲି ? କାଲି ତ ଗାଡ଼ିଟା ଯିବ ନାହିଁରେ !

 

ଗାଡ଼ି କି ଦରକାର ? ଟ୍ରେନ-ବସ୍‌ରେ ଯେମିତି ସାଧାରଣ ସମସ୍ତେ ଯାଆନ୍ତି, ଯେଉଁଥିରେ ମୁଁ ଅଭ୍ୟସ୍ତ, ସେଇପରି ଯିବି ।

 

ଅନୁରାଧା ଟିକେ ଶଙ୍କିତ ହୁଅନ୍ତି ।

ତୁ ଯେମିତି ରାଗି ଯାଇଛୁ ମନେହେଉଛି ।

 

ରାଗ-ଫାଗ ନୁହଁ, ମୋତେ ଭିତରୁ କେମିତି ବନ୍ଦ ବନ୍ଦ ଲାଗୁଛି । ପବନ ବନ୍ଦ ହେଇଯାଉଛି । ଭିଡ଼ରେ ଆଉ ରୋଷେଇ ଗରମରେ । କାଲି ଠିକ୍‌ ହୋଇଯିବ ।

 

ନାଃ, କାଲି ଚାଲିଯିବି, ଯା-ତୁ ଯା ଟିକେ କ’ଣ ଖାଇଦେ ।

ଏହା କହି ନିଜ ଘରକୁ ଚାଲି ଆସନ୍ତି ସୁତପା, ଉତ୍ସବସଜ୍ଜା ବଦଳାଇବା ଉଦ୍ଦେଶ୍ୟରେ ।

 

ଅସହ୍ୟ ଲାଗୁଛି, ସେଇ ସାନରାଣୀମା’ଙ୍କ ପୁଅର ବ୍ୟବହାର ! ବିଦ୍ଵେଷଦୃଷ୍ଟି, ରୁକ୍ଷକଥା କାହିଁକିରେ ବାବୁ ! ତୁମମାନଙ୍କର ପାଗଳ ଜେଜେ ମୋତେ ସ୍ନେହ ଦେଉଛନ୍ତି- ସେଇଟା କ’ଣ ମୋର ଦୋଷ ? ମୋର ତ ଦମ୍‌ ବନ୍ଦ ହୋଇଆସୁଛି । ଅନୁରାଧାର ପ୍ରସ୍ତାବରେ ଏମିତି ମରିବା ପାଇଁ ରାଜି ହୋଇଥିଲି । କିଏ ଚାହିଁଥିଲା ତୁମର ସେଇ ରାଜସଭାରେ ଗୀତ ଗାଇବାପାଇଁ । ଏମିତି ଭାବ ଦେଖାଉଛନ୍ତି ଯେମିତି ମୁଁ ନିଜେ ଆଗେଇ ଯାଇ ଅନଧିକାର ଚର୍ଚ୍ଚା କରିବାକୁ ଯାଇଛି ।

 

ବଡ଼ ଜଣକ ଯାହାହେଲେବି ଭଦ୍ର । ଯାହାହେଲେ କାହିଁକି ଖୁବ୍‌ ଭଦ୍ର, କିନ୍ତୁ ଇଏ ଅଭଦ୍ରର ଚୂଡ଼ାନ୍ତ । ଯେତେହେଲେ ମା’ଙ୍କର ଗୁଣ ରହିବ ତ କିଛି । ରିସର୍ଚ୍ଚ କରୁଛନ୍ତି ଅପରାଧ ବିଜ୍ଞାନ ନେଇ । ସେଥିପାଇ ବୋଧହୁଏ ସମସ୍ତଙ୍କୁ ଅପରାଧୀ ମନେହେଉଛି । ଉଃ ! ଏଠୁ ପଳାଇ ଗଲେ ବଞ୍ଚିଯିବି । ତାଙ୍କ ସାଙ୍ଗରେ ଗୋଟିଏ ଗାଡ଼ିରେ ବସି କଲିକତା ଯିବାର ବ୍ୟବସ୍ଥା ! ମୋତେ ହାଣି ପକାଇଲେବି ସେ ବ୍ୟବସ୍ଥାରେ ରାଜି ହେବିନାହିଁ । ଚେହେରା ଖଣ୍ଡ ତ ଜେଜେଙ୍କୁ ବି ହାର ମନେଇବା ଭଳି । ଯେମିତି ‘ରାଜାବାହାଦୂର୍‍’ ହେବା ପାଇଁ ଜନ୍ମ ହୋଇଛନ୍ତି । ରୀତିନୀତି ରାଜୋଚିତ ନୁହେଁ ।

 

ଆହୁରି କଛି ସମୟ ମନକୁ ମନ ଗଜର ଗଜର ହୋଇ ଶାଢ଼ି ପାଲଟି ବାହାରି ଆସନ୍ତି ସୁତପା । ଏବେବି ଖାଇ ନାହାଁନ୍ତି, ତା’ ନ ହେଲେ ଶୋଇ ପଡ଼ିଥାଆନ୍ତେ ସୁତପା । ଖାଇବାର ଇଚ୍ଛା ଆଦୌ ନାହିଁ । କିନ୍ତୁ ନ ଖାଇ ଶୋଇ ପଢ଼ିଲେ ତ ହୈ ଚୈ ପଡ଼ିଯିବ ।

 

କିନ୍ତୁ ହୈ ଚୈ କ’ଣ ରଦ୍ଦ କରି ପାରୁଛନ୍ତି ସୁତପା ?

 

ଚାପା ହୈ ଚୈ ତ ଚାଲୁଛି ତାଙ୍କୁ ନେଇ । ଜୋରଦାର୍‌ ହୋଇଛି ଗତକାଲି ଚାରୁହାସିନୀ ଆସିବା ପରେ ।

 

ଜ୍ଵାଇଁଙ୍କ ବିଶ୍ୱାସଘାତକତାରେ ସର୍ବସ୍ଵାନ୍ତ ହେବା ପରେ ଜ୍ଵାଇଁଙ୍କର ମୁହଁ ଆଉ ଦେଖି ନାହାନ୍ତି ଶଶୀଶେଖର, ତା’ପରଠାରୁ ଝିଅ ବି ବାପାଙ୍କର ମୁହଁ ଦେଖିନାହାଁନ୍ତି । ଏତେଦିନ ପରେ ଆସିଲେ ( ତା’ ମଧ୍ୟ ଆପେ ଆପେ ନୁହଁ, ନିମନ୍ତ୍ରଣର ଚିଠି ପାଇ । ତେବେ ଚିଠିତ ବରାବରହିଁ ଯାଏ) । କିନ୍ତ ବାପାଙ୍କର ଟିକେମାତ୍ର ବି ଆବେଗ ନାହିଁ, ଆନନ୍ଦ ନାହିଁ, ପୂରା କାଠ ।

 

ଭଲ ଅଛୁ ? ପୁଅ ଝିଅମାନେ ଭଲ ଅଛନ୍ତି ? ଆଚ୍ଛା, ସାନରାଣୀମା’ଙ୍କ ପାଖକୁ ଯାଇ ବସ୍‌ ।

 

ଏଇଟା କ’ଣ ଦୀର୍ଘଦିନ ପରେ ଆଉ ସମ୍ପ୍ରତି ବିଧବା ହୋଇ ଆସିଥିବା ଏକମାତ୍ର ଝିଅଙ୍କର ଅଭ୍ୟର୍ଥନା ? ଆଉ ଗୋଟାଏ କିଏ ବସିଛି ଘରେ ? ଆୟା ନା ନର୍ସ ?

 

ବ୍ରଜରାଜ ଆଉ ପାରୁନି ପରା ?

ମଧୁମାଳତୀ ଦେବୀ ହାତ-ମୁହଁ ହଲାଇ କୁହନ୍ତି, ଆୟା-ନର୍ସ ?

ଅଛୁ ତୁ କେଉଁଠି ଲୋ ମା’ ? ସେ ବର୍ତ୍ତମାନ ରାଜାବାହାଦୂର୍‍ଙ୍କର ନୟନର ମଣି ।

ଏଁ ! ତା ମାନେ ?

ମାନେ ଆଉ କ’ଣ ? ବୁଝି ନେ ?

 

ଅତଃପର ବୁଝାଇ ଦିଏ ସୁଶୀଳା, ବୁଝାଇ ଦିଏ ହେନା, ବୁଝାଇ ଦିଏ ବିଧୁମୁଖୀ, ବୁଝାଇ ଦିଏ ଗୁଡ଼୍‌ଗୁଡ଼୍‌ । ଔଷଧରେ ବଶ କରି ନେଇଛନ୍ତି ପିଇସୀ, ବଶ କରିଛନ୍ତି । ସହରୀ ଝିଅଙ୍କର ସହରୀ ଔଷଧ, ପୂରା ଗ୍ରାସ କରି ସାରିଛନ୍ତି ।

 

ଆମର ବୋହୂରାଣୀବି ଦଳରେ ଅଛନ୍ତିଗୋ, ଭଗବାନ ଜାଣନ୍ତି କି ଷଡ଼ଯନ୍ତ୍ର ଚାଲିଛି ତଳେ ତଳେ । ଆଢ଼ୁଆଳରେ ପାଖାପାଖି ଲଗାଲଗି ‘ତୁ, ତୁ’ ସାମନାରେ କାହାରି ସମ୍ମୁଖରେ ଆପଣ ଆଜ୍ଞା, ମିସ୍‌ ଭଟ୍ଟାଚାର୍ଯ୍ୟ ! ଦେଖିଛି ଆଉ ଆଶ୍ଚର୍ଯ୍ୟ ହେଉଛି ।

 

ରାଜାବାହାଦୂର୍‍ କେଉଁ ଗୁଣରେ ମଜ୍ଜିଗଲେ ।

ଆଗୋ ପିଇସୀ, ଉପରେ ପଡ଼ିବା ଝିଅପିଲାଙ୍କର ଗୁଣର ଦରକାର ହୁଏନା ।

ତା’ ବୋଲି ଏଇ ବୟସରେ ?

 

ଆହା, ମୁଁ କ’ଣ ସେମିତି କିଛି କହୁଛି ? ସୁହାଗରେ ଢଳଢଳ ଭାବ, ଏମିତି ଆଉ କ’ଣ-! ନ ହେଲେ ରାଣୀମାଙ୍କ ଗଳାରେ ମାଳ ପିନ୍ଧାଇବାକୁ କୁହନ୍ତେ ? ବ୍ରଜଭାଇ ତ ରାଗି ନିଆଁ ହୋଇ ବସି ରହିଛି । ସାନକୁମାର ମଧ୍ୟ ।

 

ହଁ, ସେଇ ମାଳ ପିନ୍ଧାଇବା ନେଇ ଉଷ୍ଣ ଆଲୋଚନା ଚାଲିଛି ସେତେବେଳୁ । ଏ ଅଧିକାର କେବେହେଲେ ବାହାରର କାହାରିକି ଦିଆହୋଇନାହିଁ ।

 

ତା’ଛଡ଼ା ସେଇ ଅସଲ ସମୟରେ ଗୋଟାଏ ପରେ ଗୋଟାଏ ଗୀତର ଅର୍ଡ଼ର ! ତାଙ୍କର ତ ବୁଢ଼ାକାଳରେ ବୁଦ୍ଧିଭ୍ରଂଶ ହୋଇଛି ମା’, ‘ତୁ ଟୋକୀ’ ସେଇ ତାଳରେ ତାଳ ମିଳାଇବୁ ?

 

ଏଇ ସମୟରେ ଗୁଡ଼୍‌ଗୁଡ଼୍‌ ଆସି ଖବର ଦେଲା ‘ଡାକ୍ତର ମେମ୍‌’ କାଲି ଚାଲିଯିବା ପାଇଁ ଜିଦ୍‌ ଧରି ବସିଛନ୍ତି, ବୋହୂରାଣୀ ଦିଦି ଉପରୋଧ, ଅନୁରୋଧ କରୁଛନ୍ତି ।

 

କାହିଁକି ? କାହିଁକି ? ତାଙ୍କର ପୁଣି ଏତେ ଅନୁରୋଧ କରିବାର କି ଦରକାର ପଡ଼ିଲା ? ତାଙ୍କର ବା ଚାଲି ଯିବାପାଇଁ ଏତେ ଜିଦ୍‌ କରିବା କ’ଣ ଦରକାର ?

 

ନିଜର ମୂଲ୍ୟ ବଢ଼ାଇବା ଛଡ଼ା ଆଉ କ’ଣ ?

 

ରାଣୀବୋହୂମା’ଙ୍କର ମତିଗତି ବି ମୋତେ ଭଲ ଲାଗୁନି ମା’ ! ଯେତେ ହେଲେବି ଗରିବ ଗୃହସ୍ଥ ଘରର ଝିଅ । ତାଙ୍କ ହାତରେ ବାପଘରକୁ କିଛି ଜିନିଷ ଚାଲାଣ କରିଦେଉଛନ୍ତି କି କ’ଣ କିଏ କହିବ ? ସେଇଥିପାଇଁ କୌଶଳ କରି ଅଣାଇଛନ୍ତି । ନିଜ ମୁହଁରେ ତ ସ୍ୱୀକାର କରିଛନ୍ତି- ଏତେ କୌଶଳ କରି ଅଣାଇଲି ତୋତେ ।

 

ଏଇ ଚାପା ହୈ ଚୈ ପ୍ରାୟ ସଶବ୍ଦ ହୋଇଉଠେ ଆଉ ଗୋଟାଏ ବିସ୍ଫୋରଣରେ । ରାଜାବାହାଦୂର୍‍ ଆଉ ଗୋଟାଏ ଗର୍ହିତ ଇଚ୍ଛା ପ୍ରକାଶ କରିଛନ୍ତି । ଆଜି ରାତିରେ ରାଜାବାହାଦୂର୍‍ କେବଳ ମାତ୍ର ପ୍ରିୟ ନିକଟତର ଲୋକଙ୍କୁ ନେଇ ଖାଇ ବସନ୍ତି । ନାତିମାନେ, ନାତିବୋହୂମାନେ, ଆଉ କେହି ନୁହଁନ୍ତି ।

 

କିନ୍ତୁ ଏଥର ଇଚ୍ଛା ପ୍ରକାଶ କରିଛନ୍ତି, ସୁତପା ମଧ୍ୟ ବସିବେ ତାଙ୍କ ଟେବୁଲରେ । କୂଳ ଲକ୍ଷ୍ମୀଙ୍କର ପ୍ରସାଦ ପାଇ ଆନୁଷ୍ଠାନିକ ଖାଇବା ଆରମ୍ଭ । ସେଇ ଖାଇବାରେ ସାଙ୍ଗ ହେବେ ଆଉ ଜଣେ ?

 

ଏତେ କ’ଣ ?

 

ଜ୍ୟୋତିଶେଖର ଉତ୍ତେଜିତ ଭାବରେ କହିଲେ, ଏଇଟା କ’ଣ ଠିକ୍‌ ହେଉଛି ବଡ଼କୁମାର-?

 

ସୋମଶେଖର କହିଲେ, ହେଉନି, ସେଇଟା ତ ଠିକ୍‌ । କିନ୍ତୁ ଜେଜେଙ୍କର ଖାମଖିଆଲ ! କ’ଣ ଆଉ କରାଯିବ ? ମାନି ନେବାକୁହିଁ ପଡ଼ିବ ।

 

ସେଇ ମିସ୍‌ ଭଟ୍ଟାଚାର୍ଯ୍ୟଙ୍କୁ ଏବେଳା ଆଉ ସମସ୍ତଙ୍କ ସାଙ୍ଗରେ ଖାଇବା ଲାଇନରେ ବସାଇ ଦିଆ ହେଲାନାହିଁ କାହିଁକି ? ଏବେବି ତ ଅନେକ ଲୋକ ଖାଉଛନ୍ତି, ତାଙ୍କ ସାଙ୍ଗରେ ଦେଇଦେଲେ ତ ଭଲ ହୁଅନ୍ତା ।

 

ଜେଜେ ଯେ ତାଙ୍କ ସାମନାରେହିଁ ଘୋଷଣା କରିଛନ୍ତି । ଥାଉ ଜ୍ୟୋତି, ଜେଜେଙ୍କର ଯେତେବେଳେ ଇଚ୍ଛା-

 

ମୁଁ ଜାଣିବାକୁ ଚାହେଁ, ଏଇ ଇଚ୍ଛାଟା ହେଲା କେମିତି ?

 

ଜ୍ୟୋତି, ତୁମେ ଏମିତି ବଦଳିଗଲ କେମିତି ? ତୁମେତ ଆଜିପରା ଦିନରେ ଜେଜେଙ୍କୁ କୋଳରେ ଧରି ନାଚ ।

 

ମୋ ମିଜାଜ ଖରାପ ହୋଇଯାଇଛି । ତୁଚ୍ଛା ଗୋଟାଏ କାମପାଇଁ ଜଣକୁ ଆଣି ଏତେ ବଢ଼ିବାର କି ଦରକାର ? ପ୍ରେଷ୍ଟିଜ୍‍ ନାହିଁ । ବୋହୂରାଣୀଙ୍କ ସାଙ୍ଗରେ କୁଆଡ଼େ ଆଗରୁ ପରିଚିତ ।

 

ମୁଁ କିନ୍ତୁ ଅନ୍ୟ ରିପୋର୍ଟ ପାଇଛି । ଯାହାହେଉ, ଭଦ୍ରମହିଳା ଶୁଣିଲି କାଲି ଯିବାକୁ ଚାହୁଁଛନ୍ତି, ଯାଉନାହାଁନ୍ତି ? ତାଙ୍କୁ ଅଟକାଇବାର କି ଦରକାର ?

 

ଶୁଣିଛ ତ ଜେଜେଙ୍କର କଥା ? ସେ ପିଆନୋ ବଜାଇବାକୁ ଜାଣନ୍ତି କି ନାହିଁ ପରୀକ୍ଷା କରିବେ । ଆସନ୍ତାକାଲି ଛାଡ଼ିବେ ବୋଲି ମନେହୁଏନା ।

 

ପିଆନୋ ? ହୁଁ । ଯାହି ତାହି ଘରର ଝିଅ ସେମିତି ପିଆନୋ ବଜାଇ ପାରିବେ ? ନା, ନା କାଲିହିଁ ଚାଲାଣ କରି ଦିଅନ୍ତୁ ତାକୁ । ରାଜାବାହାଦୂର୍‍ଙ୍କର ପାଗଳାମି ଆଉ ବଢ଼ାଇବାକୁ ଦିଆଯିବନି ।

 

ଜ୍ୟୋତି, ମୋର ପୁଣି ମନେହେଉଛି, ତୁମେ ବହୁତ ବଦଳି ଯାଇଛ ।

ହଁ, ହୋଇପାରେ, ଆପଣମାନେ ମଧ୍ୟ କମ୍‌ ବଦଳି ଯାଇନାହାଁନ୍ତି ।

ରାଜାବାହାଦୂର୍‍ଙ୍କର ଇଚ୍ଛା ଅବଶ୍ୟ ଜୟୀ ହେଲା ।

 

କିନ୍ତୁ ଖାଇବା ଟେବୁଲ ଉପରେ ଅନ୍ୟାନ୍ୟ ବର୍ଷ ପରି ସୁର ବାଜିଲା ନାହିଁ । ସେଇ ମୁହୁର୍ମୁହୁଃ ହାସ୍ୟଧ୍ଵନି, ଭୃତ୍ୟମଣ୍ଡଳୀ ଚାରି ଦିଗରୁ ଘେରି, ରାଜାବାହାଦୂର୍‍ଙ୍କ ପ୍ରତି ସସ୍ନେହ ବାକ୍ୟ- କିଛି ନାହିଁ ! ଖାଇବା ନା ଖାଇବା -

 

ରାଜାବାହାଦୂର୍‍ ଯେମିତି ସ୍ୱପ୍ନର ଘୋରରେ ରହିଛନ୍ତି ।

ତାଙ୍କର କ’ଣ ଦେହ ଖରାପ ଲାଗୁଛି ? ଖାଇବା ତ ନାମମାତ୍ର ।

 

ଅଥଚ ଏ ପର୍ଯ୍ୟନ୍ତ ସେ ତାଙ୍କର ଯୁବା ନାତିମାନଙ୍କଠାରୁ ଭଲ ଖାଇ ଆସିଛନ୍ତି । ଏଇ ଖାଇବାବେଳେ ଢୋଲ, ବଇଁଶୀ ଓ ମନ୍ଦିରା ବାଜିବାକୁ ଆରମ୍ଭ ହୋଇଥିଲା, କିନ୍ତୁ ଯେମିତି ସୁରଟା କଟିଗଲା ।

 

॥୨୬॥

 

କିନ୍ତୁ କିଏ ଜାଣିଥିଲା ତା’ପରଦିନ ପାଇଁ ଏତେବଡ଼ ଗୋଟାଏ ବେସୁରା ଘଟଣା ଘଟିବାକୁ ଥିଲା ।

 

ବେସୁରା, ବହୁତ ବେସୁରା ।

ଯାହାପାଇଁ ଘରର ସମସ୍ତେ ସ୍ଵର ବଦଳାଇ ପକାଇଲେ ।

ସ୍ଵର ବଦଳାଇଲେ ଜ୍ୟୋତିଶେଖର ନାମକ ଜିଦିଆ ରାଜପୁତ୍ର ଜଣକ ।

ତାଙ୍କୁ ଆଜି ଯିବାକୁ ଦିଆହେବନି ।

ବହିରାଗତ କାହାରିକି ନୁହଁ । ଜ୍ୟୋତିଶେଖରଙ୍କର ଘୋଷଣା ।

ପୋଲିସ୍‌ ଆସୁ, ଯାହା କହିବେ କୁହନ୍ତୁ, ତା’ପରେ ଆଉସବୁ ।

ହଁ, ପୋଲିସ୍‌ ଆସିବ ନିଶ୍ଚିତ ।

 

ରାଜା ଶଶୀଶେଖର ସମାଦ୍ଦାର ବାହାଦୂର୍‍ଙ୍କ ଶୋଇବା ଘରୁ (ଯେଉଁଠି ସନ୍ଧ୍ୟାବେଳେ ସମସ୍ତେ ଉପସ୍ଥିତ) ରାଣୀ ସୁଧାହାସିନୀଙ୍କର କଣ୍ଠମାଳି ଚୋରିଗଲେ ପୋଲିସ ଆସିବନି ?

 

କେମିତି ଭାବରେ ଏ ଅସମ୍ଭବ ଚୋରି ଘଟିଲା ?

 

ଟୁଲ୍‌ରେ ନ ଉଠିଲେ ଯେଉଁଠି ସହଜରେ କାହାରି ହାତ ଯାଏ ନାହିଁ । ହାତ ଯାଏ ଏକମାତ୍ର ଶଶୀଶେଖରଙ୍କର ସାଢ଼େ ଛଅ ଫୁଟ ଲମ୍ବା ଦୁଇ ନାତିଙ୍କର ।

 

ତା’ହେଲେ କହିବାକୁ ହେବ ସେମାନଙ୍କ ମଧ୍ୟରେ କେହି ନେଇଛନ୍ତି ! ତା’ପରଦିନ ସେଇ ନାତିମାନଙ୍କ ଭିତରୁ ଜଣେ ଆବିଷ୍କାର କଲା ବ୍ୟାପାରଟା ବାସିମାଳ ବାହାର କରିବାକୁ ଯାଇ-

 

ଜ୍ୟୋତି ! ଜ୍ୟୋତିଶେଖରହିଁ ବୋଧହୁଏ ଅନଧିକାରୀଙ୍କ ଅନଧିକାର ଚର୍ଚ୍ଚାର ଚିହ୍ନସ୍ୱରୂପ ସେଇ ମାଳଟା ଚକ୍ଷୁଶୂଳ ହେଉଥିଲା, ଜ୍ୟୋତି ସେଇଥିପାଇଁ ବାସିମାଳ ଖୋଲିବାକୁ ଆସିଲେ ! ଆଉ ଖୋଲିବାକୁ ଯାଇ କହିଲେ, ରାଣୀଜୀଙ୍କର ସେଇ ସୁନାର ମାଳିଟା ଖୋଲି ରଖା ହୋଇଛି କାହିଁକି ?

 

ଖୋଲି ରଖା ହୋଇଛି ?

କିଏ ଖୋଲି ରଖିବେ ?

 

ଦିନସାରା ପରା ଝୁଲୁଥିଲା । ସମସ୍ତେ ଦେଖିଛନ୍ତି, ନୂଆ ପଲିସ୍‌ କରାହୋଇଥିବା ହୀରା ଖଚିତ ପଦକଟା ଝକ୍‌ମକ୍‌ କରୁଛି ।

 

ଗତକାଲି ଚାରିଟାବେଳେ ଯେତେବେଳେ ସେଇ ଫୁଲପତ୍ରଥିବା ତାର ଦିଆ ମାଳଟା ପିନ୍ଧା ହେଲା, ସେତେବେଳେ ଦେଖିଛି ବ୍ରଜରାଜ ।

 

ଅତଏବ ?

ଅତଏବ ବୁଝ୍‌ ସମସ୍ତେ ।

ଅନୁକ୍ତ ସନ୍ଦେହ କ୍ରମଶଃ ଶବ୍ଦରୂପ ମଧ୍ୟରେ ଧରା ଦେଇ ଉକ୍ତି ହୋଇ ଛିଡ଼ା ହୁଏ ।

 

ମାଳି ପିନ୍ଧାଇବାକୁ ଏତେ ସମୟ ଲାଗେ, ବ୍ରଜରାଜ କେବେବି ଦେଖି ନାହିଁ । ସେଇଥିପାଇଁ ଆଜି ଯିବା ଉଦ୍ଦେଶ୍ୟରେ ଏତେ ଜିଦ୍‌ ।

 

ଛିଃ, ଛିଃ ଏତେ ବିଶ୍ଵାସ, ଏତେ ଭଲ ପାଇବାର ଏଇ ପୁରସ୍କାର ?

ପ୍ରଥମରୁ ଜାଣିଛି, ତାଙ୍କର ଅଭିସନ୍ଧି ଖରାପ ।

 

ବୋହୂରାଣୀ କ’ଣ କହୁଛନ୍ତି ? ଏତେ ଫୁସ୍‌ଫୁସ୍‌, ଗୁଜ୍‌ଗୁଜ୍‌ ଏତେ ଭଲ ପାଇବା । ତାଙ୍କର ମତିଗତି ଧରି ପାରିନାହାଁନ୍ତି ? ତାଙ୍କୁ ନିଜର ଲୁଗା ପିନ୍ଧାଇବା, ସଭାରେ ବସାଇ ଗୀତ ଗାଇବାକୁ ଦେବା । ଏବେ ଦେଖ ?

 

ମୋର ତ ଦେଖିଲା ପରେହିଁ ସନ୍ଦେହ ହୋଇଥିଲା । ଯେଉଁପରି ଭାବରେ ରାଜାବାହାଦୂର୍‍ଙ୍କ ପାଖାପାଖି ବସିଥିଲେ । ମୁଁ ଝିଅ ଏତେଦିନ ପରେ ଶୋକକାତର ହୋଇ ଆସିଲି, ମୋ ସାଙ୍ଗରେ ବାପାଙ୍କର କଥା ନାହିଁ । ଅଥଚ ବାପା ଏଇ ‘ଚାରୁ’ କହି ପାଇଁ ବ୍ୟସ୍ତ ହୋଇ ପଡ଼ୁଥିଲେ ।

 

ସେଇ ଲେଖା ଆଉ ଲେଖା ବାହାନା କରି ସବୁବେଳେ ରାଜାବାହାଦୂର୍‍ଙ୍କ ଘରେ । ତଳେ ତଳେ ଆହୁରି କେତେ କ’ଣ ମାରି ନେଇଛନ୍ତି । କେଉଁଠି, କେଉଁଠି ଆହୁରି କେତେ ଥିଲା !

 

ବୋହୂରାଣୀ ମଧ୍ୟ କାଲି ଦିନସାରା ଲକ୍ଷ୍ମୀଙ୍କ ଘରେ । ପୂରା ସବୁର୍ଣ୍ଣସୁଯୋଗ । କିନ୍ତୁ ସେଇପରି ପଢ଼ାଶୁଣା ଜାଣିଥିବ ଝିଅଙ୍କର ଏମିତି ନୀଚ ପ୍ରବୃତ୍ତି ! ପ୍ରବୃତ୍ତି ପାଖରେ ପଢ଼ାଶୁଣା କିଛି ମୂଲ୍ୟ ନାହିଁରେ ବାବୁ !

 

କିପରି ଫିକର ଫାନ୍ଦିଛନ୍ତି ଦେଖ ! ଠିକ୍‌ ଯିବା ପୂର୍ବଦିନହିଁ ନେଇଛନ୍ତି । ଆହୁରି ସୁବିଧା ହେଲା, ସେଇ ବଡ଼ ଫୁଲମାଳରେ ଘୋଡ଼େଇ ହୋଇଯିବାରୁ । ପିନ୍ଧାଇବାକୁ ଡେରି କରିବା ବାହାନାରେ ହାରକୁ ନେଇଯାଇ ମାଳକୁ ଚାପା ଦେଇ ଟୁଲ୍‌ରୁ ଓହ୍ଲାଇଲେ, ଯେମିତି କେତେ କ୍ଲାନ୍ତ । ବ୍ରଜ ସବୁ ଦେଖିଛି ।

 

ଗୋଟିଏ ଗୋଟିଏ କରି ଦେଖାଯାଉଛି ପ୍ରମାଣ ଅକାଟ୍ୟ !

 

ଉତ୍ସବ ମୁଖରିତ ତଳମହଲାରୁ ଶବ୍ଦ କିଛି କିଛି ପରିମାଣରେ ଉପରକୁ ଆସୁଛି । କେବଳ ତିନୋଟି ମଣିଷ ପଥର ।

 

ଅନୁର।ଧା, ସୋମଶେଖର ଆଉ ସ୍ୱୟଂ ସୁତପା । ସୋମଶେଖର ବୈଠକଖାନାରେ, ମହିଳା ଦୁହେଁ ଯିଏ ଯାହାଙ୍କ ଘରେ ।

 

ଜ୍ୟୋତିଶେଖର ଯେତେବେଳେ ଘୋଷଣା କରିଛନ୍ତି, ଆଜି କାହାରିକି ରାଜବାଟୀ । ବାହାରକୁ ଯିବାପାଇଁ ଦିଆ ହେବନି, ସେତେବେଳୁ ସୁତପା ଘରେ ପଶି ବସିଛନ୍ତି ।

 

ସାମନାରେ ଭାରୀ ପର୍ଦ୍ଦା, ଜଣାପଡ଼ୁନି ଶୋଇଛନ୍ତି ନା ବସିଛନ୍ତି । ତେବେ ଝରକା ଖୋଲି ନାହାନ୍ତି ସେଇଟା ଜଣାପଡ଼ୁଛି । ଘର ଅନ୍ଧାର ।

 

ଅନୁରାଧାଙ୍କର କାଚ ଝରକାରେ ବି ପର୍ଦ୍ଦାଟଣା ହୋଇଛି, ଘର ଅନ୍ଧାର । ସେଇ ଅନ୍ଧାର ମଧ୍ୟରେ ଅନୁରାଧା ତକିଆରେ ମୁଣ୍ଡ ଘଷୁଛନ୍ତି । ଇଏ ମୁଁ କ’ଣ କଲି, ଇଏ ମୁଁ କ’ଣ କଲି ! କାହିଁକି ମୁଁ ଚେଷ୍ଟା ଚରିତ୍ର କରି ତାକୁ ଅଣାଇଲି । କେତେଟିକେ ବା ଜାଣିଥିଲି ମୁଁ ତାକୁ ? କଲେଜରେ କେତେଘଣ୍ଟା ଏକା ସାଙ୍ଗରେ ଆଉ ତା’ର ଲେଖକଭାଇଙ୍କୁ ଦେଖିବାକୁ ତାଙ୍କ ଘରକୁ ଯିବା, ଏଇତ ମାତ୍ର । ତା’ପରେ ସାତଆଠ ବର୍ଷ ବିତିଯାଇଛି, ତା’ର ରୀତି, ଚରିତ୍ର କଥା କିଛିତ ଜାଣି ନ ଥିଲି । କେବଳ ମୀନାର ଚିଠିରୁ ଜାଣିଥିଲି ସୁତପା ବାହା ହୋଇନାହିଁ, କଲେଜରେ ପାଠ ପଢ଼ାଉଛି । ଦୁଃଖ କରି କହୁଥିଲା, ବାପା, ମା’ ଥିଲେ ଏଇ ଝିଅଟାର ବାହାଘର ନ ହୋଇ ରହିଥାଆନ୍ତା ?

 

ବାପା-ମା’ ନାହାନ୍ତି ? ତା’ର ମାନେ ସ୍ଵାଧୀନତାର ଚୂଡ଼ାନ୍ତ ।

ସେଇ ତ ଭାଇ ! ଲେଖକମାନେହିଁ ଅନ୍ୟମନସ୍କ ।

 

କ’ଣ ଯେ କରି ବୁଲୁଛି ସୁତପା କେଜାଣି ! କିଏ ଜାଣିଛି ସ୍ଵଭାବ ଚରିତ୍ର ବା କେମିତି ? ହେଇତ, ଜଣାପଡ଼ିଲା ଜଣେ ଅଶୀ ବର୍ଷର ବୁଢ଼ାଙ୍କୁ ଘାଏଲା କରିଦେଲା ।

 

ପୋଡ଼ାମୁହୀଁ, ଲକ୍ଷ୍ମୀଛାଡ଼ୀ ନିଜର ମୁହଁତ ପୋଡ଼ିଦେଲୁ, ତା’ ସାଙ୍ଗରେ ମୋର ମୁହଁଟାକୁ ବି ପୋଡ଼ି କୋଇଲା କରିଦେଲୁ । ବାହାରୁ ଗୋଟାଏ ଅଚିହ୍ନା ଲୋକ ଆସି ଅନ୍ଧାରକୁ ପଶିବ, ଯଦି ଚୋର, ଡକାୟତ ହୁଏ ? ଏଇ ଭୟରେ ମୁଁ ଚିହ୍ନାଲୋକ ଅଣାଇଥଲି ! ଇସ୍‌, କି ଭୁଲ ! କି ଭୁଲ !

 

ବାହାରର ଲୋକ ଚୋରି କରିଥିଲେ ମୋର କ’ଣ ଲୋକ୍‌ସାନ୍‌ ଥିଲା ? ଶୁଣିଛି ଏମାନଙ୍କର ଅନେକ ଥିଲା ଅନେକ ଯାଇଛି । ଆହୁରି ଯାହା ଅଛି, ସେଥିରୁ କିଛି ଯାଇଥାଆନ୍ତା ! ମୋର କ’ଣ ଯାଉଥିଲା ଯେ ! କିନ୍ତୁ ବର୍ତ୍ତମାନ ? ବର୍ତ୍ତମାନ ମୁଁ କାଠଗଡ଼ାରେ । ସମସ୍ତେ ମୋ ଆଡ଼କୁ ସନ୍ଦେହ ଆଖିରେ ଚାହୁଁଛନ୍ତି । ତେବେବି କେହି ଜାଣିନାହାନ୍ତି ଯେ ମୁଁ ତାକୁ ଆଣିଛି । ବଡ଼କୁମାର ମଧ୍ୟ ନୁହେଁ ।

 

ଜାଣନ୍ତିନି, ତେବେବି ମୋ ସାଙ୍ଗରେ କଥା କହିବାବେଳେ ତାଙ୍କ ଆଖିରେ ଧିକ୍କାର ଭାବ ଥିଲା ।

 

ତୁମର ବୁଝିବା ଉଚିତ ଥିଲା ବୋହୂରାଣୀ ।

 

କିନ୍ତୁ କାହିଁକି ? ମୋର ବୁଝିବା ଉଚିତ ଥିଲା କାହିଁକି ? ତୁମେବି ତ ଦେଖୁଛ ଏତେଦିନ ହେଲା ।

 

ଆଶ୍ଚର୍ଯ୍ୟ ! ମୋର, ଦେଖିବା ଆଉ ତୁମର ଦେଖିବା ? ତୁମେ ସବୁବେଳେ ଘନିଷ୍ଠ ଭାବରେ ଦେଖୁଛ ।

 

ଏହାପରେ ଯଦି ସବୁ ସତଟା ଧରାପଡ଼ିଯାଏ ?

 

ମୁଁ ମିନତି କରି ତାକୁ ଯେଉଁ ଚିଠି ଲେଖିଥିଲି, ସେଇ ଚିଠିଟା ଯଦି ଏମାନେ ଦେଖନ୍ତି ? ଏତେଦିନ ସେ କଥା ଚାପି ରଖିବାର ଯୁକ୍ତି ବା କ’ଣ ? କ’ଣ କହିବେ ଏମାନେ ?

 

ଜ୍ୟୋତିର ଭାବଭଙ୍ଗୀ ଏଥର ଅନ୍ୟ ରକମ ।

 

କେତେ ହସଖୁସୀର ପିଲା ! ମୋତେ କେତେ ଭଲପାଆନ୍ତି । କେତେ ଥଟ୍ଟା ତାମସା କରି ହସାନ୍ତି, ଏଥର ଯେମିତି ଆସି ଖପ୍ପା । କାଲି ମୋତେ ତଳୁ ଡାକିଲେ ସେଇଟା ମଧ୍ୟ ଭଲରେ ନୁହଁ । ରାଗି ରାଗି ଆସିବା ପରେ ନିଶ୍ଚିତ ମା’ଙ୍କପାଖରୁ ଅନେକ, କିଛି ଶୁଣି ତାଙ୍କର ମନ ବିଗଡ଼ି ଯାଇଛି । ଆହୁରି ବିଗଡ଼ି ଯାଇଛି ସେଇ ପାଜିକୁ ଜେଜେଙ୍କ ପାଖରେ ପାଖରେ ଦେଖି ।

 

ପାଜି ତ ! ସାଙ୍ଗେ ସାଙ୍ଗେ କିପରି ଭାବରେ ଜେଜେଙ୍କ ପାଖରେ ଆସି ବସିଲା ! ସତକଥା କହିବାକୁ ଗଲେ ମୋର ଟିକେ ଈର୍ଷା ହେଉଥିଲା । କେବଳ ମୋର ସବୁବେଳେ ସେଇ ଘରେ ଡିଉଟି ଦେବା କମି ଯାଇଥିଲା ବୋଲି ଟିକେ-ନିଃଶ୍ଵାସ ପକାଇ ବଞ୍ଚି ଯାଇଥିଲି, ସେଥିପାଇଁ କିଛି କହୁ ନ ଥିଲି । ସେତେବେଳେ ମୋର ବୁଝିବା ଉଚିତ ଥିଲା । ଠିକ୍‌ କହିଛନ୍ତି ବଡ଼କୁମାର । ମୋର ବୁଝିବା ଉଚିତ ଥିଲା ।

 

ସେଇ ଦାସୀଗୁଡ଼ାକର କଥା ତା’ହେଲେ ଠିକ୍‌ ? ବଶୀକରଣ ଔଷଧ ବୋଲି କିଛି ଅଛି-। ନ ହେଲେ ଜେଜେଙ୍କ ପରି ଧୁରନ୍ଧର ଲୋକ, ଏବେବି ଯିଏ ଏଇସବୁ ବ୍ୟବସାୟ ବାଣିଜ୍ୟର ‘ମୁଣ୍ଡ’ ସେ କେମିତି ଭାବରେ ଏମିତି ମନ୍ତ୍ରପୂତ ହୋଇଗଲେ ?

 

ଜ୍ୟୋତି କହି ଯାଇଛନ୍ତି, ‘ଆପଣଙ୍କ ସାଙ୍ଗରେ କିଛି କଥା ଅଛି ।’ ଜାଣେନା କି କଥା?

ଯଦି ମୋତେ ପ୍ରଶ୍ନ କରନ୍ତି, ଆପଣ ତାଙ୍କୁ ଆଗରୁ ଚିହ୍ନିଥିଲେ କି ନାହଁ ?

ଆପଣ ତାଙ୍କୁ ଆସିବାକୁ ଅନୁରୋଧ କରିଥିଲେ କି ନାହିଁ ?

 

ଭଗବାନ ! ମୋର ତା’ହେଲେ ଆତ୍ମହତ୍ୟା ଛଡ଼ା ଆଉ ଉପାୟ ନ ଥିବ । ପୋଡ଼ାମୁହୀଁ, ଲକ୍ଷ୍ମୀଛାଡ଼ୀ, ତୁ ମୋର ଏଇ ସର୍ବନାଶ କଲୁ ? ତୁ ମୋର ଜୀବନ ଧ୍ଵଂସ କରିଦେଲୁ ! ମୋତେ ଏଇ ଭରାଜୀବନ ପକାଇ ଦେଇ ମରିବାକୁ ହେବ ନିଜ ପ୍ରାଣଟାକୁ ନିଜ ହାତରେ ଶେଷ କରି ଦେବାକୁ ହେବ । ତୋ’ ପାଇଁ କେବଳ ତୋ’ ପାଇଁ !

 

ଅନୁପସ୍ଥିତ ସୁତପାଙ୍କ ଉଦ୍ଦେଶ୍ୟରେ ଯଥେଷ୍ଟ ଗାଳିଗୁଲଜ କରି ଚାଲନ୍ତି ଅନୁରାଧା । ପ୍ରାୟ ସାନରାଣୀମା’ଙ୍କ ଭାଷାରେ ।

 

Unknown

ସ୍ୱାର୍ଥରେ ଆଘାତ ପଡ଼ିଲେ ବୋଧହୁଏ ମଣିଷ ଉପରର ରଙ୍ଗ ଏଇପରି ଭାବରେ ଖସି ଝରିପଡ଼େ !

 

ଅନୁରାଧା ଥରେବି ଭାବୁ ନାହାଁନ୍ତି, ‘ଇଏବି ସମ୍ଭବ ?’ ସତରେ କ’ଣ ସୁତପା ? ନା, ନା, ଛିଃ ! ନା, ଥରେ ହେଲେ ମଧ୍ୟ ଭାବୁ ନାହିଁ । କିଏ କେଉଁଟି କ’ଣ କରିଛି ।

 

ଅନୁରାଧା ପୂରା ଭାଙ୍ଗି ପଡ଼ିଛନ୍ତି । କାରଣ ତାଙ୍କ ସାମନାରେ ସମସ୍ତେ ଅକାଟ୍ୟ ପ୍ରମାଣଗୁଡ଼ାକ ଦେଖେଇ ଦେଇଯାଇଛନ୍ତି ।

 

ଆଉ ସ୍ତ୍ରୀଲୋକ, ସ୍ତ୍ରୀଲୋକୁ ଯେତେଟା ଚଟ୍‌ କରି ସନ୍ଦେହ କରିପାରେ, ତା’ର ଅଧଃପତନକୁ ଯେତେଶୀଘ୍ର ବିଶ୍ଵାସ କରିପାରେ, ପୁରୁଷ ବୋଧହୁଏ ସେତେଟା ନୁହେଁ ।

 

ତେବେ ଜ୍ୟୋତିଙ୍କର କଥା ଅଲଗା ।

 

ଜ୍ୟୋତି ସତରେ ତଳ ମହଲାରୁ ବେଶ କିଛିଟା ବିରୁଦ୍ଧ ପବନ ଭିତରେ ଭରି ତେବେ ସୁତପାଙ୍କୁ ଦେଖିଛନ୍ତି । ଆଉ ଦେଖିଛନ୍ତି ପୂରା ଜେଜେଙ୍କ ପାଖରେ ନିଜ ଜାଗାରେ । ଦେଖି ବିରୂପତା ଆହୁରି ବଢ଼ି ଯାଇଛି ।

 

ଅତଃପର ଜେଜେଙ୍କର ପାଗଳାମି ଅବୁଝା ଝୁଙ୍କ !

ଆଉ ତା’ପରେ ଏଇ ଅଶନି ପାତ ।

 

ତାଙ୍କର ଅଧୀତବିଦ୍ୟାର କଷଟିପଥରରେ ‘ଘଷି ଜାଣିପାରିଛନ୍ତି । ଆଉକିଛି ନୁହେଁ । ଅପରାଧୀ ସେଇ ମହିଳା ।

 

ଧୂର୍ତ୍ତ ଅପରାଧୀମାନେ ଚଟ୍‌ କରି କିଛି କରନ୍ତି ନାହିଁ । ଧୀରେ ଧୀରେ ସମସ୍ତଙ୍କର ବିଶ୍ଵାସ ଉତ୍ପାଦନ କରି ତେବେ କାମରେ ହାତ ଦିଅନ୍ତି ।

 

ମହିଳା ହେଲେ ତ କ’ଣ ହେଲା ?

 

ମହିଳା ଅପରାଧୀ କ’ଣ ଜଗତରେ ବିରଳ ? ବର୍ତ୍ତମାନ କାମ ହେଉଛି ଜେଜେଙ୍କ ସାଙ୍ଗରେ ଥରେ ମୁକାବିଲା କରି, ଥରେ ଡାକ୍ତର ଦେଖାଇ ତେବେ ଯାଇ ପୋଲିସରେ ଡାଏରୀ କରିବା । ଘରୁ କାହାରିକି ବାହାରକୁ ଯିବାପାଇଁ ଦିଆ ହୋଇନାହିଁ । ଏଇଟା ପୋଲିସ ପାଇଁ ଉପକାର କରି ରଖିବ ।

 

ବଡ଼ ଗେଟ୍‌ରେ ତାଲା ପଡ଼ିଯାଇଛି । ଚାବି ଜ୍ୟୋତିଶେଖରଙ୍କ ପକେଟରେ । ବିଶେଷ କୌଣସି ଦରକାର ହେଲେ ଲୋକ ଦେଖି ଚାବି ଦେବେ ।

 

ଅତଏବ ଆଜି ମଧ୍ୟ ଘରେ ହଣ୍ଡା ବସିଛି ।

 

ଲୋକ ତ କମ୍‌ ଆସି ଜମା ହୋଇନାହାଁନ୍ତି, ଦୂର ଦୂର ସମ୍ପର୍କର ତଳ ମହଲାରେ କଳକଳ ସମାରୋହ । ତେବେ ସେ ଜାଗାର ଗୋଳମାଳ ଉପର ମହଲାରେ ଆସି ପହଞ୍ଚି ପାରେନା, ଏଇ ଯଥେଷ୍ଟ ।

 

କିନ୍ତୁ ସୋମଶେଖର ?

 

ସୋମଶେଖର ବି ସ୍ତବ୍ଧ ହୋଇଯାଇଛନ୍ତି । ଯଦିଓ ଅନୁରାଧାଙ୍କୁ ଧିକ୍କାର ଦେଇ ପକାଇଛନ୍ତି, ତେବେବି ସୋମଶେଖର କୌଣସି ମତେ ମନରେ କି ପ୍ରାଣରେ ବିଶ୍ଵାସ କରିପାରୁ ନାହାଁନ୍ତି ଯେ ସୁତପା ଏମିତି ଗୋଟାଏ ନୀଚ କାମ କରିପାରନ୍ତି ।

 

ଛିଃ, ଛିଃ, ଅସମ୍ଭବ ! ଘରେ ଦୁଇ ଦିନ ହେଲା ଏତେ ଲୋକ ! ପୁଣି ନିଜ ମନକୁ ମନ ଭଙ୍ଗା ପୁଣି ଗଢ଼ା ।

 

ଏତେ ଲୋକ ସତରେ, କିନ୍ତୁ ରାଜାବାହାଦୂର୍‍ଙ୍କ ଘରେ କିଏ ପଶିଛନ୍ତି ସଭାର ସମୟ ଛଡ଼ା ? ସେଇ ସମୟରେ କିଏ ପଶି ଗହଣା ଚୋରି କରିବେ ?

 

କ’ଣ ହୋଇପାରେ ? କ’ଣ ହୋଇପାରେ ?

 

ସେ ଘରକୁ ଯେଉଁମାନଙ୍କର ଯାତାୟାତ, ସେ ସବୁ ଚାକର- ବାକର ସମ୍ପର୍କରେ ସନ୍ଦେହ କରିବା କଥା ନୁହେଁ । ସୋମଶେଖର ବରଂ ନିଜକୁ ସନ୍ଦେହ କରିପାରେ, କିନ୍ତୁ ବ୍ରଜରାଜକୁ ନୁହଁ । ନବୀନକୁ ମଧ୍ୟ ନୁହଁ ।

 

ଆଉ ଜଣେ ଗୁଡ଼୍‌ଗୁଡ଼୍‌ ।

 

ଏତେ ଦୁଶ୍ଚିନ୍ତା ଭିତରେ ହସ ମାଡ଼ିଲା । ତା’ର ଟୁଲ୍‌ରେବି ହେବ ନାହିଁ । ସିଢ଼ି ଦରକାର ହେବ ।

 

ଗୋଟାଏ ସନ୍ଦେହ ! ସେଇଟା ବାରମ୍ବାର ମନ ଭିତରେ ଘୂରି ବୁଲୁଛି । ଆକ୍ରୋଶ ବଶତଃ ଲୁଚାଇ ରଖିନି ତ ବ୍ରଜରାଜ? ଆସି, ଯାହା ଶୁଣୁଛି, ସେଇ ମହିଳାଟି ପ୍ରତି ତା’ର ଆକ୍ରୋଶ ଆସିବାର ଯଥେଷ୍ଟ କାରଣ ଅଛି । ତା’ ଉପରେ ଗତକାଲିର ଅପମାନ ।

 

ବ୍ରଜରାଜର ଧମକ ।

 

ସେଇଟା ମଧ୍ୟ ଜଣେ ବାହାର ଲୋକଙ୍କ ପାଇଁ, ପୁଣି ତା’ ସାମନାରେ କିନ୍ତୁ ବ୍ରଜରାଳକୁ କ’ଣ ପଚରା ଯାଇପାରେ ? ଅବଶ୍ୟ ପୋଲିସକୁ ଖବର ଦେବା ପୂର୍ବେ ଥରେ ପଚାରି ନେବା ଦରକାର । କି ଲଜ୍ଜା ! କି ଲଜ୍ଜା ! ପୋଲିସ ଆସି ଜେରା କରି ଜାଣିବ ମହିଳା ଜଣକ ଅନୁରାଧାଙ୍କର ସହପାଠିନୀ ।

 

ଏକଦା ସୋମଶେଖରଙ୍କ ପିଉସା ଜୀବନରତନଙ୍କୁ ନେଇ ଗୋଟାଏ ଭୟାନକ କାଣ୍ଡ ଘଟିଥିଲା, ସୋମଶେଖରଙ୍କର ଶୁଣା କଥା । ସେତେବେଳେ ତ ସେମାନେ ବାଳକ ମାତ୍ର । କିନ୍ତୁ ତା’ପରଠାରୁ ଏ ଘରେ ବିଶ୍ଵାସଭଙ୍ଗର କାରଣ କେହି ଘଟାଇ ନାହାଁନ୍ତି । ଏତେଗୁଡ଼ିଏ ‘ଲୋକବାକ’ ରହିବା ସତ୍ତ୍ୱେ ମଧ୍ୟ ।

 

ସମସ୍ତେ ତ ଘର ଭିତରର ସବୁ କାମ କରନ୍ତି ।

 

ବିଧୁଦାସୀ ଆଲମାରିରୁ ଦାମୀ ଦୁଇ ପ୍ରସ୍ତ ହୋଇଥିବା ଶାଲ୍‌ ଲୁଗାପଟା ବାହାର କରି ଖରାରେ ଦିଏ ପୁଣି ଆଣି ଠିକ୍‌ ଜାଗାରେ ରଖେ । ହେନା ଗହଣା ସାଫ କରିଦିଏ । ଠାକୁର ଘରର ଭାରପ୍ରାପ୍ତ ପୁରୋହିତ ମହାଶୟଙ୍କ ହାତରେ ବିଗ୍ରହର ଗହଣା ଗାଣ୍ଠି, ସୁନାରୁପା ଇତ୍ୟାଦି ସବୁକିଛି ଥିବା ସିନ୍ଦୁକର ଚାବି । ସେ ନିଜେ ବିଶେଷ ବିଶେଷ ଦିନରେ ଗହଣା ପିନ୍ଧାନ୍ତି ଓ ଓହ୍ଲାଇ ରଖନ୍ତି । ସତ୍ୟଭୂଷଣ ହାତରେ ଚେକ୍‌ ଭଙ୍ଗାଇବାକୁ ଦିଆହୁଏ ହଜାର ହଜାର ଟଙ୍କାର । ରଜନୀର କଥା ଅଲଗା ।

 

ରଜନୀ ସାରାଜୀବନ ରାନ୍ଧି ବାଢ଼ି ଖୁଆଇଲା କିନ୍ତୁ ଦୋତାଲାକୁ କେବେ ଚଢ଼େ ନାହିଁ । ରାନ୍ଧି ବଢ଼ାବଢ଼ି କରି ସବୁ ସଜାଡ଼ି ଦିଏ, ବ୍ରଜରାଜ ନେଇ ଆସି ଶଶୀଶେଖରଙ୍କୁ ଦିଏ ତାଙ୍କର ଶ୍ଵେତପଥରର ଟେବୁଲ ଉପରେ ।

 

ଗୋଟି ଗୋଟି କରି ଘରର ପ୍ରତ୍ୟେକ ଲୋକଙ୍କୁ ଆଖି ସାମନାରେ ଆଣି ଭାବନ୍ତି ସୋମଶେଖର, କେଉଁଠାରେ ବି ଦାନା ବାନ୍ଧି ହୁଏନା । ଅତଏବ ସେଇ ଝିଅ, ଯାହାଙ୍କୁ ଏତେଦିନ ସୋମଶେଖର ସଶ୍ରଦ୍ଧ ପ୍ରୀତିର ଆଖିରେ ଦେଖି ଆସିଛନ୍ତି । ଏମିତି ବି ମଝିରେ ମଝିରେ ମନେହୋଇଛି ତାଙ୍କର, ଗୋରା ଆଉ ନିଖୁଣ ମୁହଁ, ରୂପ ନୁହେଁ, ରୂପ ହେଉଛି ମାର୍ଜ୍ଜିତ ବୁଦ୍ଧିର ଆଲୁଅ । ତେବେ ?

 

ସୋମଶେଖର ସ୍ତବ୍ଧ ହୋଇ ବସି ଅନ୍ଧକାର ମଧ୍ୟରେ ଅଣ୍ଡାଳି ହୁଅନ୍ତି ।

ବୁଦ୍ଧିଟାହିଁ ତେବେ ତାଙ୍କୁ ଅଧଃପତନର ପଥକୁ ଟାଣି ନେଇଯାଇଛି ? ଏତେ ତଳକୁ ?

 

ବଡ଼ ଦୁଃଖ । ବଡ଼ ପରିତାପ ! ବଡ଼ ଗ୍ଲାନି । ସୋମଶେଖରଙ୍କରୁ ରାଗ ହେଉନି, ହେଉଛି ଦୁଃଖ ।

 

॥୨୭॥

 

ଆଉ ନାଟକର ଅସଲ ନାୟକ ?

ରାଜା ଶଶୀଶେଖର ସମାଦ୍ଦାର ବାହାଦୂର୍‍ ? ଯାହାଙ୍କର ପ୍ରାଣପ୍ରିୟାଙ୍କ ପ୍ରାଣତୁଲ୍ୟ ଅଳଙ୍କାରଟି ହଜିଯାଇଛି ? ସେ ? ସେ କି ଅବସ୍ଥାରେ ? ତାଙ୍କର କି ପ୍ରତିକ୍ରିୟା ?

ତାଙ୍କର ପ୍ରତିକ୍ରିୟାଟା ଆଶ୍ଚର୍ଯ୍ୟ !

ସେ କଥାଟା ଶୁଣିବା ମାତ୍ରେ, ଥରେ ବକ୍ତାଙ୍କ ମୁହଁ ଆଡ଼କୁ, ଏବଂ ଘରର ଚାରିଆଡ଼କୁ ‘ପଥର ଆଖିରେ’ ଚାହିଁଦେଖି ଦୃଢ଼ ଗଳାରେ କହିଛନ୍ତି, କାହାରିକି ଯେମିତି ଏ ଘରୁ ଛଡ଼ା ନ ଯାଏ । ଆଉ ଯେତେବେଳେ ବକ୍ତା ଜ୍ୟୋତିଶେଖର କହିଛନ୍ତି ଯେ ସର୍କୁଲାର ଆଗରୁହିଁ ଜାରି କରାହୋଇଛି, ସେତେବେଳେ ସେ ହାତ ହଲାଇ ତାଙ୍କର କଥା ବନ୍ଦ ରଖି କହିଲେ, ମୋତେ ଟିକେ ଏକଲା ରହିବାକୁ ଦିଅ ।

ଅତଏବ ସେ ତା’ ପରଠାରୁ ‘ଏକଲା’ ବସି ଗୋଟାଏ ପରେ ଗୋଟାଏ ଚୁରୁଟ ଧ୍ଵଂସ କରିଚାଲିଛନ୍ତି । ଘରଟା ଧୂଆଁରେ ଭରିଯାଇଛି । ଅସମୟରେ ଏମିତି ଧୂଆଁ ଖାଇବା ଶଶୀଶେଖରଙ୍କ ପକ୍ଷରେ ପ୍ରାୟ ଗୋଟାଏ ଆଶ୍ଚର୍ଯ୍ୟ ଘଟଣା ।

ଆଜି ବ୍ରଜରାଜ କଲପର ଶିଶି ନେଇ ଫେରି ଯାଇଛି । ଖବରକାଗଜର ଭାଙ୍ଗଖୋଲା ହୋଇନାହିଁ ।

କେହି କେହି ଆସୁଛନ୍ତି ଆଉ ଉଙ୍କି ମାରି ଫେରି ଯାଉଛନ୍ତି ।

ସେ କ’ଣ ଆଜି ସ୍ନାନ କରିବେନି ? ଖାଇବେନି ?

ଇଏ କି ପ୍ରକାର ଅଶୁଭ ଅଶାନ୍ତିମୟ ଜନ୍ମଦିନ ଉଦ୍‌ଯାପିତ ହେଲା ଏଥର ?

ଅଥଚ ଏଥର ଆୟୋଜନଟା ବେଶୀ ହୋଇଥିଲା ।

ହୁଏତ ଆଢ଼ୁଆଳରେ ଗୁଡ଼୍‍ଗୁଡ଼୍‍ ମୁହଁରେ ଯାହା ବ୍ୟକ୍ତ କରି ପକାଇଥିଲା, ଶଶୀଶେଖରଙ୍କର ନାତିମାନଙ୍କ ମଧ୍ୟରେ ଅବ୍ୟକ୍ତ ହେଇ ସେଇ ଚିନ୍ତାଟାହିଁ କାମ କରୁଛି, ‘ହୁଏତ ଏଇଥର ଶେଷ ! ହୁଏତ ଏଇଥର ଶେଷ !’

ଯଦିଓ ଶଶୀଶେଖର ଏବେବି ସିଧା, ସତେଜ, ଯଦିଓ ତାଙ୍କ ଦେହର ଚମଡ଼ା ଏବେବି ସିଲ୍କ ପରି, ହାତ ପାପୁଲି ମଖମଲ ପରି ଆଉ ରଙ୍ଗ ପାଚିଲା ବେଦାନା ପରି ଏବଂ ଖାଇବା ପିଇବା ଯୁବକଠାରୁ ଅଧିକ, ତେବେବି ଆୟୁର ତ ଗୋଟାଏ ସୀମାରେଖା ତ ଅଛି ।

ମନର ଜୋର, ପ୍ରସାଧନର ପରିପାଟି, ନକଲ ଦାନ୍ତ, କେଶରେ କଲପ, ତ ଏସବୁ ଦେଇ ବୟସକୁ ଚାପା ଦେଇ ରଖା ଯାଇପାରେ କିନ୍ତୁ ‘ଆୟୁ’ତ ଘଣ୍ଟାର କଣ୍ଟା ମାନିଚାଲେ । ଚିତ୍ରଗୁପ୍ତଙ୍କ ଘଣ୍ଟାର କଣ୍ଟା ।

ଅନୁରାଧା ଦିନେ ହସି ହସି କହିଥିଲେ, ‘ଧଳା ଚାମର ପରି ନିଶଦାଢ଼ିବାଲା ଜେଜେହିଁ ଭଲ ଜେଜେ । ଆପଣଙ୍କର ଦାଢ଼ି ଥିଲେ, ଆଉ କେଶ ଧଳା ହେଲେ ଠିକ ରବୀନ୍ଦ୍ରନାଥଙ୍କ ପରି ଦେଖିବାକୁ ଲାଗନ୍ତା । ଆପଣ କାହିଁକି ଦାଢ଼ି ସଫା କରନ୍ତି, ଆଉ ବ୍ରଜ୍ଜଭାଇଙ୍କର କଲପର, ଶିଶି କବଳରେ ପଡ଼ନ୍ତି ?’

ଶଶୀଶେଖର ବିରକୁ ହୋଇନାହାଁନ୍ତି, କହିଥିଲେ ‘କାହିଁକି ଜାଣିଛୁ ଭାଇ ? ଯିବାକୁ ଯେ ବହୁତ ବିଳମ୍ବ ହୋଇଯାଉଛି । ସେଇ ଶ୍ଵେତଚାମର ମୂର୍ତ୍ତି ନେଇ ଯାଇ ଛିଡ଼ା ହେଲେ ରାଣୀ ସୁଧାହାସିନୀ ଯଦି ନ ଚିହ୍ନିପାରନ୍ତି ? ଯଦି କହି ଦିଅନ୍ତି, ଛି, ଛି ଇଏ ପୁଣି କିଏ ? ତା’ହେଲେ ? ତେଣୁ ଚେହେରାଟାକୁ ଚିହ୍ନିବାର ଯୋଗ୍ୟ କରି ରଖିବାକୁ ଚେଷ୍ଟାକରେ ।

 

ତା’ମାନେ ଚେଷ୍ଟା କରନ୍ତି ଅନ୍ୟକିଛି ପାଇଁ ନୁହେଁ, ଯିବା କଥା ଭାବି । ଅତଏବ ଯିବାଟା ଯେ ଆଗେଇ ଆସୁଛି ଏଇଟା ମନେ ପଡ଼ିଯାଉଛି ସମସ୍ତଙ୍କର । ଶେଷଘଣ୍ଟା ବାଜି ଆସିଲାଣି । ତେଣୁ ଏଥର ସମାରୋହ ଅଧିକ । ଅଥଚ ଏଇଥରହିଁ କ୍ଳେଦାକ୍ତ କରି ଦେଇଗଲା ଜଣକର ଲୋଭର ଥାବା ।

 

ନାୟକଙ୍କ ଖବର ତ ଜଣାଗଲା, ଯିଏ ନିଜର ଚାରିପଟେ ଧୂଆଁଜାଲ ରଚନା କରି ଆବୃତ ହୋଇ ବସି ରହିଛନ୍ତି । କିନ୍ତୁ ଏଇ ଅପରାଧମୂଳକ ନାଟକର ମୂଳ ଆସାମୀଙ୍କ ଖବର କ’ଣ-? ତାଙ୍କୁ ମଧ୍ୟ ଆଲୁଅରେ ଦେଖା ଯାଉନାହିଁ ।

 

କିନ୍ତୁ ତାଙ୍କୁ ତ ଆସାମୀ ଭଳି ଦେଖାଯାଉନି ?

 

ଏଇ ଦ୍ୱିପହରବେଳେ ଅନ୍ଧାର ଘରେ ଦାନ୍ତରେ ଦାନ୍ତ ଚାପି ବସି ବସି ଭାବୁଛନ୍ତି, କି ଉପାୟରେ ଏଇ ଅପମାନର ପ୍ରତିଶୋଧ ନିଆଯାଇପାରେ ? କ’ଣ ଭାବିଛନ୍ତି ଏମାନେ ? ଭାବଭଙ୍ଗୀ ଦେଖି ମନେହେଉଛି ଯେମିତି ସୁତପାହିଁ ଚୋର ସାବ୍ୟସ୍ତ ହୋଇଛନ୍ତି ।

 

ଏପରିକି ଅନୁରାଧା ମଧ୍ୟ । ଅନୁରାଧାଙ୍କୁ ଯେତେବେଳେ କହିବାକୁ ଯାଇଥିଲେ- ତୋ’ର ରାଜା ଦିଅରଙ୍କର ହୁକୁମ ତ ମାନିପାରିବି ନାହିଁ ଅନୁରାଧା, ମୋତେ ଆଜି ଯିବାକୁ ହେବ । ଭାଇକୁ ଆଗରୁ ଜଣାଇ ଦେଇଛି ।

 

ସେତେବେଳେ ଅନୁରାଧା ବିରସ ମୁହଁରେ ନୀରସ ଗଳାରେ କହିଥିଲେ ‘ସେମିତି କହିଲେ ତ ଚଳିବ ନାହିଁ ! ତୋ’ ପାଇଁ ତ ଆଇନ ଅଲଗା ହୋଇଯିବ ନାହିଁ ।

 

ମୋତେ ସନ୍ଦେହ କରୁଛ ତୁମ୍ଭେମାନେ ?

 

ତୋତେ ଓ ମୋତେ ବୋଲି ନୁହେଁ । ସନ୍ଦେହ ତ କରିବାକୁହିଁ ହେବ କାହାକୁ, ଚୋରି ଯେତେବେଳେ ହୋଇଛି । ମୋତେ ମଧ୍ୟ ସନ୍ଦେହ କରିପାରନ୍ତି ତୋ’ର ସାଙ୍ଗ ବୋଲି ।

 

ତା’ମାନେ ମୁଁ ହିଁ ଆସାମୀ ?

 

ସେସବୁ କଥା ମୁଁ ଜାଣେନା । ମୋ ମୁଣ୍ଡଟା ଛିଡ଼ି ପଡ଼ୁଛି - ଏହା କହି ଅନୁରାଧା ଚାଲିଗଲେ ଆଉ ଗୋଟାଏ ଛୋଟ ନାହୁଡ଼ ଫୁଟାଇ ।

 

ଯିଏ ନେଇଛି, ତାକୁ କିନ୍ତୁ ବୋକା କହିବାକୁ ପଡ଼ିବ । ନୈବେଦ୍ୟର ସନ୍ଦେଶଟା ନେଇଗଲେ ଆଗ ସମସ୍ତଙ୍କ ଆଖିରେ ପଡ଼େ ।

 

ଏସବୁ ଗାଉଁଲି ପ୍ରବାଦ ପ୍ରବଚନ ବେଶ୍‍ ଭଲ ଭାବରେ ଶିଖି ଯାଇଛନ୍ତି ଅନୁରାଧା ଏଇ କେତେଟା ବର୍ଷ ଭିତରେ । ଯେତେ ଏମାନଙ୍କର ସବୁକିଛି ଅରୁଚିକର ମନେହେଉ, ଅଫିମର ଧୂଆଁରେ ବି ନିଶା ଆସେ ।

 

ଭାଇକୁ ଗୋଟାଏ ଟେଲିଗ୍ରାମ୍‌ କରିବି ? ପୋଲିସ ନେଇ ଆସିବାକୁ କହିବି ? କହିବି, ମୋତେ ଏଠି ଅକାରଣରେ ଅଟକାଇ ରଖିଛନ୍ତି ବୋଲି । ରାଜାମାନଙ୍କର ରାଜଗିରି ଛାଡ଼ି ଯାଆନ୍ତା-! କିନ୍ତୁ ଇସ୍‌ ! ଭାଇ ତା’ହେଲେ କ’ଣ କହିବ ? କେମିତି ମୁହଁ ଦେଖାଇବି ଭାଇ ସାମନାରେ ? ଶହେଥର ମନାକରିଥିଲା ଭାଇ, ଏ ଜାଗାକୁ ଆସିବାପାଇଁ । କହିଥିଲା, ରାଜାରାଜୁଡ଼ାମାନେ ଭାରି ଗୋଳମାଳିଆ ଲୋକ ତପୁ । ଜାଣିନାହୁଁ ‘ବଡ଼ଙ୍କ ପୀରତି ବାଲିର ବନ୍ଧ, କ୍ଷଣିକରେ ହାତରେ ‘ଦଉଡ଼ି’ କ୍ଷଣିକରେ ଚାନ୍ଦ ।’ ହୁଏତ କହିବେ, ନ ହେଲେ କହିବେ ନାହିଁ- କି ଦରକାର ?

 

ବର୍ତ୍ତମାନ ବିପଦରେ ପଡ଼ି ସେଇ ଭାଇକୁ ପୋଲିସ ନେଇ ଆସିବାକୁ କହିବ ସୁତପା ? ଛିଃ, ଛିଃ, ନା, ନିଜକୁ ଜୋର ଖଟାଇବାକୁ ହେବ ।

 

ଆଶ୍ଚର୍ଯ୍ୟ ! ଘରେ ଏତେ ଦାସଦାସୀ, ଏତେ ବାହାରରୁ ଆସିଥିବା ଆତ୍ମୀୟ । ଯେଉଁମାନଙ୍କୁ କୁଆଡ଼େ ଅନୁରାଧା ବର୍ଷକୁ ଏଇ ଥରେମାତ୍ର ଦେଖିବାକୁ ପାଏନି । ସେମାନଙ୍କୁ ଡେଇଁ ଚୋର ସନ୍ଦେହ କରିବାକୁ ଆସିଲା ସୁତପାକୁ ? ଭାବି ପାରୁନାହାଁନ୍ତି ! ବିଶ୍ଵାସ ହେଉନାହିଁ ।

 

କର୍ତ୍ତା କ’ଣ କରୁଛନ୍ତି ? କର୍ତ୍ତା ? ରାଜାବାହାଦୂର୍‍ ? ସିଏ କୁଆଡ଼େ ମୋ ପ୍ରେମରେ ପଡ଼ିଯାଇଥିଲେ ? ସେ ବି କ’ଣ ସାନକୁମାରଙ୍କ ଦାଉରେ ମୂକ ପାଲଟି ବସିଛନ୍ତି ? କହିପାରୁ ନାହାଁନ୍ତି, ଆରେ, ତୁମେମାନେ କାହାକୁ କ’ଣ କହୁଛ ? ମୁଁ କ’ଣ ମାଡ଼ି ଯାଇ କହିବି- ଆପଣଙ୍କ ପାଇଁ-। ଆପଣଙ୍କର ମୋ ପ୍ରତି ସ୍ନେହ ସହାନୁଭୂତିର ନିଦର୍ଶନ ମୋର ଏଇ ଅପମାନ । କିଏ କହିଥିଲା ଆପଣଙ୍କୁ ସ୍ନେହର ପାତ୍ରୀ ଉପରେ ସୁହାଗ ଢାଳି ଦେବାପାଇଁ ? ମୋତେ ଅଟକାଇ ରଖିବେ ? ରଖନ୍ତୁ ତ ଦେଖେ ?

 

॥୨୮॥

 

ଛଟପଟ ହୋଇ ଘରୁ ବାହାରି ଆସିଲେ ସୁତପା ।

ସାମନାରେହିଁ ପରମ ଶତ୍ରୁଙ୍କର ମୁହଁ ।

 

ରାଗରେ ଦେହ ଜଳିଗଲା । ଏଇ ଛୋଟଲୋକ ଜଣକ ଆସିବା ପରେହିଁ ସୁତପାଙ୍କୁ ଅପଦସ୍ଥ କରି ଚାଲିଛନ୍ତି ।

 

ଶତ୍ରୁ କହିଲେ, ଯାହାହେଉ ଘରୁ ବାହାରିଛନ୍ତି । ଡକାଡକି କରିବା ଦରକାର ହେଲା ନାହିଁ-। ଆପଣଙ୍କ ସାଙ୍ଗରେ ଟିକେ ଦରକାର ଥିଲା ।

 

ମୋ ସାଙ୍ଗରେ ପୁଣି କି କଥା ? ରୁକ୍ଷ ଗଳାରେ କହିଲେ ସୁତପା ।

 

ଜ୍ୟୋତିଶେଖର ଚାଲାକି କଲେ । ସେଇ ରୁକ୍ଷତାର ସାମନାରେ ନିଜର କାଠିନ୍ୟ ସମ୍ବରଣ କରି ଆଶ୍ଚର୍ଯ୍ୟ ଭାବରେ ମୁଲାଏମ୍‌ ଗଳାରେ କହିଲେ, ଦରକାର ନ ଥିଲେ ଆଉ ବିରକ୍ତ କରିବାକୁ ଆସନ୍ତି କାହିଁକି କୁହନ୍ତୁ ? ଘରେ କି ଘଟଣା ଘଟିଛି ଶୁଣିଛନ୍ତି ବୋଧହୁଏ ?

 

ସୁତପା କଠିନ ଭାବରେ କୁହନ୍ତି ଶୁଣିଛି ।

ତା’ହେଲେ ବୁଝିପାରୁଛନ୍ତି ବୋଧହୁଏ ଆମେ କେତେ ନିରୁପାୟ ।

ଓଃ ! ନିରୁପାୟ ।

 

ସୁତପାଙ୍କ ଆଖିରେ ନିଆଁ ଝଲସି ଉଠେ, ସେଇ ନିରୁପାୟତାର ଯୁକ୍ତିରେ ମୋତେ ଅଟକ ରଖିବାକୁ ଚାହୁଁଛନ୍ତି ?

 

କେବଳ ଆପଣଙ୍କୁ କାହିଁକି ?

ଜ୍ୟୋତିଶେଖରଙ୍କ ସ୍ଵରରେ ଆହୁରି ନମ୍ରତା, ଦେଖିଛନ୍ତି ତ ସମସ୍ତଙ୍କୁ ।

 

ସେମାନଙ୍କ କଥା ବାଦ୍‍ ଦିଅନ୍ତୁ । ସେମାନେ ରାଜବାଟୀର ଆତ୍ମୀୟ, ଯେତେଦିନ ଇଚ୍ଛା ରହିପାରିବେ । ସୁତପାଙ୍କ ସ୍ଵରରେ ବିଦ୍ରୁପ ରଜା ଘରର ରୋଷେଇଖାନାରୁ ଭଲମନ୍ଦ ଖୁଆଇ ମୋଟା କରି ଫେରାଇ ଦେଇପାରନ୍ତି, ମୋତେ ଅଟକାଇ ରଖିବାର କୌଣସି ଅଧିକାର ନାହିଁ ଆପଣମାନଙ୍କର ।

 

ସୁତପାଙ୍କ ମୁହଁଟା ନିଆଁପରି ଦିଶୁଛି ।

 

ସୁତପାଙ୍କର ଅସ୍ନାତ ଚେହେରାରେ ଗୋଟାଏ ତୀବ୍ର ରୁକ୍ଷତା । ସେଇ ରୁକ୍ଷତା ସାଙ୍ଗରେ କୁହନ୍ତି ଆପଣମାନେ ଯଦି ମୋତେହିଁ ‘ଚୋର’ ବୋଲି ସନ୍ଦେହ କରିଥାଆନ୍ତି । ଡାକନ୍ତୁ ପୋଲିସ, ଆଉ ଖବର ଦିଅନ୍ତୁ ମୋ ଘରକୁ ।

 

ଜ୍ୟୋତିଶେଖର ସେଇ ଅଗ୍ନିମୂର୍ତ୍ତି ଆଡ଼କୁ ଚାହିଁ ଆଉ ନମ୍ର କରି ରଖିପାରିଲେ ନାହିଁ ନିଜକୁ । କଠିନ ହୁଅନ୍ତି । କହିଲେ, ପୋଲିସକୁ ଖବର ଦେବା କଥା ଯେ ଆପଣ, ଆପଣଙ୍କ ଆଡ଼ୁ କହିବେ ମୁଁ ଜାଣିଥିଲି ! ଅପରାଧବିଜ୍ଞାନ, ଏଇ କଥାହିଁ କହେ, ବେଶୀ ଜୋର୍‍ ଭାଷାରେ ଯିଏ ଅସ୍ଵୀକାର କରେ, ବୁଝିବାକୁ ପଡ଼ିବ ତା’ ମଧ୍ୟରେ ଅପରାଧ ବୋଧ । ନର୍ଭସନେସ୍‌ହିଁ ତାକୁ ଚିତ୍କାର କରାଏ, ଅଡ଼ୁଆ ତଡ଼ୁଆ କଥା କୁହାଏ । କିନ୍ତୁ ମୁଁ ଚାହୁଁଛି, ପୋଲିସ ପର୍ଯ୍ୟନ୍ତ ନ ଯାଇ ବ୍ୟାପାରଟା ଯଦି ଏମିତି ଭାବରେ ତୁଟିଯାଆନ୍ତା ତ ଭଲ ।

 

ଏମିତି ଭାବରେ ତୁଟି ଯାଆନ୍ତା ।

ସୁତପା ତୀକ୍ଷ୍‌ଣ ଗଳାରେ କହିଲେ, ଏମିତି ଭାବରେ ତୁଟି ଯାଆନ୍ତା ମାନେ ?

 

ମାନେ ଖୁବ୍‍ ସିଧା । ଗୋଳମାଳର ଭୟରେ ଯଦି ଜିନିଷଟା ଯିଏ ନେଇଛି ସେ ଫେରାଇ ଦିଏ ।

 

ଓହୋ ! ଆଚ୍ଛା । ଏ ପ୍ରସ୍ତାବଟା ସମସ୍ତଙ୍କ ପାଖରେ ପହଞ୍ଚିଛି ? ନା, ସୁତପା ଭଟ୍ଟାଚାର୍ଯ୍ୟ ପ୍ରଥମ ?

 

ପ୍ରଥମ, ଦ୍ୱିତୀୟ ବୋଲି କିଛି ନାହିଁ । ଜଣକୁ ତ ପ୍ରଥମ ହେବାକୁହିଁ ପଡ଼ିବ । ଯାହାହେଉ ବାଧ୍ୟ ହୋଇ କହିବାକୁ ହେଉଛି- ଦୟାକରି ଯଦି ଏ ଘରର ଜିନିଷପତ୍ରଗୁଡ଼ାକ ଥରେ ଦେଖିବାକୁ ଦିଅନ୍ତେ !

 

ସୁତପା ! ଏତେବଡ଼ ଅପମାନଟା ବି ସହିଗଲ ତୁମେ ?

 

ନିଜକୁହିଁ ନିଜେ ପ୍ରଶ୍ନ କରନ୍ତି ସୁତପା, ଫାଟି ପଡ଼ୁନ ? ଚିତ୍କାର କରୁନ ‘ଗେଟ୍‌ ଆଉଟ୍‌’ ବୋଲି ?

 

କିନ୍ତୁ ନା, ଭାରି ବେକାଇଦାରେ ପଡ଼ିଯାଇଛ ସୁତପା । କାହାଘରେ ଛିଡ଼ାହୋଇ କାହାକୁ ‘ଗେଟ୍‌ ଆଉଟ୍‌’ କରିବ ? ତେବେ ତୁମେ ଯାହା କହିବା କଥା ବୋଲି ଭାବୁଛି କୁହ ।

 

ସେଇଆ କୁହନ୍ତି ସୁତପା ।

 

ଏତେ ବୁଲେଇ କହିବାର କିଛି ନାହିଁ, ‘ସିଧା ଭାବରେ କୁହନ୍ତୁ, ସର୍ଚ୍ଚ କରିବାକୁ ଚାହାଁନ୍ତିତ-? ତେବେ ମୋର ସିଧା କଥାଟା ମଧ୍ୟ ଶୁଣି ରଖନ୍ତୁ, ପୋଲିସ୍‌ର ଲୋକ ଛଡ଼ା ଅନ୍ୟ କାହାରିକି ମୋ ଜିନିଷ ସର୍ଚ୍ଚ କରିବାକୁ ଦେବି ନାହିଁ ।

 

‘ମୋ ଘର’ କହିବାକୁ ଯାଉଥିଲେ, ସମ୍ଭାଳି ନେଲେ । କହିଲେ ଜିନିଷ ।

ସୁତପାଙ୍କ କଣ୍ଠସ୍ଵର ଇସ୍ପାତ ପରି ।

 

ଏଇ ଗଳାରୁ ଗତକାଲି ସେଇ ସୁରର ମାୟାଜାଲ ରଚିତ ହେଉଥିଲା ? ଜ୍ୟୋତିଶେଖର ସେଇ ଅନମନୀୟାଙ୍କ ଆଡ଼କୁ ଚାହିଁ ଯେମିତି ଈଷତ୍‌ ଦୁର୍ବଳ ହୋଇଯାଆନ୍ତି ।

 

କିନ୍ତୁ ଏତିକିରେ ତ ବିଗଳିତ ହେଲେ ଚଳିବନି ।

 

ଏମିତି ବହୁତ ଅପରାଧୀଙ୍କ ଜୀବନ ଦେଖାଯାଇଛି, ସମାଜ ଜୀବନରେ ଯେଉଁମାନେ ଶିଳ୍ପୀ, ସଙ୍ଗୀତ ରସିକ, କବି, ସାହିତ୍ୟିକ ।

 

ଜ୍ୟୋତିଶେଖର କ’ଣ ଏଇ ଝିଅଟି ପାଖରେ ହାରିଯିବେ ? ଅଥଚ ତାକୁ ଧମକ୍‌ ଚମକ୍‌ ଦେବାର ଆଉ ପଥ ନାହିଁ । ଟିକକପୂର୍ବେ ସେ ପଥ ବନ୍ଦ ହୋଇଯାଇଛି ।

 

ଜ୍ୟୋତିଶେଖର ତେଣୁ ଅନ୍ୟଗୋଟାଏ ପଥ ଧରିବାକୁ ଚେଷ୍ଟା କରନ୍ତି । ଜ୍ୟୋତିଶେଖର ଅବହେଳା କରିବା ପରି କହିଲେ, ଦେଖିବାକୁ ଦେଲେ ଆପଣଙ୍କର ଅସୁବିଧା କ’ଣ-? ଆପତ୍ତି ବା କ’ଣ ? ଆପଣଙ୍କର ଉପସ୍ଥିତିରେ ତ ହେବନା ?

 

ନା । ପ୍ରବଳ ଗୋଟାଏ ‘ନା’ ଯେମିତି ସାମନା ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱକୁ ସତେଜରେ ପ୍ରକାଶ କଲା । ବ୍ୟାପାରଟାକୁ ସ୍ପୋର୍ଟିଭ ସ୍ପିରିଟରେ ନେଇପାରନ୍ତି ?

 

ସେ ସ୍ପିରିଟଟା ମୋର ଟିକେ କମ୍‌ ।

 

ଆପଣ ଏତେବଡ଼ ଆପତ୍ତି ଜଣାଇଛନ୍ତି ଜାଣିଲେ ଘରର ଆଉ କେହି ସର୍ଚ୍ଚ କରିବାକୁ ଦେବେ ନାହିଁ ।

 

ଆପଣଙ୍କ ଘରେ କିଏ କ’ଣ କରିବେ ନ କରିବେ, ସେ ଚିନ୍ତା ମୋର ନୁହେଁ । ମୁଁ ଯଦି କୁହେ, ମୋର ଏଇଟା ନ କରି ଉପାୟ ନାହିଁ ।

 

ଜ୍ୟୋତିଶେଖରଙ୍କ ଗଳାରେ ଜୋର୍‍ ଆରୋପିତ କଥା ।

 

ସୁତପା ଏଥର ଶାନ୍ତ, ତା’ ପୂର୍ବେ ମୋତେ ଜାଣିବାକୁ ପଡ଼ିବ । ଆପଣ ଏ ଘରର ସର୍ବାଧିକାରୀ କି ନୁହଁ ?

 

ଧରି ନିଅନ୍ତୁ ସେଇଆ ।

 

ସୁତପା କହିଲେ, ଧରି ନେବାଟା କୌଣସି କଥା ନୁହେଁ । ମୋର ଏକମାତ୍ର କଥା, ପୋଲିସ ଛଡ଼ା କାହାରି ଅଧିକାର ନାହିଁ ସର୍ଚ୍ଚ କରିବାର । ଆପଣ କଣ ଭାବିଛନ୍ତି ? ଆପଣମାନଙ୍କର କୋର୍ଟରେ ପାଇଛନ୍ତି ବୋଲି ମୋ ସମ୍ପର୍କରେ ଯାହା ଖୁସୀ କରିବେ ? ନା, ତା’ ପାରିବେ ନାହିଁ । ଡାକନ୍ତୁ ପୋଲିସ, ମୋର ମଧ୍ୟ କିଛି କହିବାର ଅଛି ।

 

ଜ୍ୟୋତି ପଚାରିଲେ, କି କଥା ? ଆମ ବିରୁଦ୍ଧରେ ଓଲଟା ଚାର୍ଜ ?

 

ଠିକ୍‌ ସେଇଆ । ଜାଣନ୍ତି ଆପଣମାନଙ୍କର ଚେହେରାଟା ବର୍ତ୍ତମାନ କ’ଣ ? ମୋଟା ପାରିଶ୍ରମିକ କବୁଲ୍‌ କରି ଜଣେ ମହିଳାଙ୍କୁ ନେଇ ଆସି ଖଟାଇ, ବର୍ତ୍ତମାନ ପାରିଶ୍ରମିକ ନ ଦେବା ମତଲବରେ, ଷଡ଼ଯନ୍ତ୍ର କରି ତା’ ନାଁରେ ଚୋରିର ଅପବାଦ ଦେଇ ହାରାସ୍‌ କରି ତଡ଼ିବାର ବ୍ୟବସ୍ଥା କରୁଛନ୍ତି । ବୁଝି ପାରିଲେ ? ଏଇଆ ଆପଣମାନଙ୍କର ଚେହେରା ।

 

ଜ୍ୟୋତିଶେଖର ସ୍ଥିର ଗଳାରେ କହିଲେ, ଏଇଆ ଆମ ଚେହେରା ?

 

ହଁ, ସେଇଆ ଏବଂ ଜାଣି ରଖନ୍ତୁ ସେଇ ଚେହେରା । ମୁଁ ପୋଲିସ ସାମନାରେ ଓପନ୍‌ କରିଦେବି । ମୁଁ ବସି ରହିଲି, ଯେତେବେଳେ ପର୍ଯ୍ୟନ୍ତ ପୋଲିସ ନ ଆସେ ।

 

ହଠାତ୍‌ ଘର ଭିତରକୁ ପଶିଗଲେ ସୁତପା, ଜୋର୍‍ରେ ଧକ୍କା ମାରି ଖୋଲିଦେଲେ ଦୁଇଟା ବଡ଼ ବଡ଼ ଝରକା । ଶରତର ମାତାଲ ପବନ, ଆଲୁଅ ହଠାତ୍‌ ଯେମିତି ଅନ୍ୟପ୍ରକାର କରିଦେଲା ଘରଟାକୁ ।

 

ବିଛଣା ଉପରେ ବସି ପଡ଼ିଛନ୍ତି ସୁତପା । କୋଳ ଉପରେ ହାତ ଦୁଇଟା ରଖି ଯେମିତି ବାଘୁଣୀ ଭଳି ଫଁ ଫଁ ହେଉଛନ୍ତି । ଗାଧୋଇ ନାହାଁନ୍ତି, ରୁକ୍ଷ କେଶ ପବନରେ ଏଣେ ତେଣେ ଉଡ଼ୁଛି-। ସେଥିପାଇଁ ଆହୁରି ତୀବ୍ର ଦିଶୁଛି ।

 

ସେଇ ଅଗ୍ନିମୟୀ ମୂର୍ତ୍ତି ଆଡ଼କୁ ଚାହିଁ ଏତେବେଳ ଯାଏଁ ମନ ଭିତରେ ରହିଥିବ ବଦ୍ଧ ଧାରଣାଟା ଯେମିତି ଶିଥିଳ ହୋଇ ଆସିଲା ଜ୍ୟୋତିଶେଖରଙ୍କର ।

 

ସ୍ଥିର ଗଳାରେ କହିଲେ, ପରିଶ୍ରମର ପାରିଶ୍ରମିକ ଦିଆ ହୋଇନାହିଁ ଆପଣଙ୍କୁ ? ସୁତପାଙ୍କ ମୁହଁ କାନ୍ଥ ଆଡ଼କୁ, ସେ ମୁହଁ ନ ଫେରାଇ ତୀକ୍ଷ୍‍ଣ ବିଦ୍ରୁପ ଗଳାରେ କହିଲେ, ଦେବାର ପ୍ରଶ୍ନଟା ତ ଯିବାବେଳରେ ? ସେଇଟା ଯଦି ଅଟକାଇ ଦିଆଯାଏ, କାହିଁ ଡାକନ୍ତୁ ପୋଲିସକୁ ?

 

ଜ୍ୟୋତିଶେଖର ଭାବିଥିଲେ, ଭିତର କଥା ଏଇ ବାହାର ଲୋକ ପାଖରେ ଖୋଲି କହିବେ ନାହିଁ, ପୋଲିସ୍‌ର ଭୟ ଦେଖାଇ କାମ ଆଦାୟ କରି ନେବେ । କିନ୍ତୁ ସେ ଭାବନା ଧରି ରଖିପାରିଲେ ନାହିଁ । ଗୋଟାଏ କ୍ଷୁବ୍ଧ ଆହତ ବ୍ୟଙ୍ଗର ହସ ହସି ଧୀରେ କହିଲେ, ମୋର ରାଇଟ୍‌ଟା ଏତେଦୂର ପର୍ଯ୍ୟନ୍ତ ଆଉ ପହଞ୍ଚି ପାରିଲା ନାହିଁ । ଅସଲ ସର୍ବାଧିନାୟକଙ୍କର ହୁକୁମ ହୋଇଛି ପୋଲିସ ଡକା ହେବ ନାହିଁ ।

 

ହଠାତ୍‌ ଏ ଦୁର୍ମତି ?

ଜ୍ୟୋତିଶେଖର ବର୍ତ୍ତମାନ ଟିକେ ଭଲରେ ହସି କହିଲେ, ରାଜାରାଜୁଡ଼ାଙ୍କର ମର୍ଜି !

 

ଜ୍ୟୋତିଶେଖରଙ୍କ ମୁହଁରେ ସେଇ ଆଗର ତୀବ୍ର ଘୃଣା ଆଉ ବିଦ୍ଵେଷ ଭାବଟା ଆସ୍ତେ ଆସ୍ତେ ମିଳେଇ ଆସୁଛି । ଜ୍ୟୋତିଶେଖରଙ୍କୁ ବର୍ତ୍ତମାନ ଭୟ ଭୟ ଲାଗୁଛି । ଅନେକ ଅକାଟ୍ୟ ପ୍ରମାଣ ପାଇ ସିଧା ଆକ୍ରମଣ ତ କରି ଦେଲେ, ଏବେ ଯଦି ସେ ପ୍ରମାଣ ‘କାଟ୍ୟ’ ହୋଇଯାଏ । କ୍ରମଶଃ ଯେମିତି ବଦ୍ଧମୂଳ ଧାରଣାଟାର ମୂଳ ଢିଲା ହୋଇ ଆସୁଛି । ଯେମିତି ଅପରାଧୀ ଛାଞ୍ଚରେ ଆଉ ତାଙ୍କୁ ଭର୍ତ୍ତି କରାଯାଇ ପାରୁନାହିଁ, ଭାଙ୍ଗି ଫୋପାଡ଼ି ବାହାରି ଆସୁଛି ।

 

ସେଇଥିପାଇଁ ଜ୍ୟୋତିଶେଖର ତାଙ୍କର ନିଜ ଭଙ୍ଗୀରେ ଗୋଟାଏ ସହଜ କୌତୁକ କଥା କହି ପକାଇଲେ ।

 

ରାଜାରାଜୁଡ଼ାଙ୍କ ମର୍ଜି।

 

ସୁତପା ବର୍ତ୍ତମାନ ଗର୍ଜି ହେଉଛନ୍ତି । ତେଣୁ ସୁତପା ତୀବ୍ର ଗଳାରେ କହି ଉଠିଲେ, ଓଃ ! ଆଚ୍ଛା, ସେ ମର୍ଜିର ତ ଆହୁରି ଅନେକ ନଜିର ଅଛି ଇତିହାସରେ ? ପରବର୍ତ୍ତୀ ହୁକୁମଟା କ’ଣ ହେବ ? ପାଉଣାଦାରକୁ ଗୋପନରେ ଖୁନ୍‌ କରି ବ୍ୟାପାରଟା ସମାଧାନ କରିଦେବା ? କିନ୍ତୁ ସେଇଟା ତ ଏତେ ସହଜ ହେବନି । ମୋର କୌଣସି ଗାର୍ଜେନ ଅଛନ୍ତି ନିଶ୍ଚିତ ଏବଂ ତାଙ୍କୁ ଜଣାଅଛି, ମୁଁ କେଉଁଠି ଆସିଛି ଏବଂ କେଉଁ ବାବଦରେ । ଠିକଣା ମଧ୍ୟ ଅଛି ତାଙ୍କ ପାଖରେ, ଏଠୁ ଲେଖିଥିବା ଚିଠିର ଗଦା ଅଛି । ତେଣୁ ଖୁନ୍‍ କରି ପ୍ରମାଣ ବିଲୋପ କରିବା ସହଜ ହେବ ନାହିଁ, ବୁଝିଲେ ?

 

ପ୍ରତିପକ୍ଷ ଯଦି ଜ୍ୟୋତିଶେଖର ନ ହୋଇ ଅନ୍ୟକେହି ହୋଇଥାଆନ୍ତେ, ଅନ୍ତତଃ ସୋମଶେଖର ତା’ହେଲେ ହୁଏତ ସୁତପା ଏତେ ବିଷତିକ୍ତ ବାକ୍ୟବାଣ ନିକ୍ଷେପ କରି ନ ଥାଆନ୍ତେ-। କିନ୍ତୁ ଜ୍ୟୋତିଶେଖରଙ୍କୁ ଦେଖିଛନ୍ତି, ଆଉ ଇଚ୍ଛା ହେଉଛି ବାଣରେ ବାଣରେ ତାଙ୍କୁ ଜର୍ଜରିତ କରିପକାନ୍ତେ । ସତେ ଯେପରି କଥାର ଛୁରିରେ ଚିରି ଚିରି ଜଖମ କରିଦିଅନ୍ତେ, ହୁଅନ୍ତୁ ପଛେ ସେ ରଜାଘରର ସୁନ୍ଦର ସୁଠାମ ଚେହେରାର ଯୁବା ପୁରୁଷ ।

 

ତେବେ ସୁତପାଙ୍କୁ ଯେ ‘ଚୋର’ ଭାବି ପାରିଛନ୍ତି ଏବଂ ସେଇ ଭାବନାରେ ଲଜ୍ଜିତ ନ ହୋଇ ସର୍ଚ୍ଚ କରିବା ଭଳି ପ୍ରସ୍ତାବ ଆଣି ମୁହାମୁହିଁ ଅପମାନ କରିପାରିଛନ୍ତି, ତାଙ୍କୁ ବିଦ୍ଧ କରିବା ପରି ଭାଷା କେଉଁଠି ସୁତପାଙ୍କର ? ଯାହା କହିଛନ୍ତି, ମନେହେଉଛି କିଛିବି କୁହା ହୋଇପାରିଲା ନାହିଁ । ଚିତ୍କାର କରି ଯଦି କହିପାରନ୍ତେ ଇତର, ଛୋଟ ଲୋକ, ନୀଚ, ସଇତାନ । ହଁ, ପକ୍କା ଗୋଟାଏ ସଇତାନ ଏଇ ଲୋକଟି ।

 

କିନ୍ତୁ ଜ୍ୟୋତିଶେଖର କାହିଁକି ବା ଅବଜ୍ଞା କରି ଚାଲି ଯାଉନାହାଁନ୍ତି ? ଛିଡ଼ା ହୋଇ ହୋଇ ଗୋଟିଏ ତୁଚ୍ଛ ମହିଳାଙ୍କର ଉଚ୍ଚ କଥା ଶୁଣୁଛନ୍ତି ବା କାହିଁକି ?

 

ଭଗବାନ ଜାଣିଛନ୍ତି ‘କାହିଁକି’ କିନ୍ତୁ ଶୁଣୁଛନ୍ତି ଏବଂ କଥାକୁ କଥାର ଜବାବ ଦେଇ ତାଙ୍କୁ ଆହୁରି କଥା କହିବାର ସୁଯୋଗ ଦେଉଛନ୍ତି । ପୁଣି ଦେଲେ ସୁଯୋଗ । କହିଲେ, ଖୁନ୍‌ଟା ଯେ ନିଶ୍ଚିତ ସେଇଟାହିଁ ଧରି ନେଉଛନ୍ତି ତା’ହେଲେ ?

 

ଆଚ୍ଛା, ସୁତପା ମଧ୍ୟ ଘୃଣାରେ ଧିକ୍କାରରେ ଥାଇ କଥା ନ କହିପାରନ୍ତେ । କହିପାରନ୍ତେ ‘ଯାହା ପାରୁଛନ୍ତି କରନ୍ତୁ ଆପଣମାନେ । ମୁଁ ବସି ରହିଲି’ ସେଇଟା ନ କହି କଥା କହି ଚାଲିଛନ୍ତିତ-! ସେଇଟା ସ୍ୱାଭାବିକ । ରାଜାରାଜୁଡ଼ାମାନେ ଚିରଦିନ ଅସୁବିଧା ଦୂର କରିବାପାଇଁ ସେଇ ପଥଟାହିଁ ପ୍ରଶସ୍ତ ମନେକରନ୍ତି । କହିଲେ, ସୁତପା ।

 

ରାଜାବାହାଦୂର୍‍ଙ୍କ ସମ୍ପର୍କରେ ଆପଣଙ୍କ ଏଇ ଧାରଣା ।

 

ଏଇ ମୁହୂର୍ତ୍ତରେ ଏହା ବ୍ୟତୀତ ଆଉ କି ଧାରଣା ହୋଇପାରେ କୁହନ୍ତୁ । ଆଗେ ଆପଣଙ୍କ ସମ୍ପର୍କରେ ମଧ୍ୟ ଅନ୍ୟ ଏକ ଧାରଣା ଜନ୍ମ ନେଇଥିଲା ।

 

ଜ୍ୟୋତିଶେଖର ଚାହିଁ ଦେଖିଲେ । ସେଇ ବାଘୁଣୀର ଭାବଟା ଯେମିତି ଆସ୍ତେ ଆସ୍ତେ କମି ଆସୁଛି । ଦେଖାଦେଉଛି ଗୋଟିଏ ଜିଦିଆ ଅଭିମାନିନୀଙ୍କର ମୂର୍ତ୍ତି । ରାଜା ଶଶୀଶେଖରଙ୍କ ନାଁ ଉଲ୍ଲେଖ କରିବା ଫଳରେ ବୋଧହୁଏ । କହିବାକୁ ଗଲେ, ତାଙ୍କରି ପ୍ରଶ୍ରୟରେ ତ ଏତେଟା ପ୍ରାଧାନ୍ୟର ଆସନ ଦଖଲ କରି ନେବାକୁ ସକ୍ଷମ ହୋଇଥିଲେ ମହିଳା ଜଣକ । ରାଗ, ଦୁଃଖ ଅଭିମାନ ତାଙ୍କ ଉପରେ ପଡ଼ିବାହିଁ ସ୍ଵାଭାବିକ ।

 

ଏବେବି ମୁଁ ସିଓର ହୋଇପାରୁନାହିଁ ।

 

ଭାବିଲେ ଜ୍ୟୋତିଶେଖର, ପାଟିତୁଣ୍ଡ କରି ଜିତି ଯିବାର କ୍ଷମତା ମହିଳାମାନଙ୍କର ଏକଚାଟିଆ । ଜ୍ୟୋତିଶେଖରଙ୍କର ଗୋଟାଏ ସମ୍ପୂର୍ଣ୍ଣ ଅନ୍ୟ ଧରଣର ଘଟଣା ମନେପଡ଼ିଗଲା । ଥରେ ଜଣେ ବନ୍ଧୁଙ୍କ ସାଙ୍ଗରେ ଦମ୍‌ଦମ୍‌ ବିମାନଘାଟିକୁ ଯାଇଥିଲେ ବନ୍ଧୁଙ୍କ ଭାଇ ଓ ଭାଉଜଙ୍କୁ ଆଣିବାପାଇଁ । କିଛିନୁହଁ, ନେପାଳରୁ ଆସୁଥିଲେ ସେମାନେ ବୁଲାବୁଲି କରି । ଜ୍ୟୋତି, ବନ୍ଧୁଙ୍କୁ ସାହାଯ୍ୟ କରିବା ହିସାବରେ ଯାଇଥିଲେ ।

 

ସେମାନଙ୍କ ସାଙ୍ଗରେ କେତେ ଯେ ଜିନିଷ ତା’ର ଠିକଣା ନାହିଁ ।

 

ଚେକ୍‌ର ଧରିଲେ । ଏତେ ଜିନିଷର ହିସାବ ମାଗିଲେ । ଛାଡ଼ିବାକୁ ଚାହିଁଲେ ନାହିଁ । ସ୍ରେଫ ପାଟିତୁଣ୍ଡ ଇଂରାଜୀ, ବଙ୍ଗଳା, ହିନ୍ଦୀରେ କଥାର ଖଇ ଫୁଟାଇ କେଉଁ କେଉଁ ମନ୍ତ୍ରୀ ଯନ୍ତ୍ରୀ ସାଙ୍ଗରେ ରିଲେସନ୍‌ ଅଛି, ତାକୁ ସବୁ ଉଲ୍ଲେଖ କରି ଶେଷରେ ଭାରପ୍ରାପ୍ତ କର୍ମଚାରୀଙ୍କୁ ଘାଏଲା କରି ପକାଇ ସଗୌରବେ ଗଟ୍‌ଗଟ୍‌ କରି ଏଆରପୋର୍ଟରୁ ବାହାରି ଆସି ଗାଡ଼ିରେ ବସିଲେ ମହିଳା ଜଣକ ଗାଡ଼ିଟା ଜ୍ୟୋତିଙ୍କର । ଗୋଟାଏ ଗାଡ଼ି ରଖିଛନ୍ତି ସେ ତେବେ ଡ୍ରାଇଭର ରଖିନାହାଁନ୍ତି ନିଜେହିଁ ଚଳାନ୍ତି । ଅତଏବ ଚାଳକଙ୍କ ଆସନରେ ବସି ବନ୍ଧୁଙ୍କ ଭାଇ- ଭାଉଜଙ୍କର ପ୍ରେମାଳପ ଶୁଣି ଶୁଣି ଆସିବାକୁ ହୋଇଥଲା ଜ୍ୟୋତିଙ୍କୁ ।

 

ମହିଳା ଜଣକ ଧିକ୍କାର ଦେଇ ସ୍ୱାମୀଙ୍କୁ ଗାଳି ଦେଉଥିଲେ ‘ତୁମେ ଆଉ କଥା କହିବାକୁ ଆସ ନାହିଁ । ପାଟି କଲି ତ କ’ଣ ହୋଇଗଲା ? ପାଟିତୁଣ୍ଡ କରି ଲୋକ ଜମା କରିଦେଲି ବୋଲି ତ ‘ପ୍ୟାକ୍‌-ଫ୍ୟାକ୍‌’ଗୁଡ଼ାକ ଆଉ ଖୋଲିବାକୁ ସାହସ କଲେ ନାହିଁ । ତୁମପରି ମେଁ ମେଇଁଆ। ହେଲେ ହୁଏତ ସବୁଯାକ ତାଙ୍କୁ ଦେଇଦେବାକୁ ପଡ଼ିଥାଆନ୍ତା, ନ ହେଲେ ନ୍ୟାଯ୍ୟ ‘ଡିଉଟି’ ଦେଇ ନିଜକୁ ବିକ୍ରି କରିବାକୁ ପଡ଼ିଥାଆନ୍ତା । ଗଳାରେ ଜୋର୍‍ ବାହାର କଲି ବୋଲି ନା ଥତମତ ଖାଇ ଚୁପ୍‌ କରିଗଲେ ।

 

ସ୍ୱାମୀଙ୍କର କ୍ଷୀଣ କଣ୍ଠ ଥରେ ଉଚ୍ଚକୁ ଉଠିଲା, ଆଉ ଯଦି ଜୋର୍‍ କରି ଖୋଲି ଥାଆନ୍ତେ-? ଏତେଗୁଡ଼ିଏ ଲୋକଙ୍କ ସାମନାରେ କି ଅବସ୍ଥା ହୋଇଥାଆନ୍ତା ?

 

ମହିଳାଜଣକ ଆଶ୍ଵସ୍ତ ଗଳାରେ କହିଲେ, ଖୋଲି ନ ଥାଆନ୍ତେ । ଏମିତି କ୍ଷେତ୍ରରେ ଖୋଲିବାକୁ ସାହସ କରନ୍ତେ ନାହିଁ । ‘ସାଇକୋଲଜି’ ତ ପଢ଼ିନାହଁ, ଜାଣିବ କେମିତି ? ତା’ମାନେ ମହିଳା ଜଣକ ପଢ଼ିଛନ୍ତି ।

 

ଅତଃପର ମହିଳାଜଣକ ତାଙ୍କ ଦିଅରଙ୍କୁ ଉଦ୍ଦେଶ୍ୟ କରି ହସି ହସି ଯାହା କହିଲେ, ତା’ର ମର୍ମାର୍ଥ ହେଉଛି, ଏଇ ମହିଳାଟିଙ୍କୁ ଗାର୍ଜେନସ୍ୱରୂପ ନ ପାଇଥିଲେ ତାଙ୍କ ଭାଇଙ୍କର କି ହାଲ୍‌ ହୋଇଥାଆନ୍ତା ! ରାସ୍ତାର ଭିକାରି ହୋଇ ବୁଲିବାକୁ ପଡ଼ିଥାଆନ୍ତା । ଏତେ କମ୍‌ ବୁଦ୍ଧି ନେଇ କେମିତି ବି.ଏ, ଏମ୍‌.ଏ ପାଶ୍‌ କରିଛନ୍ତି ଲୋକଟି ? ଏତେବଡ଼ ଚାକିରି ବା କରୁଛନ୍ତି କିପରି ?

 

ଆଉ ତା’ପରେ ହସି ହସି କହିବାକୁ ଲାଗିଲେ, କି ଅଦ୍ଭୁତ କୌଶଳ କରି ଦେହ ସାଙ୍ଗରେ ଗୁଡ଼ାଇ ଥାନ ଥାନ ସିଲ୍କ୍‌ କପଡ଼ା ନେଇ ଆସିଛନ୍ତି ସେ । ସିଲେଇ କରି ଜୋଡ଼ି ଜୋଡ଼ି ଅଧ ଡର୍ଜନ ପିଓର ସିଲ୍କର ଥାନକୁ ଗୋଟାଏ ଶାଢ଼ି ବୋଲି ଚଳାଇ ନିଜେ ପିନ୍ଧି ବସିଛନ୍ତି । କହିଲେ, କିପରି ଭାବରେ ତିନିଖଣ୍ଡ ଫୋଲ୍ଡିଂ ଲେଡ଼ିଜ୍‍ ଛତା ନେଇ ଆସିଛନ୍ତି ସୁଟକେସ୍‌ କଭର ଭିତରେ, ଗୁଡ଼ାଏ ଫାଉଣ୍ଟେନ ପେନ୍‌ ନେଇ ଆସିଛନ୍ତି ବ୍ଳାଉସ ଭିତରେ ପକେଟ ତିଆରି କରି । ଆଉ କିପରି ଭାବରେ ଗଦାଏ ଜାପାନ କସ୍‌ମେଟିକ୍ସ କମ୍‌ ଦାମ୍‌ରେ ଆଣି ତାଙ୍କ ଭାଇଙ୍କର ଜୋତା, ମୋଜା, ନିଜର ଭ୍ୟାନିଟି ବ୍ୟାଗ ଭିତରେ । ଚଷମା ଖୋଳ, ମସଲା ଡବା ଭିତରେ ପୂରାଇ ନେଇ ଆସିଛନ୍ତି-

 

ଘରେ ଆସି ଦେଖିବ, ଭାଉଜଟି ତୁମର କେମିତି ଗୋଟିଏ ‘ମାଲ୍‌’ ।

 

ଆନନ୍ଦରେ, ଗର୍ବରେ, ବାହାଦୁରିରେ ଫାଟି ପଡ଼ି ହସୁଥିଲେ ମହିଳା ଜଣକ, ଅନ୍ୟ ବ୍ୟକ୍ତିଙ୍କର ଉପସ୍ଥିତି ବିସ୍ମୃତ ହୋଇ । ଅଥବା ଗାଡ଼ି ଚାଳକ ଆସନରେ ବସିଥିବା ଲୋକ ଜଣକ ଯେ ଟ୍ୟାକ୍ସି ଡ୍ରାଇଭର ନୁହଁନ୍ତି ସେଇଟା ଭୁଲି ଯାଇ ।

 

ଅଥଚ ମହିଳା ଜଣକ ରୀତିମତ ଜଣେ ପଦସ୍ଥ ବ୍ୟକ୍ତିଙ୍କର ସ୍ତ୍ରୀ । ତେଣୁ ମହିଳାମାନଙ୍କ ସମ୍ପର୍କରେ ନିଶ୍ଚିନ୍ତ ହେବା କଷ୍ଟକର ବ୍ୟାପାର । ଇଏ ଯେ ଘରକୁ ଯାଇ କର୍ତ୍ତାଙ୍କ ପାଖରେ (ଆରେ ନା, ସେ ମିସ୍‌) ଯାହାହେଉ, ଘର ଲୋକଙ୍କ ପାଖରେ ବାହାଦୁରି ଦେଖାଇବା ପାଇଁ ଏମିତି ଗୋଟିଏ ଘଟଣା ଘଟାଇ ବସିଛନ୍ତି କି ନାହିଁ ସେଇଟା କିଏ କହିବ ? ତା’ଛଡ଼ା ‘ମିସ୍’ଟା ସତ କିଏ କହିବ ? ‘ଛଦ୍ମ ପରିଚୟ’ ବୋଲି ଗୋଟାଏ ଶବ୍ଦ ତ ପୁଣି ଅଛିନା !

 

ଯେଉଁ ଜାତି ଟ୍ୟାକ୍ସ ଫାଙ୍କି ଦେଇ ଅଧ ଡର୍ଜନ ଶାଢ଼ିକୁ ଜୋଡ଼ି ‘ଖଣ୍ଡିଏ ରେ’ ପରିଣତ କରି ସେଇ ମାଲ୍‌କୁ ଦେହରେ ପିନ୍ଧି ଶାଢ଼ି ଭାବରେ ଯିବା ଆସିବା କରିପାରନ୍ତି, ସେ ଜାତିର ଅସାଧ୍ୟ କିଛି ନାହିଁ । ହଠାତ୍ ପିଲାବେଳର ଗୋଟାଏ କଥାବି ମନେପଡ଼ିଗଲା ଜ୍ୟୋତିଶେଖରଙ୍କର ।

 

କେଜାଣି, କ’ଣ ପାଇ ଏତେଦିନ ପରେ କିନ୍ତୁ ମନେପଡ଼ିଲା । ସେତେବେଳେ ଜ୍ୟୋତିଶେଖର ଶିଶୁ ମାତ୍ର, ତେବେବି ଦୃଶ୍ୟଟା ମନେଅଛି । ହୁଏତ ଶିଶୁ ବୋଲିହିଁ ଦୃଶ୍ୟଟା ତାଙ୍କ ସାମନାରୁ ଲୁଚାଇବାର ପ୍ରୟାସ ହୋଇନାହିଁ। ଘରେ କ’ଣ ଯେମିତି ଗୋଳମାଳ ଚାଲିଛି, ବାପା ଅସୁସ୍ଥ, ମା’ କେଉଁଠି ଜଣାନାହିଁ । ପିଇସୀ ‘ବିପିନ ବଣିଆ’ ନାଁରେ ଗୋଟାଏ ଲୋକ ପାଖରେ ବସି ଗଦାଏ ଗଦାଏ ରୁପାର ଜିନିଷପତ୍ର ନେଇ ଓଜନ କରାଉଛନ୍ତି । ଥାଳି, ତାଟିଆ, ଗିଲାସ, ଫୁଲଦାନି, ବିରାଟ ବିରାଟ ପାଉଡ଼ର ଡବା, ଆହୁରି କେତେ କ’ଣ ।

 

ବ୍ୟାପାରଟା ଯେ ଅପରାଧମୂଳକ ଏବଂ ସେଇ ଅପରାଧଟା ଗୋପନରେ ଦ୍ରୁତ ସଂଘଟିତ ହେଉଛି, ସେଇଟା ଜ୍ୟୋତି ନାମକ ପିଲାଟି ଶିଶୁ ହେଲେ ମଧ୍ୟ ବୁଝିପାରିଥିଲେ । ସେଥିପାଇଁ ଦୃଶ୍ୟଟା ତାଙ୍କ ମନ ଭିତରେ ଛାପା ମାରି ରହିଯାଇଥିଲା ।

 

ପରେ ଜାଣିଥିଲେ, ମାନେ ମଧୁମାଳତୀ ଦେବୀଙ୍କ ଚିତ୍କାର ଆଉ ଗାଳିମନ୍ଦରୁ ଜାଣିଥିଲେ, ଘରର ସେଇ ସବୁ ଜିନିଷପତ୍ର ପିଇସୀ ଲୁଚାଇ ବଣିଆ ଡାକି ଓଜନ ଦରରେ ବିକ୍ରି କରି ଟଙ୍କାଟା ନିଜେ ନେଇଥିଲେ । ପିଇସୀ ମଧ୍ୟ ‘ରଜାଙ୍କର ଝିଅ’ ।

 

ଅତଏବ ‘ଝିଅ’ ସମ୍ପର୍କରେ ନିଶ୍ଚିନ୍ତ ହେବା ଉଚିତ ନୁହେଁ ।’

ତେବେବି-

 

ତେବେବି ନିଜ ସମ୍ପର୍କରେ କି ଧାରଣା ଥିଲା ଜାଣିବାକୁ କୌତୁହଳ ହେଲା । କହିଲେ, କବାଟ ବାହାରେ କେତେ ସମୟ ଛିଡ଼ା ହେବା ସମ୍ଭବ ? ଘର ଭିତରେ ଗୋଟାଏ ଆସନ ପାଇପାରିବି ?

 

ସୁତପା ଲୋକଙ୍କର ଭାଷା ବଦଳାଇବାର ଧରଣ ଦେଖି ଆଶ୍ଚର୍ଯ୍ୟ ହେଲେ । ଏତେବେଳ ଯାଏଁ କଥା ଓ ଭାଷାରେ ମାର୍ଜିତ ଭାବର ଚିହ୍ନବି ନ ଥିଲା ।

 

ଛାଡ଼, ସବୁ ରାଜାରାଜୁଡ଼ାଙ୍କର ମର୍ଜି ।

 

କହିଲେ, ଅନୁମତି ନେବାର କି ଦରକାର ? ଆପଣମାନଙ୍କର ‘ଘରଦ୍ୱାର’, ଚେୟାର, ସୋଫା ।

 

ହେଲେ କ’ଣ ହେଲା । ଅନୁମତି ନେବାକୁ ହୁଏ । କହି, ଜ୍ୟୋତି ଘର ଭିତରକୁ ପଶି ଡ୍ରେସିଂ ଟେବୁଲର ଟୁଲ୍‌ଟା ଟାଣି ଆଣି ବସି କହିଲେ, ମୋ ସମ୍ପର୍କରେ କି ଧାରଣା ଥିଲା ?

 

ଜ୍ୟୋତିଶେଖରଙ୍କ ମୁହଁରେ କୌତୁକ, କୌତୁହଳ । ଆଉ ସାଙ୍ଗେ ସାଙ୍ଗେ ହଠାତ୍ ମନେହେଲା ସୁତପାଙ୍କର, ନା ଲୋକ ଜଣକ ‘ରାଜପୁତ୍ର’ ସତ ।

 

କିନ୍ତୁ ନମ୍ରତାର ପାଖ ଡିଅଁନ୍ତି ନାହିଁ ଡକ୍ଟର ସୁତପା ଭଟ୍ଟାଚାର୍ଯ୍ୟ ।

 

ଅନମନୀୟ ସ୍ଵରରେ କହିଲେ, ତାକୁ ଆଉ ଜାଣି କି ଲାଭ ? ଧାରଣାଟା ତ ବର୍ତ୍ତମାନ ଆଉ ନାହିଁ ।

 

ତେବେବି ମୃତ ବ୍ୟକ୍ତି କେମିତି ଥିଲେ, ଜାଣିବାକୁ ଚାହାଁନ୍ତି ଲୋକେ !

 

ଲୋକ ଜଣକ ଏମିତି ସଭ୍ୟ ଭାଷାରେ କଥା କହିପାରନ୍ତି ତା’ହେଲେ ? ଗତକାଲିଠାରୁ ମଧୁମାଳତୀ ଦେବୀଙ୍କ ପୁଅ ଛଡ଼ା ଆଉକିଛି ଭାବି ପାରିନାହାଁନ୍ତି ସୁତପା ।

 

କହିଲେ, ‘ଧାରଣା ପାଲଟି ଯାଇଛି’, ଏଇ ଖବରଟା ମଧ୍ୟରେହିଁ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିବ ।

 

ଓହୋ, ଆଚ୍ଛା, ବୁଝିଲି ! ଛାଡ଼, ବର୍ତ୍ତମାନ ଆଉ ଆପଣଙ୍କୁ ଡିସଟର୍ବ କରିବି ନାହିଁ । ସ୍ନାନ, ଆହାରର ବେଳ ହୋଇଯାଇଛି ।

 

ସ୍ନାନ ଆହାର !

ପୁଣି ମୁଣ୍ଡରେ ଉଠିଗଲା ରକ୍ତ !

 

ଏହାପରେ ପୁଣି ସୁତପା ଭଟ୍ଟାଚାର୍ଯ୍ୟ ଏମାନଙ୍କ ପାଖରେ ସ୍ନାନଆହାର କରିବେ ? ହୁଏତ ଦିବାନିଦ୍ରା ବି ନେବେ । ପୁଣି ସନ୍ଧ୍ୟା ବିତାଇ ଯଥାରୀତି ଆହାରାନ୍ତେ ଆରାମ ଶଯ୍ୟାରେ ଶୋଇ ରାତ୍ରିବାସ କରିବେ, ଆଉ ଏମାନଙ୍କର ମର୍ଜି ଉପରେ ନିର୍ଭର କରି ବସି ରହିବେ । ଏମାନେ ସୁତପାଙ୍କୁ ଛାଡ଼ିବେ, ଅଥବା ପୋଲିସ ହାତରେ ଦେବେ । ଘରକୁ ପୋଲିସ ଡାକିବାକୁ କର୍ତ୍ତାଙ୍କର ବାରଣ, ଚୋରକୁ ବାନ୍ଧି ନେଇ ଥାନାରେ ଜିମା ଦେବାରେ ନିଶ୍ଚିତ ବାରଣ ନାହିଁ ?

 

ସ୍ନାନଆହାର ? ଏଠି ?

ଏତିକି କହିଲେ, ସୁତପା ।

ଜ୍ୟୋତିଶେଖର ଯେମିତି ଟିକେ ବିଚଳିତ ହେଲେ ।

ନ ଖାଇ ବସି ରହିଲେ ତ ବିପଦ !

 

ନାଃ, ଟିକେ ଭୁଲ ହୋଇଯାଇଛି । ଚାରିଆଡ଼ୁ ସାକ୍ଷୀ ପ୍ରମାଣ ନେଇ ବ୍ୟାପାରଟାକୁ ଆୟତ୍ତ କରି ତା’ପରେ ଏମିତି ଉଦ୍‌ଘାଟନ କରିବା ଉଚିତ ଥିଲା । କିନ୍ତୁ କ’ଣ କରବେ ବିଚରା ? ଅନେକ ଦିନ ପରେ ଘରକୁ ଆସି ଶୁଣିଲେ, ଜଣେ ଛଳନାମୟୀ ମହଳା ତୁଚ୍ଛ ଗୋଟାଏ କାମ ବାହାନାରେ ଆସି କେଜାଣି କି ମାୟାଜାଲ ବିସ୍ତାର କରି ପୂରା ରାଜାବାହାଦୂର୍‍ଙ୍କର ନୟନର ମଣି ହୋଇ ବସି ରହିଛନ୍ତି । ଦେଖିଲେ, କେବଳ ବୋଧହୁଏ ନୟନର ମଣି ନୁହଁ, ଯେମିତି ହୁଦୟେଶ୍ୱରୀ-

 

ଜ୍ୟୋତିଙ୍କର ଅଣା ଫୁଲର ତୋଡ଼ା ନେଇ ସେ ବସିଲେ ସର୍ଦ୍ଦାରି କରିବାପାଇଁ । ତା’ପରେ ପରେ କେତେଗୁଡ଼ାକ ଅସହନୀୟ ଘଟଣା ଘଟିବା ପରେ ଏଇଟା ମୋକ୍ଷମ ଘଟଣା । ଆଉ ଚାରିଆଡ଼େ ସମସ୍ତଙ୍କର ଆଙ୍ଗୁଳି ନିର୍ଦ୍ଦେଶ ସେଇ ଗୋଟିଏ ଆଡ଼କୁ । ନିଶ୍ଚିତ ହେବା ଛଡ଼ା ଆଉ ଉପାୟ କ’ଣ ଥିଲା ?

 

ତଥାପି ଧୈର୍ଯ୍ୟ ଧରିବା ଉଚିତ ଥିଲା ।

ଅନ୍ତତଃ ସ୍ନାନଆହାର ପରେ ଘୋଷଣାଟା କଲେ ହୋଇଥାଆନ୍ତା ।

ଟିକେ ଅପ୍ରତିଭ ଗଳାରେ କହିଲେ, ଦେହକୁ ଖରାପ କରି ଲାଭ କ’ଣ ?

ସତ କଥା ! ଖାଇ ପିଇ ଘଣା ଠେଲିବାପାଇଁ ଜୋର ରଖିବାହିଁ ଉଚିତ !

ସୁତପାଙ୍କର ଏଇ କଥା ସାଙ୍ଗରେ ହଠାତ୍‌ ଗୋଟାଏ ଅଭାବିତ କାଣ୍ଡ ଘଟେ ।

‘ନାଃ, ଆପଣ ପୂରା ‘ଫାୟାର’ ହୋଇ ଯାଇଛନ୍ତି ବୋଲି ହୋ ହୋ କରି ହସି ଉଠନ୍ତି ।

 

ଇଏ ସେଇ ହସ, ଯେଉଁ ହସରେ ବନ୍ଧୁସମାଜରେ ସେ ମଉଡ଼ମଣି । ଯେଉଁ ହସ ଆଶାରେ ଅନୁରାଧା ଦିନ ଗଣନ୍ତି । ସୋମଶେଖର କୁହନ୍ତି, ‘ନିଦୁଆ ଘରଟା ପ୍ରାଣ ପାଇ ଜାଗି ଉଠିଛି ।’ ଆଉ ରାଜାବାହାଦୂର୍‍ କୁହନ୍ତି, ଶଳା, ତୁ ଏଇ ମୃତସଞ୍ଜିବନୀ ସୁଧାରୁ ମୋତେ ବଞ୍ଚିତ କରି ରଖି କଲିକତାରେ ବସି କେବଳ ଶୁଖିଲା କାଗଜ ଚୋବାଉଛୁ ?

 

ହସରେ ଯେମିତି ଆଲୁଅ ଜଳି ଉଠିଲା ।

 

ରାଜା ଶଶୀଶେଖର ବାହାଦୂର୍‍ଙ୍କ ହସରେ ମଧ୍ୟ ଆଲୁଅ ଜଳେ, କିନ୍ତୁ ମନେପଡ଼ି ଯାଏ ଦାନ୍ତଟା ନକଲ । ଜ୍ୟୋତିଙ୍କର ଦାନ୍ତ ବହୁତ ବେଶୀ ସୁନ୍ଦର । ଏ ହସ କ’ଣ କୌଣସି ‘ସଇତାନର’ ହୋଇପାରେ ?

 

॥୨୯॥

 

ଦୀର୍ଘ ସମୟ ଧରି ଘର ଭିତରେ ଶୋଇ ବସି କାନ୍ଦିଲେ ଅନୁରାଧା । ଅଭିଶାପ ଦେଲେ ସୁତପାଙ୍କୁ, ନିଜକୁ ଧିକ୍କାର ଦେଲେ, ଶଶୀଶେଖରଙ୍କ ଅଭିଯୋଗରେ ଅଭିଯୋଗ ବିଦ୍ଧ କଲେ, ସ୍ୱାମୀଙ୍କୁ ନିଷ୍ଠୁର କହିଲେ, ଆଉ ଜ୍ୟୋତିଶେଖରଙ୍କ ଜେରାର ଭୟରେ କଣ୍ଟକିତ ହୋଇ ବସି ରହି ରହି ଜେରାର ଭାଷାଗୁଡ଼ାକ ନିଜେ ତିଆରି କରି କରି ତା’ର ଉତ୍ତର ଦେବାକୁ ଲାଗିଲେ ।

 

କିନ୍ତୁ ଉତ୍ତରଗୁଡ଼ାକ ସେମିତି ଟାଣୁଆ ହୋଇପାରୁନାହିଁ ।

 

ଅନୁରାଧା ସେଇ ‘ଗୋପନତା ଟିକକୁ’ କୌଣସି ପ୍ରକାରେ ‘ସ୍ରେଫ’ ଗୋଟାଏ ମଜା ବୋଲି ଚଳାଇ ପାରୁନାହାଁନ୍ତି । କିନ୍ତୁ ପ୍ରତୀକ୍ଷାର ପ୍ରହର କେତେ ଦୀର୍ଘ ? ଏକଲା ଅନ୍ଧାର ଘର ଭିତରେ ଶୋଇ ଶୋଇ ତାଙ୍କର ମନେହେଲା ଦ୍ୱିପହର, ସକାଳ, ସନ୍ଧ୍ୟା ସବୁ ବିତିଯାଇଛି । ହଲ୍‌ର ବଡ଼ ଘଣ୍ଟାରେ ଯେ ବାରଟା ବାଜିଲା । ଆରେ ଇଏ କ’ଣ ରାତି ବାରଟା ? କଚିରି ଘରର ପିଟା ଘଣ୍ଟାରେ ଯେ ଢଂ କରି ଗୋଟାଏ ଭାରୀ ଶବ୍ଦ ହେଲା, ସେଇଟା ତା’ହେଲେ ରାତି ଗୋଟାଏ ହେବତ । ଅନୁରାଧା ଯେ ଅନନ୍ତକାଳ ଶୋଇ ରହିଛନ୍ତି ।

 

ଅନୁରାଧାଙ୍କୁ କେହି ଡାକିବାକୁ ଆସି ନାହାଁନ୍ତି ।

 

ଗାଧୋଇବା ଖାଇବାପାଇଁ ଅନୁରୋଧ କରିନାହାନ୍ତି । ସୋମଶେଖରଙ୍କର ମଧ୍ୟ ମନେପଡ଼ିନି । ଅଭିମାନରେ ଆଖିରେ ଲୁହ ଆସିଲା ଅନୁରାଧାଙ୍କର । ଗତକାଲି ଅନୁରାଧାଙ୍କର ଉପାସ ଯାଇଛି, ରାତିରେ କିଛି ଖାଇ ପାରିନାହାଁନ୍ତି । ସେ କଥା ମଧ୍ୟ କାହାରି ମନେପଡ଼ିଲା ନାହିଁ-!

 

ନାଃ, ମରିବା ଛଡ଼ା ଆଉ କୌଣସି ଗତି ନାହିଁ ତାଙ୍କର । ମରି ଦେଖାଇ ଦେବେ ଏମାନେ କି ନିଷ୍ଠୁର ବ୍ୟବହାର କରିଛନ୍ତି ଅନୁରାଧାଙ୍କ ଉପରେ । ମରିବା ପୂର୍ବରୁ କ’ଣ କ’ଣ ଲେଖିଯିବେ, ଅନୁରାଧା ତା’ର ଭାଷା ମଧ୍ୟ ମକ୍ସ କରିବାକୁ ଗଲେ ।

 

କିନ୍ତୁ ଉଭୟଙ୍କର ରକମର କୌଣସି କାରଣ ଦେଖାଇ ପାରୁବି ନାହାଁନ୍ତି । ଲୋକଲଜ୍ଜା, ଲୋକଲଜ୍ଜାହିଁ ପ୍ରଧାନ ହୋଇଉଠିଛି ।

 

ଭାବି ଭାବି ମୁଣ୍ଡଟା ଝାଇଁ ଝାଇଁ କରିଉଠିଲା, ଉଠି ମୁଣ୍ଡରେ ପାଣି ଢାଳିବା ପାଇଁ ପଶିଲେ ଶୋଇବା ଘର ସଂଲଗ୍ନ ସେଇ ସଦ୍ୟ ପ୍ରସ୍ତୁତ ରଙ୍ଗୀନ ବାଥ୍‍ରୁମରେ । ବାମ୍ଫରେ ପମ୍ପ ବସାଇ ବାଥରୁମରେ ଟ୍ୟାପ୍‍ ୱାଟରର ବ୍ୟବସ୍ଥା କରି ଦେଇଛନ୍ତି ସୋମଶେଖର ସେମାନଙ୍କର ଏଇ ଚିରକାଳର ପୁରୁଣା ଘରେ । ପୁରୁଷାନୁକ୍ରମେ ଯେଉଁଠି ଗାଧୋଇବା ଘରେ ଚାକର ପାଣି ଭରି ଦେଇଆସିଛି ।

 

ଏଇ ସୁବିଧା ଅନୁରାଧାଙ୍କ ପାଇଁ ।

 

ଅନୁରାଧା କାହିଁକି ମରିବା ପୂର୍ବରୁ ଏସବୁ ପରାମର୍ଶ ସୋମଶେଖରଙ୍କ ସାଙ୍ଗରେ କଲେ ନାହିଁ ? କଳପାଣିର ଧାରା ଆଖି ମୁଣ୍ଡରେ ପାଣି ଛାଟି ବାହାରି ଆସିଲେ ଅନୁରାଧା । ଲୁଗାପଟା ବଦଳାଇ ସ୍ନାନ କରିବାକୁ କ୍ଷମତା ହେଉନାହିଁ ଏତିକି ଥାଉ । ବାଥରୁମ୍‌ ଝରକା ବାହାରେ ଆକାଶର ଛାୟା, ଝକ୍‌ଝକ୍‌ ଖରା ।

 

ତା’ହେଲେ ବର୍ତ୍ତମାନ କ’ଣ ଦ୍ୱିପହର ?

କେବେକାର ଦ୍ଵିପହର ? କେବେ ଉତ୍ସବ ଯାଇଛି ? କାଲି ନା ପହର ଦିନ ?

 

ଆଲଣାରୁ ନରମ ତଉଲିଆଟା ଟାଣିନେଇ ମୁହଁଟା ପୋଛୁ ପୋଛୁ ବାହାରି ଆସନ୍ତି ଅନୁରାଧା । ବାରଣ୍ଡାରେ ପାଦ ଦିଅନ୍ତି, ଆଉ ବଡ଼ ପରିଚିତ ବଡ଼ ପ୍ରିୟ ସେଇ ପ୍ରାଣ ଖୋଲା ହସର ଶବ୍ଦଟା ଯେମିତି ପ୍ରଚଣ୍ଡ ଗୋଟାଏ ଧକ୍କା ମାରେ ଅନୁରାଧାଙ୍କୁ ।

 

ଅନୁରାଧା ଉପାସ କରି ଘରେ ପଡ଼ିରହି ଯମଯନ୍ତ୍ରଣା ଭୋଗ କରୁଛନ୍ତି । ଆଉ ବାହାରେ ହସର ହାଟ ? କିନ୍ତୁ କେଉଁଠି ବସିଛି ଏ ହାଟ ? କେଉଁ ଘରୁ ଏ ଶବ୍ଦଟା ଆସିଲା ?

 

ଆହୁରି ଦୁଇ ପାଦ ଆଗେଇ ଆସିଲେ ଅନୁରାଧା ।

ତା’ପରେ ନିଥର ହୋଇ ଛିଡ଼ା ହୋଇଗଲେ ।

 

॥୩୦॥

 

ଏତେ ମେଘ ଗର୍ଜନ, ଏତେ ଘଡ଼ଘଡ଼ିର ଶବ୍ଦ, ବର୍ଷାର ଏତେଟିକେ ଛାଟ ବି ପଡ଼ିଲା ନାହିଁ କାହିଁକି କହିଲ ବ୍ରଜଭାଇ ?

 

ରୋଷେଇଶାଳରୁ ବାହାରି ବାରଣ୍ଡା ଉପରେ ବସି ବିଡ଼ି ଟାଣୁ ଟାଣୁ କହିଲା ରଜନୀ, ଏଇ ଗେଟରେ ତାଲା, ଏସବୁ ଅଟକ ବନ୍ଦୀ, ହ୍ୟାନ୍ କରେଙ୍ଗା, ଡ୍ୟାନ୍ସ କରେଙ୍ଗ, ପୋଲିସ୍ ଆନେଗା, ସର୍ଚ୍ଚ କରେଗା, ତା’ପରେ ହେଲା କ’ଣ? ଅତିଥି କୁଟୁମ୍ବମାନଙ୍କୁ ତ ଗୋଟିଏ ଗୋଟିଏ କରି ଗେଟ୍ ଖୋଲି ‘ଗେଟ୍‌ ଆଉଟ୍‌’ କରାହେଉଛି ।

 

ବ୍ରଜ ବିରକ୍ତି ଭାବ ନେଇ କହେ, ତା’ହେଲେ କ’ଣ ମାନ୍ୟଗଣ୍ୟ ଲୋକମାନଙ୍କୁ ପୋଲିସ ହାବୁଡ଼ରେ ପକାଇଦେବ ? ଗେଟ୍‌ ଆଉଟ୍ କାହିଁକି ? କହ ପାଦ୍ୟ ଅର୍ଘ୍ୟ ଦେଇ । ଯେଉଁମାନେ ଗଲେ, ସମସ୍ତଙ୍କ ସାଙ୍ଗରେ ତ ହାଣ୍ଡି ହାଣ୍ଡି ମିଠା, କସ୍ତା ଓ ଭଲ ଶାଢ଼ି, ଧୋତି ଚାଦର, ସେ କାଳରେ ବରାବର ଦୁର୍ଗାପୂଜା ବେଳକୁ ଯେମିତି କରାହେଉଥିଲା, ବଡ଼କୁମାର ତ ଏବେ ଏଇ ଉପଲକ୍ଷରେ ସେମିତି କରୁଛନ୍ତି ।

 

ପୋଲିସ୍ ତା’ହେଲେ ଆଉ ଆସିଲା ନାହିଁ ?

 

ରଜନୀ ଆକ୍ଷେପ ସ୍ଵରରେ କହିଲା, ଭାବିଥିଲି ଗୋଟାଏ ରଙ୍ଗରସ ଦେଖିବି, ସେଇଟା ଆଉ ମୋ କପାଳରେ ଜୁଟିଲା ନାହିଁ । ସେକାଳର ଯାତ୍ରା ଥିଏଟର ତ ଉଠି ଗଲାଣି । ଏଇ ରୋଷେଇ ଘର ଛଡ଼ା ତ ମୁଁ ଆଉ କିଛି ଦେଖିନାହିଁ ।

 

ବ୍ରଜରାଜ ଉଦାସ କଣ୍ଠରେ କହିଲା, ଦେଖିବୁ, ଦେଖିବୁ, ବଞ୍ଚିଥିଲେ ଅନେକ ଦେଖିବୁ ରଜନୀ ।

 

ସ୍ଵଳ୍ପଭାଷୀ ବ୍ରଜରାଜ ଏହାଛଡ଼ା ଆଉକିଛି କହେନା ।

 

ମନର ଅବସ୍ଥା ଖୁବ୍ ଖରାପ ବ୍ରଜରାଜର । ଆଜି ତିନିଦିନ ହେଲା ସେ ପ୍ରାୟ ବେକାର । ଅସଲ କାମଟାହିଁ ବନ୍ଦ ହୋଇଯାଇଛି । ରାଜାବାହାଦୂର୍‍ ଆଉ ଦାଢ଼ି କମଉ ନାହାଁନ୍ତି, କେଶରେ କଲପ ଦେଉନାହାଁନ୍ତି । କହୁଛନ୍ତି ଦାଢ଼ି ରଖିବେ, ନାରଦମୁନି ଭଳି ହେବେ ।

 

ତା’ମାନେ ବୃଦ୍ଧ ଅବସ୍ଥାରେ ମାନସିକ ଅବନତି ଆସିଗଲା ।

 

ବ୍ରଜରାଜ ଆଉ ରାଜାବାହାଦୂର୍‍, ଏଇ ଦୁଇଜଣ ମଣିଷଙ୍କ ମଧ୍ୟରେ ଅତୁଟ ଜୀବନଛନ୍ଦରେ ଇଏ କି ଛନ୍ଦପତନ ?

 

ସେଇ ପାପ-ଟୋକୀ ଆସିବା ଦିନଠାରୁ ସଂସାରରେ ଫାଟ ସୃଷ୍ଟି ହୋଇଛି । ସେ ଛନ୍ଦ ଫାଟି ଯାଇଛି । ବାସ୍‌, ବର୍ତ୍ତମାନ ପୂରା ଭାଙ୍ଗିଗଲା । ଭଗବାନ କେଉଁଠାରୁ ସେଇ ଆପଦକୁ ପଠେଇଲ ?

 

ଆହୁରି ଆଶ୍ଚର୍ଯ୍ୟ ହୋଇ ଯାଉଛି ବ୍ରଜରାଜ, ଲକ୍ଷ୍ମୀଛାଡ଼ୀ ଝିଅଟା ବସି ରହିଛିତ । ଦୁଇବେଳା ଭଲ କରି ଖିଆପିଆ ନ କରୁ, ଚା’ ତ ପିଉଛି । ହେଇ ତ । ଏତେ ଲୋକବାକ ଜଣ ଜଣ ହୋଇ ସମସ୍ତେ ଚାଲିଗଲେ, କାହାରି ପାଖରେ କାନ୍ଦି କହିଲାବି ନାହିଁ, ତୁମେମାନେ ମୋତେ ନେଇଯାଅ ଗୋ ଏଠୁ, ବସି ରହିଛି ଯେମିତି କର୍ମରତ ସିପାହୀ । ଶୁଣୁଛି କୁଆଡ଼େ ତା’ର ଭାଇ ନା କିଏ ଅଛି, ତାକୁ ଖବର ଦିଆ ହୋଇଛି ଆସିବା ପାଇଁ । ଭାଇ ସାମନାରେ ବିଚାର ହେବ । ଭାଇଟି ପୁଣି କେମିତି କିଏ ଜାଣେ ? କିଏ ଜାଣେ ଚୋର, ଗୁଣ୍ଡାର ସର୍ଦ୍ଦାର କି ନାହିଁ । ଜଗତରେ ଏକାଳରେ ଭଦ୍ରଲୋକଙ୍କଦ୍ଵାରା ଚୋରି, ଜୁଆଚୋରି, ଜାଲ୍‌, ଜାଲିଆତି ବେଶୀ ହୁଏ ଶୁଣିଛି । ଭଦ୍ରଲୋକ ଖୁନୀ ବଦମାସ୍‌ଙ୍କୁ ନାମଜାଦା ଖୁନୀ ଗୁଣ୍ଡାମାନେ କେଉଁଠି ଡରି ଥାଆନ୍ତି । ନିଶ୍ଚିତ ସେଇ ଭାଇ ଜଣକ ଚୋର ଡକାୟତର ସର୍ଦ୍ଦାର । ଭଉଣୀକୁ ଆଗରୁ ପଠାଇ ଦେଇ ରାଜପୁରୀର ଅନ୍ଧି ସନ୍ଧି ଜାଣି ନେଇଛି । ଏହାପରେ ଡକାୟତ ଦଳ ଆଣି ଥାଆନ୍ତା । ଏମିତି ତ ପ୍ରାୟ ଶୁଣିବାକୁ ମିଳେନା !

 

ଅବଶ୍ୟ ଡକାୟତି ହେଲେ ସୁନାଦାନା ସେମିତି ପାଇବ ନାହିଁ । ସେକାଳ ପରି ତ ନୁହଁ ଯେ ଲୁହା ସିନ୍ଦୁକ ଖୋଲିଲାବେଳକୁ ହୀରା, ଜଡ଼ୋଆ ସୁନାଦାନା ଚକ୍‌ମକ୍‌ ହୋଇ ଉଠୁଛି । ବ୍ରଜ ଆଉ କ’ଣ ନ ଦେଖିଛି ଯେ ? ସିନ୍ଦୁକ ଖୋଲାହେବା ସମୟରେ କାନ୍ଥ ଘରର କବାଟ ବନ୍ଦ ହୋଇଛି, ଯେମିତି କେହି ନ ଦେଖିପାରନ୍ତି । ବ୍ରଜ ରହେ ସାହାଯ୍ୟ କରିବାପାଇଁ । ବର୍ତ୍ତମାନ ସେ ରାମ ନାହାଁନ୍ତି କି ସେ ଅଯୋଧ୍ୟା ବି ନାହିଁ । ଅଧା ହୀରା ଜଡ଼ୋଆ ଯାଇଛି ଋଣ ପରିଶୋଧ କରିବାରେ, କିଛି ପିଇସୀଙ୍କଦ୍ଵାରା ଚୋରି ହୋଇଛି, ଆଉ ବାକି ଯାହା ଅଛି କଲିକତାର ବ୍ୟାଙ୍କର ସିନ୍ଦୁକରେ । ତେବେବି ବେଶ ଭାରୀ ଓଜନର ଜିନିଷ କ’ଣ ଏଇ ରାଜବାଟୀରେ ନାହିଁ ?

 

ବଡ଼କୁମାର ତ ପୁଣି ଏଇଠି ଟଙ୍କା ଢାଳୁଛନ୍ତି । ଡକାୟତି ହେଲେ ନିହାତି ଖାଲି ହାତରେ ଫେରିବେନି ସେମାନେ ! ସେଇ ଟୋକୀ ତ କେଉଁଜାଗା ଆଉ ଦେଖିବାକୁ ବାକି ରଖିନି । ସେଦିନ ପୁଣି ଛଳନା କରି କୁହାହେଲା, ରାଜା ଜେଜେ, ଆପଣଙ୍କର ରାଜବାଟୀଟା ପୂରାଟା ଦେଖିଲି । ଜେଜେ ଆହା ସାତ ପୁରୁଷର ନାତୁଣୀ ମୋର ।

 

ଘର ଦେଖିବାର ମାନେ କ’ଣ ବୁଝେନା ? କେଉଁ ଆଡ଼କୁ କେଉଁ ପଥ ଯାଇଛି ଦେଖି ନେବା । ତେବେ ଗୋଟାଏ ଫାନ୍ଦରେ ପଡ଼ି ଯାଇଛି ଝିଅ । ରାଣୀସାହେବାଙ୍କ ଗଳାରେ ମାଳ ଦେବାକୁ ଗଲୁ ତୁ । ବୁଝିପାରିଲୁନି ସାପ ଗାତରେ ହାତ ପୂରାଇଲୁ ? ଦେଖ୍‍, ଏବେ କ’ଣ ହୁଏ । ସାନକୁମାର ନିଶ୍ଚିତ କୌଣସି ମତଲବ ଫାନ୍ଦୁଛନ୍ତି । ଦେଖୁଛି, କେମିତି ଉଡ଼ା ଉଡ଼ା ଚିନ୍ତା ଚିନ୍ତା ଭାବ-। ଦେଖେ, ଭାଇଟା କେମିତି ଆସେ ।

 

ସ୍ଵଳ୍ପଭାଷୀ ବ୍ରଜରାଜ ମନେ ମନେ ଅନର୍ଗଳ କଥା କହେ । ଚିରକାଳ ତାର ସେଇ ସ୍ଵଭାବ । ଯିଏ ଯେତେ ସ୍ଵାଧୀନତା ପାଇଥାଉ ମନ ଭିତରେ ଅଭିଯୋଗର ପାହାଡ଼ ଜମି ଉଠେନା, ଏମିତି ଲୋକ କେଉଁଠି ? ସେଇଟା ଯେଉଁମାନେ ବାହାରେ ପ୍ରକାଶ କରିପାରନ୍ତିନି, ମନେ ମନେ କଷ୍ଟ ପାଆନ୍ତି ।

 

॥୩୧॥

 

ରୁପା ଗିନାରେ ରାଶି ଲଡ଼ୁ ।

 

ମଧୁମାଳତୀ ସେଇଟା ହାତରେ ଧରି ମିନତି କରି କହିଲେ, ଖାଉନୁ ବାପା, ଖା-ଦୁଇଟା-। ଲକ୍ଷ୍ମୀ ପୂଜାର ରାଶିଲଡ଼ୁ କେତେ ଭଲ ପାଉଥିଲୁ । ମଣ୍ଡା ମିଠେଇ ନ ଖାଇ ପାଞ୍ଚଦିନ ପରେ ପଚାରୁଥିଲୁ ଲଡ଼ୁ ନାହିଁ ? ଏବେ ଗୋଟାଏ ବି ଖାଇବାକୁ ଚାହୁଁନୁ !

 

ଜ୍ୟୋତିଶେଖର ମା’ଙ୍କ ଘରେ ପଥରର ଚୌକିରେ ବସି ଲମ୍ବା ଲମ୍ବା କେଶ ମଧ୍ୟରେ ହାତ ଚଲଉ ଚଲଉ ଚାରିଆଡ଼କୁ ଅବଲୋକନ କରୁଥଲେ ।

 

ମା’ ଜନନୀଙ୍କର ଦେଖୁଛି ଆଜିକାଲି ଖୁବ୍‌ ଭକ୍ତି ବଢ଼ିଛି । କାନ୍ଥରେ ଆଉ କେଉଁଠି ଜାଗା ନାହିଁ । ତେତ୍ରିଶ କୋଟି ଦେବଦେବୀଙ୍କୁ ନେଇ ଆସି ଫ୍ରେମରେ ପୂରାଇ ଦଉଡ଼ି ବାନ୍ଧି ବାନ୍ଧି ଝୁଲାଇ ରଖାହୋଇଛି ।

 

ହସିଲେ ମନେ ମନେ । ସେଇ ହେନା, ସୁଶୀଳା, ବିଧୁମୁଖୀମାନଙ୍କର ସର୍ବଦା ସଂସର୍ଗର ଫଳ । ତା’ପରେ ମା’ଙ୍କ କଥାର ଜବାବରେ ହସି ହସି କହିଲେ, ଗୋଟାଏ ସମୟରେ ତ ଗଛରେ ଚଢ଼ି ପିଜୁଳି ପାରି ଖାଇବାକୁ ଭଲ ପାଉଥିଲି । କାମଟା ରଜା ଘରର ପୁଅ ପକ୍ଷରେ ଉପଯୁକ୍ତ ନୁହେଁ ବୋଲି ଧିକ୍କାର ଖାଇ ମଧ୍ୟ ଗଛରେ ଚଢ଼ୁଥିଲି । ଏବେ କ’ଣ ତା’ କରିପାରିବି ?

 

ସେଇଟା ଆଉ ଏଇଟା କ’ଣ ଏକା ହେଲା ?

ହଁ, ଏକା ।

ଦୁଇଟା ଖାଇଲୁ, ଦେଖେ ମୁଁ ।

ଜ୍ୟୋତିଶେଖର ଗୋଟାଏ ଉଠାଇନେଇ କହିଲେ, ବାସି ଲଡ଼ୁକୁ ଆଉ କେତେଦିନ ଚଳାଇବେ ?

ଏ ମା ! ରାଶିଲଡ଼ୁ ପୁଣି ବାସି ହୁଏ ? ଲକ୍ଷ୍ମୀପୂଜାବେଳେ ତିଆରି ଲଡ଼ୁ ଯେ କାଳୀପୂଜାବେଳେ ଚାଲୁଥିଲାରେ ! ଏବେତ ସେସବୁ ପୂଜାପାଠ ବନ୍ଦ ହୋଇଯାଇଛି ନା !

ଜ୍ୟୋତିଶେଖର ହଠାତ୍ କହି ଉଠନ୍ତି, ପୁଣି ଆରମ୍ଭ କଲେ ହୁଅନ୍ତାନି ?

ପୁଣି ? ପୂଜା ?

ମଧୁମାଳତୀ ମୁହଁ ବଙ୍କେଇ କୁହନ୍ତି ହୁଁ । ତାଠାରୁ ବୋହୂରାଣୀଙ୍କ କାଚର ଘର, ବାରଣ୍ଡା, ବିଜୁଳିଆଲୁଅ, ସୁନ୍ଦର ସ୍ନାନାଗାର ତିଆରି କଲେ ପଇସା ସାର୍ଥକ ହେବ ।

ଜ୍ୟୋତିଶେଖର ଏଇଥିପାଇଁ ମା’ଙ୍କ ପାଖରେ ବେଶୀସମୟ ବସିବାକୁ ଚାହାଁନ୍ତି ନାହିଁ । କଥା ମାନେହିଁ ଆର ପକ୍ଷର ନିନ୍ଦା ଆଉ ସମାଲୋଚନା, ସେଇଟାବି ଦାସୀଗୁଡ଼ାକ ସାମନାରେ ।

ସେମାନଙ୍କୁ ନେଇ ଯେ ମା’ଙ୍କର କି କାମ । ସବୁବେଳେ ଦେହକୁ ଲାଗି ବସି ରହିଛନ୍ତି ।

ଟିକେ ବିରକ୍ତ ହୋଇ କହିଲେ, ସେ ସବୁ ମଧ୍ୟ ଏ ଘରେ କମ୍ ହୋଇନାହିଁ ମା’ । ପୁରୁଣା ବାଥରୁମ୍‌ରେ ଚୀନା ମାଟିର ବାଥ୍‌ଟବ୍‌ରେ ଏବେବି ଗାଧୋଉଛ ।

ମଧୁମାଳତୀ ସାଙ୍ଗେସାଙ୍ଗେ କହିଲେ, ଆଗେ ସେମାନେ ଦୁଇ ଆଡ଼କୁ ଦେଖୁଥିଲେ ଓ କରୁଥିଲେ । ରାଜାବାହାଦୂର୍‍ ମଧ୍ୟ ତାଙ୍କ ରାଣୀଙ୍କ ପାଇଁ କମ୍ କରିନାହାଁନ୍ତି ।

କମ୍‌ ? ସର୍ବସ୍ଵ ଢାଳିଛନ୍ତି ।

ମଧୁମାଳତୀ ମୁହଁ ବଙ୍କେଇ କୁହନ୍ତି, ତୁମେମାନେ ଆଉ କେତେଟିକେ ଜାଣିଛ ? ଗୁରୁଜନ, କହିବା ଉଚିତ ନୁହେଁ-

ଥାଉ, ସାନରାଣୀମା’, ଯାହା କହିବା ଉଚିତ ନୁହଁ ସେଇଟା ଆଉ ନ କହିଲେ ଭଲ । ଆପଣଙ୍କ ଏଇ ଲଡ଼ୁ ଆଉ ଚାଲିଲା ନାହିଁ । ଆସୁଛି ।

 

ସାଙ୍ଗେ ସାଙ୍ଗେ ଆସୁଛି । ଦୁଇ ଦଣ୍ଡ ମା’ଙ୍କ ଘରେ ମନ ହେଉନି ବସିବାକୁ ବାପା ? ମୋ କପାଳ !

ଆଚ୍ଛା ଆପଣ ଥରେବି ଉପରକୁ ଯାଆନ୍ତି ନାହିଁ କାହିଁକି ?

ଶୁଣିଲ କଥା ? ମୋର ଯିବାର କ୍ଷମତା ଅଛି ? ଆଣ୍ଠୁର ବାତ ମୋତେ-

ଚିକିତ୍ସା ହୁଏ ନା ?

ଚିକିତ୍ସା ଉପରେ ବଞ୍ଚି ରହିଛି ବାପା । ତେବେବି କ’ଣ ଭଲ ହେଉଛି ?

 

ଜ୍ୟୋତି ମନେ ମନେ କହିଲେ, ତୁମର ସେଇ ଚେଡ଼ୀମାନେ ଯେତେବେଳେଯାଏଁ ତୁମକୁ ଘେରି ବସିଥିବେ ତେଲମାଲିସ୍ କରିବାପାଇଁ, ସେତେବେଳ ଯାଏଁ ଭଲ ହେବ ନାହିଁ । ଉଠିପଡ଼ନ୍ତି, ‘ଡାକ୍ତର ବାବୁଙ୍କୁ ପଚାରିବି’ କହି ।

 

ନାଃ, ଏ ପୁଅକୁ ଦୁଇଦଣ୍ଡ ପାଖରେ ରଖିବାର ଉପାୟ ନାହିଁ ।

 

ଅତଏବ ଯାହା କହିବା କଥା ଶୀଘ୍ର କହିବାକୁ ପଡ଼ିବ । ସାଙ୍ଗେସାଙ୍ଗେ କହି ଉଠନ୍ତି, ଶୁଣିଲି କୁଆଡ଼େ ସେଇ ଟୋକୀର ଭାଇ ନା କିଏ ଆସିଲେ ତେବେ ବିଚାର ହେବ ?

 

ଟୋକୀ ?

ମା’ଙ୍କର ଏଇ ନୀଚ ଭାଷାଗୁଡ଼ାକ ଅସହ୍ୟ ।

 

ଭାବିପାରେ ନା ଯେ ରାଣୀଜୀ ଥିଲେ ୟାଙ୍କର ଶାଶୁ । କେଉଁଘରୁ ଯେ ଆସିଛନ୍ତି ଇଏ-? କ’ଣ କହିବି ? ପିଇସୀ ତ ତାଙ୍କରି ଝିଅ । ଅଦ୍ଭୁତ ।

 

ବିରକ୍ତ ଗଳାରେ କହିଲେ, ମୁଁ ମଧ୍ୟ ସେଇଆ ଶୁଣିଛି ।

 

କାହିଁକି ? ମଧୁମାଳତୀ କୁହନ୍ତି, ପୋଲିସ ଡାକିବା ଯେତେବେଳେ ବାରଣ ହେଲା, ତୁ ଜୋର୍‍ କରି ତା’ର ଘର ତଲ୍ଲାସୀ କରି ଗହଣା ଉଦ୍ଧାର କରି ତା’ ଗାଲ ଓ ମୁହଁରେ ଚୂନକାଳି ବୋଳି ବାହାର କରିଦେଲୁ ନାହିଁ କାହିଁକି?

 

ମୁଁ ଦେବାର କିଏ ?

 

କାହିଁକି ? ତୁ କ’ଣ କେହି ନୁହଁ ? ରାଣୀମା’ ବି ତ ତୋ’ର ଜେଜେମା’ । ବଡ଼ କୁମାର ବା ସର୍ବେସର୍ବା ହେବେ କାହିଁକି? ସେଇ ଚୋରଣୀଟୋକୀ ତ ବୋହୂରାଣୀଙ୍କର ସାଙ୍ଗ, ବଡ଼କୁମାର କ’ଣ ତାକୁ ଶାସ୍ତିବିଧାନ କରିବେ ?

 

ଶାସ୍ତିବିଧାନର ମାଲିକ ରାଜାବାହାଦୂର୍‍ ।

 

ହୁଁ । ତା’ହେଲେ ସରିଲା କଥା । ସେ ତ ଏଇ ବୁଢ଼ା ବୟସରେ ମଜ୍ଜି ଯାଇ ସାନରାଣୀମା’ ! ୟାକୁ-

 

ଜ୍ୟୋତିଶେଖର ରାଗି ଯାଇ କହିଲେ, ଏଇଥିପାଇଁ ଆପଣଙ୍କ ଘରେ ମୋତେ ଆସିବାକୁ ଇଚ୍ଛା ହୁଏନା, କହି ବାହାରି ଆସନ୍ତି ।

 

ଭାବିଲେ ଦୁଃଖ ଲାଗେ, ଏଇ ମହିଳାଜଣକ ଜ୍ୟୋତିଙ୍କର ନିଜ ମା’ ।

 

ମା’ଙ୍କ ମହଲରୁ ବାହାରି ଆଉ ଗୋଟାଏ ବାରଣ୍ଡା ଏବଂ ପରେ ଅଗଣାରେ ପାଦ ପକାଇ ଦେଖିଲେ ଠାକୁରଘରର ମାଳୀ ବୁଢ଼ା ବୈକୁଣ୍ଠ ଛିଡ଼ା ହୋଇଛି, ହାତରେ ସାରୁପତରରେ ମୋଡ଼ା ଫୁଲମାଳ ।

 

ହେଇତ, ସାନକୁମାର ବାବୁ, ଆପଣଙ୍କର ଅର୍ଡ଼ର ଦେଇଥିବା ମାଳ ।

 

ପତ୍ର ଖୋଲି ବୈକୁଣ୍ଠ ବାହାର କଲା ଏକ ବିରାଟା ଶ୍ଵେତପଦ୍ମର ମାଳ । ଜ୍ୟୋତି ଜାଣିଛନ୍ତି, ଟିକେ ବେଳ ବଢ଼ିଗଲେ ଧପ ଧପ ଧଳା ଫୁଲଗୁଡ଼ାକ ଲାଲ ଗୋଲାପ ପରି ହୋଇଯିବ-। ଭାରି ଭଲ ଲାଗେ ଏଇ ଫୁଲଗୁଡ଼ାକ ।

 

ରାଣୀ ସୁଧାହାସିନୀଙ୍କ ସ୍ଵର୍ଣ୍ଣମାଳବିହୀନ ଫଟୋଟା କେମିତି ଗୋଟାଏ ଫାଙ୍କା ଫାଙ୍କା ଲାଗୁଥିଲା । ତେଣୁ ମାଳୀକୁ କହି ଏଇ ଫୁଲମାଳ ଆଣିବାକୁ ଅର୍ଡ଼ର ଦେଇଥିଲେ ଜ୍ୟୋତି । ମାଳଟା ହାତରେ ନେଇ ଖୁସୀ ମୁହଁରେ କହିଲେ, ଆଚ୍ଛା, ମୁଁ କାଲି ଚାଲି ଯିବି । ସକାଳୁ ସକାଳୁ ଆଉ ଗୋଟାଏ ମାଳ ଦେଇପାରିବ ?

 

କାହିଁକି ପାରିବିନି ହଜୁର ? କିନ୍ତୁ କାଲି ଚାଲିଯିବେ ?

ହଁ, ସେଇଆ ତ ଠିକ୍‌ କରିଛି ।

ମାଳଟା ନେଇ ଉପରତାଲାକୁ ଚାଲି ଆସନ୍ତି ଜ୍ୟୋତି ।

ଜ୍ୟୋତିଙ୍କର ଟୁଲ୍‌ ଦରକାର ହୁଏନା ।

 

ମାଳଟା ପିନ୍ଧାଇ ଟିକେ ଚାହିଁ ଦେଇ କହିଲେ ରାଜାବାହାଦୁର୍‍, ମୁଁ ଆସନ୍ତା କାଲି ଚାଲିଯାଉଛି ।

 

ଶିଶୀଶେଖର ଆଜି ଅସମୟରେ ଶୋଇ ରହିଛନ୍ତ । ବିଛଣା ଉପରେ ନୁହଁ, ସୋଫାରେ ତକିଆ ଢେରା ଦେଇ । ଯେମିତି ଝିମୋଉଛନ୍ତି । ଚମକି ଉଠିଲେ ।

 

କେଉଁଠିକୁ ଯାଉଛୁ ?

ଯିବି ଆଉ କେଉଁଠିକୁ ? କଲିକତାକୁ ।

 

ଶଶୀଶେଖର ଉଠି ବସିଲେ । ଉତ୍ତେଜିତ ଗଳାରେ କହିଲେ, ଚାଲିଯିବାକୁ କହିଲେ କ’ଣ ଯିବାଟା ହୋଇଯାଏ ? ଇଆଡ଼େ କୌଣସି ଫଇସଲା ନ କରି ଚାଲିଯିବୁ ମାନେ ?

 

ଜ୍ୟୋତି ଈଷତ୍ ଉଦାସ ଗଳାରେ କହିଲେ, ମୁଁ ଆଉ ଫଇସଲା କଥା କ’ଣ ବୁଝିବି ? ଆପଣମାନେ ଯାହା ବୁଝିବେ କରିବେ ।

 

ଶଶୀଶେଖର ମୃଦୁ ହସି କହିଲେ, ପୋଲିସ ଡାକି ଝିଅଟା ହାତରେ ହାତକଡ଼ା ପିନ୍ଧାଇ ପାରିଲୁ ନାହିଁ ବୋଲି ଖୁବ୍ ଅଭିମାନ ହୋଇଛି ନା ?

 

ଏଥିରେ ମୋର ପୁଣି କି ଲାଭ ଲୋକ୍‌ସାନ୍‌ ? ଆପଣଙ୍କ ପ୍ରିୟତମାଙ୍କ ବେକର ହାର ଚୋରି ଯାଇଛି, ଆପଣ ବୁଝିବେ ।

 

ଜ୍ୟୋତିଙ୍କ କଣ୍ଠସ୍ଵର ଅଭିମାନରେ ଭାରୀ । ଆରେ ଶଳା, ରାଗରେ ଯେ ଆଖିଁରେ ଅନ୍ଧାର ଦେଖୁଛୁ । ତୋ’ର କ’ଣ ସତରେ ବିଶ୍ୱାସ, ସେଇ ଝିଅଟାଦ୍ଵାରା ଏ କାମ ସମ୍ଭବ ?

 

ମୁଁ କେମିତି ଜାଣିବି ? ଆପଣ ହୁକୁମ ଦେଇଥିଲେ, କାହାରିକି ଘରୁ ବାହାରକୁ ନ ଛାଡ଼ିବା ପାଇଁ । ତା’ପରେ ପୁଣି ସମସ୍ତଙ୍କୁ ଦେହୁଡ଼ି ପାରି ହେବାକୁ ହୁକୁମ ଦେଲେ । ସେହି ମହିଳାଜଣକୁ ଅଟକାଇ ରଖି‌ଲେ । କ’ଣ ବୁଝିବି କୁହନ୍ତୁ ?

 

ଶଶୀଶେଖର ଟିକେ ରହସ୍ୟ ହସ ହସି କହିଲେ, ବୁଝିବୁ, ବୁଝିବୁ ସବୁ ବୁଝିବୁ ପରେ । ହାତକଡ଼ା ତାକୁ ନ ପିନ୍ଧାଇ କ’ଣ ଛାଡ଼ିବି ଭାବୁଛୁ ? ତେବେ ଜିନିଷଟାକୁ ସ୍ପେଶାଲ ମଜବୁତ୍‌ କରି କରାଇବାକୁ ହେବ । ତେଣୁ ଡେରି କରୁଛି ।

 

॥୩୨॥

 

ସୋମଶେଖର କହିଲେ, ଜେଜେଙ୍କର ବାରଣ । କହିଛନ୍ତି ପୋଲିସ ହାଙ୍ଗାମାରେ ବିପଦ ଅଛି । ଘରର ଲୋକେ ଜଡ଼ିତ ହୋଇପଡ଼ିବେ ।

 

ଅନୁରାଧାଙ୍କର ମୁହଁ ଆଖି ଫୁଲି ଯାଇଛି, କାନ୍ଦି କାନ୍ଦି ଦେହରେ ଜ୍ଵର ।

କହିଲେ, ସେଇ ଘରର ଲୋକ ନିଶ୍ଚିତ ମୁଁ ?

ସୋମଶେଖର ଶୁଖିଲା କଣ୍ଠରେ କହିଲେ, ସେ କଥା କିଏ କହିଲା ?

 

ମୁଁ ଛଡ଼ା ଘରର ଲୋକ ଆଉ ଯେଉଁମାନଙ୍କୁ ବୁଝାଏ, ସେମାନେ ତ ନିଶ୍ଚିତ ନୁହଁନ୍ତି ? ସେଇ ଶନି ପାଇଁ ମୁଁ ଧ୍ୱଂସ ହୋଇଗଲି । ବେକରେ ଦଉଡ଼ି ଦେବା ଛଡ଼ା ମୋର ପଥ ନାହିଁ । ସେଇଆ କରିବି ମୁଁ ।

 

ସୋମଶେଖର ଚମକି ଉଠି କୁହନ୍ତି ପାଗଳାମି କରନା ।

 

ତା’ପରେ ଆସ୍ତେ କୁହନ୍ତି, ମୋର କିନ୍ତୁ ମୋଟେ ବିଶ୍ୱାସ ହେଉନାହିଁ ମିସ୍‌ ଭଟ୍ଟାଚାର୍ଯ୍ୟ, ନାଃ, ଅସମ୍ଭବ ।

 

କାହିଁକି, ଅସମ୍ଭବ କାହିଁକି ?

 

ତୀବ୍ର ହୁଅନି ଅନୁରାଧା, ଝିଅଟା ସିଧା ନୁହଁ । ପିଲା, ବୁଢ଼ା ସମସ୍ତଙ୍କର ମୁଣ୍ଡ ଘୂରାଇ ଦେଇପାରେ । ‘ପାରେ’ କାହିଁକି, ଦେଇଛି, ଦେଉଛି ।

 

ବୋହୂରାଣୀ ! ଛିଃ ।

 

କି, ଛିଃ । ଛିଃ ତ ବର୍ତ୍ତମାନ ମୋ ଅଙ୍ଗର ଅଳଙ୍କାର ! ତେବେ ସତକଥା ନ କହି ଛାଡ଼ିବି ନାହିଁ । ଅନୁରାଧା, ସେ ତୁମର ବନ୍ଧୁ !

 

ବନ୍ଧୁ ? ସେ ମୋର ପରମ ଶତ୍ରୁ । ସେ ଆମର ଏମିତି ସୁଖର ସଂସାର ଧ୍ଵଂସ କଲା । ସମସ୍ତଙ୍କୁ ମୋ ପାଖରୁ କାଢ଼ି ନେଲା । ଜେଜେ ତ ସେ ଆସିବା ପରଠାରୁ ଟିକେ ଥମି ଯାଆନ୍ତି ଅନୁରାଧା । ବାଷ୍ପାଚ୍ଛନ୍ନ ଗଳା ଝାଡ଼ି ନେଇ ପୁଣି କୁହନ୍ତି, ଆଉ ଜ୍ୟୋତିଙ୍କୁ ? ଜ୍ୟୋତିଙ୍କୁ କ’ଣ କରି ପକାଇଲା ଦେଖିଲ ? ଯେଉଁ ଜ୍ୟୋତି ତାକୁ ହାତକଡ଼ା ପିନ୍ଧାଇବା ପାଇଁ ଉଠିପଡ଼ି ଲାଗିଲେ, ତାଙ୍କୁ ସେ ଏମିତି ଭାବରେ ହାତ ମୁଠାରେ ପୂରାଇ ଦେଲା ଯେ, ତା’ଘରେ ବସି ହସଗପ, ହସଶବ୍ଦରେ ଆକାଶ ଫାଟିଲା । ଆଉ ତୁମେ ମଧ୍ୟ-

 

ମୁଁ ?

 

ସୋମଶେଖର ନ ହସି ରହିପାରନ୍ତି ନାହିଁ । ହସିଦେଇ କୁହନ୍ତି, ମୋତେ ବି ହାତ କରିଛନ୍ତି ?

 

କରିଛି ତ । ଏତେ ପ୍ରମାଣସତ୍ତ୍ୱେ ବି ତୁମେ କହୁଛ ‘ତାଙ୍କ ପକ୍ଷରେ ଅସମ୍ଭବ’ ।

 

ସୋମଶେଖର ଗମ୍ଭୀର ହୁଅନ୍ତି । ପୁଣି କୁହନ୍ତି, ତୁମର କ’ଣ ସମ୍ଭବ ବୋଲି ମନେହେଉଛି ଅନୁ ?

 

ଅନୁରାଧା ଜୋର୍‍ ଗଳାରେ ଉତ୍ତର ଦେଲେ, କାହିଁକି ନୁହଁ ? ଲୋଭରେ ପଡ଼ି ମଣିଷ କ’ଣ ନ କରିପାରେ ?

 

ହୁଏତ ପାରେ । କିନ୍ତୁ ସବୁ ମଣିଷ ପାରନ୍ତି ନାହିଁ । ମଣିଷ ଦେଖିଲେ ବୁଝାଯାଏ । କେତେ ଲୋକ ସେଦିନ ଘରକୁ ଆସିଥିଲେ, କାହାର ଲୋଭ ହୋଇଛି-

 

ଏତେ ଉଚ୍ଚରୁ କିଏ ନେଇପାରିବ, ସମସ୍ତଙ୍କ ଆଖି ସାମନାରେ ।

 

ଏମିତିବି ହୋଇପାରେ, ହୁଏତ ଗାରଲାଣ୍ଡ ଚାପରେ ଖୋଲି ତଳେ ପଡ଼ି ଯାଇଥିଲା, ତା’ପରେ-

 

ବାଃ, ଚମତ୍କାର ! ଅନୁରାଧା ବ୍ୟଙ୍ଗ ଗଳାରେ କୁହନ୍ତି, ଏହାପରେ ବି କହୁଛ, ତୁମକୁ ହାତ କରିନାହିଁ ? ଭାବି ଭାବି ଏସବୁ ଆବିଷ୍କାର କରୁଛ ? ମୋତେ ଯଦି ତା’ର ବାକ୍ସ ସର୍ଚ୍ଚ କରିବାପାଇଁ ଦେଇଥାଆନ୍ତ, ମୁଁ ବର୍ତ୍ତମାନ ଚୋରାଇ ମାଲ୍ ବାହାର କରି ଆଣନ୍ତି । ମୋତେ କହିବାକୁ ଘୃଣା ଲାଗୁଛି ତାକୁ ବନ୍ଧୁ କହିବାପାଇଁ ।
 

ହଁ, ଏଇ ରକମ କହନ୍ତି ଅନୁରାଧା । ତା’ ସାଙ୍ଗରେ ସମ୍ପର୍କ ସୂତ୍ର ଧରି କେହି ଯେମିତି ପୁରୁଣା କଥା ଜାଣି ନ ପାରନ୍ତି । ତାଙ୍କର ଜିନିଷ ତଲାସି କରିବାର ତୀବ୍ର ଇଚ୍ଛା ଅନୁରାଧାଙ୍କୁ ଯେମିତି ଅସ୍ଥିର କରି ତୋଳେ । କିନ୍ତୁ ସେଇଟା କ’ଣ କେବଳ ପାରିବାରିକ ଐତିହ୍ୟ ମଣ୍ଡିତ ସେଇ ହଜି ଯାଇଥିବା ଗହଣାଟା ପାଇଁ ?

 

ତୀବ୍ର ଆଗ୍ରହରେ ତଲାସି କରିବାକୁ ଯାଇ ଯଦି ସେଇ ଚିଠିଖଣ୍ଡି ପାଇ ଯାଆନ୍ତି ! ପାଇଗଲେହିଁ ତ ମୁହୂର୍ତ୍ତକ ମଧ୍ୟରେ ଅନୁରାଧାଙ୍କର ଭୟ, ଭାବନା, ଆତଙ୍କ ପବନରେ ମିଳାଇ ଯିବ-। ଅନୁରାଧାଙ୍କର ଭବିଷ୍ୟତ ଜୀବନ ଆଲୋକୋଜ୍ଜ୍ୱଳ ହୋଇଉଠିବ, ହାତରେ ପାଇଲେ ତ ମୁହୂର୍ତ୍ତକରେ ସେଥିରେ ଦିଆସିଲି କାଠି ଧରାଇ ଜଳାଇ ଦେବେ । ମଣିଷ ଯେ ଜାତ ଅପରାଧୀ-ଏଇଟା ତା’ର ପ୍ରମାଣ ।

 

ଅନୁରାଧା ଟେର୍ ପାଆନ୍ତିନି, ତାଙ୍କର ଚିନ୍ତାଧାରା ମଧ୍ୟ ପକ୍କା ଅପରାଧୀ ପରି ହୋଇ ଚାଲିଛି । ଖୁନୀ ତା’ର ଖୁନ୍‌ର ପ୍ରମାଣ ଲୋପ କରିବା ଚେଷ୍ଟାରେ ବ୍ୟସ୍ତ ହୋଇଉଠେ । ଅନୁରାଧାଙ୍କର ପ୍ରାୟ ସେଇପରି ଅବସ୍ଥା । ଯେମିତି ଗୋଟାଏ ଚୂଡ଼ାନ୍ତ ନିଷ୍ପତ୍ତି ନ କରି ଛାଡ଼ିବେନି ସେ ।

 

ରାଜାବାହାଦୂର୍‍ଙ୍କ ପାଖକୁ ପ୍ରଥମେ ଯାଇ ପଚାରିବେ ଅନୁରାଧା, କାହା ଭୟରେ ପୋଲିସ ଡାକିବାକୁ ନିଷେଧ କରିଥିଲେ ? କିଏ ସେଇ ଘରର ଲୋକ, ଯାହାଙ୍କର ଜଡ଼ାଇ ପଡ଼ିବା ଭୟରେ ଶଶୀଶେଖର ଚିନ୍ତିତ ? ଯଦି ଅନୁରାଧା ହୁଅନ୍ତି, ତା’ହେଲେ ତ ଅଛି, ଦଉଡ଼ି, ନିଆଁ, ବିଷ !

 

॥୩୩॥

 

ଜେଜେ ।

 

ଆବେଗ, ଉତ୍ତେଜନା କ୍ଷୋଭ, ତିନୋଟିର ସଂମିଶ୍ରଣରେ ଏଇ ଡାକ । ଜେଜେ । ରାଜାବାହାଦୂର୍‍ଙ୍କ ଘରକୁ ଆସି ତାଙ୍କୁ ଡାକି ଥମ୍‌କି ଛିଡ଼ା ହୋଇଗଲେ ଅନୁରାଧା ।

 

ଆଖି ବୁଜି ଶୋଇ ଶୋଇ କ’ଣ କହୁଛନ୍ତି ଶଶୀଶେଖର, ସ୍ଵପ୍ନ ଘୋରରେ କଥା କହିବା ପରି ? ଏ ସମୟରେ ଶୋଇ ପଡ଼ିଛନ୍ତି କାହିଁକି ? ଆଉ ଏତେ ଗଭୀର ନିଦ ? ଯାହାଦ୍ୱାରା ସ୍ଵପ୍ନରେ କଥା କହି ଚାଲିବା ସମ୍ଭବ ।

 

ମୁଣ୍ଡ ପାଖରେ ଯାଇ ଛିଡ଼ା ହେଲେ ଅନୁରାଧା, କ’ଣ କହୁଛନ୍ତି ଉଦ୍ଧାର କରିବା ପାଇଁ ? କିନ୍ତୁ ଉଦ୍ଧାର କରିବା କିଛି ଦରକାର ନାହିଁ, ସ୍ପଷ୍ଟ, ପରିଷ୍କାର ଶୁଣାଯାଉଛି । ଯେମିତି ନିଦରେ ଶୋଇ ନୁହଁ, ଜଗି ଜଗି ସାମନାରେ ବସିଥିବା କାହାରିକି କିଛି କହି ଚାଲିଛନ୍ତି ।

 

ବହୁତ ବୋକା ବନେଇ ଦେଇଛ ! ବାର ବର୍ଷରେ ଯୁଗ ହୁଏନା କ’ଣ ? ସେଇଥିପାଇଁ ଗୋଟାଏ ଯୁଗ ପାରି ହୋଇ ଯିବା ପରେହିଁ, ଅଧୈର୍ଯ୍ୟ ହୋଇ ପୃଥିବୀକୁ ପଳାଇ ଆସିଛ । ଆସି ଆରାମରେ ଗୋକୁଳରେ ବଢ଼ୁଛ । ଆଉ ମୁଁ ଶଳା ବୁଦ୍ଧୁ, ବସି ବସି ଦିନ ଗଣୁଛି । କେବେ ତୁମ ପାଖରେ ଯାଇ ପହଞ୍ଚିବି ବୋଲି । କାଳେ ତୁମର ପସନ୍ଦ ନ ହେବ, ନ ଚିହ୍ନି ପାରିବ, ସେଥିପାଇଁ ନଟବରଟି ସାଜି ବସି ରହିଛି । ଅ୍ୟାଁ ! କି ଅବସୋସ୍‌, କି ଅବସୋସ୍ !

 

ବହୁତ ଡେରି କରି ଦେଇଥିଲି, ନା ? ଭାବି ପାରିନ ଗୋଟାଏ ଦଣ୍ଡ ବି ଆଖି ଆଢ଼ୁଆଳରେ ରଖିବାକୁ ଦେଇନାହିଁ ତୁମକୁ । ଅଥଚ ଯୁଗ ପାରି କରି ବସି ରହିଥବି ! କ’ଣ କରିବି କୁହ ? ମୋର ତ-

 

ଜେଜେ ! ଅନୁରାଧା ଭୟରେ ଡାକି ଦିଅନ୍ତି । କ’ଣ ଏଇଟା ? ଭୁଲ ବକିବା ? ଜ୍ୱର ନାହିଁ, କିଛି ନାହିଁ, ଭୁଲ ବକିବେ କାହିଁକି ? ହଠାତ୍ କ’ଣ ମୁଣ୍ଡରେ କିଛି-

 

ଜେଜେ ! ଏ ସମୟରେ ଶୋଇଛନ୍ତି କାହିଁକି ?

ବ୍ରଜରାଜ କବାଟ ବାହାରୁ ଉଠି ଆସେ ।

ବ୍ରଜ ଭାଇ, ଜେଜେଙ୍କର କ’ଣ ଦେହ ଖରାପ ? ସକାଳେ ଶୋଇଛନ୍ତି ?

 

ବ୍ରଜରାଜ ଗମ୍ଭୀର ହୋଇ କହେ, ଏଇ କେତେଦିନ ହେଲା ତ ଏଇପରି ଚାଲିଛି । ଆପଣ ତ ଆସି ନାହାଁନ୍ତି, ସେଇଥିପାଇଁ ଦେଖି ନାହାଁନ୍ତି ।

 

ତା’ମାନେ ଏଇ ସୁଯୋଗରେ ବ୍ରଜ ବୋହୂରାଣୀଙ୍କର ତ୍ରୁଟି ଉଲ୍ଲେଖ କରି ଟିକେ ହଲାଇ ଦେଲା । ଅନୁରାଧା ଅପଦସ୍ତ ଭାବଟା ହଜମ କରି ନେଇ ବ୍ୟାକୁଳ ଭାବରେ ପ୍ରଶ୍ନ କଲେ ନିଦରେ ଶୋଇ କଥା କୁହନ୍ତି ?

 

ଧୀର ସ୍ଵରରେ କୁହନ୍ତି ସେ ।

ବ୍ରଜରାଜ ମଧ୍ୟ ଧୀରେ କହେ, ସେଇଟା କ’ଣ ନୂଆ ? ଚିରକାଳ ତ ସେଇଆ ।

ଶୋଇ ଶୋଇ କଥା କୁହନ୍ତି ?

 

ଶୋଇ ଜଗି । ରାଣୀମା’ଙ୍କ ସାଙ୍ଗରେ କେତେ ବାକ୍‌-ବିତଣ୍ଡା କେତେ ଆକ୍ଷେପ, ଅବସୋସ । ମଝିରେ କିଛି ଦିନ କମି ଯାଇଥିଲା । ପୁଣି ଏଇ କେତେଦିନ ହେଲା-

 

ପୁଣି ଟିକେ ଥମିଯାଇ କହିଲା, ମୁଣ୍ଡ ଭିତରେ ତ କମ୍ ଧକ୍କା ଯାଉନି ।

 

ଏକା ସାଙ୍ଗରେ ଏତେକଥା ବ୍ରଜରାଜ କେବେ ହେଲେ କହେ ନାହିଁ, କିନ୍ତୁ ଆଜି ତା’ର ମନ ଭିତରେ ଉତ୍ତାଳ ସମୁଦ୍ର । ଆଜି ରାଜାବାହାଦୂର୍‍ ତାକୁ କହି ରାଣୀମା’ଙ୍କର ସେଇ ବାଜଣାଟା ‘ଇସ୍‌ସ୍ପେଶାଲ୍‌’ କରି ଝଡ଼ାପୋଛା କରାଇଛନ୍ତି । ସେଇ ଚୋରଣୀ ଟୋକୀକୁ ବଜାଇବାକୁ କହିବେ ବୋଲି ।

 

ବ୍ରଜ ଠିକ୍‌ କରିଛି, ଏଥର ନିଜ ଗାଁକୁ ଚାଲିଯିବ ।

ଆହୁରି କାରଣ ଅଛି ।

 

ବଡ଼କୁମାର ପଚାରିଛନ୍ତି, ହଁ, ବ୍ରଜ ଭାଇ, ତୁମର କ’ଣ ଏମିତି ମନେହୁଏନା, ମାଳିଟା ହୁଏତ ଖୋଲି ଯାଇ ତଳେ ପଡ଼ିଯାଇଛି, ଆଉ ତାକୁ ଦୁଷ୍ଟାମି କରି କେହି ଲୁଚାଇ ରଖି ଦେଇଛି ?

 

ଏତେଦିନ ପରେ ଏ ପ୍ରଶ୍ନ !

ତା’ମାନେ ସେଇ ଝିଅଟା ପ୍ରତି ଆଉ ସନ୍ଦେହ ନାହିଁ ।

 

କିଏ ଲୁଚାଇ ରଖିବ ? ତା’ହେଲେ ବ୍ରଜ । ବ୍ରଜ ତ ସର୍ବଦା ସେଇ ଘରେ ଥାଏ । ଓଃ ! ଗୋଟାଏ ଛୋଟଲୋକ ଝିଅ ଆସି ଏମିତି ସୁନାର ରାଜବାଟୀକୁ ବିନାଶ କରିଦେଲା ।

 

ଅନୁରାଧା କହିଲେ, ଡାକି ଦେବାହିଁ ଭଲ ବ୍ରଜ ଭାଇ, ତୁମେ ଡାକି ଦିଅନା । ବ୍ରଜର ଡାକରେ ଉଠି ବସିଲେ ଶଶୀଶେଖର ।

 

ନିଦ ବିହ୍ୱଳ ଆଖିରେ ଚାହିଁ କହିଲେ, କିଏ ? ଓହୋ, ଡିମିରି ଫୁଲ ! ଆଚ୍ଛା, କେଉଁଠି ଥିଲ, ଏଇ ଦୁଇଦିନ ?

 

ଦେହ ଭଲ ନ ଥିଲା ।

ଅ୍ୟାଁ ସତରେ ନା କ’ଣ ? ମୋତେ ତ କେହି କହିନାହାଁନ୍ତି ?

 

ଶଶୀଶେଖର ମୁଣ୍ଡ ହଲାଇ କହିଲେ, ସେଇଥିପାଇଁ ପୂର୍ଣ୍ଣଶଶୀ ମଳିନ-ମଳିନ ଡାକ୍ତର ଆସିଥିଲେ ?

 

ନା, ନା, ଡାକ୍ତର ଆସିବା ଭଳି କିଛି ନୁହଁ ।

ସେଇ ତ-

 

ଶଶୀଶେଖର ଅସନ୍ତୁଷ୍ଟ ଗଳାରେ କହିଲେ, ସ୍ତ୍ରୀଲୋକ ଜାତିର ସେଇ ଗୋଟାଏ ଦୋଷ-! ଦେହ ଖରାପ ହୋଇଛି ତେବେବି କହିବେ କିଛି ହୋଇନି । ରାଣୀବି ସେଇଆ କରି କରି-

 

ଥମିଗଲେ ।

 

ଟିକେ କ୍ଷୁବ୍ଧ ହସ ହସି କହିଲେ, ମୋତେ ଭାରି ବୋକା ବନେଇ ଦେଇଛନ୍ତି, ତୁମମାନଙ୍କର ରାଣୀଜୀ । ଛାଡ଼, ମୁଁ ମଧ୍ୟ ଜବ୍ଦ କରୁଛି ! ପୁଣି ବାନ୍ଧି ପକାଇ ହାରେମ୍‌ରେ ପୂରାଇ ଦେଉଛି । ଅନୁରାଧା ଶଙ୍କିତ ହୁଅନ୍ତି ।

 

ଇଏ ତ ପୂରା ବିକାର । ତା’ମାନେ ବୟସକୁ ଏଡ଼ାଇ ପାରିଲେ ନାହିଁ ରାଜା ଶଶୀଶେଖର ବାହାଦୁର୍‍ । ‘ବ୍ରେନ’ଟା ଆକ୍ରମିତ ହୋଇଗଲା ।

 

ତେବେବି ଶାନ୍ତଭାବରେ କହିଲେ, କ’ଣ ସବୁ କହୁଛନ୍ତି ଜେଜେ ? କିଛି ବୁଝିପାରୁନି ।

 

ପାରିବୁ ! ପାରିବୁ ! ସବୁ ବୁଝେଇ ଦେବି । ତୁ ଥରେ ସେଇ ମହାରାଣୀଙ୍କୁ ଡାକିଲୁ । ମାନ କରି ନିଜ ଘରେ ବସି ରହିଛି, ଏପଟକୁ ଆସୁ ନାହିଁ ।

 

ଅନୁରାଧା ଈଶାରାରେ ବ୍ରଜକୁ କୁହନ୍ତି ରାଜକୁମାରମାନଙ୍କୁ ଡାକିବାପାଇଁ । ବ୍ୟାପାରଟା ସୁବିଧା ଲାଗୁନି ।

 

ସମ୍ଭାଳି ନେଇ କୁହନ୍ତି, କାହା କଥା କହୁଛନ୍ତି ଜେଜେ ? ମହାରାଣୀ କିଏ ? ଆରେ ବାବୁ, ତୁମମାନଙ୍କର ସେଇ ଡକ୍ଟର ଭଟ୍ଟାଚାର୍ଯ୍ୟ ! ଯିଏ ନାଁର ଖୋଳପା ପିନ୍ଧି ପୁଣି ଏ ଘରେ ଆସି ଉଙ୍କି ମାରିଛନ୍ତି ।

 

ଅନୁରାଧା ବିରସ ଗଳାରେ କହିଲେ, ସେ ଆସିବ ନାହିଁ ।

 

ଆସିବେନି ? ମୁଁ କହୁଛି ତେବେବି ଆସିବେନି ? ଅଲବତ୍ ଆସିବେ । ଏତେ ଦୁର୍ଜୟ ମାନ ତ ତାଙ୍କର ନ ଥିଲା । ଡାକ, ଡାକ ।

 

ସୁତପା ନୁହଁ, ଆସି ଛିଡ଼ା ହେଲେ ଜ୍ୟୋତିଶେଖର ଆଉ ସୋମଶେଖର ।

ଉଦ୍‌ବିଗ୍ନ ମୁହଁ ।

କ’ଣ ବ୍ୟାପାର ? କ’ଣ ହୋଇଛି ରାଜାବାହାଦୂର୍‍ଙ୍କର ।

ଅନୁରାଧା ଆସ୍ତେ କହିଲେ, ଜ୍ଵର ନାହିଁ, ଭୁଲ ବକୁଛନ୍ତି ।

ରାଜାବାହାଦୂର୍‍ ।

 

ଅ୍ୟାଁ । ଆରେ, ତୁମେମାନେ ଦୁଇ ଶଳାହିଁ ଆସି ହାଜର ହୋଇଛ । ଭଲ କଥା । ବସ, ବସ । ତାଙ୍କୁ ଡାକୁଛି ପିଆନୋ ବଜାଇବାପାଇଁ ।

 

କ’ଣ ଯେ କହୁଛନ୍ତି ! ସେ ଜାଣନ୍ତି ବଜାଇବାକୁ ?

ଆଃ । ଡାକ ତ ! ଦେଖିବି । ଦେଖିବାକୁ ଚାହୁଁଛି ।

 

ଜ୍ୟୋତି ହଠାତ୍ ଶଶୀଶେଖଙ୍କ ବିଛଣାର ଗୋଟାଏ ପଟେ ବସିପଡ଼ି କୁହନ୍ତି, ବ୍ୟାପାରଟା କ’ଣ କୁହନ୍ତୁ ତ ରାଜାବାହାଦୂର୍‍ ? ସେଇ କଦର୍ଯ୍ୟ ଝିଅଙ୍କୁ ନେଇ ଆପଣ କାହିଁକି ଏତେ-

 

କ’ଣ କ’ଣ କହିଲୁ ଜ୍ୟୋତିଶେଖର ? କଦର୍ଯ୍ୟ ? ଆଉ କହିବୁ ଏମିତି କଥା ?

ଉତ୍ତେଜିତ ହୋଇ ଥରିବାକୁ ଲାଗିଲେ ।

 

ଆସ୍ତେ ଆସ୍ତେ ଉତ୍ତେଜନା ପୁଣି ପ୍ରଶମିତ ହୁଏ । ଶାନ୍ତ କଣ୍ଠରେ କୁହନ୍ତି, ତୁମେମାନେ କେବେ ତାଙ୍କ ମୁହଁ ଆଡ଼କୁ ଭଲ ଭାବରେ ଚାହିଁ ଦେଖିଛ ? ଜ୍ୟୋତି ? ଚାହିଁ ଦେଖ୍ ତାଙ୍କର ମୁହଁକୁ-

 

ବୁଝିପାରୁ ନାହୁଁକି ଆଶ୍ଚର୍ଯ୍ୟ ରକମର ମେଳ ?

ଏମାନେ ପରସ୍ପର ମୁହଁ ଚାହାଁଚାହିଁ ହୁଅନ୍ତି ।

ଜ୍ୟୋତି କହିଲେ, ଭଲ କରି ଦେଖିନି ତ ।

 

ଦେଖିବୁ କ’ଣ ? ଶଶୀଶେଖର ମଧୁର ହସି କୁହନ୍ତି, ତୁ ଶଳା ତ ଆସି ତାଙ୍କୁ ଚୋର ସାବ୍ୟସ୍ତ କରି ହାଜତକୁ ପଠାଉଥିଲୁ । ଅବଶ୍ୟ ଚୋର ଯେ ନୁହଁନ୍ତି ତା’ କହୁନାହିଁ ।

 

ସୁତପାଙ୍କୁ ସାଙ୍ଗରେ ନେଇ ବ୍ରଜ ଆସି ପହଞ୍ଚେ ।

ରାଜାବାହାଦୂର୍‍ଙ୍କର ହୁକୁମ ।

ଆରେ, ଆସ, ଆସ ।

 

ହୈ ଚୈ ଆରମ୍ଭ କରି ଦିଅନ୍ତି ରାଜା ଶଶୀଶେଖର । ‘ମାନଟା’ ବହୁତ ବେଶୀ ଦେଖୁଛି । ଆଚ୍ଛା, ଚୋରିର ଅପବାଦ କ’ଣ ମିଛରେ ଦେଇଛନ୍ତି ଶଳାମାନେ ? ଏଇ ରାଜବାଟୀର ସବୁଠାରୁ ଦାମୀ ମାଲ୍‌ଟିକୁ ତ ଚୋରି କରି ବସି ରହିଛ ।

 

ସୁତପା ଚାରିପଟକୁ ଚାହିଁ ଦେଖନ୍ତି ।

 

ସୋମଶେଖର, ଜ୍ୟୋତିଶେଖର, ଅନୁରାଧା । ସେପଟେ ବ୍ରଜ, ପଛରେ ଲକ୍ଷ୍ମୀଛଡ଼ା ଗୁଡ଼୍‌ଗୁଡ଼୍ । ତା’ମାନେ ବିଚାର ସଭା ବସିଛି । ମୁହାଁମୁହିଁ ବିଚାର ହେବ ତାଙ୍କର, ଜଜ୍‌ଙ୍କ ଇଜଲାସ୍‌ରେ । ତେଣୁ ତଲବ କରା ହୋଇଛି ସୁତପାଙ୍କୁ ।

 

ଭଲ କଥା ତ ! ଜେଲ୍‌ରେ ପୂରାଇ ଦିଅନ୍ତୁ !

 

ଦେବି । ସେଇ ବ୍ୟବସ୍ଥାହିଁ କରୁଛି । କେବଳ ତୁମର ଭାଇଙ୍କ ପାଇଁ ଅପେକ୍ଷା । ସେତେବେଳେ ଯାଏଁ ଶାସ୍ତି ସେ ପିଆନୋଟାକୁ ବଜାଇବାକୁ ପଡ଼ିବ ।

 

ମୁଁ ଜାଣେନା ବଜାଇବାକୁ ।

ଆରେ, ଜାଣିବ, ଜାଣିବ, ଆଙ୍ଗୁଳି ମାରିଲେହିଁ ସେ ନିଜେ ବାଜି ଉଠିବ । ଯାଅ, ବସ ।

 

ସୋମଶେଖର ଅଲକ୍ଷ୍ୟରେ ନିଜ ମୁଣ୍ଡରେ ହାତ ମାରି ‘ଜେଜେ’ଙ୍କ ମୁଣ୍ଡ ସମ୍ପର୍କରେ ଈଶାରା କରି ଶାନ୍ତ ଭାବରେ କହିଲେ, ଯାଆନ୍ତୁ ମିସ୍ ଭଟ୍ଟାଚାର୍ଯ୍ୟ । ଚେଷ୍ଟାକରି ଦେଖନ୍ତୁ । ଅର୍ଗାନ ତ ବଜାନ୍ତି ।

 

ସେଇ ଈଶାରାରେ ସୁତପା ଅପ୍ରସ୍ତୁତ ହୋଇଗଲେ ।

ଭୟରେ ଭୟରେ ପିଆନୋ ସାମନାରେ ଯାଇ ବସି ଆଙ୍ଗୁଳି ଲଗାନ୍ତି ।

 

ସାମନାର ଝରକାଟା ଖୋଲି ଦେ ବ୍ରଜ । ଆଲୁଅ ଆସୁ । ଏବେ ଦେଖ ତ ସମସ୍ତେ । ଏକା ମୁହଁକି ନାହିଁ, ହଁ, ହଁ ଚେଷ୍ଟାକର । ଆଙ୍ଗୁଳି ଚଲାଅ । ଶିଖିବା ବିଦ୍ୟା ଫେରି ଆସିବ । ପୁଣି ତୁମର ଆଙ୍ଗୁଳି ସେଇ ଯନ୍ତ୍ରଟାରେ ଝଡ଼ ଉଠାଇବ । ମାଷ୍ଟର ରଖିଦେବି ପୁଣି । ଜ୍ୟୋତି କଲିକତାରୁ ମାଷ୍ଟର ଯୋଗାଡ଼ କରି ଆଣିବୁ ବୁଝିଲୁ ?

 

ଜେଜେ, ଆପଣ ଟିକେ ଶୋଇପଡ଼ନ୍ତୁ । ଆପଣଙ୍କର ବିଶ୍ରାମ ଦରକାର । କାହିଁକି ? ତୁମେମାନେ କ’ଣ ଭାବିଛ, ମୁଣ୍ଡଟା ଖରାପ ହୋଇଯାଇଛି ରାଜାବାହାଦୂର୍‍ର ? ଧେତ୍ ! ଠିକ୍ ଅଛି-। ସେଇ ମହିଳାଜଣକ ସ୍ଵର୍ଗଲୋକରେ ବେଶୀଦିନ ରହି ପାରିନାହାଁନ୍ତି । ବୁଝିଲୁ ? ପୁଣି ଏ ପୃଥିବୀକୁ ଓହ୍ଲାଇ ଆସି ଏଇ ରାଜବାଟୀରେ ଧରା ଦେଇଛନ୍ତି । ଆଉ ଛାଡ଼େ ? ତାଙ୍କର ଭାଇ ଆସିଲେ ନା ନାହିଁ ?

 

ଗୁଡ଼୍‌ଗୁଡ଼୍ ମୁଣ୍ଡ ଗଳାଇ କହିଲା, ଆସିଲେଣି ତ କେତେବେଳ ହେଲାଣି । ପ୍ରାସାଦର ଅତିଥିଶାଳାରେ ବସିଛନ୍ତି ।

 

ଅ୍ୟାଁ ।

ଚଞ୍ଚଳ ହୋଇ ଉଠନ୍ତି ସମସ୍ତେ । ସୁତପା ମଧ୍ୟ ଚେୟାର ଛାଡ଼ି ଉଠିପଡ଼ନ୍ତି ।

 

ରାଜାବାହାଦୂର୍‍ ଗମ୍ଭୀର ଭାବରେ କୁହନ୍ତି, ଯିଏ ଯେମିତି ଅଛନ୍ତି, ରହି ଥାଆନ୍ତୁ । ଶଳା ଆସୁଛନ୍ତି, ସେଥି‌ପାଇଁ ଏତେ ସମୀହ କ’ଣରେ ଶଳାମାନେ ?

 

ନିଖିଳେଶ ଆସି ଛିଡ଼ା ହୁଅନ୍ତି ।

ଆଉ ହଠାତ୍ ଯେମିତି ଆତ୍ମସ୍ଥ ହୋଇ ଯାଆନ୍ତି ରାଜା ଶଶୀଶେଖର ।

 

ଗମ୍ଭୀର ଗଳାରେ ଜଜ୍‌ଙ୍କ ଭଙ୍ଗୀରେ କୁହନ୍ତି-ହେଇତ, ଆପଣ ଆସି ଯାଇଛନ୍ତି ବସନ୍ତୁ । ଆପଣଙ୍କ ଭଉଣୀ ବ୍ୟାପାରରେ ଡକା ହୋଇଛି ଆପଣଙ୍କୁ । ଏମିତି ଗୋଟାଏ ‘ଚୋରି’ କେସ୍‌ରେ ଜଡ଼ିତ ହୋଇ ପଡ଼ିଛନ୍ତି ସେ, ୟାଙ୍କୁ ଆଉ ଛାଡ଼ିବା ସମ୍ଭବ ନୁହେଁ ।

 

ନିଖିଳେଶ ଆଶ୍ଚର୍ଯ୍ୟ ହୋଇ ସମସ୍ତଙ୍କ ମୁହଁକୁ ଚାହିଁ ରହନ୍ତି ।

 

ସୁତପାଙ୍କ ଦେହ ଅସୁସ୍ଥ ଭାବି ବିଚଳିତ ହୋଇ ଦୌଡ଼ି ଆସିଛନ୍ତି ସେ । ରାସ୍ତାରେ ଶୁଣିଲେ ଦେହ କିଛି ଖରାପ ହୋଇ ନାହିଁ, ଭଲ ଅଛନ୍ତି । ତେବେ ? ଭାବି ପାରୁ ନ ଥିଲେ, ବ୍ୟାପାରଟା କ’ଣ ?

 

ବୁଝାଯାଉଛି ସବୁ । ତପୁ ବି ତ ସମସ୍ତ ଲେଖୁଥିଲା । ବୁଢ଼ା ବଦ୍ଧ ପାଗଳ । କିନ୍ତୁ ଏମାନେ ? ମନେ ମନେ ଭାବିଲେ, ନିଖିଳେଶ ।

 

ସମସ୍ତେ ଚୁପ୍‌ଚାପ୍ ।

କିନ୍ତୁ ସୁତପାଙ୍କ ଆଖିରେ କୌତୁକ ନାହିଁ କାହିଁକି ? ମଥା ନଇଁ ବସିଛନ୍ତି । ଅଭିନୟ ?

 

ନିଖିଳେଶ ତେଣୁ ଶାନ୍ତ ଗଳାରେ କହିଲେ, କ’ଣ ଚୋରି ହୋଇଛି ? ରାଜବାଟୀର ସେରା ମାଳିଟା । ଏଇତ, ସ୍ଵୟଂ ରାଜାବାହାଦୁର୍‍ଙ୍କୁ ହିଁ ବେମାଲୁମ ଆତ୍ମସାତ୍ ।

 

ଓଃ ! ମଜା କଥା । ନିଖିଳେଶ ମୃଦୁ ହସି ଚାହାଁନ୍ତି ।

 

କିନ୍ତୁ ଏମାନେ ହସିଲେ ନାହିଁ କାହିଁକି ? ଏମିତି ଚମକି ଉଠିଲେ କାହିଁକି ? ତପୁ ବି ଯେମିତି ଏମାନଙ୍କ ଦଳରେ ଭିଡ଼ି ଯାଇଛି ।

 

ଶଶୀଶେଖର ପୁଣି କୁହନ୍ତି, ସେଇଥିପାଇଁ ଠିକ୍‍ କରିଛି ଯାବଜ୍ଜୀବନ କାରାଦଣ୍ଡ । ଏଇତ, ଏଇ ଜେଲରେ ସାହେବଙ୍କ ହାତରେ ସମର୍ପି ଦେଉଛି ।

 

ଶଶୀଶେଖର, ଜ୍ୟୋତିଶେଖରଙ୍କ ହାତଟାକୁ ଚାପି ଧରନ୍ତି ।

ଅସମ୍ଭବ ।

ଅସମ୍ଭବ ।

ପୂରାପୂରି ଅସମ୍ଭବ ।

ତିନୋଟି କଣ୍ଠରୁ ଏକା ଶବ୍ଦ ବାହାରି ଆସେ ।

ଜ୍ୟୋତିଙ୍କର, ଅନୁରାଧାଙ୍କର ଆଉ ସୁତପାଙ୍କର ।

 

ଶଶୀଶେଖର ଆହୁରି ଆତ୍ମସ୍ଥ ଗଳାରେ କୁହନ୍ତି ରାଜା ଶଶୀଶେଖର ସମାଦ୍ଦାର ବାହାଦୁର୍‍ର ଡିକ୍ସନାରୀରେ ଅସମ୍ଭବ ବୋଲି କୌଣସି ଓ୍ୱାର୍ଡ଼ ନାହିଁ । ବ୍ୟାପାରଟା ପକ୍କା ହୋଇଯାଉ-। ବ୍ରଜ, ଏପଟକୁ ଆ, ମୋ ଗଦି ତଳକୁ ହାତ ପୂରା । ଏଇଠି, ଠିକ୍ ୟା ଭିତର ଆଡ଼କୁ-। ଆହୁରି ଭିତରକୁ ।

 

ସମସ୍ତଙ୍କର ସ୍ତମ୍ଭିତ ଦୃଷ୍ଟି ସାମନାରେ ବ୍ରଜର ଥରଥର ହୋଇ କମ୍ପୁଥିବା ହାତରୁ ହାରଟା ନିଜ ହାତକୁ ନିଅନ୍ତି ରାଜା ଶଶୀଶେଖର । ଆଲୁଅରେ ଝଲସି ଉଠେ ସେଇଟା । ଟିକେ ଲାଜୁଆ ହସ ହସି କୁହନ୍ତି, ନିରୁପାୟ ହୋଇ ତୁମକୁ ଜବତ କରିବାକୁ ହୋଇଛି ସାନରାଣୀ । କ୍ଷମାକରି ଦିଅ-। ତୁମର ଚାଲି ଯିବାକୁ ଅଟକାଇବା ପାଇଁ ଦଶହରା ହୋଇ ଏଇ ଟିକେ କୌଶଳ ଖଟାଇବାକୁ ବାଧ୍ୟ ହୋଇଥିଲି । ଆସ ଏପଟକୁ ଆସ । ବୋହୂରାଣୀ ତୁମେବି ଆସ ତାଙ୍କୁ ନେଇ ।

 

ସମସ୍ତଙ୍କର ସ୍ତବ୍ଧ ଆଖି ସାମନାରେ ଟାଣି ହୋଇ ଆସିଥିବା ସୁତପାଙ୍କ ଗଳାରେ ସେଇ ବିରାଟ ଚେନ୍‌ଟା ପିନ୍ଧାଇ ଦିଅନ୍ତି ଶଶୀଶେଖର । ସେଇଟା ଆଣ୍ଠୁ ପର୍ଯ୍ୟନ୍ତ ଝୁଲି ପଡ଼େ, ଯେମିତି ତିନିଥର ଗୁଡ଼ାଇ ପିନ୍ଧିବାକୁ ହୁଏ, ତାଙ୍କୁ ପିନ୍ଧାଇ ଦିଅ ତ ବୋହୂରାଣୀ ।

 

ନିଃଶବ୍ଦରେ ମୁଣ୍ଡ ନୂଆଇଁ ଆଜ୍ଞା ପାଳନ କରନ୍ତି ଅନୁରାଧା ।

 

ସମସ୍ତେ ମୁଣ୍ଡ ତଳକୁ କରି ଛିଡ଼ା ହୋଇଛନ୍ତି । ଏହାପରେ ସୁତପାଙ୍କୁ ମୁହଁ ଦେଖାଇବେ ସେମାନେ କିପରି ? ଏଇ ତିନିଦିନ ହେଲା ସେମାନେ ଯାହା କହିଛନ୍ତି ତାଙ୍କୁ ? ଯାହା ବ୍ୟବହାର କରିଛନ୍ତି ତାଙ୍କୁ ଭାବି, ଧରଣୀକୁ ବିଦୀର୍ଣ୍ଣ ହେବାକୁ କହିବା ଛଡ଼ା ଆଉ ଉପାୟ ନାହିଁ ।

 

କେବଳ ବେପରୁଆ ଜ୍ୟୋତିଶେଖର ନିଜର ଏବଂ ସୁତପାଙ୍କ ଭାଇଙ୍କ ସାମନାରେ କହି ଉଠନ୍ତି, ଏଇଟା କ’ଣ ହେଲା ରାଜାବାହାଦୁର୍‍ ? ଆପଣଙ୍କ ପ୍ରେୟସୀଙ୍କ ପ୍ରେତାତ୍ମାଙ୍କୁ ନେଇ ଘର କରିବାକୁ ପଡ଼ିବ ମୋତେ ?

 

ଏଇ ଖବରଦାର୍‍ ! ମୁହଁ ସମ୍ଭାଳି । ‘ପ୍ରେତାତ୍ମା’ ମାନେ ? କହ, ଆତ୍ମାର ଅମରଜ୍ୟୋତି । ଝରକା ଆଡ଼କୁ ମୁହଁ ବୁଲାଅ ତ ସାନରାଣୀ ।

 

ଶୋଇପଡ଼ନ୍ତି ଶଶୀଶେଖର ।

 

କାହାରି ଲକ୍ଷ୍ୟ ପଡ଼େନାହିଁ, ଶୋଇବା ସଙ୍ଗେସଙ୍ଗେ ହାତ ଦୁଇଟା କେମିତି ଶିଥିଳ ହୋଇ ଦୁଇପଟେ ଝୁଲି ପଡ଼େ ।

 

ବର୍ତ୍ତମାନ ସମସ୍ତଙ୍କର ଲକ୍ଷ୍ୟ ଝରକାରୁ ଆଲୁଅ ମୁହଁରେ ଆସି ପଡ଼ିଥିବା ତିନି ପେଞ୍ଚ ହୋଇଥିବା ହାର ଗଳାରେ ପିନ୍ଧିଥିବା ସୁତପାଙ୍କ ମୁହଁ ଆଡ଼କୁ । ଆଶ୍ଚର୍ଯ୍ୟ ! କି ଅଦ୍ଭୁତ ସାଦୃଶ୍ୟ ! ଏ ଯାବତ୍ କାହାରି ଆଖିରେ ପଡ଼ି ନାହିଁ କାହିଁକି ? ଇଏ କ’ଣ କେବଳ ଶଶୀଶେଖରଙ୍କ ପ୍ରେରଣାର ପ୍ରଭାବ ନା କ’ଣ ? ଅଥବା ତାଙ୍କର ତୃଷିତ ଚିତ୍ତର ତୀବ୍ର ଆକୁଳତା ତାଙ୍କ ମୁହଁରେ ଛାପ ପକାଇ ପକାଇ ରୂପ ଦେଇ ଚାଲିଥିଲା ?

Image